ଜାଣନ୍ତୁ ‘ସିଟିଜେନ ଦିଲ୍ଲୀ: ମାଇଁ ଟାଇମସ୍ ମାଇଁ ଲାଇଫ୍’ରେ ନିଜ ସମ୍ପର୍କରେ କ’ଣ ଲେଖିଛନ୍ତି ଶୀଲା ଦୀକ୍ଷିତ

Published By : Prameya-News7 Bureau | July 20, 2019 IST

ନୂଆଦିଲ୍ଲୀ: ଶନିବାର ଅପରାହ୍ନରେ ପୂର୍ବତନ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଶୀଲା ଦୀକ୍ଷିତଙ୍କ ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୧ ବର୍ଷ ବୟସ ହୋଇଥିଲା। ଦିଲ୍ଲୀର ଏସ୍କର୍ଟ ହସ୍ପିଟାଲରେ ଶୀଲା ଅପରାହ୍ନ ୩ଟା ବାଜି ୧୫ ମିନିଟ୍ ରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ୩ ଥର ଦିଲ୍ଲୀ  ମୁଖ୍ୟମନ୍ତ୍ରୀ ଥିବା ଶୀଲା ଏକ ପୁସ୍ତକ ଲେଖିଥିଲେ  ଯାହାର ନାମ ରଖିଥିଲେ ‘ସିଟିଜେନ ଦିଲ୍ଲୀ: ମାଇଁ ଟାଇମସ୍ ମାଇଁ ଲାଇଫ’। ଏହାକୁ ତାଙ୍କ ଜୀବନୀ ପୁସ୍ତକ କହିଲେ ଅତ୍ୟୁକ୍ତି ହେବ ନାହିଁ। ଯେଉଁଥିରେ ତତ୍କାଳୀନ କେନ୍ଦ୍ର ଗୃହମନ୍ତ୍ରୀ ଉମାଶଙ୍କର ଦୀକ୍ଷିତଙ୍କ ଏକମାତ୍ର ପୁତ୍ର ବିନୋଦ ଦୀକ୍ଷିତଙ୍କ ସହ ପରିଚୟ ଠାରୁ ଆରମ୍ଭ କରି ତାଙ୍କ ବିବାହ ଓ ଦିଲ୍ଲୀ ବାସିନ୍ଦା ଭାବେ ତାଙ୍କ ଅନୁଭୂତିର ସେ ଜୀବନ୍ତ ଚିତ୍ରଣ କରିଛନ୍ତି। ଆସନ୍ତୁ ଜାଣିବା କ’ଣ ଲେଖିଥିଲେ ଶୀଲା।

{"id":135799,"width":573,"height":329}

ଦିଲ୍ଲୀ ବିଶ୍ୱବିଦ୍ୟାଳୟରେ ପ୍ରାଚୀନ ଇତିହାସ ପଢିବା ବେଳେ ବିନୋଦ ଦୀକ୍ଷିତଙ୍କ ସହ ତାଙ୍କର ପରିଚୟ ହୋଇଥିଲା। ଜଣେ ବାନ୍ଧବୀଙ୍କ ପ୍ରେମ ବିବାଦ ସମାଧାନ କରିବାକୁ ଯାଇ ଉଭୟଙ୍କ ମଧ୍ୟରେ ପ୍ରଥମେ ପରିଚୟ ଓ ପରେ ତାହା ପ୍ରେମରେ ପରିଣତ ହୋଇଥିଲା। ପ୍ରଥମେ ପ୍ରଥମେ ବିନୋଦଙ୍କୁ ଶୀଲା ଏତେ ଖାସ୍ ଲାଗୁନଥିଲେ। ହେଲେ କିଛି ନା କିଛି ବାହାନା କରି ବିନୋଦ ତାଙ୍କ ନିକଟତର ହେବାକୁ ଚେଷ୍ଟା କରୁଥିଲେ। ସେମାନେ ୟୁନିଭର୍ସିଟିରୁ ଘରକୁ ଫେରିବା ଲାଗି ଡିଟିସିର ୧୦ ନମ୍ବର ବସ୍ ରେ ପ୍ରାୟତଃ ଯା ଆସ ହେଉଥିଲେ। ବିନୋଦ ସେତେବେଳେ ଫିରୋଜ ଶାହ ରୋଡରେ ରହୁଥିଲେ। ବସ୍ ତାଙ୍କ ଘର ବାଟ ଦେଇ ଯାଉନଥିଲା। ହେଲେ ଶୀଲାଙ୍କ ସହ ଅଧିକରୁ ଅଧିକ ସମୟ ବିତାଇବା ଲାଗି ସେ ଏହି ବସ୍ ରେ ଉଠୁଥିଲେ।

{"id":135798}

ଦିନେ ବସ୍ ଚାନ୍ଦନୀ ଚୌକ ନିକଟରେ ହୋଇଥିବା ବେଳେ ବିନୋଦ ତାଙ୍କୁ ଅଜବ ଢଙ୍ଗରେ ପ୍ରପୋଜ କରିଥିଲେ ଯାହା ଶୀଲା ତାଙ୍କ ଜୀବନୀ ପୁସ୍ତକରେ ଉଲ୍ଲେଖ କରିଛନ୍ତି। ବିନୋଦ କହିଥିଲେ ମୁଁ ଆଜି ମାଙ୍କୁ କହିବି ଯେଉଁ ଝିଅକୁ ଖୋଜୁଥିଲି ତାକୁ ପାଇଯାଇଛି, ଆଉ ତାକୁ ହିଁ ମୁଁ ବିବାହ କରିବି। ଏହାର ଉତ୍ତରରେ ଶୀଲା ପଚାରିଥିଲେ ଝିଅ ସହ ଏ ବାବଦେ କଥା ହୋଇଛ କି ନା ? ସେତେବେଳେ ବିନୋଦ କ’ଣ  କହିଥିଲେ  ଜାଣନ୍ତି ? ସେ ଝିଅଟି ମୋ କଡରେ ବସିଛି। ଏଥିରେ ଲାଜେଇ ଯାଇଥିଲେ ଶୀଲା। ହେଲେ ଘରେ ପହଞ୍ଚି ଖୁବ୍ ଖୁସି ହୋଇଥିଲେ ସିନା ପରିବାରରେ କାହାକୁ କିଛି କହିନଥିଲେ। ଜାଣନ୍ତି କାହିଁକି ? ଘରଲୋକେ ପଚାରିଥାନ୍ତେ ପୁଅଟି କଣ କରୁଛି। ସେତେବେଳେ ବିନୋଦ ପାଠ ପଢୁଥିଲେ। ଏଣୁ ସମ୍ପର୍କକୁ ଗୋପନ ରଖିବାକୁ ବାଧ୍ୟ ହୋଇଥିଲେ ଶୀଲା।

{"id":135797,"width":576,"height":395}

ତେବେ ଯେତେବେଳେ ବିନୋଦ ଘରେ ବିବାହ କଥା ଉଠାଇଲେ ସେତେବେଳେ ପରିବାରରେ ଖୁବ୍ ଅଶାନ୍ତି ହୋଇଥିଲା। ଜାଣନ୍ତି କାହିଁକି ?  ଝିଅ ବ୍ରାହ୍ମଣ ପରିବାରର ନଥିଲା। ହେଲେ ବିନୋଦ ଆଇଏଏସ୍ ପରୀକ୍ଷାର ଶୀର୍ଷ ୧୦ ଜଣଙ୍କ ସୂଚୀର ନବମ ସ୍ଥାନରେ ପାଇବା ବେଳେ  ଯୋଗକୁ ତାଙ୍କୁ ଉତ୍ତରପ୍ରଦେଶ କ୍ୟାଡର ମିଳିଯାଇଥିଲା। ପରେ ଉଭୟ ବିବାହ କରି ଘର ଶଂସାର କରିଥିଲେ। ଏଇଠୁ ଶୀଲା ତାଙ୍କ ଶ୍ବଶର ଉମାଶଙ୍କର ଦୀକ୍ଷିତଙ୍କଠାରୁ ଶିଖିଥିଲେ ରାଜନୀତି।  ଶୀଲା ଓ ବିନୋଦଙ୍କର ସନ୍ଦୀପ ଓ ଲତିକା ନାମରେ ୨ଟି ପୁଅ ଓ ଝିଅ ଅଛନ୍ତି। ହୃଦଘାତରେ ବିନୋଦଙ୍କ ମୃତ୍ୟୁ ହୋଇଥିଲା। ୨ ଶିଶୁଙ୍କୁ ଏକାକୀ ବଡ କରିଥିଲେ ଶୀଲା। ଏବେ ସନ୍ଦୀପ ମାଁଙ୍କ ଭଳି ରାଜନୀତିରେ ଜଡିତ। ଅତୀତରେ ସେ କଂଗ୍ରେସର ସାଂସଦ ମଧ୍ୟ ନିର୍ବାଚିତ ହୋଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.