ଯଦି ହଟିଲା ଆର୍ଟିକଲ 35A ଜାଣନ୍ତୁ କ’ଣ ବଦଳିବ ଜମ୍ମୁ-କାଶ୍ମୀରରେ

Published By : Prameya-News7 Bureau | August 03, 2019 IST

ଜମ୍ମୁ-କାଶ୍ମୀରକୁ ନେଇ ଏବେ ସାରା ଦେଶରେ ଚର୍ଚ୍ଚା। ସେପଟେ ଏହାକୁ ନେଇ କାଶ୍ମୀର ରାଜନୀତି ମଧ୍ୟ ହଲଚଲ ହେଉଛି।  ଆର୍ଟିକଲ ୩୫-ଏ କୁ ସରକାର ସଂଶୋଧନ କରିବେ। ରାଜ୍ୟରେ ବଳବତ୍ତର ଥିବା ସମ୍ବିଧାନର ଏହି ଅନୁଚ୍ଛେଦ ସଂଶୋଧନ  ହେଲେ କ’ଣ ହେବ ? ଏହାକୁ ନେଇ ଏବେ ସବୁଆଡେ ଚର୍ଚ୍ଚା।   

{"id":140461}

କାଶ୍ମୀର ଉପଭୋଗ କରୁଥିବା ଧାରା ୩୭୦ ସାମ୍ବିଧାନର ସ୍ଥାୟୀ ଧାରା ନୁହେଁ। ସଂସଦରେ କେନ୍ଦ୍ର ଗୃହମନ୍ତ୍ରୀ ଏହା ସ୍ପଷ୍ଟ କରିବା ପରଠାକୁ କାଶ୍ମୀରରେ ହଲଚଲ ଆରମ୍ଭ ହୋଇଥିଲା। ତେବେ ୩୭୦ ପୂର୍ବରୁ ସରକାର  ଅନୁଚ୍ଛେଦ ୩୫-ଏକୁ ନେଇ ପ୍ରକ୍ରିୟା ଆରମ୍ଭ କରିବାକୁ ଯାଉଛନ୍ତି। ଏଥିପାଇଁ କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ କାଶ୍ମୀର ଉପତ୍ୟାକାରେ ସୁରକ୍ଷା ବଳ ମୁତୟନ  କରିଥିବା ବେଳେ ରାଜ୍ୟରେ ରାଜନୀତି ଜୋର ଧରିବାରେ ଲାଗିଛି। ଆଞ୍ଚଳିକ ଦଳମାନଙ୍କରେ ଏ ନେଇ ପ୍ରବଳ ବାଦବିବାଦ ଦେଖାଦେଇଛି। ପୂର୍ବତନ ମୁଖ୍ୟମନ୍ତ୍ରୀ ମହବୁବା ମୁଫ୍ତି ୩୫-ଏ ସମର୍ଥନରେ ତର୍କ କରୁଥିବା ବେଳେ ନ୍ୟାସନାଲ କନଫରେନ୍ସ ନେତା ଓମାର ଓ ଫାରୁକ୍ ଅବଦୁଲ୍ଲା ପ୍ରଧାନମନ୍ତ୍ରୀଙ୍କୁ ଭେଟି ସେମାନଙ୍କ ଉଦବେଗ ପ୍ରକାଶ କରିଛନ୍ତି। ଏଣୁ ଏବେ ସମ୍ବିଧାନର ଅନୁଛେଦ ୩୫-ଏ କ’ଣ ପ୍ରଥମେ ଆମକୁ ବୁଝିବାକୁ ହେବ ।

{"id":140466}

ଅନୁଚ୍ଛେଦ ୩୫-ଏ  ଜମ୍ମୁ-କାଶ୍ମୀର ରାଜ୍ୟର ସ୍ଥାୟୀ ନାଗରିକତା ନିୟମ ଓ ନାଗରିକଙ୍କ ଅଧିକାର ନିର୍ଦ୍ଧାରିତ  କରେ। ସେହି ଅନୁସାରେ ୧୪ ମେ ୧୯୫୪ ପୂର୍ବରୁ ଯେଉଁମାନେ ଜମ୍ମୁ-କାଶ୍ମୀରରେ ବସବାସ କରୁଛନ୍ତି ସେହିମାନେ ହିଁ ସେଠାକାର ସ୍ଥାୟୀ ବାସିନ୍ଦା ବୋଲି ଗ୍ରହଣୀୟ ହେଉଛନ୍ତି। କେବଳ ସ୍ଥାୟୀ ବାସିନ୍ଦାଙ୍କୁ ରାଜ୍ୟରେ ଜମି ଜମା କିଣିବା, ସରକାରୀ ଚାକିରୀ ଓ ସରକାରୀ ଯୋଜନାର ଲାଭ ନେବାର ଅଧିକାର ରହିଛି। ଏହି ଅନୁଚ୍ଛେଦ ଅନୁସାରେ ଦେଶର ଅନ୍ୟ ରାଜ୍ୟର ଅଧିବାସୀ ଏଠାରେ ଜମି କ୍ରୟ କରିପାରିବେନି ସ୍ଥାୟୀ ବସବାସ କରିବାର ପ୍ରାବଧାନ ନାହିଁ। ଅନୁଚ୍ଛେଦ ଅନୁସାରେ ଜମ୍ମୁ-କାଶ୍ମୀର ରାଜ୍ୟର କୌଣସି ମହିଳା ଭାରତର ଅନ୍ୟ ରାଜ୍ୟରେ ବିବାହ କଲେ ତାଙ୍କର ଏହି ଅଧିକାର କ୍ଷୁର୍ଣ୍ଣ ହୁଏ । ତେବେ ପୁରୁଷଙ୍କ କ୍ଷେତ୍ରରେ ଏ ନେଇ ପୃଥକ ଆଇନ ରହିଛି।

{"id":140464}

ତେବେ ଏବେ ପ୍ରଶ୍ନ ଉଠୁଛି ଯଦି ସମ୍ବିଧାନର ଏହି ଅନୁଚ୍ଛେଦକୁ କେନ୍ଦ୍ର ସରକାର ଏଠାରେ ନିରସ୍ତ କରନ୍ତି ତେବେ କ’ଣ ହେବ? ଏହି ଅନୁଚ୍ଛେଦ ହଟିଲେ କାଶ୍ମୀରରେ ଦେଶର ଅନ୍ୟ ରାଜ୍ୟର ଲୋକେ ଜମିଜମା କ୍ରୟ କରିବାର ଅଧିକାର ପାଇବା ସହ ସ୍ଥାୟୀ ବସବାସ ବି କରିପାରିବେ। ଏଣୁ  ସ୍ଥାୟୀ ବସବାସ ଆଧାରରେ ଲୋକେ ରାଜ୍ୟରେ ସରକାରୀ ଚାକିରୀ ସୁବିଧା ପାଇବା ସହ ସରକାରୀ ଉଚ୍ଚ ଶିକ୍ଷା ସଂସ୍ଥାନରେ ପ୍ରବେଶ କରିପାରିବେ। ଅନୁଚ୍ଛେଦ ଯୋଗୁ ମହିଳା ଓ ପୁରୁଷଙ୍କ ମଧ୍ୟରେ ଥିବା ଆଇନଗତ ପାର୍ଥକ୍ୟ ଦୂର ହେବ। କେବଳ ସେତିକି ନୁହେଁ କାଶ୍ମୀରରେ ବସବାସ କରୁଥିବା ପଶ୍ଚିମ ପାକିସ୍ତାନର ଶରଣାର୍ଥୀଙ୍କୁ ଭାରତରେ ଭୋଟ ଦେବାର ଅଧିକାର ବି ମିଳିବ।    

{"id":140467}

ତେବେ ଆସନ୍ତୁ ଜାଣିବା କାଶ୍ମୀର ରାଜନୈତିକ ଦଳ ବିରୋଧ କରୁଛନ୍ତି କାହିଁକି?  ପ୍ରଥମତଃ ଏଥି ଲାଗି ରାଜ୍ୟର ସ୍ୱାୟତତା ଆହୁରି ହ୍ରାସ ପାଇବ ବୋଲି ଆଶଙ୍କା କରୁଛନ୍ତି ଆଞ୍ଚଳିକ ଦଳ। ଏହା ଛଡା ଅନ୍ୟ ରାଜ୍ୟର ଲୋକଙ୍କୁ କାଶ୍ମୀରରେ ବସବାସ ଅନୁମତି ମିଳିଲେ ମୁସ୍ଲିମ ବହୁଳ ରାଜ୍ୟର ଜନସଂଖ୍ୟା ଅନୁପାତ ବଦଳିଯିବ। ଉପତ୍ୟାକାରେ ଜମ୍ମୁର ଅଳ୍ପସଂଖ୍ୟକ ହିନ୍ଦୁ ଓ ଲଦ୍ଦାଖର ବୌଦ୍ଦ ଧର୍ମାବଲମ୍ବୀଙ୍କୁ ଜମିଜମା କିଣିବାର ଅଧିକାର ଥିଲେବି ଗତ ୭୦ ବର୍ଷରେ ଏଠାକାର ଜନସଂଖ୍ୟାରେ କୌଣସି ପରିବର୍ତ୍ତନ ହୋଇନାହିଁ। ତେବେ ଏହାକୁ ନେଇ ବିଛିନ୍ନତାବାଦୀ କାଶ୍ମୀରରେ ଯୁବକମାନଙ୍କୁ ଭଡକେଇବାର ଆଶଙ୍କା କରାଯାଉଛି. ଏଣୁ ସରକାର ଅତ୍ୟନ୍ତ ସତର୍କତା ଅବଲମ୍ବନ କରୁଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.