ପିଲାଙ୍କ ପାଇଁ ଫିଲ୍ମ ଇଣ୍ଡଷ୍ଟ୍ରି ଛାଡିଥିଲେ ଏହି ଗ୍ଲାମରସ୍ ଅଭିନେତ୍ରୀ, ବିଗବସ୍ ପାଇଁ ଚର୍ଚ୍ଚାରେ
27/01/2021 at 12:59 PM

ମୁମ୍ବାଇ ୨୭।୧: ୨୮ ବର୍ଷ ପୂର୍ବରୁ ଅକ୍ଷୟ କୁମାର ଫିଲ୍ମ ‘ସୌଗନ୍ଧ’ରୁ ତାଙ୍କ କ୍ୟାରିୟର ଆରମ୍ଭ କରିଥିଲେ । ଏହି ଫିଲ୍ମରେ ଅକ୍ଷୟଙ୍କର କୋ-ଆକ୍ଟର ଶାନ୍ତିପ୍ରିୟାଙ୍କର ମଧ୍ୟ ଏହା ପ୍ରଥମ ଫିଲ୍ମ ଥିଲା । ଫିଲ୍ମରେ ଅକ୍ଷୟଙ୍କ ସହିତ ଶାନ୍ତିପ୍ରିୟାଙ୍କ କେମେଷ୍ଟ୍ରି ଏବଂ ତାଙ୍କ ଲୁକ୍ସକୁ ଦର୍ଶକମାନେ ବେଶ୍ ପସନ୍ଦ କରିଥିଲେ । ଏହି ୨୮ବର୍ଷ ମଧ୍ୟରେ ଅକ୍ଷୟ ବଲିଉଡର ଖିଲାଡୀ କୁମାର ହୋଇସାରିଥିବା ବେଳେ ତାଙ୍କର ପ୍ରଥମ ହିରୋଇନ୍ ଏବେ ଅଜ୍ଞାତ ଜୀବନ ବିତାଉଛନ୍ତି । ନିକଟରେ ଶାନ୍ତିପ୍ରିୟା ବିଗବସ-୧୪ରେ ଏଣ୍ଟ୍ରି ନେବାକୁ ନେଇ ବେଶ୍ ଚର୍ଚ୍ଚାରେ ରହିଥିଲେ ।
ଶାନ୍ତିପ୍ରିୟା ସାଉଥ୍ ଅଭିନେତ୍ରୀ ଭାନୁପ୍ରିୟାଙ୍କ ଭଉଣୀ । ଶାନ୍ତିପ୍ରିୟା ତେଲଗୁ ଏବଂ ତାମିଲ ଫିଲ୍ମରେ କାମ କରିବା ପରେ ତାଙ୍କୁ ହିନ୍ଦୀ ଫିଲ୍ମରେ ଅଫର୍ ମିଳିଥିଲା । ୧୯୯୧ ମସିହାରେ ସେ ଅକ୍ଷୟଙ୍କ ସହିତ ତାଙ୍କର ପ୍ରଥମ ହିନ୍ଦୀ ଫିଲ୍ମ ସାଇନ୍ କରିଥିଲେ । ଏହି ଫିଲ୍ମରେ ରମେଶ ସିପ୍ପି ନିର୍ଦ୍ଦେଶନା ଦେଇଥିଲେ । କିନ୍ତୁ ଏହି ଫିଲ୍ମ ପରଦା ଉପରେ ତାର କମାଲ ଦେଖାଇପାରିନଥିଲା । ଏହି ଫିଲ୍ମ ଫ୍ଲପ୍ ହେଲା ପରେ ଅକ୍ଷୟଙ୍କୁ ‘ଖିଲାଡୀ’ ସିରିଜ୍ ଫେମସ୍ କରିଥିଲା ଏବଂ ଶାନ୍ତିପ୍ରିୟା ସଂଘର୍ଷ କରିଚାଲିଥିଲେ ।
ଶାନ୍ତିପ୍ରିୟା ଫିଲ୍ମ ନିର୍ମାତା ଭି. ସାନ୍ତାରାମଙ୍କ ନାତି ସିଦ୍ଧାର୍ଥ ରାୟଙ୍କୁ ୧୯୯୯ ମସିହାରେ ବିବାହ କରିଥିଲେ । କିନ୍ତୁ ବିବାହର ୫ ବର୍ଷ ପରେ ତାଙ୍କ ସ୍ବାମୀଙ୍କର ହୃଦଘାତରେ ମୃତ୍ୟୁ ହୋଇଥିଲା । ସ୍ବାମୀଙ୍କ ମୃତ୍ୟୁ ପରେ ପରିବାରର ସମସ୍ତ ବୋଝ ତାଙ୍କ କାନ୍ଧ ଉପରକୁ ଆସିଯାଇଥିଲା ।
ଶାନ୍ତିପ୍ରିୟାଙ୍କର ଦୁଇ ପୁଅ ଅଛନ୍ତି । ଗୋଟେ ସମୟରେ ସେ ନିଜ କ୍ୟାରିୟରର ଶିଖରରେ ଥିଲେ, କିନ୍ତୁ ଅନେକ ଦିନ ହେବ ସେ ଅଜ୍ଞାତ ଜୀବନ ବିତାଉଥିଲେ । ସେ କୁହନ୍ତି ଯେ, ‘ମୋ ପିଲାମାନେ କଠିନ ପରିଶ୍ରମ କରି ସେମିତି ଆଗକୁ ବଢନ୍ତୁ, ଯେମିତି ମୁଁ ଆରମ୍ଭ କରିଥିଲି । ସେଥିଲାଗି ମୁଁ ତାଙ୍କ ଉପରେ ବହୁତ ଧ୍ୟାନ ଦେଉଛି । ଏହି କାରଣରୁ ମୁଁ ଫିଲ୍ମ ଇଣ୍ଡଷ୍ଟ୍ରିରୁ ଦୂର ହୋଇଯାଇଥିଲି ।’
ସୂଚନାଯୋଗ୍ୟ, ନିକଟରେ ଶାନ୍ତିପ୍ରିୟା ବିଗବସରେ ଆସିବାକୁ ନେଇ ବେଶ୍ ଚର୍ଚ୍ଚା ବିଷୟ ପାଲଟିଥିଲା । ସୋ’ର ସିଜିନ-୧୪ରେ ଏଣ୍ଟ୍ରିକୁ ନେଇ ତାଙ୍କୁ ପ୍ରଶ୍ନ ପଚରା ଯିବାରୁ ସେ କହିଥିଲେ ଯଦି ମୋତେ ଅଫର ମିଳିବ ତେବେ ମୁଁ ନିଶ୍ଚୟ ଯିବାକୁ ଚାହିଁବି ।