ଆଜି ବର୍ଷର ପ୍ରଥମ ଚନ୍ଦ୍ର ଗ୍ରହଣ : ଜାଣନ୍ତୁ ଗ୍ରହଣ ଆରମ୍ଭ ଏବଂ ଶେଷର ସମୟ…
10/01/2020 at 9:31 AM

ଭୁବନେଶ୍ବର ୧୦।୧: ଆଜି ରାତିରେ ସଙ୍ଗଠିତ ହେବ ଚଳିତ ବର୍ଷର ପ୍ରଥମ ଚନ୍ଦ୍ର ଗ୍ରହଣ। ମାତ୍ର ଏହି ବିରଳ ମହାଜାଗତିକ ଘଟଣାଟି ଓଡ଼ିଶାରେ ସଂପୂର୍ଣ୍ଣ ଦୃଶ୍ୟମାନ ହେବନାହିଁ । ଚନ୍ଦ୍ର ଗ୍ରହଣ ପଞ୍ଜିକାରେ ଉଲ୍ଲେଖ ନଥିବାରୁ ମନରେ ସୃଷ୍ଟି ହୋଇଛି ଦ୍ଵନ୍ଦ୍ଵ ।

ଆଜି ଚନ୍ଦ୍ର ଗ୍ରହଣ ଓଡ଼ିଶାରେ ସଂପୂର୍ଣ୍ଣ ଦୃଶ୍ୟମାନ ହେବ ନାହିଁ। ଯେହେତୁ ସଂପୂର୍ଣ୍ଣ ଦୃଶ୍ୟ ନୁହଁ ତେଣୁ ପଞ୍ଜିକାରେ ଉଲ୍ଲେଖ ନାହିଁ। ଜଗନ୍ନାଥ ମନ୍ଦିରରେ ମଧ୍ୟ ଏହାକୁ ପାଳନ କରାଯିବ ନାହିଁ। ତେଣୁ ଓଡ଼ିଶାରେ ଚନ୍ଦ୍ର ଗ୍ରହଣ ପାଳନୀୟ ନୁହେଁ। ଶ୍ରୀମନ୍ଦିରରେ ସ୍ଵତନ୍ତ୍ର ନୀତି ପାଳନ କରାଯିବ ନାହିଁ ।

ରାତି ୧୦ଟା ୩୭ମିନିଟରେ ଏହି ଚନ୍ଦ୍ର ଗ୍ରହଣ ଆରମ୍ଭ ହେବ ଯେତେବେଳେ ଚନ୍ଦ୍ର ପୃଥିବୀର ଉପଛାୟାରେ ପ୍ରବେଶ କରିବ । ଏଥର ଗ୍ରହଣ ସମୟରେ ଚନ୍ଦ୍ର ପୃଥିବୀର ଛାୟାରେ ପ୍ରବେଶ କରିବ ନାହିଁ । ତେଣୁ ଏହି ଚନ୍ଦ୍ର ଗ୍ରହଣକୁ ଖାଲି ଆଖିରେ ଦେଖିବା କଷ୍ଟକର ହେବ । ଆକାଶ ସଂପୂର୍ଣ୍ଣ ପରିଷ୍କାର ରହିଲେ ଓ ଭଲ ଭାବରେ ନିରୀକ୍ଷଣ କଲେ ଏକ ହାଲକା କଳା ଛାଇ ଦେଖି ହେବ ।

ରାତି ୨ଟା୪୨ ମିନିଟ ସମୟରେ ଛାଇଟି ଚନ୍ଦ୍ର ପୃଷ୍ଠରୁ ସମ୍ପୂର୍ଣ୍ଣ ଭାବରେ ଅପସରି ଯିବ । ଆକାଶ ମେଘମୁକ୍ତ ରହିଲେ ଏହି ଦୃଶ୍ୟ ଖାଲି ଆଖିରେ ବା ଛୋଟ ବାଇନାକୁଲର ସାହାଯ୍ୟରେ ଦେଖି ହେବ। ଚଳିତ ବର୍ଷ ୨୦୨୦ରେ ୪ଟି ଚନ୍ଦ୍ର ଗ୍ରହଣ ଓ ଦୁଇଟି ସୂର୍ଯ୍ୟପରାଗ ଦୃଶ୍ୟମାନ ହେବ ।