ପବିତ୍ର ଗଙ୍ଗା ନଦୀରେ ଗାଧୋଇଲେ କ’ଣ ସତରେ ଧୋଇଥାଏ ପାପ ? ମାତା ପାର୍ବତୀଙ୍କ ଏହି ପ୍ରଶ୍ନରେ କ’ଣ ଉତ୍ତର ଦେଲେ ମହାଦେବ ଶିବ

Published By : Prameya-News7 Bureau | April 30, 2020 IST

ଗଙ୍ଗା ସ୍ନାନ ଦ୍ବାରା ପାପର ନାଶ ହୋଇଥାଏ। କିନ୍ତୁ ସବୁବେଳେ ଗଙ୍ଗାରେ ସ୍ନାନ କରୁଥିବା ବ୍ୟକ୍ତି ମଧ୍ୟ ପାପରେ ପ୍ରବୃତ୍ତ ଥିବା ଦେଖା ଯାଇଥାନ୍ତି।

ଥରେ ଭଗବାନ ଶିବ,ମାତା ପାର୍ବତୀଙ୍କ ସହ ହରିଦ୍ବାରରେ ବୁଲୁଥିଲେ। ମାତା ପାର୍ବତୀ ଦେଖିଥିଲେ ଯେ,ହଜାର ହଜାର ଲୋକ ଗଙ୍ଗାରେ ବୁଡ଼ ପକାଇ ହର ହର କହି ଚାଲି ଯାଉଛନ୍ତି ଏବଂ ପ୍ରାୟ ସମସ୍ତ ବ୍ୟକ୍ତି ଦୁଃଖୀ ଏବଂ ପାପ ପରାୟଣ। ପାର୍ବତୀ ଆଶ୍ଚର୍ଯ୍ୟ ସହକାରେ ଭଗବାନ ଶିବଙ୍କୁ ପଚାରିଲେ- ହେ ଦେବ! ଗଙ୍ଗାରେ ଏତେ ଥର ସ୍ନାନ କରିବା ପରେ ମଧ୍ୟ ଏମାନଙ୍କ ପାପ ଏବଂ ଦୁଃଖ ନାଶ ହେଉନାହିଁ କାହିଁକି? ଗଙ୍ଗାରେ କ’ଣ ଆଉ ସାମର୍ଥ୍ୟ ନାହିଁ?

ଭଗବାନ ଶିବ କହିଥିଲେ- ପ୍ରିୟେ! ଗଙ୍ଗାରେ ତ ସାମର୍ଥ୍ୟ ରହିଛି କିନ୍ତୁ ଏହି ଲୋକମାନେ ଗଙ୍ଗାରେ ଗାଧୋଇନାହାନ୍ତି ତେବେ​‌ ଏମାନଙ୍କୁ ଲାଭ କିପରି ମିଳିବ?

ପାର୍ବତୀ ଆଶ୍ଚର୍ଯ୍ୟ ହୋଇ କହିଥିଲେ ଯେ- କିପରି ସ୍ନାନ କଲେ ନାହିଁ? ସମସ୍ତେ ତ ଗାଧୋଇ ଆସୁଛନ୍ତି। ଏବେ ଯାଏଁ ଏମାନଙ୍କ ଶରୀର ଶୁଖି ନାହିଁ।

ଶିବ କହିଲେ- ଏମାନେ କେବଳ ପାଣିରେ ବୁଡ଼ ପକାଉଛନ୍ତି। ତାଙ୍କୁ ପରେ ଏହାର ରହସ୍ୟ ବୁଝାଇବେ ବୋଲି କହିଥିଲେ।

ଅନ୍ୟଦିନ ଜୋର ବର୍ଷା ହୋଇଥିଲା। ସବୁ ସ୍ଥାନରେ କାଦୁଅ ଜମା ହୋଇଯାଇଥିଲା। ଏକ ଚଉଡ଼ା ରାସ୍ତାରେ ଗଭୀର ଗାତ ଥିଲା,ସବୁଆଡ଼େ କାଦୁଅ ଭରି ଯାଇଥିଲା। ଶିବ ନିଜ ଲୀଳାରେ ବୃଦ୍ଧ ରୂପ ଧାରଣ କରିଥିଲେ ଏବଂ କାଦୁଅ ଗାତରେ ପଡ଼ି ଯାଇଥିଲେ

ପାର୍ବତୀଙ୍କୁ ସେ ସେଠାରେ ବସିବାକୁ କହି ବୁଝାଇଥିଲେ ଯେ ପାର୍ବତୀ ସମସ୍ତଙ୍କୁ ଶୁଣାଇ ଶୁଣାଇ କହିବେ ଯେ ତାଙ୍କ ସ୍ବାମୀ ଏହି ଗାତରେ ପଡ଼ି ଯାଇଛନ୍ତି କେହି ଦୟାବାନ୍ ଲୋକ ତାଙ୍କୁ ସାହାଯ୍ୟ କରି ଜୀବନ ବଞ୍ଚାନ୍ତୁ। ଯଦି କେହି ତାଙ୍କୁ ସେହି ଗାତରୁ ବାହାର କରିବାକୁ ପ୍ରସ୍ତୁତ ହୋଇଯାଉଛନ୍ତି ତେବେ ପାର୍ବତୀ ତାଙ୍କୁ କହିବେ, ଭାଇ,ତାଙ୍କ ସ୍ବାମୀ ନିଷ୍ପାପ,ତାଙ୍କୁ ସେମାନେ ଛୁଇଁବେ ଯେଉଁମାନେ ନିଷ୍ପାପ,ଯଦି କେହି ପାପୀ ତାଙ୍କୁ ଛୁଇଁବେ ତେବେ ସେ ଭସ୍ମ ହୋଇଯିବେ।

ପାର୍ବତୀ ତଥାସ୍ତୁ କହି ଗାତ ପାଖରେ ବସି ଯାଇଥିଲେ ଏବଂ ସେହି ରାସ୍ତାରେ ଯିବା ଆସିବା କରୁଥିବା ଲୋକଙ୍କୁ ଶିବ କହିଥିବା କଥା କହିଥିଲେ। ଗଙ୍ଗାରେ ଗାଧୋଇ ଲୋକେ ଦଳ ଦଳ ହୋଇ ଆସୁଥିଲେ। ସୁନ୍ଦରୀ ଯୁବତୀଙ୍କୁ ସେଠାରେ ବସିଥିବାର ଦେଖି କେତେକ ବ୍ୟକ୍ତିଙ୍କ ମନରେ ପାପ ଆସିଥିଲା କିନ୍ତୁ ସେମାନେ ଲଜ୍ଜାକୁ ଡରିଥିଲେ ,କେତେକ ଧର୍ମକୁ ଡରିଥିଲେ ଏବଂ କେତେକ ଆଇନକୁ ଡରିଥିଲେ। କେତେକ ବ୍ୟକ୍ତି ପାର୍ବତୀଙ୍କୁ ଶୁଣାଇଥିଲେ ମରିବାକୁ ଦିଅ ବୃଦ୍ଧକୁ,କାହିଁକି ସେ ତାଙ୍କ ପାଇଁ କାନ୍ଦୁଛନ୍ତି। ଆଗକୁ ଆହୁରି କେତେକ ଦୟାଳୁ ସଚ୍ଚରିତ୍ର ପୁରୁଷ ତାଙ୍କୁ ବଞ୍ଚାଇବାକୁ ଆସିଥିଲେ କିନ୍ତୁ ପାର୍ବତୀଙ୍କ କଥା ଶୁଣି ରହି ଯାଇଥିଲେ। ଏହି ପରି ଶହ ଶହ ଲୋକ ଆସିଲେ କିନ୍ତୁ ସମସ୍ତେ ଚାଲିଗଲେ। ଶିବ କହିଲେ,ଦେଖିଲ ତ, ଗଙ୍ଗାରେ ଗାଧୋଉଥିବା କେହି ଆସିଲେ କି?

ଅଳ୍ପ ସମୟ ପରେ ଜଣେ ଯୁବକ ହାତରେ ଲୋଟା ଧରି ଗଙ୍ଗାରେ ସ୍ନାନ କରି ହର-ହର କହି ଆସୁଥିବାବେଳେ ପାର୍ବତୀଙ୍କ କଥା ଶୁଣି ତାଙ୍କ ମନରେ ଦୟା ଆସିଥିଲା। ସେ ତାଙ୍କୁ ବାହାର କରିବାକୁ ପ୍ରସ୍ତୁତି ଆରମ୍ଭ କଲେ। ତା’ପରେ ପାର୍ବତୀ ତାଙ୍କୁ ସେହି କଥା କହିଲେ।

ଯୁବକ ପାର୍ବତୀଙ୍କୁ ନିଃସଙ୍କୋଚରେ କହିଥିଲେ ଯେ ଗଙ୍ଗାରେ ଗାଧୋଇ ଆସିବା ପରେ କେହି ପାପୀ କିପରି ହେବ?

ଯୁବକ ଜଣକ ହାତ ଧରି ବୃଦ୍ଧଙ୍କୁ ଉଠାଇଥିଲେ। ଶିବ-ପାର୍ବତୀ ତାଙ୍କୁ ପ୍ରକୃତ ଅଧିକାରୀ ବୋଲି ମନେ କରି ତାଙ୍କୁ ପ୍ରକୃତ ସ୍ବରୂପ ଦେଖାଇ କୃତାର୍ଥ କରିଥିଲେ। ଶିବ ପାର୍ବତୀଙ୍କୁ କହିଥିଲେ ଯେ ଏତେ ଲୋକଙ୍କ ମଧ୍ୟରେ କେବଳ ଜଣେ ଗଙ୍ଗାରେ ସ୍ନାନ କରିଛି।

ଏହି ଦୃଷ୍ଟାନ୍ତ ଅନୁସାରେ ଯେଉଁମାନେ କେବଳ ଦମ୍ଭ ପାଇଁ ଗଙ୍ଗା ସ୍ନାନ କରିଥାନ୍ତି ସେମାନଙ୍କୁ ବାସ୍ତବିକ୍ ଫଳ ମିଳିନଥାଏ। କିନ୍ତୁ ଏହାର ଅର୍ଥ ଏୟା ନୁହେଁ ଯେ ଗଙ୍ଗା ସ୍ନାନ ବ୍ୟର୍ଥ ଯାଇଥାଏ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.