ପରବର୍ତ୍ତୀ ବାଚସ୍ପତି ସୁର୍ଯ୍ୟ ନାରାୟଣ ପାତ୍ରଙ୍କ ରାଜନୈତିକ କ୍ୟାରିଅର ସମ୍ପର୍କରେ ଜାଣନ୍ତୁ

Published By : Prameya-News7 Bureau | May 28, 2019 IST

ଗତ ବିଧାନସଭାରେ ନବୀନଙ୍କ ମନ୍ତ୍ରୀମଣ୍ଡଳରେ ଖାଦ୍ୟ ଯୋଗାଣ, ଖାଉଟି କଲ୍ୟାଣ ଓ  ସମବାୟ ମନ୍ତ୍ରୀ ଥିବା ଦିଗପହଣ୍ଡି ବିଧାୟକ ସୁର୍ଯ୍ୟ ନାରାୟଣ ପାତ୍ରଙ୍କୁ ଚାଳିତଥର ବିଧାନସଭାର ବାଚସ୍ପତି କରିବା ପାଇଁ ନବୀନ ନିଷ୍ପତ୍ତି ନେଇଥିବା ସୂଚନା ମିଳିଛି । ୧୯୪୮ ମସିହାରେ ଜନ୍ମିତ ସୂର୍ଯ୍ୟ ନାରାୟଣ ପାତ୍ର ୭୧ ବର୍ଷ ବୟସ୍କ ସୂର୍ଯ୍ୟ ନାରାୟଣ ପାତ୍ର ଷୋଡଶ ବିଧାନସଭାର ବାଚସ୍ପତି ପଦ ଅଳଙ୍କୃତ କରିବେ ।

୮ଥର ବିଧାନସଭାକୁ ନିର୍ବାଚିତ ହୋଇଥିବା ଶ୍ରୀ ପାତ୍ର ୧୯୯୦ ମସିହାରେ ବିଜୁ ଜନତା ଦଳର ପ୍ରାର୍ଥୀ ଭାବେ ଗଂଜାମ ଜିଲ୍ଲା ମୋହନା ନିର୍ବାଚନମଣ୍ଡଳୀରୁ ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ୧୯୯୫ ମସିହାରେ ସେ ପୁଣି ମୋହନା ବିଧାନସଭା ନିର୍ବାଚନମଣ୍ଡଳୀରୁ ଏକାଦଶ ବିଧାନସଭାକୁ ନିର୍ବାଚିତ ହୋଇଥିଲେ ।

୨୦୦୦ ମସିହାରେ ବିଜୁ ଜନତା ଦଳ ଟିକେଟରେ ମଧ୍ୟ ସେ ମୋହନା ନିର୍ବାଚନମଣ୍ଡଳୀରୁ ନିର୍ବାଚିତ ହୋଇଥିଲେ । ତ୍ରୟୋଦଶ ବିଧାନସଭାକୁ ସେ ବିଜୁ ଜନତା ଦଳ ଟିକେଟରେ ମୋହନା ନିର୍ବାଚନମଣ୍ଡଳୀରୁ ନିର୍ବାଚିତ ହୋଇଥିଲେ । ତେବେ ୨୦୦୯ ମସିହାରେ ସେ ଗଂଜାମ ଜିଲ୍ଲାର ଦିଗପହଣ୍ଡି ନିର୍ବାଚନମଣ୍ଡଳୀରୁ ଚତୁର୍ଦଶ ବିଧାନସଭାକୁ ନିର୍ବାଚିତ ହୋଇଥିବାବେଳେ ୨୦୧୪ ମସିହାରେ ମଧ୍ୟ ସେ ଦିଗପହଣ୍ଡି ବିଧାନସଭା ଆସନରୁ ନିର୍ବାଚିତ ହୋଇଥିଲେ ।

୧୯୯୦ ମସିହାରେ ସେ ଜଙ୍ଗଲ, ମତ୍ସ୍ୟ ଓ ପଶୁ ସମ୍ପଦ ବିଭାଗର ରାଷ୍ଟ୍ରମନ୍ତ୍ରୀ ଭାବେ ବିଜୁ ପଟ୍ଟନାୟକଙ୍କ ମନ୍ତ୍ରୀ ମଣ୍ଡଳରେ ଅବସ୍ଥାପିତ ହୋଇଥିଲେ । ୨୦୦୦ ମସିହାରେ ବିଜୁ ଜନତା ଦଳ କ୍ଷମତାକୁ ଆସିବା ପରେ ୨୦୦୨ ରୁ ୨୦୦୪ ପର୍ଯ୍ୟନ୍ତ ସେ ପରିବେଶ, ଶକ୍ତି, ବିଜ୍ଞାନ ଓ କାରିଗରି କୌଶଳ ବିଭାଗର ମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇଥିଲେ । ୨୦୦୪ ମସିହାରେ ସେ ପର୍ଯ୍ୟଟନ ମନ୍ତ୍ରୀ ହୋଇଥିଲେ । ୨୦୦୪ ରୁ ୨୦୦୯ ପର୍ଯ୍ୟନ୍ତ ବିଭିନ୍ନ ସମୟରେ ଶକ୍ତି ବିଭାଗ ସମେତ ସେ ସଂସ୍କୃତି ଏବଂ ଆଇଟି ମନ୍ତ୍ରୀ ଦାୟିତ୍ୱ ମଧ୍ୟ ନିର୍ବାହ କରିଥିଲେ । ୨୦୦୯ ମସିହାରେ ନବୀନଙ୍କ ତୃତୀୟ ମନ୍ତ୍ରୀମଣ୍ଡଳରେ ସେ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ସମେତ ସୂଚନା ଓ ଲୋକ ସମ୍ପର୍କ ବିଭାଗର ମଧ୍ୟ ମନ୍ତ୍ରୀ ଦାୟିତ୍ୱ ତୁଲାଇଥିଲେ । ୨୦୧୪ ମସିହାରେ ନବୀନଙ୍କ ଚତୁର୍ଥ ପାଳି ସରକାରରେ ପ୍ରଥମ ସଂପ୍ରସାରଣ ବେଳେ ୨୦୧୭ ମସିହାରେ ସେ ଖାଦ୍ୟ ଯୋଗାଣ, ଖାଉଟି କଲ୍ୟାଣ ଏବଂ ସମବାୟ ବିଭାଗର ମନ୍ତ୍ରୀ ହୋଇଥିଲେ ।

୧୯୭୭ ମସିହାରୁ ରାଜନୀତିରେ ପ୍ରବେଶ କରିଥିବା ସୂର୍ଯ୍ୟ ପାତ୍ରଙ୍କ ଶିକ୍ଷାଗତ ଯୋଗ୍ୟତା ହେଉଛି ବିଜ୍ଞାନ ଓ ଆଇନରେ ସ୍ନାତକ । ଜଣେ ଆଇନଜୀବୀ, ସମାଜସେବୀ ଓ ସାମ୍ବାଦିକ ଭାବେ ନିଜ କ୍ୟାରିଅର ଆରମ୍ଭ କରିଥିବା ସୂର୍ଯ୍ୟ ନାରାୟଣ ପାତ୍ର ବ୍ରହ୍ମପୁର ମ୍ୟୁନିସିପାଲିଟିର କାଉନ୍ସିଲର, ବ୍ରହ୍ମପୁର ବିଶ୍ୱ ବିଦ୍ୟାଳୟର ସିଣ୍ଡିକେଟ ଓ ସିନେଟ ସଦସ୍ୟ, ଓମ୍ଫେଡର ଅଧ୍ୟକ୍ଷ, ଓପୋଲଫେଡର ଅଧ୍ୟକ୍ଷ, ଚିଲିକା ଉନ୍ନୟନ କର୍ତୃପକ୍ଷର ଅଧ୍ୟକ୍ଷ, ଫିସଫେଡ଼ର ଅଧ୍ୟକ୍ଷ । ଓଡିଶା ଘରୋଇ ଯାନ ପରିବହନ କର୍ମଚାରୀ ସଂଘର ଉପସଭାପତି । ଚିଲିକା ଉନ୍ନୟନ କର୍ତ୍ତୃପକ୍ଷର ଅଧ୍ୟକ୍ଷ, ଓରେଡାର ଉପସଭାପତି ଭାବେ ବିଭିନ୍ନ ସମୟରେ ଦାୟିତ୍ୱ ନିର୍ବାହ କରିଛନ୍ତି | 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.