ଜାଣନ୍ତୁ କେବେ ଶରତ ପୂର୍ଣ୍ଣିମା ଏବଂ ଏହାର ବିଶେଷତ୍ବ

Published By : Prameya-News7 Bureau | October 04, 2019 IST

ନୂଆଦିଲ୍ଲୀ ୪/୧୦: ଆଶ୍ବିନ ମାସର ଶୁକ୍ଳପକ୍ଷ ପୂର୍ଣ୍ଣିମାକୁ ଶରତ ପୂର୍ଣ୍ଣିମା କୁହାଯାଇଥାଏ। ଏହାକୁ ରାସ ପୂର୍ଣ୍ଣିମା ମଧ୍ୟ କୁହାଯାଇଥାଏ। ଜ୍ୟୋତିଷ ଶାସ୍ତ୍ର ଅନୁସାରେ ପୂରା ବର୍ଷରେ କେବଳ ଏହି ଦିନ ଚନ୍ଦ୍ର ୧୬ଟି କଳାରେ ନିପୁଣ ହୋଇଥାଏ। ଏଥିରୁ ବାହାରୁଥିବା ରଶ୍ମି ଏହି ଦିନ ରାତିରେ ଅମୃତ ବର୍ଷାଇଥାଏ।  ଶରତ ପୂର୍ଣ୍ଣିମା ରାତିରେ କ୍ଷୀରି ପ୍ରସ୍ତୁତ କରାଯାଇ ଜହ୍ନ ଆଲୋକରେ ରଖାଯାଇଥାଏ। ବିଶ୍ବାସ ରହିଛି ଯେ ଜହ୍ନ ଆଲୋକ କ୍ଷୀରିରେ ପଡ଼ିବା ଦ୍ବାରା ଏହା ଲାଭଦାୟକ ହୋଇଥାଏ।

ପୌରାଣିକ ମହତ୍ତ୍ବ : ଏହି ଦିନ ଭଗବାନ ଶ୍ରୀକୃଷ୍ଣ ମହାରାସ ରଚନା ଆରମ୍ଭ କରିଥାଆନ୍ତି। ଦେବୀଭାଗବତ ମହାପୁରାଣରେ କୁହାଯାଇଛି ଯେ,ଗୋପୀଙ୍କ ଅନୁରାଗକୁ ଦେଖି ଭଗବାନ କୃଷ୍ଣ ଆଜି ଦିନରେ ଚନ୍ଦ୍ରଙ୍କୁ ମହାରାସର ସଙ୍କେତ ଦେଇଥିଲେ। ଚନ୍ଦ୍ର ଭଗବାନ କୃଷ୍ଣଙ୍କ ସଙ୍କେତ ବୁଝିବା କ୍ଷଣି ନିଜର ଶୀତଳ ରଶ୍ମିରେ ପ୍ରକୃତିକୁ ଆଚ୍ଛାଦିତ କରିଥିଲେ ଏବଂ ଏହି ରଶ୍ମି ଭଗବାନ କୃଷ୍ଣଙ୍କ ମୁଖମଣ୍ଡଳରେ ସୁନ୍ଦର କୁମକୁମ ଭଳି ଲାଲ ରଙ୍ଗ ଭରିଥିଲା।

ଏହା ପରେ ବଡ଼ ବଡ଼ ଯୋଗୀ,ମୁନି,ମହର୍ଷି ଏବଂ ଅନ୍ୟ ଭକ୍ତ ଗୋପୀ ରୂପରେ ମହାରାସରେ ସାମିଲ ହୋଇଥିଲେ। କୃଷ୍ଣଙ୍କ ବଂଶୀ ସ୍ବର ଶୁଣି ନିଜ ନିଜ କର୍ମରେ ଲୀନ ସମସ୍ତ ଗୋପୀ ନିଜ ଘର ଦ୍ବାର ଛାଡ଼ି ସେଠାକୁ ପହଞ୍ଚିଥିଲେ। କୃଷ୍ଣ ଏବଂ ଗୋପୀଙ୍କ ଅଦ୍ଭୁତ ପ୍ରେମ ଦେଖି ଚନ୍ଦ୍ର ନିଜ କିରଣରେ ଅମୃତ ବର୍ଷା ଆରମ୍ଭ କରିଥିଲେ,ଏଥିରେ ଓଦା ହୋଇ ଗୋପୀଙ୍କୁ ଅମରତା ପ୍ରାପ୍ତ ହୋଇଥିଲା ଏବଂ ଭଗବାନ କୃଷ୍ଣଙ୍କ ଅମର ପ୍ରେମର ଭାଗିଦାରୀ ହୋଇଥିଲେ।

ଚଳିତ ବର୍ଷ ଅକ୍ଟୋବର ୧୩ତାରିଖରେ ଶରତ ପୂର୍ଣ୍ଣିମା ପାଳନ କରାଯିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.