ଆଜି ମହାଳୟା ଅମାବାସ୍ୟା, ଜାଣନ୍ତୁ ଏହି ତିଥି ପଛରେ ଥିବା ରହସ୍ୟ ଓ ପୌରାଣିକ ତଥ୍ୟ ସମ୍ପର୍କରେ

Published By : Prameya-News7 Bureau | September 28, 2019 IST

ଆଜି ଅମାବାସ୍ୟା। ଅମାବାସ୍ୟା ତିଥି ମନୁଷ୍ୟର ଜନ୍ମକୁଣ୍ଡଳୀରେ ଥିବା ପିତୃଦୋଷ-ମାତୃଦୋଷରୁ ମୁକ୍ତ କରିବା ସହ ପିଣ୍ଡଦାନ,ଶ୍ରାଦ୍ଧ ନିମନ୍ତେ ଫଳଦାୟକ ବୋଲି କୁହାଯାଇଥାଏ। ଶାସ୍ତ୍ରରେ ଏହି ତିଥିକୁ ‘ସର୍ବପିତୃ ଶ୍ରାଦ୍ଧ’ ତିଥି ବୋଲି କୁହାଯାଇଥାଏ। ଏହା ପଛରେ ଏକ ମହତ୍ତ୍ବପୂର୍ଣ୍ଣ ଘଟଣା ରହିଥିବା କଥା କୁହାଯାଇଛି।

ଦେବତାଙ୍କ ପିତୃଗଣ ଯାହାଙ୍କୁ ‘ଅଗ୍ନିଷବାତ୍ତ’ କୁହାଯାଏ । ଏମାନେ ସୋମପଥ ଲୋକରେ ବାସ କରନ୍ତି ।ଏମାନଙ୍କ ମାନସୀ କନ୍ୟା, ‘ଅଚ୍ଛୋଦା’ ଏକ ନଦୀ ଭାବେ ପ୍ରବାହିତ ହୋଇଥାନ୍ତି। ଥରେ ଅଚ୍ଛୋଦା ହଜାର ବର୍ଷ ଯାଏଁ ଅଖଣ୍ଡ ତପସ୍ୟା କରିଥିଲେ। ତାଙ୍କ ତପସ୍ୟାରେ ପ୍ରସନ୍ନ ହୋଇ ଦିବ୍ୟଶକ୍ତି ସମ୍ପନ୍ନ ଦେବତାଙ୍କ ପିତୃଗଣ ଅଚ୍ଛୋଦାଙ୍କୁ ବରଦାନ ଦେବା ପାଇଁ ଦିବ୍ୟ ସୁଦର୍ଶନ ଶରୀର ଧାରଣ କରି ଆଶ୍ବିନ ଅମାବାସ୍ୟା ଦିନ ଉପସ୍ଥିତ ହୋଇଥିଲେ। ସେହି ପିତୃଗଣଙ୍କ ମଧ୍ୟରେ ‘ଅମାବସୁ’ ନାମକ ଏକ ଅତ୍ୟନ୍ତ ସୁନ୍ଦର ପିତୃ ପୁରୁଷଙ୍କ ସୁନ୍ଦର ରୂପ ଏବଂ ଯୌବନ ଦେଖି ଅଚ୍ଛୋଦା କାମନାତୁର ହୋଇଥିଲେ ଏବଂ ତାଙ୍କ ସହ ପ୍ରଣୟ ନିବେଦନ କରିଥିଲେ। କିନ୍ତୁ ଅଚ୍ଛୋଦାଙ୍କର କାମପ୍ରାର୍ଥନାକୁ ଅମାବସୁ ଗ୍ରହଣ କରିନଥିଲେ। ଫଳରେ ଅଚ୍ଛୋଦା ଲଜ୍ଜିତ ହୋଇଥିଲେ ଏବଂ ସ୍ବର୍ଗରୁ ପୃଥିବୀପୃଷ୍ଠକୁ ଅବତରଣ କରିଥିଲେ।

ଅମାବସୁଙ୍କ ବ୍ରହ୍ମଚର୍ଯ୍ୟ ଏବଂ ଧୈର୍ଯ୍ୟକୁ ସବୁ ପିତୃପୁରୁଷମାନେ ପ୍ରଶଂସା କରିଥିଲେ ଏବଂ ତାଙ୍କୁ ବରଦାନ ଦେଇଥିଲେ ଯେ ଏହି ଅମାବାସ୍ୟା ତିଥି ‘ଅମାବସୁ’ ଭାବେ ଜଣାଯିବ। ଅମାବାସ୍ୟା ଦିନ ପ୍ରତ୍ୟେକ ବ୍ୟକ୍ତି ଶ୍ରାଦ୍ଧ-ତର୍ପଣ କରି ପୁଣ୍ୟ ପ୍ରାପ୍ତି କରି ନିଜ ପିତୃ ପୁରୁଷଙ୍କୁ ତୃପ୍ତ କରି ପାରିବେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.