Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକ : ଆଜି ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜୟନ୍ତୀ
  • ||
  • ପାଟଣା : ଛିଡିଲାନି ଭାଗବଣ୍ଟା, ଦୁଇ ପିସ୍ ମାଂସ ପାଇଁ ଆତ୍ମହତ୍ୟା କଲେ ଭଉଣୀ
  • ||
  • କଟକ : ରେଭେନ୍ସା ବିଶ୍ବବିଦ୍ୟାଳୟର ନୂତନ କୁଳପତି ହେଲେ ପ୍ରଫେସର ସଞ୍ଜୟ ନାୟକ
  • ||
  • ଭୁବନେଶ୍ବର : ନାବାଳିକା ଗଣଦୁଷ୍କର୍ମ ମାମଲା, ଅପ୍ରେଲ ୫ରେ ଚୂଡାନ୍ତ ଶୁଣାଣି
  • ||
  • ଭୁବନେଶ୍ବର : ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୫୪ କୋଭିଡ୍ ସଂକ୍ରମିତ, ୩୩୪୦୨୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ମେ’ ରେ ହେବ କଂଗ୍ରେସର ଅଧ୍ୟକ୍ଷ ପଦ ପାଇଁ ନିର୍ବାଚନ, ସିଡବ୍ଲ୍ୟୁସି ବୈଠକ ପରେ ବଡ ଘୋଷଣା କଲା ଦଳ
  • ||
  • ହୁ ହୁ ହୋଇ ବଢୁଛି ତୈଳଦର, ମୁମ୍ବାଇରେ ୯୧ ଟଙ୍କା ଉପରେ ପେଟ୍ରୋଲ ଦାମ୍
  • ||
  • ରାଉରକେଲା : ନିଆଁ ପୁଇଁବା ହେଲା କାଳ, ଦଳିଦେଲା ଦନ୍ତା, ଚାଲିଗଲା ଜୀବନ
  • ||
  • ଝଲସିବ ଅର୍କ କ୍ଷେତ୍ର : ନୂଆ ରୂପ ପାଇବ କୋଣାର୍କ ସୂର୍ଯ୍ୟ ମନ୍ଦିର, ପର୍ଯ୍ୟଟକଙ୍କୁ ମିଳିବ ବିଶ୍ୱସ୍ତରୀୟ ସୁବିଧା
  • ||
  • ଆଜି ବସୁଛି କଂଗ୍ରେସର ସିଡବ୍ଲ୍ୟୁସି ବୈଠକ, ଅଧ୍ୟକ୍ଷ ନିର୍ବାଚନ ନେଇ ହେବ ଆଲୋଚନା !
  • ||

କେବଳ ଅନୁଚ୍ଛେଦ ୩୭୦ କି ପାକ୍ ସର୍ଜିକାଲ ଷ୍ଟ୍ରାଇକ୍ ନୁହେଁ ଅନେକ ଗୁଇନ୍ଦା ଅପରେସନର ସୂତ୍ରଧର ଅଟନ୍ତି ଅଜିତ ଡୋଭଲ, ‘ଜାଣନ୍ତୁ ମ୍ୟାନ ବିହାଇଣ୍ଡ ଦି ମିସନ’ଙ୍କୁ

10/08/2019 at 10:18 PM

ସମ୍ବିଧାନର ଅନୁଚ୍ଛେଦ ୩୭୦ ହଟିବା ପରେ ଏବେ ଧିରେ ଧିରେ ସ୍ୱଭାବିକ ହେବାରେ ଲାଗିଛି କାଶ୍ମୀର। ଶନିବାର ରାଜ୍ୟର ଅନେକ ଭାଗରୁ ଧାରା ୧୪୪ ହଟାଇ ନିଆଯାଇଛି। ସ୍କୁଲ କଲେଜ ଖୋଲିବା ସହ ହାଟବଜାରରେ ବେପାର ବଣିଜ ମଧ୍ୟ ଆରମ୍ଭ ହେଲାଣି ।  ତେବେ ଦୀର୍ଘ ବର୍ଷରୁ କାଶ୍ମୀରକୁ ଦେଶରୁ କାଣ୍ଟଛାଣ୍ଟ କରି ରଖିଥିବା ସମ୍ବିଧାନର ଧାରାକୁ ଉଠାଇ ଅନ୍ୟ ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶଙ୍କ ସମତୁଲ କରାଇବାରେ ମୁଖ୍ୟ ଭୂମିକା ନିର୍ବାହ କରିଥିବା ବ୍ୟକ୍ତିଜଣକ ହେଉଛନ୍ତି ଜାତୀୟ ସୁରକ୍ଷା ପରାମର୍ଶଦାତା (ଏନଏସଏ) ଅଜିତ ଡୋଭଲ। ଅତୀତରେ ପାକ୍ ଓ ମ୍ୟାଁମାର ଉପରେ ସେନାର ସର୍ଜିକାଲ ଷ୍ଟ୍ରାଇକ୍ ମଧ୍ୟ ଥିଲା ଡୋଭଲଙ୍କ ମସ୍ତିଷ୍କ ଉପଜ। ତେବେ କିଏ ଏହି ଡୋଭଲ ଆସନ୍ତୁ ଜାଣିବା।

ବ୍ରିଟିଶ ଶାସନାଧୀନ ଭାରତୀୟ ପ୍ରଦେଶ ପୌଡି ଗଡୱାଲ (ବର୍ତ୍ତମାନର ଉତ୍ତରାଖଣ୍ଡ)ର ଘିରି ବାନେଲସ୍ୟୁନରେ ୨୦ ଅଗଷ୍ଟ ୧୯୪୫ରେ  ଅଜିତ ଡୋଭଲଙ୍କ ଜନ୍ମ। ପିତା ଗୁଣାନନ୍ଦ ଡୋଭଲ ଜଣେ ପ୍ରତିରକ୍ଷା କର୍ମଚାରୀ ଥିଲେ।   ଅଜିତଙ୍କ ସ୍କୁଲ ଶିକ୍ଷା ‘କିଙ୍ଗ ଜର୍ଜ ରୟାଲ ମିଲେଟ୍ରି ସ୍କୁଲ , ଆଜମେର ’(ଆଜିକାର ଆଜମେର ମିଲେଟ୍ରି ସ୍କୁଲ)ରେ ହୋଇଥିଲା। ପରେ ଆଗରା ୟୁନିଭର୍ସିଟିରୁ ଅର୍ଥନୀତିରେ ପିଜି କରିଥିଲେ। ୧୯୬୮ ମସିହାରେ ସେ ଭାରତୀୟ ପୋଲିସ ସେବାରେ ଯୋଗଦେଇଥିବା ବେଳେ ତାଙ୍କୁ କେରଳ କ୍ୟାଡର ମିଳିଥିଲା। ଖୁବ କମ ସମୟ ସେ ପୋଲିସରେ କାର୍ଯ୍ୟ କରିଥିଲେ। ହେଲେ ଜଣେ ଦାୟିତ୍ୱବାନ ଓ କର୍ତ୍ତବ୍ୟନିଷ୍ଠ ପୋଲିସ ଅଫିସର ଭାବେ ଖୁବ କମ ଦିନ ଚାକିରୀରେ ଭାରତ ସରକାରଙ୍କ ପୋଲିସ ମେଡାଲରେ ସମ୍ବର୍ଦ୍ଧିତ ହୋଇଥିଲେ। ପୋଲିସ ପଦକ ପାଇବାରେ ଡୋଭଲ ହେଉଛନ୍ତି ଦେଶରସର୍ବ କନିଷ୍ଠ ଆଇପିଏସ ଅଫିସର।  ୧୯୭୨ ମସିହାରେ ସେ ଇଣ୍ଟେଲିଜେନ୍ସୀ ବ୍ୟୁରୋ ସହ ଜଡିତ ହୋଇଯାଇଥିଲେ। ଏହିଠାରୁ ହିଁ ଆରମ୍ଭ ହୋଇଥିଲା ତାଙ୍କ ଜୀବନର ମିସନ। 

ଆଜିର ଏନଏସଏ ଡୋଭଲଙ୍କ ମିସନ କାହାଣୀ କୌଣସି ଚଳଚିତ୍ରର କାହାଣୀଠୁ କମ୍ ନୁହେଁ। ବିଶ୍ୱପ୍ରଶିଦ୍ଧ ଜେମସବଣ୍ଡ ଓ ସେହିଭଳି ଗୁଇନ୍ଦା ସିରିଜ ବି ଡୋଭଲଙ୍କ ବାସ୍ତବ ମିସନ ଆଗରେ ଫିକା ପଡିଯିବେ । ୨୦୦୫ ମସିହାରେ ଏହି ସ୍ମାର୍ଟ ଗୁଇନ୍ଦା ଅଫିସର ଭାରତୀୟ ଇଣ୍ଟେଲିଜେନ୍ସୀ ବ୍ୟୁରୋର ନିର୍ଦ୍ଦେଶକ ପଦରେ ଚାକିରୀରୁ ଅବସର ନେଇଥିଲେ। ହେଲେ ସରକାରୀ ଚାକିରୀରେ କେବେ ଦିନଟିଏ ବି ତାଙ୍କୁ ବିଶ୍ରାମ ମିଳିନଥିଲା। ଡୋଭଲ ତାଙ୍କର ଦୀର୍ଘ ଚାକିରୀ ଜୀବନରେ କେବେ ଦେଶବିରୋଧୀ ଶକ୍ତିଙ୍କଆଡୁ ଦେଶପ୍ରତି ସାମାନ୍ୟ ଆଞ୍ଚ ବି ଆସିବାକୁ ଦେଇନାହାନ୍ତି।    

୧୯୭୨ ମସିହାରେ ଡୋଭଲ ଗୁଇନ୍ଦା ବିଭାଗରେ ଯୋଗଦେବା ବେଳକୁ ପୂର୍ବୋତ୍ତରର ମିଜୋ ସମସ୍ୟା ଗୁରୁତର ରୂପ ନେଇସାରିଥିଲା। ୬୦ ଦଶକର ମରୁଡି ପରେ ଉପୁଜିଥିବା ପରିସ୍ଥିତିରେ ସରକାରୀ ସହାୟତାକୁ ନେଇ ଲାଲ ଡେଙ୍ଗାଙ୍କ ନେତୃତ୍ୱରେ ମିଜୋ ନ୍ୟାସନାଲ ଫ୍ରଣ୍ଟ (ଏମଏନଏଫ) ଉଗ୍ର ଆନ୍ଦୋଳନ ଆରମ୍ଭ କରିଦେଇଥିଲା। ଯାହା ୧୯୬୬ ମିଜୋ ଅପରାଇଜିଂରେ ବିକରାଳ ରୂପ ଧାରଣ କରିସାରିଥିଲା। ଚୀନ ସମର୍ଥନରେ ଲାଲ ଡେଙ୍ଗା ଓ କମାଣ୍ଡରମାନେ ମିଜୋରାମକୁ ଭାରତରୁ ପୃଥକ କରିବା ଲାଗି ସଶସ୍ତ୍ର ବିଦ୍ରୋହ କରିଦେଇଥିଲେ। ତେବେ ଆଇଜଲରେ ଡୋଭଲଙ୍କ ପୋଷ୍ଟିଂ ପରିସ୍ଥିତିର ଶାନ୍ତିପୂର୍ଣ୍ଣ ମୁକାବିଲାର ରାସ୍ତା ବାହାର କରିଥିଲା। ସେ ଲାଲ ଡେଙ୍ଗାଙ୍କ ୭ ସହଯୋଗୀଙ୍କ ମଧ୍ୟରୁ ୬ ଜଣଙ୍କୁ ସରକାରଙ୍କ ସହ ଆଲୋଚନା କରିବାକୁ ବାଧ୍ୟ କରିଦେଇଥିଲେ। ଫଳରେ ୧୯୮୮ ମସିହାରେ ଲାଲଡେଙ୍ଗା ଭାରତ ସରକାରଙ୍କ ସହ ମିଜୋ ଆକୋର୍ଡରେ ସ୍ୱାକ୍ଷର କରିବା ସହ ରାଜ୍ୟର ପ୍ରଥମ ମୁଖ୍ୟମନ୍ତ୍ରୀ ମଧ୍ୟ ହୋଇଥିଲେ।

ତେବେ କେବଳ ମିଜୋ ସମସ୍ୟାରେ ସରି ଯାଇନଥିବା ଡୋଭଲଙ୍କ କାମ।  ଗୋଟିଏପଟେ ମିଜୋ ସମସ୍ୟାର ସମାଧାନ ହେବା ବେଳକୁ ଅନ୍ୟପଟେ ଖାଲିସ୍ଥାନ ଦାବି ମୁଣ୍ଡ ଟେକି ସାରିଥିଲା। ଖାଲିସ୍ଥାନ ଲିବରେସନ ଫୋର୍ସ (କେଏଲଏଫ) ଆତଙ୍କବାଦୀ ଭାରତରେ ରୋମାନିଆ  ରାଷ୍ଟ୍ରଦୂତ ଲିବ୍ୟୁ ରାଡୁଙ୍କୁ ଅପହରଣ କରି ମୁଣ୍ଡଜାମିନ ରଖିଥିଲେ। ସେପଟେ ରୋମାନିଆରେ ଭାରତୀୟ ରାଷ୍ଟ୍ରଦୂତ ଜୁଲିଓ ଫ୍ରାନସିସ୍ ରିବେରିଓଙ୍କୁ ହତ୍ୟା କରିବା ଲାଗି ମଧ୍ୟ ଯୋଜନା କରିସାରିଥିଲେ କେଏଲଏଫ ଆତଙ୍କବାଦୀ। ଉଭୟଙ୍କ ଉଦ୍ଧାର ଓ ପ୍ରାଣ ରକ୍ଷା କରିବାରେ ବେଶ ସହାୟକ ହୋଇଥିଲା ଡୋଭଲଙ୍କ ରଣନୀତି। ରିବେରିଓଙ୍କ ହତ୍ୟା ଉଦ୍ୟମକାରୀଙ୍କ ଗିରଫ ସହ ଲିବ୍ୟୁ ରାଡୁଙ୍କ ଅପହରଣକାରୀଙ୍କୁ ମଧ୍ୟ ଗିରଫ କରାଯାଇପାରିଥିଲା।

ଖାଲିସ୍ତାନ ଆନ୍ଦୋଳନ ୧୯୮୪ ମସିହା ବେଳକୁ ଚରମ ସୀମାରେ ପହଞ୍ଚିଥିଲା। ପାକ୍ ଗୁଇନ୍ଦା ସଂସ୍ଥା ଇଣ୍ଟରସର୍ଭିସ ଇଣ୍ଟେଲିଜେନ୍ସୀ (ଆଇଏସଆଇ) ସିଧାଶଳଖ ଖାଲିସ୍ତାନୀ ଆନ୍ଦୋଳନର ନେତା ଜନରଲ ସିଂ ଭିନ୍ଦ୍ରନୱାଲେଙ୍କୁ ସମର୍ଥନ ଯୋଗାଇ ଦେଉଥିଲା। ଏଣୁ ଭାରତୀୟ ସେନାର ଅପରେସନ ଜରୁରି ହୋଇପଡିଥିଲା। ଏଥିପାଇଁ ସେନୀ ପ୍ରସ୍ତୁତ କରିଥିବା ‘ଅପରେସନ ବ୍ଲୁଷ୍ଟାର’ ରେ ଡୋଭଲଙ୍କ ଯୋଗଦାନ ଉଲ୍ଳେଖନୀୟ ଥିଲା। ଆଇଏସଆଇପଟରୁ ସେ ଭିନ୍ଦ୍ରନୱାଲେଙ୍କ ସହ ଯୋଗସୂତ୍ରକାରୀ ରହିଥିବା ବେଳେ ଗୁଇନ୍ଦା ସୂଚନା ସେନାକୁ ଦେଉଥିଲେ । ତାଙ୍କ ଯୋଜନା ଅନୁସାରେ ଅପରେସନ ବ୍ଲୁଷ୍ଟାରକୁ ସେନା ସଫଳ କରିପାରିଥିଲା। ହେଲେ ବି ସମ୍ପୂର୍ଣ୍ଣ ଆତଙ୍କବାଦ ମୁକ୍ତ ହୋଇପାରିନଥଲା ଅମୃତସର ସ୍ୱର୍ଣ୍ଣ ମନ୍ଦିର ପରେ ନିଜେ ଡୋଭଲ ହିଁ ୧୯୮୯ ଅପରେସନ ବ୍ଲାକ୍ ଥଣ୍ଡରରେ ପଞ୍ଜାବକୁ ଆତଙ୍କବାଦ ମୁକ୍ତ କରିଥିଲେ।

ଜମ୍ମୁ-କାଶ୍ମୀର ଆତଙ୍କବାଦ ବିରୋଧରେ ମଧ୍ୟ ତାଙ୍କୁ ପୁଣି ବ୍ୟବହାର କରିଥିଲେ ସରକାର। କୁଖ୍ୟାତ ଆତଙ୍କବାଦୀ କୁକା ପାରେକୁ ବୁଝେଇ ସୁଝେଇ ଭାରତ ସପକ୍ଷରେ ଆଣିପାରିଥିଲେ ଡୋଭଲ। ଫଲରେ କୁକା ପାରେ ସହ ୨୫୦ ପ୍ରଶିକ୍ଷିତ ଆତଙ୍କବାଦୀ ଭାରତ ସପକ୍ଷରେ ଆସିଯାଇଥିବା ବେଳେ କାଶ୍ମୀରରେ ଆତଙ୍କବାଦ ଅନେକ ପରିମାଣରେ ପ୍ରସମିତ ହୋଇଥିଲା। ତେବେ ପାକ୍ ବିରୋଧରେ ଡୋଭଲ ବାରମ୍ବାର ମିସନରେ ଯାଇଥିବା ବେଳେ ଦୀର୍ଘ ବର୍ଷ ମୁସଲମାନ ଭାବେ ପାକିସ୍ତାନରେ ରହିଥିଲେ। ଦେଶରେ ହୋଇଥିବା ବିମାନ ଅପହରଣ ମାମଲା ଗୁଡିକର ସଫଳ ଉଦ୍ଧାରରେ ମଧ୍ୟ ଡୋଭଲଙ୍କ ଅନେକ ଅବଦାନ ରହିଛି। ୧୯୭୭ରୁ ୧୯୯୯ ମଧ୍ୟରେ  ଏୟାର ଇଣ୍ଡିଆ ସମେତ ଭାରତରୁ ବିଭିନ୍ନ ବିମାନ କମ୍ପାନୀର ୧୫ଟି ବିମାନ ଅପହରଣ ହୋଇଥିଲା।  ଏଥିରେ ଶେଷ ବିମାନଟି  କାନ୍ଦାହାରକୁ ଅପହୃତ ହୋଇଥିବା ବେଳେ ଆତଙ୍କବାଦୀଙ୍କ ସହ ଆଲୋଚନାରେ ଡୋଭଲ ମଧ୍ୟ ଜଣେ ମଧ୍ୟସ୍ଥ ହୋଇଥିଲେ। ଯେଉଁଥିରେ ଭାରତୀୟ ଜେଲରେ ବନ୍ଦୀ ଥିବା ମୁସ୍ତାକ ଅହମ୍ମଦ ଜରଗର, ଅହମ୍ମଦ ଓମର ସଇଦ ଶେଖ ଓ ମୌଲାନା ମାସୁଦ ଅଜହରକୁ ମୁକ୍ତ କରିବା ଲାଗି ଆତଙ୍କବାଦୀ ପଣ ରଖିଥିଲେ। ତେବେ ଏଥିରେ ମୁକ୍ତ ହୋଇଥିବା ମାସୁଜ ଅଜହର ହିଁ ଏବେ ଭାରତ ବିରୋଧରେ ଜୈସ-ଏ-ମୋହମ୍ମଦ ସଙ୍ଗଠନ ଗଢି ଆତଙ୍କବାଦ ବଢାଇବାରେ ଲାଗିଛି।    

ତେବେ ୨୦୦୫ ମସିହାରେ ଚାକିରୀରୁ ଅବସର ନେଇଥିବା ଡୋଭଲ ଅବସର ପରେ ବି ବିଶ୍ରାମ ପାଇ ପାରିନାହାନ୍ତି। ଅବସରର ପରେ ‘ବିବେକାନନ୍ଦ ଇଣ୍ଟରନ୍ୟାସନାଲ ଫାଉଣ୍ଡେସନ’ ସ୍ଥାପନା କରି ଏହାର ସଂସ୍ଥାପକ ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରୁଥିବା ବେଳେ ପୁଣି ଭାରତ ସରକାରଙ୍କ ଜାରୀୟ ସୁରକ୍ଷା ପରାମର୍ଶଦାତା ନିଯୁକ୍ତ ହୋଇଛନ୍ତି। ଦେଶରେ ଅଟଳବିହାରୀ ବାଜପେୟୀଙ୍କ ସରକାରରେ ବୈଦେଶିକ ମନ୍ତ୍ରାଳୟ ମୁଖ୍ୟ ବ୍ରିଜେଶ ମିଶ୍ରଙ୍କୁ  ଜାତୀୟ ସୁରକ୍ଷା ପରାମର୍ଶଦାତା ନିଯୁକ୍ତ କରାଯାଇଥିବା ବେଳେ ପରବର୍ତ୍ତି ୪ ଜଣ କୂଟନୀତିଜ୍ଞ ମଧ୍ୟ ବିଦେଶମନ୍ତ୍ରାଳୟରୁ ଏହି ପଦରେ ଅବସ୍ଥାପିତ ରହିଥିଲେ। ତେବେ ମୋଦି ସରକାର ପ୍ରଥମ ଥର ପରମ୍ପରା ଭାଙ୍ଗି ଅବସର ପ୍ରାପ୍ତ ପୋଲିସ ସେବା ଅଧିକାରୀଙ୍କୁ ଏହି ପଦବୀରେ ଅବସ୍ଥାପିତ କରିଥିବା ବେଳେ ଦେଶର ସୁରକ୍ଷାରେ ଏବେ ଆମୁଳଚୁଳ ପରିବର୍ତ୍ତନର ଆଭାସ ମିଳିଛି।

   Related Posts