୨୦୧୯ ନିର୍ବାଚନ : ଦେଶରେ ହାରିଗଲେ କିଛି ପ୍ରଖ୍ୟାତ ରାଜନେତା ପିତାଙ୍କ ପୁତ୍ର, ଜାଣନ୍ତୁ କିଏ ଏମାନେ

Published By : Prameya-News7 Bureau | May 31, 2019 IST

ନୂଆଦିଲ୍ଲୀ ୩୧|୫: ନିର୍ବାଚନ ପରେ ମାନସ ମନ୍ଥନରେ ଅନେକ କିଛି ରୋଚକ ଓ ଆଲୋଡକ ତଥ୍ୟ ଆସିଛି । ପୁତ୍ର ମୋହରେ ବାପ ବଦନାମ ତ ପୁଅ ପାଇଁ ବାପାଙ୍କ ସାକ୍ରିଫାଇସ୍‌ର ଉଦାହରଣ । ଏମିତିରେ କିଛି ନେତାଙ୍କ ପରାଜୟକୁ ନେଇ ମଧ୍ୟ ଚର୍ଚ୍ଚା । କିଛି ଯୁବ, ଉଦୀୟମାନ ହେଭିୱେଟ ନେତା ଏଥର ପରାଜିତ ହୋଇଛନ୍ତି, ଯେଉଁମାନଙ୍କ ପିତା ଓ ପରିବାର ରାଜନୀତିରେ ବେଶ୍ ପ୍ରସିଦ୍ଧ । ଏପରି କିଛି ପରାଜିତ ନେତାଙ୍କ ତାଲିକା ତ ଆଗରୁ ରଖିସାରିଛୁ । ଏବେ ଆଉ କିଛି ପରାଜିତ ନେତାଙ୍କ ତାଲିକା । 

{"id":118048}

ରାହୁଲ ବି ସମାଲୋଚନାରୁ ଉର୍ଦ୍ଧରେ ନୁହନ୍ତି । ସେ ବି ହାରିଛନ୍ତି । ଦେଶର ଅନ୍ୟତମ ପ୍ରସିଦ୍ଧ ପରିବାରର ସଦସ୍ୟ, ଦୀର୍ଘ ରାଜନୈତୀକ ପୃଷ୍ଠଭୂମୀ, ବିଭିନ୍ନ ଦୃଷ୍ଟିରୁ ବି ସ୍ୱତନ୍ତ୍ର ପରିଚୟ, ପରମ୍ପରାର ଅଧିକାରୀ । ତଥାପି ଆମେଥିରେ ସ୍ମୃତି ଇରାନୀଙ୍କ ଠାରୁ ହାରିଗଲେ କଂଗ୍ରେସ ଅଧ୍ୟକ୍ଷ । ରାହୁଲଙ୍କ ବିଫଳତା କେବଳ ଜାତୀୟ ନୁହେଁ ଆନ୍ତର୍ଜାତୀୟ ମିଡିଆରେ ବି ଚର୍ଚ୍ଚାର ପ୍ରସଙ୍ଗ ।

ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ରାଜୀବ ଗାନ୍ଧୀଙ୍କ ପୁଅ ରାହୁଲ ଗାନ୍ଧୀ । ସେ ଗାନ୍ଧି-ନେହେରୁ ପରିବାରର ଦାୟାଦ । କଂଗ୍ରେସ ଭଳି ପୁରୁଣା ଦଳର ମୁଖିଆ । ମାଆ ସୋନିଆ ଗାନ୍ଧିଙ୍କ ଠାରୁ ସଭାପତି  ପଦ ତାଙ୍କ ପାଖକୁ ଆସିବା ପରେ ପ୍ରଥମ ସାଧାରଣ ନିର୍ବାଚନରେ  କିନ୍ତୁ ଦଳକୁ ଜିତାଇ ପାରିନହାନ୍ତି ରାହୁଲ । ଗତ ଥର ଅପେକ୍ଷା ମାତ୍ର ୮ ଟି ଅଧିକ ଆସନ ଜିତିବା ସହ ୱାଇନାଡ୍‌ରେ ଜିତିଥିଲେ ବି ପାରମ୍ପରିକ ଆସନ ଆମେଥିରେ ପରାଜୟ ଯୋଗୁଁ ରାହୁଲଙ୍କ ନେତୃତ୍ୱ ଉପରେ ଲାଗିଛି ପ୍ରଶ୍ନବାଚୀ ।

ଆଉ ଜଣେ ପରାଜିତ ହେଭିୱେଟ ନେତା ଜ୍ୟୋତିରାଦିତ୍ୟ ସିନ୍ଧିଆ । କଂଗ୍ରେସର ହାଇପ୍ରୋଫାଇଲ ଯୁବ ନେତା ତଥା ଦଳର ସାଧାରଣ ସଂପାଦକ ଜ୍ୟୋତିରାଦିତ୍ୟ ହେଉଛନ୍ତି, ସ୍ୱର୍ଗତ ମାଧବରାଓ ସିନ୍ଧିଆଙ୍କ ପୁଅ । ମାଧବରାଓ ତାଙ୍କ ସମୟରେ କଂଗ୍ରେସର ଜଣେ ପ୍ରଭାବୀ ଓ ଆଗଧାଡିର ନେତା ଥିଲେ । କିନ୍ତୁ ସିନ୍ଧିଆ ପରିବାରର ପାରମ୍ପରିକ ଆସନ ଗୁନା ଲୋକସଭାରେ ଏଥର ଗ୍ୱାଲିୟର ରାଜପରିବାର ସଦସ୍ୟ  ତଥା ୪ ଥରର ସାଂସଦ ଜ୍ୟୋତିରାଦିତ୍ୟ ପରାଜିତ ହୋଇଛନ୍ତି । ଏହା କଂଗ୍ରେସ ପାଇଁ ଏକ ବଡ ଝଟକା ।

ମୁମ୍ବାଇ ଦକ୍ଷିଣ ଆସନରେ ପରାଜିତ ହୋଇଛନ୍ତି ଆଉ ଜଣେ ପ୍ରସିଦ୍ଧ ନେତାଙ୍କ ପୁଅ । କଂଗ୍ରେସର ମିଲିନ୍ଦ ଦେଓରା କଂଗ୍ରେସ ଟିକେଟରେ ଲଢି ହରିଛନ୍ତି । ମିଲିନ୍ଦ ଦେଓରା ହେଉଛନ୍ତି ଦିବଙ୍ଗତ ନେତା ମୁରଲୀ ଦେଓରାଙ୍କ ପୁଅ । ମହାରାଷ୍ଟ୍ରରେ କଂଗ୍ରେସ ହେଭିୱେଟ୍‌ ଅଶୋକ ଚଭନଙ୍କ ପରାଜୟ  ମଧ୍ୟ ଦଳକୁ ଝଟକା ଦେଇଛି । ନାନ୍ଦେଡ୍ ଆସନରେ ପରାଜିତ ପୂର୍ବତନ ମୁଖ୍ୟମନ୍ତ୍ରୀ ଅଶୋକ ଚଭନ ବି ମହାରାଷ୍ଟ୍ର ତଥା ଜାତୀୟ ରାଜନୀତିରେ ପ୍ରଭାବ ରଖିଥିବା ଏକ ରାଜନୈତିକ ପରିବାରର ଦାୟାଦ ।

ଆଉ ଜଣେ ପରାଜିତ କଂଗ୍ରେସ ନେତା ମାନବେନ୍ଦ୍ର ସିଂହଙ୍କ ପରିବାର ବି ରାଜନୀତିରେ ଜଣାଶୁଣା । ରାଜସ୍ଥାନର ବାରାମର ଆସନରେ ବିଜେପି ପ୍ରାର୍ଥୀଙ୍କ ଠାରୁ ପରାଜିତ ମାନବେନ୍ଦ୍ର ଦିବଙ୍ଗତ ବିଜେପି ନେତା ପୂର୍ବତନ ମନ୍ତ୍ରୀ ଯଶୱନ୍ତ ସିଂହ ଙ୍କ ପୁଅ ।

ଦୁଇ ଜଣ ପ୍ରମୂଖ  ତଥା ପ୍ରସିଦ୍ଧ ରାଜନେତାଙ୍କ ପୁତ୍ରୀ  କିନ୍ତୁ ଏଥର ସାଧାରଣ ନିର୍ବାଚନରେ ବଡ ଜିତ୍‌ ହାସଲ କରିଛନ୍ତି । ସେମାନେ ହେଲେ ଏନସିପି ନେତା  ଶରଦ ପାୱାରଙ୍କ ଝିଅ ସୁପ୍ରିୟା ସୁଲେ ଏବଂ  ଦିବଙ୍ଗତ ଦ୍ରାବିଡ ନେତା ଏମ୍‌. କରୁଣାନିଧିଙ୍କ ଝିଅ କାନିମୋଝି ।


ମହାରାଷ୍ଟ୍ରର ବାରମତି ଆସନରେ ଜିତିଛନ୍ତି ସୁପ୍ରିୟା ସୁଲେ । ତାମିଲନାଡୁର ଥୁଥୁକୋଡି ଆସନରୁ ଜିତିଛନ୍ତି ଡିଏମ୍‌କେ ନେତ୍ରୀ କାନିମୋଝି । ଏଥିରେ ସଂଯୋଗଟି ହେଲା ଉଭୟ ଏନସିପି ଏବଂ ଡିଏମ୍‌କେ ହେଉଛନ୍ତି କଂଗ୍ରେସର ସହଯୋଗୀ ଦଳ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.