Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଦୁନିଆର ସବୁଠାରୁ ଧନୀ ମନ୍ଦିର : ରହିଛି ୧ ଲକ୍ଷ କୋଟି ଟଙ୍କାର ସମ୍ପତ୍ତି, ଦୀପ ଆଲୁଅରେ ଭଗବାନଙ୍କୁ ଦର୍ଶନ କରନ୍ତି ଶ୍ରଦ୍ଧାଳୁ

28/04/2019 at 4:30 PM

ଥିରୁଅନନ୍ତପୁରମ ୨୮/୪ : କେରଳ ରାଜଧାନୀ ଥିରୁଅନନ୍ତପୁରମର ମଧ୍ୟ ଭାଗରେ ଅବସ୍ଥିତ ଅଛି ପଦ୍ମନାଭଙ୍କ ମନ୍ଦିର | ବିଶାଳକାୟ ଏହି ମନ୍ଦିର ବିଷ୍ଣୁ ଭକ୍ତଙ୍କ ପାଇଁ ଏକ ମହତ୍ଵପୁର୍ଣ ଆସ୍ଥା ସ୍ଥଳୀ | ଏଠାରେ ଭଗବାନ ବିଷ୍ଣୁ ସୋମନାଥରେ ଶୟନ ମୁଦ୍ରାରେ ବିରାଜମାନ ଅଛନ୍ତି | ଏହି ବିଷ୍ଣୁ ମନ୍ଦିରର ଇତିହାସ ବହୁତ ପୁରୁଣା | ମହାଭାରତ ତଥ୍ୟ ଅନୁଯାୟୀ, ଶ୍ରୀକୃଷ୍ଣଙ୍କ ବଡ ଭାଇ ବଳରାମ ଏହି ମନ୍ଦିରକୁ ଆସିଥିଲେ ଏବଂ ଏଠାରେ ପୂଜାର୍ଚ୍ଚନା କରିଥିଲେ |


ମନ୍ଦିର ୫ ହଜାର ବର୍ଷ ପୂର୍ବରୁ କଳିଯୁଗର ପ୍ରଥମ ଦିନରେ ସ୍ଥାପନା କରାଯାଇଥିବା ବିଶ୍ୱାସ ରହିଛି | ୧୭୩୩ ମସିହାରେ ତ୍ରାବାନକୋର ରାଜା ମାର୍ତଣ୍ଡ ବର୍ମା ଏହି ମନ୍ଦିରର ପୁନଃନିର୍ମାଣ କରିଥିଲେ | ଏହି ମନ୍ଦିରରେ ଭଗବାନ ବିଷ୍ଣୁଙ୍କ ଶୃଙ୍ଗାର ସୁନାରେ ତିଆରି ଆଭୂଷଣରେ କରାଯାଇଥାଏ | ଏଠାରେ ଭଗବାନ ବିଷ୍ଣୁଙ୍କ ଭିନ୍ନ ଭିନ୍ନ ପ୍ରତିମା ଅଲଗା ଅଲଗା ଦ୍ୱାରାରେ ଦର୍ଶନ କରିବାକୁ ମିଳିଥାଏ | ଏହି ମନ୍ଦିରରେ ଶେଷନାଗ ସହ ଭଗବାନ ବିଷ୍ଣୁଙ୍କ ଏକ ପ୍ରତିମା ରହିଛି | ଶେଷନାଗର ମୁହଁ ଏହିଭଳି ଖୋଲା ରହିଛି, ଯେଭଳି ଶେଷନାଗ ଭଗବାନ ବିଷ୍ଣୁଙ୍କ ହାତରେ ଥିବା ପଦ୍ମ ଫୁଲକୁ ସୂଂଘୁଚି |

ମୂର୍ତ୍ତି ନିକଟରେ ଭଗବାନ ବିଷ୍ଣୁଙ୍କ ଦୁଇ ରାଣୀ ଶ୍ରୀଦେବୀ ଓ ଭୁଦେବୀଙ୍କ ମୂର୍ତ୍ତି ସ୍ଥାପନା କରାଯାଇଛି | ଏହି ମୂର୍ତ୍ତିରେ ଭଗବାନ ବିଷ୍ଣୁଙ୍କ ନାଭିରୁ ବାହାରିଥିବା ପଦ୍ମ ଉପରେ ଜଗତ ପିତା ବ୍ରହ୍ମାଙ୍କ ମୂର୍ତ୍ତି ସ୍ଥାପନା କରାଯାଇଛି | ମୁଖ୍ୟ କକ୍ଷରେ ଭଗବାନ ବିଷ୍ଣୁଙ୍କ ଶୟନ ମୁଦ୍ରାର ପ୍ରତିମା ରହିଛି | ସେହି ମୁଖ୍ୟ କକ୍ଷରେ ଭକ୍ତ ଦୀପ ପ୍ରଜ୍ବଳନ କରିଥାନ୍ତି | ସେଠାରେ ସବୁବେଳେ ଅନେକ ସଂଖ୍ୟାରେ ଦୀପ ଜଳୁଥାଏ | ସେହି ଦୀପ ଆଲୁଅରେ ଭଗବାନ ବିଷ୍ଣୁଙ୍କ ଭବ୍ୟ ଦର୍ଶନ ହୋଇଥାଏ |


ଏହି ମନ୍ଦିରକୁ ଦୁନିଆର ସବୁଠାରୁ ଧନୀ ମନ୍ଦିର ମଧ୍ୟରେ ଗଣା ଯାଏ | କିଛି ବର୍ଷ ପୂର୍ବରୁ ଏହି ମନ୍ଦିରର ୫ଟି ଗୁପ୍ତ କୋଠରୀରୁ ୧ ଲକ୍ଷ କୋଟିରୁ ଅଧିକ ସମ୍ପତ୍ତି ଥିବା ଜଣାପଡିଥିଲା | ଏହି ସମ୍ପତ୍ତିର ଦେଖରେଖ ତ୍ରାବାନକୋର ରାଜପରିବାର କରନ୍ତି | ମନ୍ଦିରରେ ଅଜସ୍ର ସମ୍ପତ୍ତି ଥିବା ଯୋଗୁଁ ଏଠାରେ କଡା ସୁରକ୍ଷା ବ୍ୟବସ୍ଥା ରଖାଯାଇଥାଏ | ଏଠାରେ ଶ୍ରଦ୍ଧାଳୁଙ୍କ ପ୍ରବେଶକୁ ନେଇ କିଛି ନିୟମ ରହିଛି | ପୁରୁଷମାନେ କେବଳ ଧୋତି ପିନ୍ଧି ଏହି ମନ୍ଦିରକୁ ପ୍ରବେଶ କରିପାରିବେ | ମହିଳାମାନଙ୍କ ପାଇଁ ଶାଢ଼ୀ ପିନ୍ଧିବା ଅନିବାର୍ଯ୍ୟ | ଅନ୍ୟ କୌଣସି ପୋଷାକ ପିନ୍ଧି ଏହି ମନ୍ଦିରକୁ ପ୍ରବେଶ କରିପାରିବେ ନାହିଁ |


ଭଗବାନ ବିଷ୍ଣୁଙ୍କ ଅନନ୍ତ ଫେଣା ନାଗ ନାଁ ହିସାବରେ ରାଜଧାନୀର ନାଁ ଥିରୁଅନନ୍ତପୁରମ ରଖାଯାଇଛି | ମନ୍ଦିରରେ ଏକ ସ୍ଵର୍ଣ ସ୍ତମ୍ଭ ରହିଛି | ଏହି ସ୍ଵର୍ଣ ସ୍ତମ୍ଭ ଅତି ସୁନ୍ଦର | ମନ୍ଦିରର ସ୍ଵର୍ଣ ଜଡିତ ବିଶାଳକାୟ ପ୍ରବେଶ ଦ୍ୱାର ୩୫ ମିଟର ଉଚ୍ଚ | ଏହି ମନ୍ଦିରର ୭ଟି ଦ୍ୱାର ରହିଛି | ମନ୍ଦିରରେ ବିଭିନ୍ନ କଳାକୃତି ଦେଖିବାକୁ ମିଳେ | ମନ୍ଦିରକୁ ଲାଗି ଏକ ପବିତ୍ର ସରୋବର ରହିଛି | ଏହି ସରୋବରକୁ ପଦ୍ମନାଭ ତୀର୍ଥ କୁହାଯାଏ |


ଏହି ମନ୍ଦିରର ଆଉ ବିଶେଷତ୍ୱ ମଧ୍ୟ ରହିଛି | ଏହି ମନ୍ଦିରରେ ଭଗବାନ ବିଷ୍ଣୁଙ୍କ ଶୟନ ମୁଦ୍ରା, ବସିଥିବା, ଛିଡା ହୋଇଥିବା ଆଦି ମୂର୍ତ୍ତି ସ୍ଥାପନା କରାଯାଇଛି | ସମସ୍ତ ମୂର୍ତ୍ତିର ବିଶେଷ ପୂଜାର୍ଚ୍ଚନା କରାଯାଇଥାଏ | ୩ ମୂର୍ତ୍ତିର ପୂଜା ଅଲଗା ଅଲଗା ଭାବେ କରାଯାଇଥାଏ | ଗର୍ଭଗୃହରେ ଥିବା ଭଗବାନ ବିଷ୍ଣୁଙ୍କ ଶୟନମୁଦ୍ରା ମୂର୍ତ୍ତିରେ ଭଗବାନ ବିଷ୍ଣୁଙ୍କ ଶୃଙ୍ଗାର ଫୁଲରେ କରାଯାଇଥାଏ |


ପୂଜା କଲାବେଳେ ଏହି ଫୁଲଗୁଡିକୁ ମୟୁର ପୁଚ୍ଛ ସାହାଯ୍ୟରେ କଢ଼ା ଯାଇଥାଏ | ଏହାପରେ ମୂର୍ତ୍ତିକୁ ସ୍ନାନ କରଯାଇଥାଏ |ଭଗବାନ ବିଷ୍ଣୁଙ୍କ ଛିଡା ହୋଇଥିବା ମୂର୍ତ୍ତିକୁ ଉତ୍ସବ ସମୟରେ ମନ୍ଦିରରୁ ବାହାରକୁ ନିଆଯାଇଥାଏ | ପ୍ରତିବର୍ଷ ମାର୍ଚ୍ଚ-ଏପ୍ରିଲ ଏବଂ ଅଗଷ୍ଟ-ନଭେମ୍ବର ମାସରେ ବର୍ଷକୁ ଦୁଇଥର ଏଠାରେ ଧାର୍ମିକ ସମାରୋହ ହୋଇଥାଏ | ଏହି ସମାରୋହରେ ପବିତ୍ର ସ୍ନାନ କରାଯାଏ | ଏହି ପବିତ୍ର ସ୍ନାନକୁ ଆଉତ କୁହାଯାଏ | ଏହି ସମାରୋହରେ ଭଗବାନ ବିଷ୍ଣୁ, ନରସିଂହ ଏବଂ ଭଗବାନ ଶ୍ରୀକୃଷ୍ଣଙ୍କ ମୂର୍ତ୍ତିକୁ ନଗର ବାହାରକୁ ନେଇ ସମୁଦ୍ର କୁଳରେ ସ୍ନାନ କରାଯାଇଥାଏ |

   Related Posts