ଜାଣନ୍ତୁ ଭାରତୀୟ ବାୟୁସେନାର ଶକ୍ତି ଓ ପରାକ୍ରମ…

Published By : Prameya-News7 Bureau | October 08, 2019 IST

ନୂଆଦିଲ୍ଲୀ ୮।୧୦: ୮୭ବର୍ଷର ଐତିହାସିକ ଯାତ୍ରା ଭିତରେ ଭାରତୀୟ ବାୟୁସେନା ଅନେକ ଥର ନିଜର ପରାକ୍ରମ ଦେଖାଇଛି । ଦେଶର ସୁରକ୍ଷା ଲାଗି ଭାରତୀୟ ବାୟୁସେନା ଯବାନ ଅନେକ ଗୁରୁତ୍ବପୂର୍ଣ୍ଣ ଭୂମିକା ନେଇଛନ୍ତି ।

୧୯୩୨ ଅକ୍ଟୋବର ୮, ଭାରତୀୟ ବାୟୁସେନାର ଐତିହାସିକ ଯାତ୍ରା ଆରମ୍ଭ । ବ୍ରିଟିଶ ଇଣ୍ଡିଆର ରୟାଲ ଏୟାର ଫୋର୍ସର ସହ ଯୋଡି ହୋଇ ଆରମ୍ଭ ଗଠନ ହୁଏ ଭାରତୀୟ ବାୟୁ ସେନା । ୧୯୩୩ରେ ୪ଟି ୱେଷ୍ଟଲାଣ୍ଡ ୱାପିଟି ବାଇପ୍ଲେନ୍ ଲଢୁଆ ବିମାନ ବାୟୁସେନାରେ ସାମିଲ ହୁଏ ପ୍ରଥମ ସ୍କ୍ବାଡ୍ରନ । ୧୯୩୯-୧୯୪୫ ଦ୍ବିତୀୟ ବିଶ୍ବ ଯୁଦ୍ଧ ସମୟରେ ଭାରତୀୟ ବାୟୁସେନା ଗୁରୁତ୍ବପୂର୍ଣ୍ଣ ଭୂମିକା ତୁଲାଏ । ୧୯୪୭ରେ ଦେଶ ସ୍ବାଧୀନ ହେବା ସହ ଦେଶ ବିଭାଜନ ହୁଏ । ଏହାପରେ ଇତିହାସରେ ଏମିତି ଅନେକ ଘଡିସନ୍ଧି ସମୟ ଆସିଛି, ଯେତେବେଳେ ଭାରତୀୟ ବାୟୁସେନା ନିଜକୁ ପ୍ରମାଣିତ କରିଛି ।

୧୯୪୭ ଅକ୍ଚୋବର ୨୭, ସେମିତି ଏକ ମୁହୁର୍ତ୍ତ ଥିଲା । କାଶ୍ମୀର ଭିତରକୁ ପାକିସ୍ତାନୀ ଅନୁପ୍ରବେଶକାରୀ ପଶି ଆସୁଥିଲେ । ସଫଦରଜଙ୍ଗରୁ ବିମାନ ଉଡାଣ ଭରିଲା । କିଛି ସମୟ ଭିତରେ ଶ୍ରୀନଗରରେ ଭାରତୀୟ ସେନା ପହଞ୍ଚି ଯାଇଥିଲେ । କାଶ୍ମୀରକୁ ବଞ୍ଚାଇବାରେ ଭାରତୀୟ ବାୟୁସେନା ପ୍ରମୂଖ ଭୂମିକା ଗ୍ରହଣ କରିଥିଲା ।

୧୯୬୫, ସେପ୍ଟେମ୍ବର୧ କାଶ୍ମୀରକୁ ନେଇ ପାକିସ୍ତାନ ସହ ଦ୍ବିତୀୟ ଯୁଦ୍ଧ । ଏହା ଥିଲା ପ୍ରଥମ ଅବସର, ଶତ୍ରୁପକ୍ଷର ଲଢୁଆ ବିମାନକୁ ସିଧା ସଳଖ ଟକ୍କର ଦେଇଥିଲା ଭାରତୀୟ ବାୟୁସେନା ବିମାନ । ବାୟୁସେନା, ଭାରତୀୟ ସ୍ଥଳସେନାକୁ ସହାୟତା ଦେବା ସହ ସ୍ବତସ୍ତ୍ର ଭାବରେ ମିଶନ ଚଳାଇଥିଲା । ସେତେବେଳେ ପାକିସ୍ତାନ ପାଖରେ ଆଧୁନିକ ବିମାନ ଥିବା ବେଳେ ଭାରତ ପାଖରେ ଥିବା ଦ୍ବିତୀୟ ବିଶ୍ବଯୁଦ୍ଧ ଅମଳର ଅନେକ ବିମାନ । ଏହାସତ୍ବେ ଭାରତୀୟ ବାୟୁସେନା ଆକାଶରେ ଦମ ଦେଖାଇଥିଲା ।

ପାକିସ୍ତାନ ସହ ଯୁଦ୍ଧ ପରେ ଭାରତୀୟ ବାୟୁସେନାରେ ଆଧୁନିକୀକରଣ ହେଲା । ମିଗ୍-୨୧, ସୁଖୋଇ ଭଳି ଲଢୁଆ ବିମାନ ସାମିଲ ହେଲା । ଏହାପରେ ୧୯୭୧ରେ ଭାରତୀୟ ବାୟୁସେନା ତାକତ ପରୀକ୍ଷାର ଅବସର ଆସିଲା । ବାଂଲାଦେଶ ମୁକ୍ତି ଯୁଦ୍ଧ ସମୟରେ ପୂର୍ବ ପାକିସ୍ତାନ ଆକାଶରେ ଭାରତୀୟ ବାୟୁସେନା ତାର ପରାକ୍ରମ ଦେଖାଇଲା । ପାକିସ୍ତାନର ସବୁ ଯୋଜନା ପଣ୍ଡ ହେଲା ।

୧୯୯୯ ମେ ୨୬, କାରଗିଲରେ ପୁଣି ଥରେ ପାକିସ୍ତାନକୁ ଧୂଳି ଚଟାଇଲା ଭାରତୀୟ ବାୟୁସେନା । ଅରସେନ ସଫେଦ ସାଗର ସଫଳ ହେଲା । କାରଗିଲ ଭିତରକୁ ପଶି ଆସି ଆଡ୍ଡା ଜମାଇଥିବା ପାକିସ୍ତାନୀ ସେନା ଉପରେ ଜୋରଦାର ହମଲା କରିଥିଲା ।

ନିକଟରେ ପାକ ଅଧିକୃତ କାଶ୍ମୀରର ବାଲାକୋଟରେ ଏୟାର ଷ୍ଟ୍ରାଇକ୍ କରି ଭାରତୀୟ ବାୟୁସେନା ପୁଣି ଥରେ ତାର ପରାକ୍ରମ ଦେଖାଇଛି । ଆତଙ୍କୀ ଶିବିର ଉପରେ ବମ୍ ପକାଇ ଧ୍ବସ୍ତ କରି ଦେଇଥିଲେ ଭାରତୀୟ ବାୟୁସେନା ଜବାନ । ଭାରତୀୟ ବାୟୁସେନା ଗତ ୮୭ବର୍ଷରେ ତାର ପରାକ୍ରମ ଦେଖାଇଛି । ଦେଶର ସୁରକ୍ଷା ପାଇଁ ଶୌର୍ଯ୍ୟ ପ୍ରଦର୍ଶନ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.