Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପରଲୋକରେ ଅରୁଣ ଜେଟଲୀ, ଜାଣନ୍ତୁ ତାଙ୍କ ଜୀବନ ଓ ରାଜନୈତିକ କ୍ୟାରିୟର ସଂପର୍କରେ ଟିକିନିଖି ତଥ୍ୟ…

24/08/2019 at 12:47 PM

ନୂଆଦିଲ୍ଲୀ ୨୪|୮: ପୂର୍ବତନ କେନ୍ଦ୍ରମନ୍ତ୍ରୀ ଅରୁଣ ଜେଟଲୀଙ୍କର ୬୬ବର୍ଷ ବୟସରେ ଦେହାନ୍ତ ହୋଇଛି । ଦିଲ୍ଲୀ ଏମ୍ସରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ପରଲୋକ ହୋଇଛି । ଗତ ୯ତାରିଖରୁ ଅସୁସ୍ଥତା କାରଣରୁ ସେ ଏମ୍ସରେ ଚିକିତ୍ସାଧିନ ଥିଲେ । ଅରୁଣ ଜେଟଲୀଙ୍କ ବିୟୋଗରେ ସବୁ ମହଲରେ ଶୋକର ଛାୟା ଖେଳିଯାଇଛି । ବିଜେପିର ଜଣେ ଧୂରୀଣ ରାଜନେତା ଭାବେ ତାଙ୍କର ବେଶ୍ ଖ୍ୟାତି ଥିଲା । ଆସନ୍ତୁ ନଜର ପକାଇବା ତାଙ୍କ ଜୀବନ ଓ ରାଜନୈତିକ କ୍ୟାରିୟର ଉପରେ…

ଅରୁଣ ଜେଟଲୀ ଦିଲ୍ଲୀରେ ୧୯୫୨ ମସିହା ଡିସେମ୍ବର ୨୮ ତାରିଖରେ ଜନ୍ମ ହୋଇଥିଲେ ଅରୁଣ ଜୈଟଲୀ।  ବିଶିଷ୍ଟ ଆଇନଜୀବି ମହାରାଜ କିଶନ ଜୈଟଲୀ ଓ ମା ରତନ ପ୍ରଭା ଜୈଟଲୀଙ୍କ କୋଳମଣ୍ଡନ କରିଆସିଥିଲେ ଅରୁଣ। କିଶାନ ଜୈଟଲୀ ଗୁଜରାଟର ମୂଳ ବାସିନ୍ଦା ଥିଲେ ହେଲେ ଆଇନ ବ୍ୟବସାୟ ଲାଗି ଦିଲ୍ଲୀର  ସ୍ଥାୟୀ ବାସିନ୍ଦା ହୋଇଯାଇଥିଲେ। ଦିଲ୍ଲୀରେ ଅରୁଣଙ୍କ ବାଲ୍ୟ, ଶୈଶବ, କୈଶୋର ଓ ଯୌବନାବସ୍ଥା ସାଙ୍ଗକୁ ସାରା ଜୀବନ କଟିଛି। ୧୯୫୭ ମସିହାରେ ଦିଲ୍ଲୀ ସେଣ୍ଟ ଜାଭିୟର ସ୍କୁଲରେ ତାଙ୍କର ଆଡମିଶନ ହୋଇଥିଲା। ୧୯୬୯ ରେ ସ୍କୁଲ ଶିକ୍ଷା ସମାପ୍ତ କରି ଶ୍ରୀ ରାମ କଲେଜ ଅଫ କମର୍ସରେ ଆଡମିଶନ କରିଥିଲେ।

ପାଠପଢା ସହ ଖେଳକୁଦ, କ୍ରିକେଟ, ବକ୍ତୃତା ଆଦି ବିଭିନ୍ନ କ୍ଷେତ୍ରରେ ତାଙ୍କର ବେଶ ପାଦର୍ଶିତା ଥିଲା। ଦିଲ୍ଲୀ ବିଶ୍ୱବିଦ୍ୟାଳୟ ଛାତ୍ର ଥିବା ବେଳେ ୧୯୭୪ ମସିହାର ଅଖିଳଭାରତୀୟ ବିଦ୍ୟାର୍ଥୀ ପରିଷଦ ପକ୍ଷରୁ ଛାତ୍ର ସଂସଦ ସଭାପତି ପଦ ନିମନ୍ତେ ପ୍ରତିଦ୍ୱନ୍ଦ୍ୱୀତା କରି ଅରୁଣ ବିଜୟୀ ହୋଇଥିଲେ। ଜଣେ ମେଧାବୀ ଓ ଉଚ୍ଚକୋଟିର ଛାତ୍ର ସାଙ୍ଗକୁ ତାଙ୍କର ସ୍ଥିର ଗମ୍ଭିର ବ୍ୟକ୍ତିତ୍ୱ ଲାଗି ଛାତ୍ରଛାତ୍ରୀ ମହଲରେ ବେଶ ଗ୍ରହଣୀୟ ଥିଲେ ଅରୁଣ ଜୈଟଲୀ। ଯାହା ତାଙ୍କ ପରବର୍ତ୍ତି ରାଜନୈତିକ ଜୀବନରେ ବି ଦେଖାଯାଇଛି ।

ଛାତ୍ର ସଂସଦ ନିର୍ବାଚନରେ ବିଜୟୀ ହେବା ସହ ରାଜନୀତି ସହ ତାଙ୍କର ଘନିଷ୍ଠତା ବଢିଥିଲା। ସମଗ୍ର ଦେଶରେ କଂଗ୍ରେସର ବାନା ଉଡୁଥିବା ବେଳେ ଅଖିଳଭାରତୀୟ ବିଦ୍ୟାର୍ଥୀ ପରିଷଦର ସଦସ୍ୟ ଭାବେ ସେ ଛାତ୍ର ସଂସଦ ନିର୍ବାଚନ ଲଢି ବିଜୟୀ ହେବା ସମଗ୍ର ଦେଶରେ ଚର୍ଚ୍ଚାର ବିଷୟ ହୋଇଥିଲା। ପରେ ସେ ଆଇନ ପାଠ୍ୟକ୍ରମ ଅଧ୍ୟାୟନ କରି ପିତାଙ୍କ ଭଳି ରାଜଧାନୀରେ ଆଇନ ବ୍ୟବସାୟରେ ଜଡିତ ରହିଥିଲେ। ହେଲେ ରାଜନୀତି ପ୍ରତି ତାଙ୍କର ଅପୂର୍ବ ଆଗ୍ରହ ତାଙ୍କୁ ରାଜନୀତି ଦିଗକୁ ଭିଡି ନେଇଥିଲା। ଓକିଲାତି ବୃତ୍ତି ସହ ରାଜନୀତିକୁ ସେ ବେଶ ସମାନ୍ତରାଳରେ ଚଳାଇ ରଖିପାରିଥିଲେ। ଜୟପ୍ରକାଶ ନାରାୟଣଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇଥିଲେ ଜୈଟଲୀ । ଜୟପ୍ରକାଶଙ୍କୁ ନିଜ ରାଜନୈତିକ ଆଦର୍ଶ ଭାବେ ଗ୍ରହଣ କରିଥିଲେ। ୧୯୭୫ ମସିହାରେ ୨୨ ମାସ ନିମନ୍ତେ ଦେଶରେ ଜରୁରିକାଳୀନ ପରିସ୍ଥିତି ଲାଗୁ ହୋଇଥିଲା। ଏହି ସମୟରେ ଅରୁଣ ଜୈଟଲୀଙ୍କୁ ଗିରଫ କରାଯାଇ ଦୀର୍ଘ ୧୯ ମାସ ତିହାର ଜେଲରେ ରଖାଯାଇଥିଲା।  ଏହି ୧୯ ମାସ ହିଁ  ତାଙ୍କ ଜୀବନର ମୋଡ ବଦଳାଇ ଦେଇଥିଲା ବୋଲି ସେ ବହୁବାର ପ୍ରକାଶ କରିଛନ୍ତି।  

୧୯୭୭ ସାଧାରଣ ନିର୍ବାଚନରେ କଂଗ୍ରେସ ବିପୁଳ ପରାଜୟର ସମ୍ମୁଖୀନ ହୋଇଥିଲା। କେନ୍ଦ୍ରରେ ଜନତା ପାର୍ଟି ସରକାର ଗଠିତ ହୋଇଥିଲା। ସେତେବେଳେ ଅରୁଣ ଜୈଟଲୀ ଲୋକତାନ୍ତ୍ରୀକ ଯୁବ ମୋର୍ଚ୍ଚାର ଜାତୀୟ ଆବାହକ ଥିଲେ। ତେବେ ଏଥିପୂର୍ବରୁ ୧୯୭୭ ମସିହାରେ ଅଖିଳଭାରତୀୟ ବିଦ୍ୟାର୍ଥୀ ପରିଷଦର ଜାତୀୟ ସମ୍ପାଦକ ଭାବେ ତାଙ୍କୁ ନିଯୁକ୍ତ କରାଯାଇଥିଲା। ଏବିଭିପି ସହିତ ତାଙ୍କର ଦୀର୍ଘ ସମ୍ପର୍କ କାରଣରୁ ୧୯୮୦ ମସିହାରେ ଭାରତୀୟ ଜନତାପାର୍ଟି (ବିଜେପି)ରେ ଜୈଟଲୀ ଯୋଗଦେଇଥିଲେ। ତାଙ୍କୁ ବିଜେପି ଯୁବ ମୋର୍ଚ୍ଚାର ଜାତୀୟ ସଭାପତି ପଦରେ ନିଯୁକ୍ତ କରାଯାଇଥିଲା। ଏଥି ସହ ଭାରତୀୟ ଜନତା ପାର୍ଟି ଦିଲ୍ଲୀ ଶାଖାର ସମ୍ପାଦକ ଦାୟିତ୍ୱ ମଧ୍ୟ ତୁଲାଉଥିଲେ।  

୧୯୯୧ ମସିହାରେ ଭାରତୀୟ ଜନତା ପାର୍ଟି ଜାତୀୟ କାର୍ଯ୍ୟକାରିଣୀରେ ତାଙ୍କୁ  ସଦସ୍ୟ କରାଯାଇଥିଲା। ୧୯୯୮ ମସିହା ମିଳିତ ଜାତି ସଂଘର ସାଧାରଣ ଅଧିବେଶନରେ ସେ ଭାରତ ସରକାରଙ୍କ ପକ୍ଷରୁ ପ୍ରତିନିଧିତ୍ୱ କରିଥିଲେ।  ୧୯୯୯ ମସିହାରେ ସେ ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ ମୁଖପାତ୍ର ଦାୟିତ୍ୱରେ ଥିବା ବେଳେ  ସେହି ବର୍ଷ ଅନୁଷ୍ଠିତ ସାଧାରଣ ନିର୍ବାଚନରେ ବିଜେପି ନେତୃତ୍ୱାଧୀନ ଏନଡିଏ ସରକାର କେନ୍ଦ୍ରରେ କ୍ଷମତାକୁ ଆସିଥିଲା । ଏଥିରେ  ଅରୁଣ ଜୈଟଲୀଙ୍କୁ  ସୂଚନା ଓ ପ୍ରସାରଣ ରାଜ୍ୟ ମନ୍ତ୍ରୀ ଅବସ୍ଥାପିତ ହୋଇଥିଲେ। ଏହା ସହ ଆଇନ, ନ୍ୟାୟ ଓ କମ୍ପାନୀ ବ୍ୟାପାର ମନ୍ତ୍ରାଳୟର ତାଙ୍କୁ ଅତିରିକ୍ତ ଦାୟିତ୍ୱ ମଧ୍ୟ ମିଳିଥିଲା। ପରେ ପରେ ପୁଞ୍ଜି ପ୍ରତ୍ୟାହାର ବିଭାଗର ମଧ୍ୟ ଦାୟିତ୍ୱ ପ୍ରଦାନ କରାଯାଇଥିଲା।

୨୦୦୦ ମସିହାରେ ସେ ଗୁଜରାଟରୁ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ। ପୁନଶ୍ଚ ବାଜପେୟୀଙ୍କ ମନ୍ତ୍ରୀମଣ୍ଡଳରେ ତାଙ୍କୁ ଆଇନ, ନ୍ୟାୟ ଓ କମ୍ପାନୀ ବ୍ୟାପାର ସାଙ୍ଗକୁ ନୌବାଣିଜ୍ୟ ମନ୍ତ୍ରାଳୟର ଦାୟିତ୍ୱ ପ୍ରଦାନ କରାଯାଇଥିଲା। ସେହିବର୍ଷ କେନ୍ଦ୍ର କ୍ୟାବିନେଟରୁ ବରିଷ୍ଠ ନେତା ଶ୍ରୀରାମ ଜେଠମାଲାନୀ ଇସ୍ତଫା ଦେଇଥିଲେ । ଏଣୁ ଜୈଟଲୀଙ୍କୁ କ୍ୟବିନେଟ୍ ମନ୍ତ୍ରୀପାହ୍ୟା ମିଳିଥିଲା। ୨୦୦୨ ମସିହାରେ କେନ୍ଦ୍ର କ୍ୟାବିନେଟରୁ ଇସ୍ତଫା ଦେଇ ସେ ବିଜେପି  ସାଧାରଣ ସମ୍ପାଦକ ଓ ରାଷ୍ଟ୍ରୀୟ ମୁଖପାତ୍ର ଭାବେ ୨୦୦୩ ପର୍ଯ୍ୟନ୍ତ ଦାୟିତ୍ୱ ତୁଲାଇଥିଲେ। ତେବେ ୨୦୦୩ ମସିହାରେ ପୁଣି କେନ୍ଦ୍ର କ୍ୟାବିନେଟରେ ଯୋଗଦେଇଥିଲେ। ବାଣିଜ୍ୟ, ଉଦ୍ୟୋଗ, ଆଇନ ଓ ନ୍ୟାୟ ମନ୍ତ୍ରାଳୟ ଦାୟିତ୍ୱରେ ୨୦୦୪ ପର୍ଯ୍ୟନ୍ତ ରହିଥିଲେ।

୨୦୦୬ ମସିହା ଏବଂ ୨୦୧୨ ମସିହାରେ ଦ୍ୱିତୀୟ ଓ ତୃତୀୟ ଥର ପାଇଁ ସେ ଗୁଜରାଟରୁ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ। ୨୦୦୯ରୁ ୨୦୧୨ ମସିହା ପର୍ଯ୍ୟନ୍ତ ରାଜ୍ୟସଭାରେ ବିରୋଧୀ ଦଳ ନେତା ଭାବେ ଦାୟିତ୍ୱ ତୁଲାଇଥିଲେ। ୨୦୧୪ ମସିହା ସାଧାରଣ ନିର୍ବାଚନରେ ପଞ୍ଜାବର ଅମୃତସର ଲୋକସଭା ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରି ସେ ପରାସ୍ତ ହୋଇଥିଲେ। ତେବେ କେନ୍ଦ୍ରରେ ଗଠିତ ହୋଇଥିବା  ନରେନ୍ଦ୍ରଙ୍କ ନେତୃତ୍ୱାଧୀନ ବିଜେପିର ପ୍ରଥମ ପାଳି ସରକାରରେ ତାଙ୍କୁ କେନ୍ଦ୍ର ଅର୍ଥମନ୍ତ୍ରାଳୟ ଦାୟିତ୍ୱ ପ୍ରଦାନ କରାଯାଇଥିଲା। ଏହି ଅବଧିରେ ସେ କିଛି କା କେନ୍ଦ୍ର ପ୍ରତିରକ୍ଷା ବିଭାଗର ଦାୟିତ୍ୱ ମଧ୍ୟ ବେଶ ଦକ୍ଷତାର ସହ ତୁଲାଇଛନ୍ତି। 

ବିଜେପିର ଜଣେ ଦକ୍ଷ ରଣକୌଶଳ ପ୍ରଣୟନକାରୀ ଭାବେ ବେଶ ଜଣାଶୁଣା ଥିଲେ ଜୈଟଲୀ । ୨୦୦୨ ମସିହା ଗୁଜରାଟ ବିଧାନସଭା ନିର୍ବାଚନର ଜୈଟଲୀ ରୂପରେଖ ପ୍ରସ୍ତୁତ କରିଥିବା ବେଳେ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ବିଜେପି ରାଜ୍ୟ ଶାସନ ହାତେଇଥିଲା। ମୋଦିଙ୍କ ବିଜୟରେ ଜୈଟଲୀ ବିଶେଷ ଭାବେ ସାହାଯ୍ୟ କରିଥିଲେ। ଫଳରେ ନରେନ୍ଦ୍ର ମୋଦି ୧୮୨ ଆସନ ବିଶିଷ୍ଟ ଗୁଜରାଟ ବିଧାନସଭାରେ ୧୨୬ ଆସନ ଅକ୍ତିଆର କରିଥିଲେ। ସେହିଭଳି ୨୦୦୭ ଗୁଜରାଟ ବିଧାନସଭା ନିର୍ବାଚନ ବେଳେ ମଧ୍ୟ ଅରୁଣ ଜୈଟଲୀ ତାଙ୍କ ରାଜନୈତିକ ଗୋଟି ଚାଳନା କରିଥିଲେ। ଭାରତୀୟ ଜନତାପାର୍ଟି ୧୧୭ ଆସନରେ ବିଜୟୀ ହୋଇଥିଲା ଓ ନରେନ୍ଦ୍ର ମୋଦି ପୁନର୍ବାର ଗୁଜରାଟର ମୁଖ୍ୟମନ୍ତ୍ରୀ ହୋଇଥିଲେ।

୨୦୦୩ ମସିହାରେ ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ମଧ୍ୟ ସେ ରଣ କୌଶଳ ପ୍ରସ୍ତୁତ କରିଥିଲେ। ଉମା ଭାରତୀଙ୍କୁ ବିଜୟୀ କରିବାରେ ତାଙ୍କର ବିଶେଷ ଅବଦାନ ରହିଥିଲା। ୨୦୦୪ ମସିହା ସାଧାରଣ ନିର୍ବାଚନ ପୂର୍ବରୁ ଅରୁଣ ଜୈଟଲୀଙ୍କୁ କର୍ଣ୍ଣାଟକ ରାଜ୍ୟ ଦାୟିତ୍ୱ ପ୍ରଦାନ କରାଯାଇଥିଲା । କର୍ଣ୍ଣାଟକର ୨୬ ଟି ଲୋକସବା ଆସନ ମଧ୍ୟରୁ ବିଜେପି ୧୮ଟିରେ ବିଜୟୀ ହୋଇଥିବା ବେଳେ ବିଧାନସଭାରେ ୮୩ଟି ସିଟ୍ ରେ ବିଜୟୀ ହୋଇ ବିଜେପି  ଏକକ ସଂଖ୍ୟା ଗରିଷ୍ଠ ଦଳ ଭାବେ ଉଭା ହୋଇଥିଲା। ୨୦୦୭ ମସିହାରେ ଜୈଟଲୀଙ୍କୁ ଦଳର ସାଧାରଣ ସମ୍ପାଦକ ନିଯୁକ୍ତ କରାଯିବା ସହ ଦିଲ୍ଲୀ ମହାନଗର ନିଗମର ନିର୍ବାଚନ ଦାୟିତ୍ୱ ପ୍ରଦାନ କରାଯାଇଥିଲା। ଏହି ନିର୍ବାଚନରେ ଦିଲ୍ଲୀର ୨୭୨ଟି ୱାର୍ଡ ମଧ୍ୟରୁ ବିଜେପି ୧୮୪ ୱାର୍ଡରେ ବିଜୟଲାଭ କରିଥିଲା।

କ୍ରିକେଟ ପ୍ରତି ପିଲାଦିନରୁ ତାଙ୍କର  ଦୁର୍ବଳତା ରହିଆସିଛି। ଏଣୁ ଏକ ସମୟରେ ତାଙ୍କୁ ବିସିସିଆଇ ଉପସଭାପତି ନିଯୁକ୍ତ କରାଯାଇଥିଲା। ତେବେ ଆଇପିଏଲ ମ୍ୟାଚ୍ ଫିକ୍ସିଂ କେଳେଙ୍କାରୀ ପଦାକୁ ଆସିବା ପରେ ସେ ଏହି ପଦରୁ ଇସ୍ତଫା ଦେଇଥିଲେ। ସେହିଭଳି ଦୀର୍ଘ ୧୩ ବର୍ଷ ଧରି ସେ ଦିଲ୍ଲୀ ଜିଲ୍ଲା କ୍ରିକେଟ ଆସୋସିଏସନର ସଭାପତି ଦାୟିତ୍ୱ ତୁଲାଇଥିଲେ। ହେଲେ ରାଜନୀତି ପାଇଁ କ୍ରିକେଟ ଆସୋସିଏସନକୁ ସମୟ ଦେଇ ନ ପାରିବାରୁ ବାଧ୍ୟ  ଇସ୍ତଫା ଦେଇଥିଲେ।    

ରାଜନୀତି ସହ ଅରୁଣ ଜୈଟଲୀ ସମାନ୍ତରାଳରେ ତାଙ୍କର ଓକିଲାତି ବୃତ୍ତି ମଧ୍ୟ ଜାରି ରଖି ଥିଲେ। ୧୯୭୭ ମସିହାରୁ ସୁପ୍ରିମ କୋର୍ଟ ଏବଂ ବିଭିନ୍ନ ହାଇକୋର୍ଟରେ ସେ ଆଇଜୀବି ଭାବେ ତାଙ୍କ ଦକ୍ଷତା ପ୍ରତିପାଦିତ କରିଆସିଛନ୍ତି । ୧୯୯୦ ମସିହାରେ ତାଙ୍କୁ ଦେଶର ଅତିରିକ୍ତ ସୋଲିସିଟର ଜେନେରାଲ ଭାବେ ନିଯୁକ୍ତ କରାଯାଇଥିଲା।

୨୪ ମେ ୧୯୮୨ରେ  ଗିରିଧାର ଲାଲା ଡୋଗ୍ରା ଓ ସକୁନ୍ତଳା ଡୋଗ୍ରାଙ୍କ କନ୍ୟା ସଙ୍ଗୀତାଙ୍କ ସହ ବୈବାହିକ ବନ୍ଧନରେ ଆବଦ୍ଧ ହୋଇଥିଲେ  ଅରୁଣ ଜୈଟଲୀ। ସେମାନଙ୍କର ସୋନାଲୀ ଜୈଟଲୀ ଓ ରୋହନ ଜୈଟଲୀ ନାମରେ ୨ଜଣ ସନ୍ତାନ ଅଛନ୍ତି। ସୋନାଲୀ ଓ ରୋହନ ତାଙ୍କ ପିତା ଓ ଜେଜେଙ୍କ ପଥ ଅନୁସରଣ କରି ଓକିଲାତିକୁ ପେଷା ଭାବେ ଗ୍ରହଣ କରିଛନ୍ତି । ଗତ ୨୦୧୮ ମସିହା ସାଧାରଣ ବଜେଟ୍ ଉପସ୍ଥାପନ ପୂର୍ବରୁ ଜୈଟଲୀ ଅସୁସ୍ଥ ହୋଇପଡିଥିଲେ। ଚିକିତ୍ସା ପାଇଁ ସେ ଆମେରିକା ଗସ୍ତ କରିଥିଲେ। ଏଣୁ ସେ  ପ୍ରଥମପାଳିମୋଦି ସରକାରଙ୍କ ଶେଷ ବଜେଟ ସଂସଦରେ ଉପସ୍ଥାପନ କରିପାରିନଥିଲେ। ତାଙ୍କ ପାଇଁ ତତ୍କାଳୀନ ରେଳମନ୍ତ୍ରୀ ପିୟୁଷ ଗୋୟଲ ସଂସଦରେ ବଜେଟ ଉପସ୍ଥାପନ କରିଥିଲେ।

   Related Posts