Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୦ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୪୨କୁ ବୃଦ୍ଧି
  • ||
  • ରାଜ୍ୟରେ ପୁଣି ବଢିଲା ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୭୪୨୬ କୋଭିଡ୍ ପଜିଟିଭ୍, ୧୨୨୫୨୬୮ରେ ପହଞ୍ଚିଲା ସଂଖ୍ୟା
  • ||
  • କମିବ ତାପମାତ୍ରା, ୨୮ରୁ ବଢିବ ଶୀତ
  • ||
  • ଆଜି ୭୩ ତମ ସାଧାରଣତନ୍ତ୍ର ଦିବସ, କୋଭିଡ କଟକଣାରେ ହେବ ପତାକା ଉତ୍ତୋଳନ
  • ||
  • ଦେଶ ପାଳୁଛି ୭୩ତମ ଗଣତନ୍ତ୍ର ଦିବସ, ରାଜପଥରେ ପ୍ରଦର୍ଶିତ ହେବ ୨୧ ପ୍ରଜ୍ଞାପନ ମେଢ
  • ||

୨୦୧୮ ବିଜେପୁର ଉପ ନିର୍ବାଚନରେ ରୀତା ସାହୁ ପାଇଥିଲେ ୧ଲକ୍ଷ ୨ହଜାର ଭୋଟ୍, ଅନ୍ୟ ପ୍ରାର୍ଥୀଙ୍କ ସ୍ଥିତି କ’ଣ ଥିଲା ଜାଣନ୍ତୁ

29/09/2019 at 11:38 AM

ଭୁବନେଶ୍ବର ୨୯।୯: ବିଜେପୁର ଉପ ନିର୍ବାଚନ ପାଇଁ ରାଜନୈତିକ ମାହୋଲ ଏବେ ବେଶ୍ ସରଗରମ ହୋଇଉଠିଛି । ବିଜେପୁର ଉପ ନିର୍ବାଚନ ପାଇଁ ୩ ପ୍ରମୁଖ ରାଜନୈତିକ ଦଳ ନିଜ ନିଜ ପ୍ରସ୍ତୁତିରେ ଲାଗିପଡିଲେଣି । ଏଥର ଉପ ନିର୍ବାଚନରେ ବିଜେଡି ରୀତା ସାହୁଙ୍କୁ ପୁଣି ଥରେ ଭରସା କରିଥିବା ବେଳେ କଂଗ୍ରେସ ଦିଲ୍ଲୀପ ପଣ୍ଡାଙ୍କୁ ପ୍ରାର୍ଥୀ କରିଛି । ଆସନ୍ତାକାଲି ବିଜେପୁର ଉପ ନିର୍ବାଚନ ପାଇଁ ନୋମିନେସନର ଶେଷଦିନ ରହିଛି । ତେଣୁ ବିଜେପି ଆଜି ପ୍ରାର୍ଥୀଙ୍କ ନାଁ ଘୋଷଣା କରିବାର ଯଥେଷ୍ଟ ସମ୍ଭାବନା ରହିଛି ।

ବିଜେପୁରକୁ କଂଗ୍ରେସର ଗଡ ବୋଲି କୁହାଯାଉଥିଲା । ଏହି ଆସନରୁ କଂଗ୍ରେସ ପ୍ରାର୍ଥୀ ଭାବେ ସୁବଳ ସାହୁ ୩ ଥର ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ତେବେ ତାଙ୍କ ଦେହାନ୍ତ ପରେ ବିଜେଡି ବିଜେପୁର ଆସନକୁ ନିଜ କବଜାକୁ ନେଇଛି । ଗତ ଦୁଇଟି ନିର୍ବାଚନରେ ବିଜେଡି ବିଜୟୀ ହୋଇଥିବା ବେଳେ ବିଜେପି ଓ କଂଗ୍ରେସ ସ୍ଥିତି ନଗଣ୍ୟ ହୋଇପଡିଛି ।

ଚଳିତ ଥର ବିଜେପୁର ଉପ ନିର୍ବାଚନରେ ବିଜେଡି ପ୍ରାର୍ଥୀ କରିଥିବା ରୀତା ସାହୁ ପ୍ରଥମ ଥର ୨୦୧୮ ମସିହାରେ ନିର୍ବାଚନ ମୈଦାନକୁ ଓହ୍ଲାଇଥିଲେ । ବିଜେପୁରର କଂଗ୍ରେସ ବିଧାୟକ ତଥା ରୀତା ସାହୁଙ୍କ ସ୍ବାମୀ ସୁବଳ ସାହୁଙ୍କ ୨୦୧୭ ମସିହା ଅଗଷ୍ଟ ମାସରେ ଦେହାନ୍ତ ହୋଇଥିଲା । ସୁବଳ ସାହୁଙ୍କ ଦେହାନ୍ତ ପରେ ବିଜେପୁର ବିଧାନସଭା ମଣ୍ଡଳୀର ବିଧାୟକ ଆସନ ଖାଲି ପଡିଥିଲା । ଫଳରେ ୨୦୧୮ ମସିହା ଫେବୃୟାରୀ ମାସରେ ସେଠାରେ ଉପ ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ସ୍ବର୍ଗତ ସୁବଳ ସାହୁଙ୍କ  ପତ୍ନୀ ରୀତା ସାହୁ ବିଜୁ ଜନତା ଦଳରେ ଯୋଗଦେଇଥିଲେ । ଏହି ନିର୍ବାଚନରେ ସେ ବିଜୁ ଜନତା ଦଳର ପ୍ରାର୍ଥୀ ଭାବରେ ନିର୍ବାଚନ ଲଢି ବିଜୟୀ ମଧ୍ୟ ହୋଇଥିଲେ । ଉପ ନିର୍ବାଚନ ପାଇଁ ବିଜେପି ଅଶୋକ ପାଣିଗ୍ରାହୀଙ୍କୁ ପ୍ରାର୍ଥୀ କରିଥିବା ବେଳେ କଂଗ୍ରେସ ପ୍ରଣୟ ସାହୁଙ୍କୁ ପ୍ରାର୍ଥୀ କରିଥିଲା । ତେବେ ରୀତା ସାହୁ ୧ଲକ୍ଷ ୨ହଜାର ୮୭୧ଖଣ୍ଡ ଭୋଟ୍ ପାଇଥିବାବେଳେ ବିଜେପି ପ୍ରାର୍ଥୀ ଅଶୋକ ପାଣିଗ୍ରାହୀ ୬୦୯୩୮ ଖଣ୍ଡ ଭୋଟ୍ ପାଇଥିଲେ । ସେହିପରି କଂଗ୍ରେସ ପ୍ରାର୍ଥୀ ପ୍ରଣୟ ସାହୁ ୧୦୨୭୪ ଖଣ୍ଡ ଭୋଟ୍ ପାଇଥିଲେ । ତେବେ ରୀତା ସାହୁ ପ୍ରାୟ ୪୦ହଜାର ଭୋଟ୍ ବ୍ୟବଧାନରେ ବିଜୟୀ ହୋଇଥିଲେ । ଉପ ନିର୍ବାଚନରେ ମୋଟ୍ ୪୨ ପ୍ରତିଶତ ଭୋଟିଂ ହୋଇଥିଲା । ବିଜେଡିକୁ ୫୬ ପ୍ରତିଶତ ଭୋଟ୍ ମିଳିଥିବା ବେଳେ ବିଜେପି ୩୩.୫୩ ପ୍ରତିଶତ ଏବଂ କଂଗ୍ରେସକୁ ୫.୬୫ ପ୍ରତିଶତ ଭୋଟ୍ ମିଳିଥିଲା ।

ସେହିଭଳି ୨୦୧୯ ସାଧାରଣ ନିର୍ବାଚନରେ ମଧ୍ୟ ବିଜେପୁରରେ ବିଜେଡି ବାଜିମାତ୍ କରିଥିଲା । ବିଜୁ ଜନତା ଦଳରୁ ପ୍ରାର୍ଥୀ ହୋଇଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ ନିକଟତମ ପ୍ରତିନ୍ଦ୍ବନ୍ଦୀ ବିଜେପି ପ୍ରାର୍ଥୀ ସନତ ଗଡତିଆଙ୍କୁ ୫୭,୧୨୨ଖଣ୍ଡ ଭୋଟ୍ ବ୍ୟବଧାନରେ ପରାଜିତ କରି ବିଜୟୀ ହୋଇଥିଲେ । ୨୦୧୯ ସାଧାରଣ ନିର୍ବାଚନରେ ବିଜେଡିରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରାର୍ଥୀ ହୋଇଥିବା ବେଳେ ବିଜେପିରୁ ସନତ ଗଡତିଆ ଏବଂ କଂଗ୍ରେସରୁ ରିପୁନାଥ ସେଠ୍ ପ୍ରାର୍ଥୀ ହୋଇଥିଲେ । ବିଜେଡି ପ୍ରାର୍ଥୀ ନବୀନ ପଟ୍ଟନାୟକଙ୍କୁ ୧ଲକ୍ଷ ୧୦ହଜାର ୬୦୪ ଖଣ୍ଡ ଭୋଟ୍ ମିଳିଥିବା ବେଳେ ବିଜେପି ପ୍ରାର୍ଥୀ ସନତ ଗଡତିଆଙ୍କୁ ୫୩ହଜାର ୪୮୨ଖଣ୍ଡ ଭୋଟ୍ ମିଳିଥିଲା । ସେହିଭଳି କଂଗ୍ରେସ ପ୍ରାର୍ଥୀ ରିପୁନାଥ ସେଠ୍ ଙ୍କୁ ୧୪,୩୪୪ଖଣ୍ଡ ଭୋଟ୍ ମିଳିଥିଲା ।

ଏଥର ମଧ୍ୟ ବିଜେପୁର ଉପ ନିର୍ବାଚନରେ କାଣ୍ଟେକା ଟକ୍କର ହେବ ବୋଲି ଚର୍ଚ୍ଚା ହେଉଛି । ବିଜେଡିର ପଲ୍ଲା ଚଳିତ ଥର ଭାରି ଥିବା କୁହାଯାଉଛି । ବିଜେଡି ପୁର୍ନବାର ରୀତା ସାହୁଙ୍କ ଉପରେ ଭରସା କରିଛି । କଂଗ୍ରେସର ରିପୁନାଥ୍ ସେଠ୍ ତାଙ୍କ ପୁଅ କଂଗ୍ରେସ ଟିକଟରୁ ପ୍ରାର୍ଥୀ ହେବା ପାଇଁ ଆଶାୟୀ ଥିବା ବେଳେ ତାଙ୍କ ବଦଳରେ ଦିଲ୍ଲୀପ ପଣ୍ଡାଙ୍କୁ କଂଗ୍ରେସ ପ୍ରାର୍ଥୀ କରିଛି । ଫଳରେ ରିପୁନାଥ ସେଠ୍ ଅସନ୍ତୁଷ୍ଟ ଅଛନ୍ତି । ସେହିଭଳି ବିଜେପି ଆଜି ତାର ପ୍ରାର୍ଥୀ ଘୋଷଣା କରିବ । ଯାହା ଉପରେ ସମସ୍ତଙ୍କ ନଜର ରହିଛି ।

   Related Posts