ଜାଣନ୍ତୁ କ୍ଲଷ୍ଟର ବୋମା କ’ଣ? ଯାହାକୁ ନେଇ ଭାରତ ବିରୋଧରେ ଏବେ ଅପପ୍ରଚାର ଚଳାଇଛି ପାକିସ୍ତାନ
4/08/2019 at 8:32 PM

ନୂଆଦିଲ୍ଲୀ: ନିୟନ୍ତ୍ରଣ ରେଖାରେ ଗୁଳିଗୋଳା ବର୍ଷଣ କରୁଥିବା ପାକ୍ ସେନାଙ୍କୁ ମୁହଁ ତୋଡ ଜବାବ ଦେଇଛନ୍ତି ଭାରତୀୟ ସେନା। ଫଳରେ ପାକ୍ ଏଲଟି ଫୋର୍ସର ୭ ଜଣ ଜବାନ ନିହତ ହୋଇଥିବା ବେଳେ ଏବେ ପଡୋସୀ ଦେଶର ସରକାର ଭାରତ ଉପରେ କ୍ଲଷ୍ଟର ବୋମା ମାଡ କରୁଥିବା ଅଭିଯୋଗ କରୁଛି। ତେବେ ପାକ୍ ସରକାରଙ୍କ ଅଭିଯୋଗକୁ ଭାରତୀୟ ସେନା ଅଗ୍ରାହ୍ୟ କରିଥିବା ବେଳେ କେବଳ ପାକ୍ ସେନାଙ୍କ ଗୁଳିଗୋଳା ମାଡର ଜବାବ ଦିଆଯାଇଥିବା କହିଛି। ତେବେ ଆସନ୍ତୁ ଜାଣିବା ପାକ୍ ଅଭିଯୋଗ କରୁଥିବା କ୍ଲଷ୍ଟ ବୋମା କଣ ?

୨୦୦୮ ମସିହାରେ କାର୍ଯ୍ୟକାରୀ ହୋଇଥିବା ଜେନେଭା ରାଜିନାମାରେ କ୍ଲଷ୍ଟର ବୋମାର ଉତ୍ପାଦନ ଓ ଉପଯୋଗ ସାରା ବିଶ୍ୱରେ ନିଷିଦ୍ଧ ହୋଇଛି। ତେବେ ମଝିରେ ମଝିରେ ଆମେରିକା, ଇରାକ, ଇସ୍ରାଏଲ ଓ ଉତ୍ତର କୋରିଆ ବିରୋଧରେ ଏଭଳି ଅସ୍ତ୍ରଶସ୍ତ୍ରର ପ୍ରୟୋଗ ନେଇ ଅଭିଯୋଗ ହେଉଛି। ଏହା ଏକ ଏଭଳି ବୋମା ଯାହାକୁ ଉଭୟ ଆକଶ ଓ ଭୂ-ଭାଗରେ ମଧ୍ୟ ପ୍ରୟୋଗ କରିହେବ। ତେବେ ଏହି ବୋମା ହେଉଛି ଅନେକ ଛୋଟଛୋଟ ବୋମାର ଏକ ସମାହାର। ଯାହାକୁ ଦ୍ୱିତୀୟ ବିଶ୍ୱଯୁଦ୍ଧରେ ତତ୍କାଳୀନ ସୋଭିଏତ ସଂଘ ଓ ଜର୍ମାର ସୈନିକମାନେ ଶତ୍ରୁଙ୍କ ବିରୋଧରେ ପ୍ରୟୋଗ କରିଥିଲେ।

ଏହି ବୋମା ନିକ୍ଷେପ କରାଯାଇଥିବା ଲକ୍ଷସ୍ଥଳରେ ଫାଟି ବଡ ଧରଣର ବିସ୍ଫୋରଣ ହୋଇଥାଏ। ଫଳରେ ଲକ୍ଷ ସ୍ଥଳ ସମେତ ଆଖାପଖରେ ମଧ୍ୟ ଭିଷଣ କ୍ଷୟକ୍ଷତି କରେ। ଏହାର ବହୁଳ ବ୍ୟବହାର ଶତ୍ରୁ ଦେଶର ପଦାତିକ ସେନାଙ୍କ ଠିକଣା ଉପରେ କରାଯାଇଥାଏ। ଫଳରେ ପୁରା ସୈନ୍ୟ ଠିକଣା ଧ୍ୱଂସ ହୋଇଯାଏ। ଅତୀତରେ କ୍ଲଷ୍ଟର ବମ୍ ଭିଏତନାମ, ଲାଓସ, ଇରାକ୍, କମ୍ବୋଡିଆ, ସିରିଆ,ଆଫଗାନିସ୍ତାନ ସମେତ ବିଭିନ୍ନ ଦେଶରେ ଉପଯୋଗ ହୋଇଥିବା ବେଳେ ଅନେକ ଆତଙ୍କବାଦୀ ପ୍ରାଣ ହରାଇଥିଲେ।

ଉପସାଗରୀୟ ଯୁଦ୍ଧ ବେଳେ ଆମେରିକା ବିପୁଳ କ୍ଲଷ୍ଟର ବୋମା ବ୍ୟବହାର କରିଥିଲା। ସେହିପରି ଆଫଗାନ ଯୁଦ୍ଧ ବେଳେ ମଧ୍ୟ ପାହାଡରେ ଲୁଚି ରହିଥିବା ତାଲିବାନ ଯୋଦ୍ଧାଙ୍କ ବିରୋଧରେ ଏହି ବୋମା ବେଶ ଫଳପ୍ରଦ ହୋଇଥିଲା। ତେବେ ୨୦୦୮ ଡବଲିନ କନଭେନସନରେ କ୍ଲଷ୍ଟରବୋମା ନେଇ ଚୁକ୍ତି ସ୍ୱାକ୍ଷରିତ ହୋଇଥିଲା। ଏଥିରେ ଏଭଳି ଗଣ ବିଧ୍ୱଂସକ ଅସ୍ତ୍ରର ଉତ୍ପାଦନ ଓ ବ୍ୟବହାର ଉପରେ କଟକଣା ନେଇ ଅନ୍ତରାଷ୍ଟ୍ରୀୟ ଚୁକ୍ତି ହୋଇଥିବା ବେଳେ ଭାରତ ସମେତ ୧୦୮ଟି ଦେଶ ଏଥିରେ ସ୍ୱାକ୍ଷର କରିଥିଲେ।