ଚଳିତ ବିଶ୍ବକପ୍ରେ ରେକର୍ଡ ଅପେକ୍ଷା ବିବାଦର କାହାଣୀ ବେଶୀ, ବିଶ୍ବକପ୍ର ଘଟଣା ବହୁଳ ବିବାଦର କିଛି କାହାଣୀ ସଂପର୍କରେ ଜାଣନ୍ତୁ
16/07/2019 at 9:38 AM

କ୍ରିକେଟ ମହାକୁମ୍ଭ, ବିଶ୍ବକପ୍ ମେ ୩୦ରୁ ଜୁଲାଇ ୧୪ । ୧୫ ଦିନର ମହାପର୍ବ । ଲିଗ୍ ସେମିଫାଇନାଲ ପରେ ଫାଇନାଲରେ ବାଜି ମାରିଛି ଆୟୋଜକ ଇଂଲଣ୍ଡ । ଏହା ସହିତ ଅନେକ କଳ୍ପନା ଜଳ୍ପନାର ଅନ୍ତ ମଧ୍ୟ ଘଟିଛି । ତେବେ ଚଳିତ ବିଶ୍ବକପ୍ରେ ରେକର୍ଡ ଅପେକ୍ଷା ବିବାଦର କାହାଣୀ ବେଶୀ । ସତେ ଯେମିତି ସ୍କୋର ବୋର୍ଡକୁ ବଳି ଯାଇଛି ବିବାଦ । ପ୍ରତି ମ୍ୟାଚରେ ଦେଖିବାକୁ ମିଳିଥିଲା ଭିନ୍ନ ଭିନ୍ନ ଘଟଣା । କେବେ ଆଇସିସି ନିୟମକୁ ନେଇ ତ ଆଉ କେବେ ଖେଳାଳିଙ୍କ ପ୍ରଫମାନ୍ସ ତଥା ଆଚରଣ ଉଚାରଣକୁ ନେଇ ।ତେବେ ଚାଲନ୍ତୁ ଦେଖିବା ବିଶ୍ବକପ୍ର ଘଟଣା ବହୁଳ ବିବାଦର କାହାଣୀ…

ଲର୍ଡସରେ ନୂଆ ଇତିହାସ, ସୁପର ଓଭରରେ ସୁପର ଫଇସଲା । ଲଢ଼େଇ କରି ହାରିଲା ନ୍ୟୁଜିଲାଣ୍ଡ, ପ୍ରଥମ ଥର ପାଇଁ ବିଶ୍ବବିଜେତାର ମୁକୁଟ ପିନ୍ଧିଲା ଇଂଲଣ୍ଡ ।ସରିଲା କ୍ରିକେଟ ବିଶ୍ବକପ୍ । ଇତିହାସ ରଚିବା ଲକ୍ଷ୍ୟରେ ଥିବା ଦୁଇ ଦଳ ମଧ୍ୟରୁ ଜଣେ ହେଲା ବିଜୟୀ, ଅନ୍ୟ ଜଣେ ହେଲା ନିରାଶ । ପ୍ରତି ମ୍ୟାଚ ପରି ଫାଇନାଲରେ ମଧ୍ୟ ଦେଖିବାକୁ ମିଳିଥିଲା ରୋମାଞ୍ଚକର ଲଢ଼େଇ । ସତେ ଯେମିତି ଟାଇ… ଟାଇ… ଟାଇଟଲ ପରିସ୍ଥିତି ସୃଷ୍ଟି ହୋଇଥିଲା । ବେଶ ସଙ୍ଘର୍ଷ କରି ଫାଇନାଲରେ ପ୍ରବେଶ କରିଥିଲେ ଇଂଲଣ୍ଡ ଓ ନ୍ୟୁଜିଲାଣ୍ଡ । ଆଉ ଶେଷରେ ଏକ ରୋମାଞ୍ଚକର ଲଢ଼େଇରେ ନ୍ୟୁଜିଲାଣ୍ଡକୁ ହରାଇ ୨୭ ବର୍ଷ ପରେ ବିଶ୍ବକପ୍ ହାତେଇଛି ଇଂଲଣ୍ଡ ।ଯାହାକୁ ନେଇ କ୍ରିକେଟ ଇତିହାସରେ ସୃଷ୍ଟି ହୋଇଛି ସବୁଠାରୁ ବଡ଼ ବିବାଦ । ଆଇସିସି ନିୟମକୁ ନେଇ ସରା ବିଶ୍ବରେ ଦେଖା ଦେଇଛି ପ୍ରତିକ୍ରିୟା । ପ୍ରଥମେ ମ୍ୟାଚ ଟାଇ ହେବା ପରେ ଖେଳାଯାଇଥିଲା ସୁପର ଓଭର । କିନ୍ତୁ ସୁପର ଓଭର ମଧ୍ୟ ଟାଇ ହେବାରୁ ଅଧିକ ବାଉଣ୍ଡାରି ଆଧାରରେ ଇଂଲଣ୍ଡକୁ ବିଶ୍ବ ବିଜେତା ଘୋଷଣା କରିଛି ଆଇସିସି ।

ଇଂଲଣ୍ଡ ବିଜେତା ଘୋଷଣା ହେବା ପରେ ଆଇସିସିର ନିୟମକୁ ନେଇ ଅଙ୍ଗୁଳି ଉଠାଇଛନ୍ତି ପ୍ରଶଂସକ । ବିଭିନ୍ନ ଦେଶର ଖେଳାଳିଙ୍କ ଠାରୁ ଆରମ୍ଭ କରି ନ୍ୟୁଜିଲାଣ୍ଡ ପର୍ଯ୍ୟନ୍ତ ସଭିଏଁ ଆଇସିସିକୁ ତାତ୍ସଲ୍ୟ କରିଛନ୍ତି । ତେବେ ଏହି ବାଉଣ୍ଡାରି ଆଧାର କଣ ? କେଉଁ ଆଧାରରେ ଏହି ନିଷ୍ପତି ନେଇଥାନ୍ତି ମ୍ୟାଚ ରେଫେରି ? ବାଉଣ୍ଡାରି ରୁଲ୍ର ଆଧାର ହେଉଛି ସମ୍ପୂର୍ଣ୍ଣ ଇନିଂସରେ ଉଭୟ ପକ୍ଷର ବ୍ୟାଟସ୍ ମ୍ୟାନ କେତେ ଥର ବଲ ବାଉଣ୍ଡାରି ପାର କରିଛନ୍ତି । ରବିବାର ଫାଇନାଲରେ ନ୍ୟୁଜିଲାଣ୍ଡ ବ୍ୟାଟସ୍ ମ୍ୟାନ ୧୪ଟି ଚୌକା ସହିତ ୨ଟି ଛକା ମାରି ୧୬ ଥର ବଲ ବାଉଣ୍ଡାରି ପାର କରିଥିଲେ । କିନ୍ତୁ ୨୨ଟି ଚୌକା ଓ ଦୁଇଟି ଛକା ମାରି ସହିତ ୨୪ ଥର ପଡ଼ିଆ ବାହାରକୁ ବଲ ପଠାଇ ଥିବାରୁ ବିଜୟୀ ହୋଇଛି ଇଂଲଣ୍ଡ । ମାନେ ସମୁଦାୟ ଇନିଂସର ଚୌକା ଓ ଛକାକୁ ନେଇ କରାଯାଇଛି ବାଉଣ୍ଡାରି ରୁଲ୍ ।

ବିଶିଷ୍ଟ ଲେଖକ ଚେତନ ଭଗତ, ବରିଷ୍ଠ କଳାକାର ପରେଶ ରାୱଲ ମଧ୍ୟ ଆଇସିସିକୁ କଡ଼ା ଭାଷାରେ ସମାଲୋଚନା କରିଛନ୍ତି । ଗୁରୁଶିଷ୍ୟଙ୍କ ମଧ୍ୟରେ କଥା ବାର୍ତ୍ତାକୁ ନେଇ ଚେତନ ଆଇସିସିକୁ ତାତ୍ସଲ୍ୟ କରିଛନ୍ତି । ସେମିତି ପରେଶ କହିଛନ୍ତି ଯେଉଁ ଆଇସିସି ଧୋନୀଙ୍କ ଗ୍ଲୋବସ୍ ବଦଳାଇଦେଲା ବଳୀଦାନ ଲୋଗୋ ପାଇଁ ସେହି ଆଇସିସିକୁ ଏହି ସୁପର ଓଭର ନିୟମ ବଦଳାଇବାର ଆବଶ୍ୟତା ରହିଛି ।

କେବଳ ଫାଇନାଲ ମ୍ୟାଚ ନୁହେଁ । ଚଳିତ ଥର ବିଭିନ୍ନ ସମୟରେ ନିଷ୍ପତି ପାଇଁ ଆଇସିସିକୁ ସମାଲୋଚନାର ସରବ୍ୟ ହେବାକୁ ପଡ଼ିଛି । ଲିଗ୍ ପର୍ଯ୍ୟାୟରେ ପାକିସ୍ତାନ ନ୍ୟୁଜିଲାଣ୍ଡକୁ ହରାଇଥିଲେ ମଧ୍ୟ ସେମିଫାଇନାଲକୁ ଯାଇପାରିନଥିଲା । ପଏଣ୍ଟ ମାମଲାକୁ ନେଇ ଆଇସିସି ପାକିସ୍ତାନର ବାଟ ରୋକି ନ୍ୟୁଜିଲାଣ୍ଡକୁ ସେମିଫାଇନାଲ ଟିକେଟ ଦେଇଥିଲା । ଯେଉଁଥି ପାଇଁ ଆଇସିସିକୁ ଭତ୍ସନା କରିଥିଲେ ପାକ୍ କର୍ତ୍ତୃପକ୍ଷ ।

ସେହିପରି ଅମ୍ପେୟାରଙ୍କ ନିଷ୍ପତି ମଧ୍ୟ ବିଭିନ୍ନ ମ୍ୟାଚରେ ବେଶ ବିବାଦୀୟ ହୋଇଛି । ଭାରତ- ୱେଷ୍ଟଇଣ୍ଡିଜ୍ ମ୍ୟାଚରେ ଥାର୍ଡ ଅମ୍ପାୟାର ଏମିତି ନିଷ୍ପତି ନେଇଥିଲେ । ଯାହାକୁ ନେଇ ଷ୍ଟାଡିୟମରେ ତୁମ୍ବି ତୋଫାନ କରିଥିଲେ ଭାରତୀୟ ପ୍ରଶଂସକ । ଏହି ମୁକାବିଲାରେ ରୋଚଙ୍କ ବୋଲିଂରେ କଟ୍ ବିହାଇଣ୍ଡ ଘୋଷଣା କରିଥିଲେ ଥାର୍ଡ ଅମ୍ପାୟାର । ରିଭ୍ୟୁ ନେଲା ବେଳେ ଥାର୍ଡ ଅମ୍ପାୟର ଯେଉଁ ଚିତ୍ର ଦେଖୁଥିଲେ, ଟିଭି ପରଦାରେ ସେହି ସମାନ ଚିତ୍ର ଦର୍ଶକ ଦେଖୁଥିଲେ। ହେଲେ ସମସ୍ତଙ୍କ ଆଖିରେ ଧୂଳି ଦେଲା ଭଳି ନିଷ୍ପତି ଦେଇଥିଲେ ଥାର୍ଡ ଅମ୍ପାୟର ମାଇକେଲ ଗଭ୍ । ପରେ ଅମ୍ପାୟାର ନଟ୍ ଆଉଟ ଘୋଷଣା କରିଥିଲେ କିନ୍ତୁ ସେତେବେଳକୁ ପ୍ୟାଭିଲିୟନ ଫେରିଯାଇଥିଲେ ରୋହିତ ଶର୍ମା ।

ବେଲସ୍ ବିବାଦ ମଧ୍ୟ ଏଥର ବିଶ୍ବକପ୍ରେ ଥିଲା ଆଉ ଏକ ପ୍ରମୁଖ ବିବାଦ । ଷ୍ଟମ୍ପସ୍ରେ ବଲ୍ ବାଜିବା ସତ୍ତ୍ବେ ଏହି ଜିଙ୍ଗ୍ ବେଲ୍ସ ଖସୁନଥିବାରୁ ଏହାର ସ୍ଥାୟିତ୍ବ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ବେଲ୍ସ ଖସୁନଥିବାରୁ ବ୍ୟାଟ୍ସମ୍ୟାନ୍ଙ୍କୁ ଫାଇଦା ମିଳୁଛି ଏବଂ ବୋଲର ନିରାଶ ହେଉଛନ୍ତି। ଏଭଳି ଘଟଣା ଏଥର ପ୍ରାୟ ୫ ଥର ଦେଖାଯାଇଛି । ଯାହାର ସମାଧାନ ପାଇଁ କୋହଲି ଓ ଫିଞ୍ଚ୍ଙ୍କ ଆଇସିସିକୁ ଆହ୍ବାନ ମଧ୍ୟ ଦେଇଛନ୍ତି ।

ଅତୀତରେ ବିଶ୍ବକପ୍ରେ ଅନେକ ବିବାଦ ଦେଖା ଦେଇଛି । ୧୯୯୬ରେ, ଅଷ୍ଟ୍ରେଲିଆ ୱେଷ୍ଟଇଣ୍ଡିଜ୍ ମ୍ୟାଚ ଛାଡ଼ିବା ହେଉ କିମ୍ବା ୨୦୦୭ ଉଲମରଙ୍କ ରହସ୍ୟ ମୟ ମୃତ୍ୟୁ ଅବା ଅଜବ ବର୍ଷା ନିୟମ ପାଇଁ ଦକ୍ଷିଣ ଆଫ୍ରିକାର ପ୍ରଥମ ବିଶ୍ବକପ୍ ପଦାର୍ପଣ ଅପ୍ରୀତିକର ପରିସ୍ଥିତିରେ ଶେଷ ହେବା ଘଟଣା । ଘଟଣା ଯାହା ହେଉନା କାହିଁକି ଅନ୍ତର୍ଜାତୀୟ ସ୍ତରରେ ବ୍ୟକ୍ତିଗତ ଭୁଲ୍ ପାଇଁ ଯଦି ଖେଳାଳିଙ୍କ ଉପରେ ଲଗାମ ଲଗାଇ ଦଣ୍ଡିତ କରୁଛି ଆଇସିସି । ତେବେ ଭୁଲ୍ ପାଇଁ ଆଇସିସି କାହିଁକି ଦଣ୍ଡିତ ନହେବ ।