ଭୁବନେଶ୍ବର ଉତ୍ତର ଆସନରୁ ଦ୍ବିତୀୟ ଥର ବିଜେଡି ଟିକେଟ ପାଇବେ କି ପ୍ରିୟଦର୍ଶୀ ? ଜାଣନ୍ତୁ ଆଉ କାହାକୁ ମିଳିବା ସମ୍ଭାବନା

Published By : Prameya-News7 Bureau | March 12, 2019 IST

ଭୁବନେଶ୍ବର୧୨|୩: ନିର୍ବାଚନ ପାଇଁ ତାରିଖ ଘୋଷଣା ହେଲା । ହେଲେ ଦଳୀୟ ପ୍ରାର୍ଥୀ ତାଲିକା ଘୋଷଣା ହୋଇନଥିବାରୁ ଆଶାୟୀ ପ୍ରାର୍ଥୀଙ୍କ ମନ ଉଚ୍ଛନ୍ନ ହେଲାଣି । କେବେ ଗ୍ରିନ୍‌ ସିଗ୍‌ନାଲ ମିଳିବ ଆଉ କେବେ ସେମାନେ ପ୍ରଚାର ପାଇଁ ମଇଦାନକୁ ଓହ୍ଲାଇବେ କେବଳ ତାକୁ ହିଁ ଅପେକ୍ଷା । ୟା’ ଭିତରେ ପୁଣି କାହାର ଟିକଟ କଟିବ ଆଉ କାହାକୁ ଟିକଟ ମିଳିବ ତାକୁ ନେଇ ମଧ୍ୟ ସଂଦେହରେ ରହିଛନ୍ତି ଅନେକ ଆଶାୟୀ । ଏମିତିରେ କ’ଣ ରହିଛି ଭୁବନେଶ୍ବର ଉତ୍ତର ନିର୍ବାଚନ ମଣ୍ଡଳିର ମାହୋଲ ଚାଲନ୍ତୁ ତା’ ଉପରେ ଟିକେ ନଜର ପକାଇବା । …..

{"id":92970,"width":596,"height":328}

ଗଲା ୧୦ବର୍ଷ ଧରି ବିଜେଡି କବ୍‌ଜାରେ ଥିବା ଭୁବନେଶ୍ବର ଉତ୍ତର ନିର୍ବାଚନ ମଣ୍ଡଳିରେ ଆରମ୍ଭ ହୋଇଗଲାଣି ନିର୍ବାଚନୀ କସରତ । ବିଭିନ୍ନ ଦଳର ଆଶାୟୀ ପ୍ରାର୍ଥୀମାନେ ସ୍ଥାନୀୟ ଲୋକଙ୍କ ସହ ଯୋଡ଼ିହେବାର ପ୍ରୟାସ ଜାରି ରଖିଛନ୍ତି । ୨୦୧୪ରେ ଏଠାରୁ ବିଜେଡି ପ୍ରାର୍ଥୀ ଭାବେ ପ୍ରିୟଦର୍ଶୀ ମିଶ୍ର ବିଧାୟକ ହୋଇଛନ୍ତି । ହେଲେ ୨୦୧୯ରେ ବିଧାୟକ ପ୍ରିୟଦର୍ଶୀଙ୍କ ସମେତ ଆଶାୟୀ ତାଲିକାରେ ଅଛନ୍ତି ଜିଲ୍ଲା ବିଜେଡି ଉପସଭାପତି ସୁଭାଷ ପାତ୍ର, ବିଜେଡି ନେତା ଆଶୁତୋଷ ସାମନ୍ତରାୟ । ଗଲା ୫ବର୍ଷ ଭିତରେ ବିଧାୟକ ପ୍ରିୟଦର୍ଶୀ ମିଶ୍ର ତାଙ୍କ ନିର୍ବାଚନ ମଣ୍ଡଳିରେ ଲୋକଙ୍କୁ ଦେଇଥିବା ପ୍ରତିଶ୍ରୁତି ପାଳନ କରିଛନ୍ତି ବୋଲି ଦାବି କରୁଥିବା ବେଳେ ଦଳ ସଭାପତି ଦ୍ବିତୀୟ ଥର ପାଇଁ ତାଙ୍କୁ ସୁଯୋଗ ଦେବେ​‌ ବୋଲି ଆଶା ରଖିଛନ୍ତି । ହେଲେ ସେପଟେ ବିଧାୟକଙ୍କ ବିରୋଧରେ ଥିବା ଜନ ଅସନ୍ତୋଷକୁ ଆଧାର କରି ନିଜ  ସପକ୍ଷରେ ଗୋଟି ଚଳାଇବାରେ ବ୍ୟସ୍ତ ଅଛନ୍ତି ଆଶାୟୀ ପ୍ରାର୍ଥୀ ।

{"id":92971,"width":595,"height":333}

ରାଜ୍ୟ ସରକାରଙ୍କ ସଫଳତା ଓ କେନ୍ଦ୍ର ସରକାରଙ୍କ ବିଫଳତାକୁ ଲୋକଙ୍କ ପାଖରେ ପହଞ୍ଚାଇବା କାର୍ଯ୍ୟରେ ମାତିଛନ୍ତି ବିଜେଡି ନେତା । ସେପଟେ ବିଜେପି ମଧ୍ୟ ସଭା ସମିତି ଶୋଭାଯାତ୍ରା ମାଧ୍ୟମରେ ଲୋକଙ୍କ ନିକଟତର ହେବାକୁ ଚେଷ୍ଟା ଜାରି ରଖିଛି । ଭୁବନେଶ୍ବର ଉତ୍ତରରୁ ବିଜେପିର ଆଶାୟୀ ପ୍ରାର୍ଥୀ ଡକ୍ଟର ପ୍ରକାଶ ଶ୍ରୀଚନ୍ଦନ, ପ୍ରଶାସକରୁ ରାଜନେତା ହୋଇଥିବା ଅପରାଜିତା ଷଡ଼ଙ୍ଗୀ  ପ୍ରମୁଖ ଦଳର ପ୍ରଚାରର ମଙ୍ଗ ଧରିଛନ୍ତି ।

{"id":92972,"width":590,"height":361}

କେବଳ ବିଜେଡି କି ବିଜେପି ନୁହନ୍ତି, କଂଗ୍ରେସରୁ ମଧ୍ୟ ଏକାଧିକ ଆଶାୟୀ ଏବେ ଭୁବନେଶ୍ବର ଉତ୍ତର ନିର୍ବାଚନ ମଣ୍ଡଳୀରେ ସେମାନଙ୍କ ଆକ୍ଟିଭିଟି ଜାରି ରଖିଛନ୍ତି । ତେବେ ପ୍ରମୁଖ ଦଳଗୁଡ଼ିକ ଭିତରୁ କୌଣସି ଦଳ ପ୍ରାର୍ଥୀ ଘୋଷଣା କରିନଥିବାରୁ ଆଶା ଓ ଆଶଙ୍କାରେ ରହିଛନ୍ତି ଆଶାୟୀ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.