ଆଜି ମେ ୨୨,ଶୁକ୍ରବାର ସାବିତ୍ରୀ ବ୍ରତ ପାଳନ କରାଯାଇଥାଏ। ଭାରତୀୟ ସଂସ୍କୃତିରେ ସାବିତ୍ରୀ ବ୍ରତ ଆଦର୍ଶ ନାରୀତ୍ବର ପ୍ରତୀକ ହୋଇସାରିଛି। ଏହି ବ୍ରତର ତିଥିକୁ ନେଇ ଭିନ୍ନ ମତ ରହିଛି। ସ୍କନ୍ଦ ପୁରାଣ ତଥା ଭବିଷ୍ୟୋତ୍ତର ପୁରାଣ ଅନୁସାରେ ଜ୍ୟେଷ୍ଠ ମାସର ଶୁକ୍ଳପକ୍ଷର ପୂର୍ଣ୍ଣିମାକୁ ଏହି ବ୍ରତ କରିବାର ବିଧାନ ରହିଛି,ନିର୍ଣ୍ଣୟାମୃତ ଆଦି ଅନୁସାରେ ଜ୍ୟେଷ୍ଠ ମାସର ଅମାବାସ୍ୟାକୁ ବ୍ରତ କରିବା କଥା କୁହାଯାଇଛି। ସାବିତ୍ରୀ ବ୍ରତ ସୌଭାଗ୍ୟ ପ୍ରାପ୍ତି ଏବଂ ସନ୍ତାନ ପ୍ରାପ୍ତି ପାଇଁ ସହାୟତା କରୁଥିବା ବ୍ରତ ଅଟେ।
ଶୁଭ ମୂହୂର୍ତ୍ତ : ଆରମ୍ଭ- ୨୧:୩୫(୨୧/୫.୨୦୨୦)
ଶେଷ- ୨୩:୦୭(୨୨/୫/୨୦୨୦)
ସାବିତ୍ରୀ ବ୍ରତ କଥା : ପ୍ରାଚୀନ କାଳରେ ମଦ୍ରଦେଶରେ ଅଶ୍ବପତି ନାମକ ଜଣେ ରାଜା ରାଜତ୍ବ କରୁଥିଲେ। ସେ ବଡ଼ ଧର୍ମାତ୍ମା,ବ୍ରାହ୍ମଣଭକ୍ତ,ସତ୍ୟବାଦୀ ଏବଂ ଜିତେନ୍ଦ୍ରିୟ ଥିଲେ। ରାଜାଙ୍କର ସବୁ ପ୍ରକାରର ସୁଖ ଥିଲା କିନ୍ତୁ ତାଙ୍କର ସନ୍ତାନ ଥିଲା। ସେଥିପାଇଁ ସେ ସନ୍ତାନ ପ୍ରାପ୍ତି ଆଶାରେ ୧୮ବର୍ଷ ଯାଏଁ ସାବିତ୍ରୀ ଦେବୀଙ୍କ ତପସ୍ୟା କରିଥିଲେ। ସାବିତ୍ରୀ ଦେବୀ ତାଙ୍କୁ ଏକ ତେଜସ୍ବିନୀ କନ୍ୟାପ୍ରାପ୍ତିର ବର ଦେଇଥିଲେ। ସେହି ସମୟରେ ବଡ଼ ରାଣୀଙ୍କ ଗର୍ଭରୁ ଏକ କନ୍ୟା ସନ୍ତାନ ଜନ୍ମ ଗ୍ରହଣ କରିଥିଲେ। ରାଜା ସେହି କନ୍ୟାଙ୍କ ନାଁ ସାବିତ୍ରୀ ରଖିଥିଲେ। ରାଜକନ୍ୟା ଶୁକ୍ଳପକ୍ଷର ଚନ୍ଦ୍ରମା ଭଳି ଦିନକୁ ଦିନ ବଡ଼ ହେବାକୁ ଲାଗିଲେ। ଧୀରେ ଧୀରେ ସେ ଯୁବାବସ୍ଥାରେ ପ୍ରବେଶ କରିବାକୁ ଲାଗିଲେ। ତାଙ୍କ ରୂପ ଲାବଶ୍ୟକୁ ଦେଖି ସମସ୍ତେ ମୋହିତ ହୋଇଯାଉଥିଲେ। ରାଜା ଶତ ଚେଷ୍ଟା ପରେ ମଧ୍ୟ ସାବିତ୍ରୀଙ୍କ ପାଇଁ ବର ଖୋଜିବାରେ ବିଫଳ ହୋଇ ତାଙ୍କୁ କହିଥିଲେ,ସେ ନିଜେ ତାଙ୍କ ପାଇଁ ବର ଖୋଜନ୍ତୁ।
ପିତାଙ୍କ ଆଜ୍ଞା ସ୍ବୀକାର କରି ସାବିତ୍ରୀ ଯୋଗ୍ୟ ମନ୍ତ୍ରୀଙ୍କ ସହ ସ୍ବର୍ଣ୍ଣ ରଥରେ ବସି ଯାତ୍ରା ପାଇଁ ବାହାରିଥିଲେ। କିଛି ଦିନ ଯାଏଁ ବ୍ରହ୍ମଶ୍ରୀ ଏବଂ ରାଜର୍ଷିଙ୍କ ସହ ତପୋବନ ଏବଂ ତୀର୍ଥ ଭ୍ରମଣରେ ବୁଲି ସେ ରାଜମହଲକୁ ଫେରି ଆସିଥିଲେ। ସେ ପିତାଙ୍କ ସହ ଦେବର୍ଷି ନାରଦଙ୍କୁ ବସି ଥିବା ଦେଖି ପ୍ରଣାମ କରିଥିଲେ। ମହାରାଜା ଅଶ୍ବପତି ସାବିତ୍ରୀଙ୍କୁ ତାଙ୍କ ଯାତ୍ରା ସମାଚାର ପଚାରିଥିଲେ। ସେ ପିତାଙ୍କୁ ସତ୍ୟବାନଙ୍କୁ ସ୍ବାମୀ ଭାବେ ଗ୍ରହଣ କରିବା କଥା କହିଥିଲେ। କିନ୍ତୁ ନାରଦ ଚମକି ତାଙ୍କୁ କହିଥିଲେ ଯେ ସତ୍ୟବାନଙ୍କ ଆୟୁ ମାତ୍ର ଆଉ ଏକ ବର୍ଷ।
ନାରଦଙ୍କ କଥା ଶୁଣି ଅଶ୍ବପତି ବ୍ୟଗ୍ର ହୋଇ ପଡ଼ିଲେ। ସେ ନିଜ ପୁତ୍ରୀଙ୍କୁ ପୁଣି ଥରେ ଭ୍ରମଣ କରି ନିଜ ପାଇଁ ଯୋଗ୍ୟ ବର ଖୋଜିବାକୁ କହିଥିଲେ। ସାବିତ୍ରୀ ସତୀ ଥିଲେ। ସାବିତ୍ରୀ ତାଙ୍କୁ ନିଜ ସ୍ବାମୀ ମାନିନେଇଥିଲେ ବୋଲି ପିତାଙ୍କୁ କହିଥିଲେ।
ଅଶ୍ବପତି ସାବିତ୍ରୀଙ୍କ ସହ ସତ୍ୟବାନଙ୍କ ବିବାହ କରାଇ ଦେଇଥିଲେ। ଶାଶୁ ଶ୍ବଶୁରଙ୍କ ଆଜ୍ଞାରେ ସାବିତ୍ରୀ ସ୍ବାମୀଙ୍କ ସହ ଜଙ୍ଗଲକୁ ଫଳ,ଫୁଲ ଏବଂ କାଠ ଆଣିବାକୁ ଯାଇଥିଲେ। ହଠାତ୍ ଗଛରୁ କାଠ କାଟିବା ସମୟରେ ସତ୍ୟବାନଙ୍କ ମୁଣ୍ଡରେ ଭୟଙ୍କର ଯନ୍ତ୍ରଣା ଆରମ୍ଭ ହୋଇଥିଲା। ସେ ଗଛରୁ ଓହ୍ଲାଇ ପତ୍ନୀଙ୍କ କୋଳରେ ମୁଣ୍ଡ ରଖି ଶୋଇ ପଡ଼ିଲେ।
ସେହି ସମୟରେ ଲାଲ ବସ୍ତ୍ର ପିନ୍ଧି ଜଣେ ପୁରୁଷ ସାବିତ୍ରୀଙ୍କୁ ଦେଖା ଦେଲେ। ସେ ସାକ୍ଷାତ ଯମରାଜା ଥିଲେ। ସେ ସତ୍ୟବାନଙ୍କୁ ନେବାକୁ ଆସିଥିଲେ। ସେ ସତ୍ୟବାନଙ୍କୁ ନେଇ ଯିବା ବେଳେ ସାବିତ୍ରୀ ମଧ୍ୟ ତାଙ୍କ ପଛେ ପଛେ ଯାଇଥିଲେ। ସାବିତ୍ରୀଙ୍କ ବୁଦ୍ଧିମତା ଏବଂ ଧର୍ମ ଦେଖି ଯମଙ୍କ ହୃଦୟ ତରଳି ଯାଇଥିଲା। ସେ ଶାଶୁ ଶ୍ବଶୁରଙ୍କ ଆଖି ଭଲ ହୋଇଯିବାର ବର,ପିତାଙ୍କ ପୁତ୍ର ପ୍ରାପ୍ତି ବର ଏବଂ ନିଜ ପାଇଁ ପୁତ୍ରବତୀ ହେବାର ଆଶୀର୍ବାଦ ପାଇଥିଲେ। ଏହି ପରି ସାବିତ୍ରୀ ନିଜ ସତୀତ୍ବ ବଳରେ ସ୍ବାମୀଙ୍କୁ ମୃତ୍ୟୁମୁଖରୁ ବଞ୍ଚାଇଥିଲେ।