Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ବେଲ୍‌ରେ ମୁକୁଳିବା ପରେ କରିବେ କ’ଣ ସାରଥୀ ? ପଢନ୍ତୁ ଅତୀତର କଳାଚିଠା

26/07/2019 at 9:38 AM

କେନ୍ଦ୍ରାପଡା ୨୬|୭: ଗତକାଲି ଚୌଦ୍ବାର ଜେଲରୁ ମୁକୁଳିଲେ ସନ୍ତୋଷ ରାଉଳ ଓରଫ ବାବା ସାରଥୀ । ଜେଲ୍ ରୁ ମୁକୁଳିବା ପରେ ସାରଥୀଙ୍କ ଭବିଷ୍ୟତର କାର୍ଯ୍ୟପନ୍ଥା କଣ ରହିବ ସେନେଇ ସେ କାହା ଆଗରେ କିଛି ପ୍ରକାଶ କରିନାହାନ୍ତି । ତେବେ ଗତକାଲି ଗଣମାଧ୍ୟରେ ମଧ୍ୟ ସାରଥୀ ତାଙ୍କ ମୁହଁ ଖୋଲିନାହାନ୍ତି । ବିଶେଷ ସୂତ୍ରରୁ ଜଣାପଡିଛି ଯେ, ସାରଥୀ ଆଗାମୀ ଦିନରେ ପଶ୍ଚିମବଙ୍ଗରେ ଅବସ୍ଥାନ କରିବେ ବୋଲି ଯୋଜନା କରୁଛନ୍ତି । ତେବେ ଏନେଇ ସେ କୋର୍ଟଙ୍କ ଅନୁମତି ମଧ୍ୟ ନେବେ ବୋଲି ଶୁଣିବାକୁ ମିଳିଛି । ସୂଚନାଯୋଗ୍ୟ ଯେ, ସାରଥୀଙ୍କୁ ରାଜ୍ୟ ବାହାରକୁ ନଯିବା ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

୨୦୧୫ ମସିହା ବେଳକୁ ତୁଳସୀ କ୍ଷେତ୍ର କେନ୍ଦ୍ରାପଡ଼ାର ବଡ଼ ଠାକୁର ବଳଦେବଜିଉଙ୍କ ମନ୍ଦିର ଅପେକ୍ଷା ଭକ୍ତଙ୍କ ଅଧିକ ଗହଳି ଲାଗୁଥିଲା ବାରିମୂଳରେ ଥିବା ସାରଥି ଆଶ୍ରମରେ । ପ୍ରତିଦିନ ସେଠାରେ ଭକ୍ତଙ୍କ ଭିଡ଼ ଜମୁଥିଲା । ସାରା ଓଡ଼ିଶାରେ ସାରଥୀଙ୍କ ଅନୁଗତଙ୍କ ସଂଖ୍ୟା ଢ଼େର୍ ବଢ଼ିଯାଇଥିଲା ।ସେହି ବର୍ଷ ସାରଥୀ ବାବାର ଭାଣ୍ଡାମୀର ବଳିଷ୍ଠ ପ୍ରମାଣ ଲାଗିଥିଲା ନ୍ୟୁଜ୍ ସେଭେନ୍ ହାତରେ । ଆଉ ହଜାର ହଜାର ଲୋକଙ୍କ ଧର୍ମୀୟ ଭାବନା ସହ ଖେଳୁଥିବା ଭଣ୍ଡ ସାରଥୀର ସବୁ କାରନାମାର  ପର୍ଦ୍ଦାଫାସ ହୋଇଥିଲା ।

୪ ଅଗଷ୍ଟ ୨୦୧୫ । ସକାଳୁ ସକାଳ ସାରା ଓଡ଼ିଶାରେ ଚହଳ ଖେଳିଗଲା । କେନ୍ଦ୍ରାପଡ଼ାର ସାରଥି ବାବାଙ୍କ ଗୁମର ଖୋଲିବ ବୋଲି ଘୋଷଣା କରିଥିଲା ନ୍ୟୁଜ୍ ସେଭେନ୍ । ରାଜ୍ୟର କୋଣ ଅନୁକୋଣରେ ଦର୍ଶକଙ୍କ ନଜର ଥିଲା ଟିଭି ପରଦା ଉପରେ । ଭଣ୍ଡ ସାରଥିର କେଳେଙ୍କାରୀ କ’ଣ  ଦେଖିବାକୁ ସେମାନଙ୍କ ମନରେ ଥିଲା ଅପୂର୍ବ ଉତ୍କଣ୍ଠା । ସମୟ ଦିନ ୧୦ଟା । ନ୍ୟୁଜ୍ ସେଭେନ୍ ଆରମ୍ଭ କରିଥିଲା ଏହି ଭଣ୍ଡ ବାବାର ଭାଣ୍ଡାମୀର ରହସ୍ୟ । ଏହି ଭଣ୍ଡ ସାରଥୀ ଓରଫ ସନ୍ତୋଷ ରାଉଳ କେମିତି ହୋଟେଲ ରୁମ୍ରେ ଜଣେ ଯୁବତୀଙ୍କ ସହ ରଙ୍ଗରଲିଆଁ ମନାଉଥିଲା ଗୋଟି ଗୋଟି କରି ତା’ର ସବୁ ପ୍ରମାଣ ଓଡ଼ିଶାର ଅଗଣିତ ଦର୍ଶକଙ୍କ ସାମ୍ନାରେ ରଖିଥିଲା ନ୍ୟୁଜ୍ ସେଭେନ୍ । କେମିତି ଅନବସରରେ ପୁରୀ ଯିବା ବାହାନାରେ ରାଜ୍ୟ ବାହାରକୁ ଯାଇ ହୋଟେଲରେ ଅୟସ ଆରାମ୍ କରୁଥିଲା ସାରଥୀ । ଆଶ୍ରମରେ ଧୋତି ବନିଆନ୍ ପିନ୍ଧି ମୁଣ୍ଡରେ ତିଳକ ଲଗାଇ ଲୋକଙ୍କ ଆଗରେ ନିଜକୁ ଆତ୍ମଘୋଷିତ ଭଗବାନ ବୋଲି କହୁଥିବା ସାରଥି କେମିତି ଜିନ୍ସ୍ ଟିସାର୍ଟ ପିନ୍ଧି ହୋଟେଲରେ ବସିଥିଲା ତାର ଫଟୋ ଦେଖାଇଥିଲା ନ୍ୟୁଜ ସେଭେନ୍ । ଜଣେ ଅଳ୍ପ ବୟସ୍କା ଯୁବତୀଙ୍କୁ ନିଜର ପତ୍ନୀର ପରିଚୟ ଦେଇ କେମିତି ହୋଲେଟରେ ରୁମ୍ ବୁକ୍ କରିଥିଲା  ତା’ର ବିଲ୍ ଦେଖାଇଥିଲା । ହାଇଦ୍ରାବାଦର ଗୋଲକୁଣ୍ଡା ହୋଟେଲରେ କେମିତି ଚିକେନ୍ ଆଉ ମଦ ଖାଇ ଅଏସ କରୁଥିଲା ସାରଥି ଗୋଟି ଗୋଟି କରି ସେସବୁର ଚିତ୍ର ଦେଖାଉଥିଲା ନ୍ୟୁଜ୍ ସେଭେନ୍ । ଏହା ପରେ ସାରା ଓଡ଼ିଶାରେ ଏହି ଭଣ୍ଡ ବାବାର ଭାଣ୍ଡାମୀକୁ ନେଇ ପଡ଼ିଯାଇଥିଲା ଚହଳ । ୪ ତାରିଖ ସଂଧ୍ୟା ବେଳକୁ ସାରଥୀ ଆଶ୍ରମରେ ପହଞ୍ଚିଯାଇଥିଲେ ଶହ ଶହ ଅନୁଗତ । ହେଲେ ନ୍ୟୁଜ୍ ସେଭେନ୍ ଯାହା ଦେଖାଉଛି ସବୁ ମିଛ କହି ନିଜ ଅନୁଗତଙ୍କୁ ସାନ୍ତ୍ବନା ଦେବାକୁ ଚେଷ୍ଟା କରୁଥିଲା ଏହି ଭଣ୍ଡ । 

୫ ଅଗଷ୍ଟ ୨୦୧୫ । ନ୍ୟୁଜ୍ ସେଭେନ୍ ପରଦାରେ ସାରଥି କେଳେଙ୍କାରୀର ପର୍ଦ୍ଦାଫାସ୍ ହେବାପରେ ଅନୁଗତମାନଙ୍କ ଭିତରେ ଚହଳ ପଡ଼ିଯାଇଥିଲା । ଏପଟେ ନ୍ୟୁଜ୍ ସେଭେନ୍ ସାରଥୀର ଗୋଟିଏ ପରେ ଗୋଟିଏ ମିଛର ପର୍ଦ୍ଦାଫାସ୍ କରିଚାଲିଥିଲା । ସାରଥୀ ସହ ଯାଇଥିବା ସେ ଯୁବତୀ କିଏ ? କେମିତି ଆଉ କେଉଁଦିନ ସାରଥୀ ସଂପୃକ୍ତ ଯୁବତୀଙ୍କୁ ସାଥୀରେ ଧରି ଭୁବନେଶ୍ବରରୁ ହାଇଦ୍ରାବାଦ ଫ୍ଲାଇଟ୍ରେ ଯାଇଥିଲା । କେମିତି ଗୋଲକୁଣ୍ଡା ହୋଟେଲରେ ରୁମ୍ ବୁକ୍ କରିଥିଲା । କେମିତି ମଦ ଚିକେନ୍ ଅର୍ଡ଼ର କରିଥିଲା । ଆଉ ଆଉ ଏ ବାବଦକୁ କେତେ ବିଲ୍ ଦେଇଥିଲା । ମଦ ନିଶାରେ କେମିତି ହୋଟେଲ୍ର ଜଣେ ବୟଙ୍କ ସହ ତାଙ୍କର ଝଗଡ଼ା ହୋଇଥିଲା । କେମିତି ଓଡ଼ିଶାର ଏହି ହୋଟେଲ ବୟ ତାଙ୍କୁ ଚିହ୍ନି ଦେବାରୁ ତରବର ହୋଇ ହୋଟେଲ ଚାଡ଼ିଥିଲା । ସେସବୁର ଗୋଟି ଗୋଟି ପ୍ରମାଣ ଦେଖାଉଥିଲା ନ୍ୟୁଜ୍ ସେଭେନ୍ ।

୬ ଅଗଷ୍ଟ, ୨୦୧୫ । ନ୍ୟୁଜ୍ ସେଭେନ୍ ର ଭଣ୍ଡ ସାରଥିର ସବୁ କେଳେଙ୍କାରୀର ପର୍ଦ୍ଦାଫାସ ହେବା ଦେଖି ରାଜ୍ୟ ସରକାର ଘଟଣାର ତଦନ୍ତ ପାଇଁ ସିଧା କ୍ରାଇମବ୍ରାଂଚକୁ ନିର୍ଦେଶ ଦେଲେ । ସାରଥି ଆଶ୍ରମରେ ପୋଲିସ ପହଞ୍ଚିବା ଦେଖି ମାତିଥିଲେ ଅନୁଗତ । ବାରିମୂଳରେ ଆଶ୍ରମ ବାହାରେ ସାରଥି ଅନୁଗତ ଓ ପୋଲିସ ମୁହାଁମୁହିଁ ହୋଇଥିଲେ । ସେପଟେ ସାରଥିକୁ ଗିରଫ ଦାବିରେ ମଧ୍ୟ ଲୋକଙ୍କ ଆକ୍ରୋଶ ବଢ଼ିବାରେ ଲାଗିଥିଲା । ଫଳରେ ରଣକ୍ଷେତ୍ର ପାଲଟିଥିଲା ବାରିମୂଳ । ପୋଲିସ ଓ ସାଧାରଣ ଲୋକଙ୍କ ଭିତରେ ଏକ ପ୍ରକାର ଅଘୋଷିତ ଯୁଦ୍ଧ ଦେଖିବାକୁ ମିଳିଥିଲା । ୟାରି ଭିତରେ ସାରଥୀଙ୍କ ବିରୋଧରେ ବିଭିନ୍ନ ଥାନାରେ ଏକାଧିକ ଅଭିଯୋଗ ହେବାରେ ଲାଗିଲା ।

୭ ଅଗଷ୍ଟ ୨୦୧୫ । କେନ୍ଦ୍ରାପଡ଼ାରେ ଲୋକଙ୍କ ପ୍ରତିବାଦ ଜାରି ରହିଥାଏ । ବାରିମୂଳ ଆଶ୍ରମକୁ ଧଶେଇ ପଶିବାକୁ ଉଦ୍ୟମ କରୁଥାନ୍ତି ପ୍ରତିବାଦକାରୀ । ବାରିମୂଳରେ ପୋଲିସ ୧୪୪ଧାରା ଜାରି କରି ଅପ୍ରିତିକର ପରିସ୍ଥିତି ଏଡ଼ାଇବାକୁ ଚେଷ୍ଟା କରୁଥାଏ । ପୋଲିସର ମାତ୍ରାଧିକ କାର୍ଯ୍ୟକଳାପ ଯୋଗୁଁ ଉତ୍ତେଜନା ବଢ଼ୁଥିବା ଦେଖି ସେତେବେଳର କେନ୍ଦ୍ରପଡ଼ା ଏପି ସତୀଶ ଗଜଭିଏଙ୍କୁ ସସ୍ପେଣ୍ଡ କରି ତାଙ୍କ ସ୍ଥାନରେ ନିତିନ୍ଜିତ୍ ସିଂଙ୍କୁ ଦାୟିତ୍ବ ଦେଇଥିଲେ ସରକାର ।

୮ ଅଗଷ୍ଟ ୨୦୧୫ । ନ୍ୟୁଜ୍ ସେଭେନ୍ର ଏତେ ଖୁଲାସା ପରେ କାହିଁକି ସାରଥିକୁ ଗିରଫ କରାଯାଉନି ଅଭିଯୋଗ କରି ବିଧାନସଭାରେ କଥା ଉଠାଇଥିଲେ ବିରୋଧୀ । ୟାରି ଭିତରେ ସାରଥୀ କେଳେଙ୍କାରୀର ଗୋଟି ଗୋଟି କରି ସମସ୍ତ ପ୍ରମାଣ ନିଜ ଦର୍ଶକଙ୍କ ଆଗରେ ଥୋଉଥିବା ନ୍ୟୁଜ୍ ସେଭେନ୍ ଶେଷରେ ସାରଥୀ ଓ ସଂପୃକ୍ତ ଯୁବତୀଙ୍କ ନାଁରେ ହୋଇଥିବା ପ୍ଲେନ ଟିକେଟ୍ ଦେଖାଇ ସାରଥୀର ଖେଳ ଖତମ କରିଦେଇଥିଲା । ଆଉ ସେଇ ଦିନ ବିଳମ୍ବିତ ରାତିରେ ତମାମ ଉତ୍ତେଜନା ଭିତରେ ସାରଥିକୁ ଗିରଫ କରିବାକୁ ବାଧ୍ୟ ହୋଇଥିଲା କ୍ରାଇମବ୍ରାଞ୍ଚ । ବାରିମୂଳ ଆଶ୍ରମରୁ ବାନ୍ଧି କଟକ ନେଇଯାଇଥିଲା ତଦନ୍ତକାରୀ ଟିମ୍ । ଆଉ ପରବର୍ତ୍ତି ଇନ୍ଭେଷ୍ଟିଗେସନରେ ସବୁ ଅଭିଯୋଗ ପ୍ରମାଣ ହେବା ପରେ ଭଣ୍ଡ ସାରଥି ଯାଇଥିଲା ଜେଲ୍ର ଚାରି କାନ୍ଥ ଭିତରକୁ ।

   Related Posts