କେବେ ଶନି ପ୍ରଦୋଷ ବ୍ରତ ? ଏହି ପୂଜା କଲେ ମିଳିବ ଭଗବାନ ଶିବ ଏବଂ ଶନି ଦେବତାଙ୍କ ଅଶେଷ କୃପା

Published By : Prameya-News7 Bureau | December 11, 2020 IST

ପ୍ରତି ମାସରେ ଶୁକ୍ଳ ଏବଂ କୃଷ୍ଣ ପକ୍ଷରେ ପ୍ରଦୋଷ ବ୍ରତ ହୋଇଥାଏ। ଏହି ବ୍ରତ ଭଗବାନ ଶିବଙ୍କୁ ସମର୍ପିତ ହୋଇଥାଏ। ପୁରାଣ ଅନୁସାରେ ଏହି ବ୍ରତକୁ କରିବା ଦ୍ବାରା ଦୀର୍ଘାୟୁ ବରଦାନ ପ୍ରାପ୍ତ ହୋଇଥାଏ। ପ୍ରଦୋଷ ବ୍ରତ ଯଦି ଶନିବାର ପଡ଼ିଥାଏ ତାହାକୁ ଶନି ପ୍ରଦୋଷ ବ୍ରତ କୁହାଯାଏ। ଶନି ପ୍ରଦୋଷ ବ୍ରତ କରୁଥିବା ବ୍ୟକ୍ତିଙ୍କୁ ଭଗବାନ ଶିବଙ୍କ ସହ ଶନି ଦେବତାଙ୍କ କୃପା ମଧ୍ୟ ପ୍ରାପ୍ତ ହୋଇଥାଏ। ଏବର୍ଷର ଶେଷ ଶନି ପ୍ରଦୋଷ ବ୍ରତ ଡିସେମ୍ବର ୧୨ତାରିଖ ପଡ଼ୁଛି।

ଶନି ପ୍ରଦୋଷ ବ୍ରତର ପୂଜା ବିଧି : ଶନି ପ୍ରଦୋଷ ବ୍ରତରେ ସନ୍ଧ୍ୟାରେ ଶିବ ପୂଜା ଶୁଭ ବୋଲି କୁହାଯାଇଥାଏ। ଏହି ଦିନ ସମସ୍ତ ଶିବ ମନ୍ଦିରରେ ସନ୍ଧ୍ୟାରେ ପ୍ରଦୋଷ ମନ୍ତ୍ର ଜପ କରାଯାଇଥାଏ। ଶନି ପ୍ରଦୋଷ ଦିନ ସୂର୍ଯ୍ୟ ଉଦୟ ହେବା ପୂର୍ବରୁ ଉଠନ୍ତୁ ଏବଂ ସ୍ନାନ କରି ପରିଷ୍କାର ପୋଷାକ ପିନ୍ଧନ୍ତୁ। ଗଙ୍ଗା ଜଳରେ ପୂଜାସ୍ଥଳକୁ ଶୁଦ୍ଧ କରନ୍ତୁ। ବେଲପତ୍ର,ଦୀପ,ଧୂପ,ଗଙ୍ଗାଜଳ ଆଦି​ରେ ଭଗବାନ ଶିବଙ୍କ ପୂଜା କରନ୍ତୁ। ଓଁ ନମଃ ଶିବାୟ ମନ୍ତ୍ର ଜପ କରି ଶିବଙ୍କୁ ଜଳ ଚଢ଼ାନ୍ତୁ। ଶନିଙ୍କ ଆରାଧନା ପାଇଁ ସୋରିଷ ତେଲର ଦୀପ ଓସ୍ତ ଗଛ ତଳେ ଜଳାନ୍ତୁ। ଶନି ଦେବତାଙ୍କ ମନ୍ଦିରରେ ଗୋଟିଏ ଦୀପ ଜଳାନ୍ତୁ। ବ୍ରତର ଉଦଯାପନ ତ୍ରୟୋଦଶୀ ତିଥି​‌ରେ କରନ୍ତୁ।

ଶନି ପ୍ରଦୋଷ ବ୍ରତର ମହତ୍ତ୍ବ : ଶନି ପ୍ରଦୋଷ ବ୍ରତକୁ ହିନ୍ଦୁ ଧର୍ମରେ ଅତ୍ୟନ୍ତ ଶୁଭ ବୋଲି କୁହାଯାଇଥାଏ। ଶନି ପ୍ରଦୋଷ ବ୍ରତ କରୁଥିବା ବ୍ୟକ୍ତିଙ୍କୁ ଶିବଙ୍କ ସହ ଶନି ଦେବତାଙ୍କ ମଧ୍ୟ ଆଶୀର୍ବାଦ ମିଳିଥାଏ। ବିଶ୍ବାସ ରହିଛି ଯେ ବ୍ରତ ରଖିଥିବା ବ୍ୟକ୍ତିଙ୍କ ସମସ୍ତ କଷ୍ଟ ଦୂର ହୋଇ ଯାଇଥାଏ ଏବଂ ମୃତ୍ୟୁ ପରେ ତାଙ୍କୁ ମୋକ୍ଷ ପ୍ରାପ୍ତି ହୋଇଥାଏ। ପୁରାଣ ଅନୁସାରେ ସନ୍ଧ୍ୟା ସମୟରେ ଭଗବାନ ଶିବ କୈଳାସ ପର୍ବତରେ ନୃତ୍ୟ କରିଥାନ୍ତି। ଏହି କାରଣରୁ ଲୋକେ ଶିବଙ୍କୁ ପ୍ରସନ୍ନ କରିବା ପାଇଁ ଏହି ଦିନ ପ୍ରଦୋଷ ବ୍ରତ ରଖିଥାନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.