ଆଜି ଜନ୍ମାଷ୍ଟମୀ ; ଜାଣନ୍ତୁ ଶ୍ରୀକୃଷ୍ଣଙ୍କ ସମ୍ପର୍କରେ କେତେକ ଅଜଣା କଥା ...

Published By : Prameya-News7 Bureau | September 02, 2018 IST

ଭୁବନେଶ୍ୱର ୨/୯ : ଆଜି ହିନ୍ଦୁ ମାନଙ୍କର ଶ୍ରେଷ୍ଠ ଦେବତା ଶ୍ରୀକୃଷ୍ଣଙ୍କ ଜନ୍ମଦିନ | ଭାଦ୍ରବ କୃଷ୍ଣପକ୍ଷ ଅଷ୍ଟମୀ ତିଥିରେ ମଧ୍ୟ ରାତ୍ରରେ ଶ୍ରୀକୃଷ୍ଣ ଜନ୍ମ ହୋଇଥିଲେ | ତାଙ୍କର ରାଶି ଓ ନକ୍ଷତ୍ର ଥିଲା ରୋହିଣୀ ବୃଷ | ମଥୁରା କଟକର କାରାଗାର ମଧ୍ୟରେ ଜନ୍ମଗ୍ରହଣ କରିଥିବା କୃଷ୍ଣଙ୍କର ପିତାଙ୍କ ନାମ ବସୁଦେବ ଓ ମାତାଙ୍କ ନାମ ଦେବକୀ | ବସୁଦେବଙ୍କ ପିତାଙ୍କ ନାମ ଅର୍ଥାତ ଶ୍ରୀକୃଷ୍ଣଙ୍କ ଜେଜେ ବାପାଙ୍କ ନାମ ସୁରସେନ | ସେ ଯଦୁବଂଶର ଉତ୍ତରାଧିକାରୀ ଥିଲେ | ସେହିଭଳି ଶ୍ରୀ କୃଷ୍ଣଙ୍କ ମା ଦେବକୀଙ୍କ ପିତା ଅର୍ଥାତ କୃଷ୍ଣଙ୍କ ଅଜା ହେଲେ ଉଗ୍ରସେନ | ଉଗ୍ରସେନ ଭୋଜ ବଂଶର ଥିଲେ | ଶ୍ରୀକୃଷ୍ଣଙ୍କ ମାମୁ ହେଲେ କଂସ | ଶ୍ରୀକୃଷ୍ଣଙ୍କ ଭାଇ ହେଲେ ବଳରାମ ଏବଂ ଭଉଣୀ ହେଲେ ସୁଭଦ୍ରା | ଶ୍ରୀକୃଷ୍ଣଙ୍କ ପାଳିତ ପିତା ହେଲେ ନନ୍ଦ ଏବଂ ପାଳିତ ମାତା ହେଲେ ଯଶୋଦା | ଗବେଷକଙ୍କ ମତରେ ଶ୍ରୀକୃଷ୍ଣ ଜୁଲାଇ ୧୮ ତାରିଖ ୩୨୨୮ ବିସିଇ ରେ ଜନ୍ମଗ୍ରହଣ କରିଥିଲେ | ସେ ୧୨୫ ବର୍ଷ ୭ ମାସ ୬ ଦିନ ବଂଚିଥିଲେ | ୧୮ ଫେବୃଆରୀ ୩୧୦୨ ବିସିଇ ଦିନ ୨ଟା ୩୦ ମିନିଟ ୨୭ ସେକେଣ୍ଡରେ ପ୍ରଭାସ ଠାରେ ସେ ଇହଲୀଳା ସମ୍ବରଣ କରିଥିଲେ | ଓଡ଼ିଆ ମାସ ଅନୁସାରେ ଚୈତ୍ର ମାସର ପ୍ରଥମ ଦିନ ମଙ୍ଗଳବାରରେ ତାଙ୍କର ମୃତ୍ୟୁ ହୋଇଥିଲା | କୃଷ୍ଣଙ୍କର ୧୬୧୦୮ ଜଣ ସ୍ତ୍ରୀ ଥିଲେ | ୧ ଲକ୍ଷ୬୦ ହଜାର ପୁଅ ଥିଲେ | ସ୍ତ୍ରୀ ମାନଙ୍କ ମଧ୍ୟରେ ଥିଲେ ଅଷ୍ଟପାଟମହିଷୀ | ସେମାନେ ହେଲେ ରୁକ୍ମଣୀ, ସତ୍ୟଭାମା, ମିତ୍ରବିନ୍ଦା, କାଳିନ୍ଦୀ, ଜାମ୍ବବତୀ, ଭଦ୍ରା, ନଗ୍ନଜିତା, ଲକ୍ଷ୍ମଣା | ସେହିଭଳି ପୁଅ ମାନଙ୍କ ମଧ୍ୟରେ ପ୍ରଦ୍ୟୁମ୍ନ, ସାମ୍ବ, ଗଦ ଆଦି ପ୍ରମୁଖ ଅଟନ୍ତି | ଶ୍ରୀକୃଷ୍ଣଙ୍କ ଶିକ୍ଷାଗୁରୁ ଥିଲେ ଆଚାର୍ଯ୍ୟ ସନ୍ଦୀପନୀ | ଗବେଷଣା ଅନୁସାରେ ମହାଭାରତ ଯୁଦ୍ଧ ବେଳକୁ ଶ୍ରୀକୃଷ୍ଣଙ୍କୁ ୮୯ ବର୍ଷ ହୋଇଥିଲା | ସେତେବେଳକୁ ସେ ଦ୍ୱାରିକାରେ ରହୁଥିଲେ | ଦ୍ୱାରିକା ପୂର୍ବରୁ ଶ୍ରୀକୃଷ୍ଣ ଗୋକୁଳ, ବୃନ୍ଦାବନ ଏବଂ ମଥୁରାରେ ରହିସାରିଥିଲେ | ସମଗ୍ର ଜୀବନ କାଳ ଭିତରେ ଶ୍ରୀକୃଷ୍ଣ କେବେ ରାଜା ହୋଇନଥିଲେ | ତାଙ୍କୁ ଦ୍ୱାରିକାଧିଶ କୁହାଯାଉଥିଲେ ମଧ୍ୟ ପ୍ରକୃତରେ ଦ୍ୱାରିକାର ରାଜା ଥିଲେ ତାଙ୍କ ଅଜା ଉଗ୍ରସେନ | କୃଷ୍ଣଙ୍କ ମୃତ୍ୟୁ ବେଳକୁ କଳିଯୁଗ ୫୧୦୬ ବର୍ଷ ଭୋଗ କରିସାରିଥିଲା ବୋଲି ଗବେଷକ ମାନେ ମତ ଦିଅନ୍ତି | କୃଷ୍ଣଙ୍କୁ ଭଗବାନଙ୍କ ଅବତାର ବୋଲି ଗ୍ରହଣ କରାଯାଏ | ତାଙ୍କର ଆୟୁଧ ଗୁଡିକ ହେଲା ସୁଦର୍ଶନ ଚକ୍ର, କୌମୁଦିକ ଗଦା ଏବଂ ସାରଙ୍ଗ ଧନୁ | ମଥୁରାରେ ଜନ୍ମ ହୋଇ ଗୋପ ପୁରରେ ବଢୁଥିବା ଶ୍ରୀକୃଷ୍ଣ କଂସଙ୍କ ଅତ୍ୟାଚାର ଯୋଗୁଁ ପରବର୍ତ୍ତୀ ସମୟରେ ବୃନ୍ଦାବନ ଚାଲିଯାଇଥିଲେ | ବୃନ୍ଦାବନରେ ଥିଲାବେଳେ କଂସଙ୍କୁ ବଦ୍ଧ କରି ମଥୁରା ଆସିଥିଲେ | ମଥୁରାରେ ଥିବାବେଳେ ମଗଧର ରାଜା ତଥା କଂସଙ୍କ ଶ୍ୱଶୁର ରାଜା ଜରାସନ୍ଧ ବାରମ୍ବାର ମଥୁରା ଉପରେ ଆକ୍ରମଣ କରୁଥିଲେ | ଜରାସନ୍ଧ ମଥୁରା ଉପରେ ୧୭ ଥର ଆକ୍ରମଣ କରି ପ୍ରତ୍ୟେକ ଥର ପରାସ୍ତ ହୋଇଥିଲେ | ତେବେ ଅଷ୍ଟାଦଶ ଥର ଆକ୍ରମଣ ବେଳେ କୃଷ୍ଣ ଓ ବଳରାମ ମଥୁରା ଛାଡି ଦ୍ୱାରିକା ପଳାୟନ କରିଥିଲେ | କୃଷ୍ଣଙ୍କ ପରେ କୃଷ୍ଣଙ୍କ ନାତି ଅନିରୁଦ୍ଧଙ୍କ ପୁଅ ବଜ୍ର ଦ୍ୱାରିକାର ରାଜା ହୋଇଥିଲେ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.