ଜୟପୁରର ୨୩ ବର୍ଷ ବୟସ୍କା ନେହା ଜୈନ କେମିତି ସାଜିଲେ ସଫଳ ଅନ ଲାଇନ ବ୍ୟବସାୟୀ ଜାଣନ୍ତୁ…
12/08/2019 at 3:44 PM

ଜୟପୁର(ପଦ୍ମନାଭ ହୋତା)୧୨|୮: ଆଜିର ଇଣ୍ଟରନେଟ୍ ଓ ଡିଜିଟାଲ ଯୁଗରେ ବଦଳିଛି ବ୍ୟବସାୟର ତରିକା । ଘରେ ବସି ମାତ୍ର ଗୋଟିଏ କ୍ଲିକରେ ଲାଭବାନ ହୋଇପାରୁଛନ୍ତି ବ୍ୟବସାୟୀ । ଡିଜିଟାଲ ଦୁନିଆରେ ଇଣ୍ଟରନେଟର ସଦୁପଯୋଗ କରି ସମସ୍ତଙ୍କ ପାଇଁ ଉଦାହରଣ ପାଲଟିଛନ୍ତି ଜୟପୁରର ନେହା ଜୈନ୍ । ଅନଲାଇନ୍ ବ୍ୟବସାୟ କରି କେମିତି ସାଜିଲେ ୟଙ୍ଗ ୱିମେନ୍ ଏଣ୍ଟ୍ରପ୍ରିନ୍ୟୁୟର, ଚାଲନ୍ତୁ ଦେଖିବା…

ଇଣ୍ଟରନେଟ୍ ଯୁଗର ଡିଜିଟାଲ ବ୍ୟବସାୟୀ । କମ୍ ବୟସରେ ବଡ଼ ସଫଳତା ।ଅନଲାଇନ ବ୍ୟବସାୟ କରି ଚର୍ଚ୍ଚାରେ ଜୟପୁରର ୨୩ ବର୍ଷୀୟ ଏଣ୍ଟ୍ରପ୍ରିନ୍ୟୁୟର ନେହା ଜୈନ୍ । ସଫଳତାର ସହ ସୋସିଆଲ ମିଡିଆ ଫେସବୁକ, ଇନଷ୍ଟାଗ୍ରାମ୍ ସାହାଯ୍ୟରେ କରୁଛନ୍ତି ଅନଲାଇନ ବ୍ୟବସାୟ । କଲେଜରେ ପାଠ ପଢିବା ସମୟରେ ନିଜକୁ ଡିଜିଟାଲ ରିଭୋଲ୍ୟୁସନରେ ସାମିଲ କରିବା ସହ ପ୍ରତିଷ୍ଠା କରିଛନ୍ତି ନିଜର ଅନଲାଇନ ସପିଂ ଉଦ୍ୟୋଗ ଆପନା ପିଟାରା।

ତେବେ କୌଣସି କଂପାନୀର ପ୍ରଡକ୍ଟ କିଣି ରିସେଲ କରନ୍ତିନି ନେହା ।ବରଂ ନିଜେ କଞ୍ଚା ମାଲ୍ ଅନଲାଇନରେ ମଗାଇ ସେଥିରୁ ବିଭିନ୍ନ ପ୍ରକାରର ଗିଫ୍ଟ ଆଇଟମ ଓ ହେଣ୍ଡିକ୍ରାଫ୍ଟ ପ୍ରସ୍ତୁତ କରି ଅନଲାଇନରେ ବିକ୍ରି କରିବା ହେଉଛି ଏହି ଆପନା ପିଟାରାର ଖାସିୟତ୍ ।

ବାପା ଜୟପୁରର ଜଣେ ପ୍ରତିଷ୍ଠିତ ବ୍ୟବସାୟୀ ହୋଇଥିବାରୁ ପିଲାଟ ଦିନରୁ ହିଁ ବ୍ୟବସାୟକୁ ଅତି ନିକଟରୁ ପରଖିଛନ୍ତି ନେହା।ବାପାଙ୍କଠାରୁ ନେହା ବ୍ୟବସାୟର ପ୍ରେରଣା ପାଇଥିବା ବେଳେ ମାଆଙ୍କ ଠାରୁ ବିଭିନ୍ନ ସାମଗ୍ରୀ ତିଆରି ଶିଖିଛନ୍ତି ।

କେବଳ ରାଜ୍ୟ କି ଦେଶ ଭିତରେ ସୀମିତ ନାହିଁ ନେହାଙ୍କ ପ୍ରଡକ୍ଟ । ବିଦେଶରେ ମଧ୍ୟ ଖୁବ୍ ଆଦୃତ ହେଉଛି । ଦେଶର ବିଭିନ୍ନ ସ୍ଥାନରେ ୮୦ଟି ଆଉଟଲେଟ ମାଧ୍ୟମରେ ନିଜର ସାମଗ୍ରୀ ବିକ୍ରି କରୁଛନ୍ତି ନେହା । ଝିଅର ଏହି ସଫଳତାକୁ ନେଇ ବାପା ଜୟ କୁମାରଙ୍କ ଖୁସି କହିଲେ ନ ସରେ।ବାପାମାଙ୍କ ପ୍ରେରଣା ପାଇ ସଫଳତା ପାଇଥିବା ନେହା ଆଗକୁ ଅନଲାଇନରେ ହିଁ ବ୍ୟବସାୟ ଆଗକୁ ବଢାଇବାକୁ ଲକ୍ଷ୍ୟ ରଖିଛନ୍ତି…
