ରହସ୍ୟମୟ ଏମାର ମଠ : ଜଣନ୍ତୁ ଏହାର ୯୦୦ ବର୍ଷର ଇତିହାସ, କ’ଣ ରହିଛି ଏଠାରେ

Published By : Prameya-News7 Bureau | August 30, 2019 IST

ପୁରୀ ୩୦|୮: ପୁରୀରେ ଚାଲିଛି ମଠ ଉଚ୍ଛେଦ । ଲଙ୍ଗୁଳି ମଠ ପରେ ଏମାର ମଠ ଉଚ୍ଛେଦ ଚାଲିଛି |  ଇତିହାସର ଅନେକ ପୃଷ୍ଠାକୁ ନିଜ ସ୍ମୃତିର ଆଇନାରେ ସାଇତି ଥିବା ଏହି ମଠ ଏବେ ଇତିହାସର ଗର୍ଭକୁ ଚାଲିଯିବ  । ବର୍ଷ ବର୍ଷ ଧରି ଶ୍ରୀମନ୍ଦିର  ସଂସ୍କୃତି ସହ ଯୋଡ଼ି ହୋଇରହିଥିବା ଏହି ମଠକୁ ଏବେ ଶ୍ରୀମନ୍ଦିରର ସୁରକ୍ଷା ପାଇଁ  ସିଂହଦ୍ବାରା ସାମ୍ନାରୁ ହଟାଯାଉଛି ।

{"id":150830}

ଶ୍ରୀମନ୍ଦିରର ସୁରକ୍ଷା ପାଇଁ ଏହାର ୭୫ମିଟର ପରିଧି ଭିତରେ ଥିବା ସମସ୍ତ ନିର୍ମାଣକୁ ଉଚ୍ଛେଦ କରାଯାଉଛି । ପ୍ରଥମେ ମେଘନାଦ ପାଚେରୀ ସଂଲଗ୍ନ ନିର୍ମାଣ ଗୁଡ଼ିକୁ ଉଚ୍ଛେଦ ପରେ ସିଂହ ଦ୍ବାର ଠାରୁ ୩୦ମିଟର ଦୂରରେ ଥିବା ଲଙ୍ଗୁଳି ମଠକୁ ଭଙ୍ଗାଯାଇଥିଲା । ପରେ ମଠ କର୍ମଚାରୀମାନେ ଖାଲି କରିବା ପରେ ଏମାର ମଠ ଉଚ୍ଛେଦ ହେଉଛି । ୧୦ ପ୍ଲାଟୁନ୍ ପୋଲିସ ଫୋର୍ସ ସହ ୭ ଜଣ ମାଜିଷ୍ଟ୍ରେଟ ନିୟୋଜିତ ହୋଇଛନ୍ତି  । ସ୍ନେକ ହେଲ୍ପଲାଇନ୍ ର କର୍ମଚାରୀ ମଧ୍ୟ ଉପସ୍ଥିତ ଥିଲେ।

{"id":150831}

ଐତିହାସିକଙ୍କ ମତରେ ଏହି ମଠ ପ୍ରାୟ ୯୦୦ ବର୍ଷ ତଳର । ଶ୍ରୀରାମାନୁଜ ୧୧୨୨ରୁ ୧୧୩୭ ମଧ୍ୟରେ ପୁରୀ ଆସିଥିଲେ ଏବଂ ରାମାନୁଜ ମଠର ଅୟମାରମ୍ଭ କରିଥିଲେ । ଅବଶ୍ୟ ଏବର ମଠ କଳେବରରେ ଅନେକ ପରିବର୍ତ୍ତନ ଆସିଛି । ପୁରୀଠାରେ ଶ୍ରୀରାମାନୁଜ ଦୁଇଟି ମଠ ସ୍ଥାପନ କରିଥିଲେ । ଗୋଟିଏ ନିଜ ନାମରେ ଓ ଅନ୍ୟଟି ନିଜ ପ୍ରିୟ ଶିଷ୍ୟ ଗୋବିନ୍ଦଙ୍କ ନାମରେ ନାମିତ ହୋଇଥିଲା ।

{"id":150832}

ପ୍ରଥମଟି ପୁରୀ ବାସେଳିସାହିର ରାମାନୁଜକୋଟ ଓ ଅନ୍ୟଟି ସିଂହଦ୍ବାର ସମ୍ମୁଖରେ ସ୍ଥାପନ କରାଯାଇଥିଲା । ସିଂହଦ୍ବାର ସମ୍ମୁଖ ମଠରେ ଗୋବିନ୍ଦଙ୍କୁ ଅଧିଷ୍ଠିତ କରିଥିଲେ ବୋଲି ଉଲ୍ଲେଖ ରହିଛି । ଗଜପତିଙ୍କ ପୃ‌ଷ୍ଠପୋଷକତାରେ ଏହି ଦୁଇଟି ମଠ ସ୍ଥାପନ ହୋଇଥିଲା । ସିଂହଦ୍ବାର ସମ୍ମୁଖ ଏମାର ମଠକୁ ଶ୍ରୀନିବାସ ରାମାନୁଜ ପ୍ରତିଷ୍ଠା କରିଥିବା କେହି କେହି କହୁଥିବା ବେଳେ ଆଉ କେହି ରାଜଗୋପାଳଚାରି ମଠ ବୋଲି କୁହନ୍ତି ।

{"id":150833}

ଏମାର ମଠର ବିଜେସ୍ଥଳୀରେ ଥିବା ମନ୍ଦିରରେ ଶ୍ରୀରଘୁନାଥ ଜିଉ ପୂଜା ପାଉଛନ୍ତି। ସେ ମଠର ମୁଖ୍ୟ ତଥା ଅଧିଷ୍ଠିତ ବିଗ୍ରହ ଅଟନ୍ତି। ଅନ୍ୟ ଦେବାଦେବୀଙ୍କ ମଧ୍ୟରେ ପତିତପାବନ, ଲକ୍ଷ୍ମଣ, ସୀତା, ହନୁମାନ, ନୃସିଂହ, ଶାଳଗ୍ରାମ ଆଦି ପୂଜା ପାଆନ୍ତି। ଅନ୍ୟ ଏକ କ୍ଷୁଦ୍ର ମନ୍ଦିରରେ ରାମାନୁଜଙ୍କ ମୂର୍ତ୍ତି ପୂଜା ପାଉଛି।

{"id":150834}

ଏମାର ମଠ ଅଧୀନସ୍ଥ ପ୍ରସିଦ୍ଧ ଦେଉଳି ମଠ କାକଟପୁର ମା’ ମନ୍ଦିର ନିକଟରେ ରହିଛି। ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ନବକଳେବର ଦାରୁ ଚୟନ ସମୟରେ ଏଠାରେ ବନଜାଗ ନୀତି ସଂପନ୍ନ ହୋଇଥାଏ। ଦଇତାପତିମାନେ ଏଠାରେ ରହି ପୂଜାର୍ଚ୍ଚନା ପରେ ଦାରୁ ଅନ୍ବେଷଣରେ ବାହାରିଥାନ୍ତି ।

{"id":150835}

ଏମାର ମଠକୁ ଉଚ୍ଛେଦ ସହ ଏହାର ଉପର ମହଲାରେ ଥିବା ରଘୁନନ୍ଦନ ପାଠାଗାରକୁ ସ୍ଥାନାନ୍ତର କରାଯିବ । ଗୁରୁ ରଘୁନନ୍ଦନ ରାମାନୁଜ ଦାସଙ୍କ ସ୍ମୃତି ଉଦ୍ଦେଶ୍ୟରେ ମହନ୍ତ ଗଦାଧର ୧୯୨୧ରେ ରଘୁନନ୍ଦନ ପାଠାଗାର ପ୍ରତିଷ୍ଠା କରିଥିଲେ। ମହନ୍ତ ଗଦାଧର ରାମାନୁଜ ଦାସ ଝାନ୍‌ସୀର ଏକ ସମ୍ଭ୍ରାନ୍ତ ବ୍ରାହ୍ମଣ ପରିବାରରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ଗୁରୁ ମହାରାଜ ରଘୁନନ୍ଦନ ରାମାନୁଜ ଦାସ ମହନ୍ତ ଗଦାଧରଙ୍କୁ ପିଲାଟି ଦିନରୁ ଆଣି ପୁରୀ ଏମାର ମଠରେ ରଖିଥି‌ଲେ । ଏଠାରେ ତାଙ୍କ ଶିକ୍ଷାଦାନ ଶେଷ ପରେ ସେ ମହନ୍ତ ମାନ୍ୟତା ପାଇଥିଲେ । ଶ୍ରୀକ୍ଷେତ୍ର ତଥା ମଠ ସଂସ୍କୃତି ସଂସ୍କାରରେ ତାଙ୍କର ବହୁ ଅବଦାନ ରହିଛି । ଏହା ସହ ଦାତବ୍ୟ ଚିକିତ୍ସାଳୟ ଓ ଅନେକ ଶିକ୍ଷାନୁଷ୍ଠାନ ବି ଏମାର ମଠ ଜରିଆରେ ପ୍ରତିଷ୍ଠା କରାଯାଇଛି।

{"id":150836}

ଏମାର ମଠ ରାଜ୍ୟର ସବୁଠାରୁ ଧନୀ ମଠ ଭାବେ ପରିଗଣିତ ହେଉଥିବା ବେ‌ଳେ ଭୂସମ୍ପତ୍ତିରେ ଏହା ଆଗରେ ରହିଥିଲା। ରାଜ୍ୟର ବିଭିନ୍ନ ପ୍ରଗଣାରେ ଏହି ମଠ ନାଁରେ ହଜାରେ ଏକରରୁ ଅଧିକ ଭୂସମ୍ପତ୍ତି ରହିଥିଲା । କାଳକ୍ରମେ ଏହା ଜବରଦଖଲକୁ ଚାଲିଯାଇଥିଲା । ପୁରୀ ସିଂହଦ୍ବାର ସମ୍ମୁଖ କାଳିକା ଦେବୀ ସାହି ମୌଜାରେ ପ୍ରାୟ ୪ ଏକର ୫୦୦ ଡେସିମିଲ୍ ଜାଗାରେ ଏହି ବୃହତ ମଠ ରହିଛି । ୪ ଏକର ୫୦୦ ଡେସିମିଲ୍ ପରିମିତ ଜାଗାରେ ମଠ ବିଜେସ୍ଥଳୀ, ବଲ୍ଲଭ ଘର, ‌ରୋଷଶାଳା, ମହନ୍ତ ନିବାସ, ମଠ କାର୍ଯ୍ୟାଳୟ, ରଘୁନନ୍ଦନ ପାଠାଗାର, ଧାନକୋଠି ଆଦି ରହିଥିଲା ।

{"id":150837}

ସେହିପରି ଶ୍ରୀମନ୍ଦିରରେ ଚାମର ସେବା ବର୍ଷ ବର୍ଷ ହେଲା ଏମାର ମଠ ତୁଲାଇ ଆସୁଥିଲା । ମହାପ୍ରଭୁଙ୍କୁ ପନ୍ତିଭୋଗ ବି ମଠ ଲାଗି କରି ଆସୁଥିଲା । ଏହାସହ ଝୁଲଣ ଯାତ୍ରା ମଧ୍ୟ ବହୁ ଜାକଜମକରେ ପାଳନ ହେଉଥିଲା । ଏମଆର ମଠ ପକ୍ଷରୁ ମହାପ୍ରଭୁଙ୍କୁ ଚନ୍ଦ୍ରିକା ସହ ଅନ୍ୟାନ୍ୟ ପୂଜା ସାମଗ୍ରୀ କାହିଁ କେଉଁ କାଳରୁ ଯୋଗାଯାଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.