ନୂଆଦିଲ୍ଲୀ ୨୮।୧୧: ସେପ୍ଟେମ୍ବର ମାସରେ କେନ୍ଦ୍ର ସରକାର ଲାଗୁ କରିଥିବା କୃଷି ସଂଶୋଧନ ଆଇନ ୨୦୨୦କୁ ବିରୋଧ କରି କରୋନା କାଳରେ ହଜାର ହଜାର ଚାଷୀ ରାଜଧାନୀ ଦିଲ୍ଲୀ ଅଭିମୁଖେ ବାହାରିଛନ୍ତି। ସରକାରଙ୍କ ଜନ ବିରୋଧୀ ଆଇନ ବିରୋଧରେ ଦୀର୍ଘ ମିଆଦି ଆନ୍ଦୋଳନ ଲାଗି ଚାଷୀ ପ୍ରସ୍ତୁତି କରିଆସିଛନ୍ତି। ଏଥିପାଇଁ ସେମାନେ ଟ୍ରାକ୍ଟର ଟ୍ରଲିରେ ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀ ଲଦି ଦିଲ୍ଲୀ ଅଭିମୁଖେ ଜାତୀୟ ରାଜମାର୍ଗରେ ବାହାରିଥିବା ବେଳେ ବିଭିନ୍ନ ସ୍ଥାନରେ ସେମାନଙ୍କୁ ଅଟକାଇବାକୁ ଉଦ୍ୟମ କରାଯାଉଛି। ତେବେ ଏହି ଚାଷୀ ଆନ୍ଦୋଳନ କ’ଣ ଓ କାହିଁକି ଏବେବି ଅନେକଙ୍କ ଲାଗି ଅବୁଝା। ତେବେ କେବଳ ସଂଶୋଧିତ କୃଷି ଆଇନ ନୁହେଁ ଏଥିରେ ଚାଷୀଙ୍କ ଅନ୍ୟ ପ୍ରସଙ୍ଗ ବି ଲୁଚି ରହିଛି। ତେବେ ଆସନ୍ତୁ ଜାଣିବା କିଏ କଣ ପାଇଁ ଦେଇଛି ଦିଲ୍ଲୀ ଚଲୋ ଡାକରା।
{"id":369215,"sizeSlug":"large"}ମିଳିତ କୃଷକ ମଞ୍ଚ ଆହ୍ୱାନରେ ଚାଲିଛି ଆନ୍ଦୋଳନ
ଦିଲ୍ଲୀ ଚଲୋ ଡାକରା କୌଣସି ଗୋଟିଏ କୃଷି ସଙ୍ଗଠନ ଆହ୍ୱାନରେ ହେଉନି। ମିଳିତ କିଷାନ ମୋର୍ଚ୍ଚା ତତ୍ୱାବଧାନରେ ଅନୁଷ୍ଠିତ ହେଉଥିବା ରାଲି ଲାଗି ଅଖିଳ ଭାରତୀୟ କିଷାନ ସଂଘର୍ଷ ସମିତି ଆହ୍ୱାନ ଦେଇଥିବା ବେଳେ ଜାତୀୟ କିଷାନ ମହାସଂଘ ତଥା ଭାରତୀୟ କିଷାନ ୟୁନିୟନର ବିଭିନ୍ନ ଗୋଷ୍ଠୀ ଏହି ଆହ୍ୱାନକୁ ସମର୍ଥନ କରିଛନ୍ତି। ଜାତୀୟ କିଷାନ ମହାସଂଗଠନ, ଜୟ କିଷାନ ଆନ୍ଦୋଳନ, ଅଖିଳ ଭାରତୀୟ କିଷାନ ମଜଦୂର ସଭା, କ୍ରାନ୍ତିକାରୀ କିଷାନ ୟୁନିୟନ, ଭାରତୀୟ କିଷାନ ୟୁନିୟନ ଦକୁଣ୍ଡା,ରାଜେୱାଲ,ଏକତା ଉଗରାହାଁ ଓ ଚାଦୁନି ଆଦି ମୋର୍ଚ୍ଚା ଆନ୍ଦୋଳନରେ ସାମିଲ ହୋଇଛନ୍ତି।
ଦିଲ୍ଲୀ ଚଲୋ ପୂର୍ବରୁ ପଞ୍ଜାବ ଓ ହରିୟାଣାରେ ଆନ୍ଦୋଳନ ଜାରି ରଖିଥିଲେ ଚାଷୀ
ବିକ୍ଷୋଭରେ ପଞ୍ଜାବ ଓ ହରିୟଣାର ଚାଷୀଙ୍କ ସମେତ ଉତ୍ତରପ୍ରଦେଶ, ରାଜସ୍ଥାନ, ଉତ୍ତରାଖଣ୍ଡ, କେରଳ ଆଦି ୭ଟି ରାଜ୍ୟର ଚାଷୀ ଯୋଗଦେଇଛନ୍ତି। ତେବେ ଅଧିକାଂଶ ବିକ୍ଷୋଭକାରୀ ପଞ୍ଜାବରୁ ଆସିଥିବା ବେଳେ ହରିୟାଣାରୁ ମଧ୍ୟ ବହୁ ସଂଖ୍ୟାରେ ଚାଷୀ ଆସିଛନ୍ତି। ତେବେ ‘ଦିଲ୍ଲୀ ଚଲୋ’ ଆହ୍ୱାନ ପୂର୍ବରୁ ପଞ୍ଜାବ ଓ ହରିୟାଣାର ଚାଷୀମାନେ ପୃଥକ ପୃଥକ ଆନ୍ଦୋଳନ କରିବା ସହ ରେଲ ରୋକ କରିଥିଲେ। ଏହି ଆନ୍ଦୋଳନ ଅନୁନ୍ୟ ୨ ମାସ ଧରି ଚାଲିବା ଯୋଗୁ ରେଳବାଇ ଟ୍ରେନ ବାତିଲ କରିବାକୁ ବାଧ୍ୟ ହୋଇଥିଲେ। ଫଳରେ ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରରେ ସଂକଟ ଉପୁଜିଥିଲା। ଏଥିରେ ତାପଜ ବିଦ୍ୟୁତ ପ୍ଲାଣ୍ଟକୁ କୋଇଲା ପହଞ୍ଚି ନ ପାରିବାରୁ ବିଦ୍ୟୁତ ସଂକଟ ମଧ୍ୟ ଉପୁଜିଥିଲା।
ସରକାରଙ୍କ ସହ ଆଲୋଚନା ନିଷ୍ଫଳ ହେବା ପରେ ଦିଲ୍ଲୀ ଚଲୋ ଡାକରା
ଚାଷୀଙ୍କ ସମସ୍ୟା ସମାଧାନ ଲାଗି ଏକ ପ୍ରତିନିଧି ମଣ୍ଡଳ ନଭେମ୍ବ ୧୫ ତାରିଖରେ କେନ୍ଦ୍ର ସରକାରଙ୍କ ସହ ଏକ ବୈଠକ କରିଥିଲେ। ତେବେ ଏହା ନିଷ୍ଫଳ ହୋଇଥିଲା। ଏଣୁ ଚାଷୀ ସଙ୍ଗଠନ ଦିଲ୍ଲୀ ଚଲୋ ଆହ୍ୱାନ ଦେଇଛନ୍ତି। ତେବେ ଚାଷୀ ରାଜଧାନୀ ଦିଲ୍ଲୀରେ ପହଞ୍ଚିବା ପରେ ସରକାର ସେମାନଙ୍କସହ ଆଲୋଚନା ପାଇଁ ଆଗ୍ରହୀ ବୋଲି କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ତୋମାର ଘୋଷଣା କରିଛନ୍ତି। ଏଥିଲାଗି ଡିସେମ୍ବ ୩ ତାରିଖକୁ ଦିନ ଧାର୍ଯ୍ୟ କରିଥିବା ବେଳେ ୩୦ରୁ ଅଧିକ ସଙ୍ଗଠନର ପ୍ରତିନିଧିଙ୍କୁ ନିମନ୍ତ୍ରିତ କରିଛନ୍ତି।
ଆନ୍ଦୋଳନ କାହିଁକି?
କେନ୍ଦ୍ର ସରକାର ସେପ୍ଟେମ୍ବର ୨୦୨୦ରେ ସଂଶୋଧିତ କୃଷି ଆଇନକୁ ସଂସଦରେ ଗୃହୀତ କରାଇବା ସହ ଆଇନରେ ପରିଣତ କରିଛନ୍ତି। ତେବେ ପଞ୍ଜାବ ଓ ହରିୟାଣାର ଚାଷୀ ଏହି ସଂଶୋଧିତ କୃଷି ଆଇନ ଯୋଗୁ ପ୍ରଚଳିତ କୃଷି ବଜାର ଧ୍ୱଂସ୍ତ ହୋଇଯିବ ବୋଲି ଆଶଙ୍କା କରୁଛନ୍ତି। ନ୍ୟୁନତମ ସହାୟକ ମୂଲ୍ୟ (ଏମଏସପି) ବ୍ୟବସ୍ଥା ହଟିଯିବା ସହ ସମୟକ୍ରମେ ଚାଷରେ କର୍ପୋରେଟ ହାଉସ୍ ମାନଙ୍କର ରାଜ ଚାଲିବ ବୋଲି ଅଭିଯୋଗ କରୁଛନ୍ତି। ଏହି ଆଇନ ଯୋଗୁ ମଣ୍ଡି ବ୍ୟବସ୍ଥା ସମ୍ପୂର୍ଣ୍ଣ ବନ୍ଦ ହୋଇଯିବ ଓ ଚାଷୀକୁ ତାର ଉତ୍ପାଦିତ ଫସଲର ମୂଲ୍ୟ ମିଳିବନି ବୋଲି ଆଶଙ୍କା କରୁଛନ୍ତି। ସେହିପରି ଚାଷୀଙ୍କୁ ଋଣ ପ୍ରଦାନରେ ସହଯୋଗ କରୁଥିବା କମିଶନ ଏଜେଣ୍ଟ ମଧ୍ୟ ବ୍ୟବସ୍ଥାରୁ ବାହାର ହୋଇଯିବେ ବୋଲି ଚାଷୀ ଆଶଙ୍କା କରୁଛନ୍ତି। ସେହିପରି ଚାଷୀମାନେ ବିଦ୍ୟୁ ସଂଶୋଧନ ବିଧେୟକ ୨୦୨୦କୁ ମଧ୍ୟ ବିରୋଧ କରୁଛନ୍ତି। ଏହି ସଂଶୋଧିତ ବିଧେୟକ ଆଇନରେ ପରିଣତ ହେଲେ ଚାଷୀଙ୍କୁ ମିଳୁଥିବା ବିଦ୍ୟୁତ ସବସିଡି ମିଳି ନାହିଁ ବୋଲି ସେମାନେ ଆଶଙ୍କା କରୁଛନ୍ତି।