ଏକଜିଟ୍ ପୋଲର ଫଳାଫଳକୁ ନେଇ ଆଜି ରାଜ୍ୟର ବରିଷ୍ଠ ବିଜେପି ନେତାମାନେ କ’ଣ କହିଲେ ଜାଣନ୍ତୁ

Published By : Prameya-News7 Bureau | May 20, 2019 IST

ଭୁବନେଶ୍ବର ୨୦/୫: ବସନ୍ତ ପଣ୍ଡା ,ରାଜ୍ୟ ବିଜେପି ସଭାପତି- ଏକଜିଟ୍‌ ପୋଲର ଆକଳନ ଅନୁସାରେ ଆମେ ନିଶ୍ଚିତରୂପେ ଅଧିକ ସଂଖ୍ୟକ ସାଂସଦ ଆସନ ଜିତୁଛୁ। ରାଜ୍ୟରେ ବିଜେପିର ଭୋଟହାର ଯଥେଷ୍ଟ ବଢ଼ିଛି। ତେବେ କିଛି ଏକଜିଟ ପୋଲରେ ଓଡ଼ିଶା ବିଧାନସଭାରେ ବିଜୁ ଜନତାଦଳକୁ ୮୫ରୁ ଅଧିକ ଆସନ ମିଳିବା ନେଇ ଆକଳନକୁ ସେ ଗ୍ରହଣ କରିନାହାନ୍ତି। ରାଜ୍ୟରେ ମଧ୍ୟ ଏମପି ଭଳି ଏମଏଲଏ ଆସନରେ ବିଜେପି ସର୍ବାଧିକ ସଫଳତା ପାଇବା ଏବଂ ସରକାର ଗଢ଼ିବ ବୋଲି ସେ ଦାବି କରିଛନ୍ତି।

ଜୁଏଲ ଓରାମ: ବସନ୍ତଙ୍କ ଭଳି ଜୁଏଲ ମଧ୍ୟ ଏକଜିଟ ପୋଲରେ ଏମପି ଆସନର ଆକଳନ ସହ ସହମତ ହୋଇଛନ୍ତି। ତେବେ ରାଜ୍ୟ ବିଧାନସଭାର ବିଜେପି ୭୦ରୁ ଅଧିକ ଆସନ ଜିତି ସରକାର ଗଢ଼ିବ ବୋଲି ସେ କହିଛନ୍ତି।

ଦାମୋଦର ରାଉତ : ବରିଷ୍ଠ ବିଜେପି ନେତା ଦାମୋଦର ରାଉତଙ୍କ ଆକଳନ ଅନୁସାରେ ଏମପିରେ ବିଜେପିକୁ ୧୨ରୁ ୧୪ଆସନ ମିଳିବ। ତେବେ ବିଧାନସଭାରେ ଝୁଲା ସରକାରର ସମ୍ଭାବନା ଥିବା ସେ କହିଛନ୍ତି। ଏଭଳି ସ୍ଥିତିରେ ସ୍ଥିର ଶାସନ ପାଇଁ ବିଜେପି ଓ ବିଜେଡ଼ି ମଧ୍ୟରେ ମେଣ୍ଟ ବି ହୋଇପାରେ ବୋଲି ଡକ୍ଟର ରାଉତ କହିଛନ୍ତି।

ବୈଜୟନ୍ତ ପଣ୍ଡା: ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ  ବୈଜୟନ୍ତ ପଣ୍ଡାଙ୍କ ଆକଳନ ଅନୁସାରେ ଉଭୟ ସଂସଦ ଓ ବିଧାନସଭା ଆସନରେ ଓଡ଼ିଶାରେ ଭାରତୀୟ ଜନତା ପାର୍ଟି ଅଧିକ ଆସନ ଜିତିବ ତେବେ ନିର୍ଦ୍ଦିଷ୍ଟ କେତେ ଆସନ ମିଳିବ ତାହା ଏବେ କହିବା ସମ୍ଭବ ନୁହେଁ ବୋଲି ସେ କହିଛନ୍ତି। ହେଲେ କେନ୍ଦ୍ରରେ ପୁଣି ଥରେ ମୋଦି ପ୍ରଧାନମନ୍ତ୍ରୀ ହେବା ନିଶ୍ଚିତ ବୋଲି ବୈଜୟନ୍ତ ପଣ୍ଡା କହିଛନ୍ତି।

ସଙ୍ଗୀତା ସିଂହଦେ: ବିଜେପିର ବଲାଙ୍ଗୀର ଲୋକସଭା ପ୍ରାର୍ଥୀ: ସଙ୍ଗୀତା ସିଂହଦେଓଙ୍କ ମତରେ ଏକଜିଟ୍‌ ପୋଲ ଯଦି କହୁଛି ଏମପି ଆସନରେ ଭାରତୀୟ ଜନତା ପାର୍ଟି ପ୍ରତି ଲୋକେ​‌ ଆସ୍ଥା ଦେଖାଇଛନ୍ତି ଏହାର ଅର୍ଥ ଏମଏଲ ଆସନରେ ମଧ୍ୟ ଲୋକେ ବିଜେପିକୁ ଭୋଟ ଦେଇଛନ୍ତି। ରାଜ୍ୟରେ ସାଧାରଣତଃ ଏମପି ଓ ଏମଏଲଏ ଲାଗି ଲୋକେ​‌ ସମାନ ଦଳକୁ ଭୋଟ ଦେଇଥାଆନ୍ତି। ତେଣୁ ମେ ୨୩କୁ ଅପେକ୍ଷା କରାଯାଉ ବୋଲି ସେ କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.