ବଜେଟ୍ ୨୦୨୧: ଜାଣନ୍ତୁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ବଜେଟ୍ ଭାଷଣର ୩୫ ପ୍ରମୁଖ କଥା...

Published By : Prameya-News7 Bureau | February 01, 2021 IST

ନୂଆଦିଲ୍ଲୀ ୦୧।୦୨: କେନ୍ଦ୍ର ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ସୋମବାର ଦେଶର ସାଧାରଣ ବଜେଟ୍ ଉପସ୍ଥାପନ କରିଛନ୍ତି। ଅର୍ଥ ମନ୍ତ୍ରୀ ନିଜର ବଜେଟ୍ ଭାଷଣ ସମୟରେ ଅନେକ ଗୁରୁତ୍ଵପୂର୍ଣ୍ଣ ଘୋଷଣା କରିଛନ୍ତି। କରୋନା ମହାମାରୀ କାରଣରୁ ଏଥର ବଜେଟ୍ କାଗଜହୀନ ବା ପେପରଲେସ୍ ରହିଛି। ଅର୍ଥମନ୍ତ୍ରୀ ଏକ ଟ୍ୟାବ୍ ଜରିଆରେ ନିଜର ତୃତୀୟ ବଜେଟ୍ ଉପସ୍ଥାପନ କରିଛନ୍ତି। ଚଳିତ ଥର କେନ୍ଦ୍ରୀୟ ବଜେଟ୍ ବହୁତ ଗୁରୁତ୍ଵପୂର୍ଣ୍ଣ ରହିଛି କାରଣ କରୋନା ମହାମାରୀ ସଙ୍କଟ ସମୟରେ ଏହି ବଜେଟ୍ ଉପସ୍ଥାପନ ହୋଇଛି। ଜାଣନ୍ତୁ ବଜେଟ୍‌ ଭାଷଣରେ ୩୫ ବଡ କଥା ...

୧ - ଅଟୋ ପାର୍ଟ୍ସ ଉପରେ କଷ୍ଟମ ଡ୍ୟୁଟି ବଢାଯାଇ ୧୫ ପ୍ରତିଶତ କରିବାକୁ ଘୋଷଣା କରାଯାଇଛି। ଫଳରେ ଏହି ସାମଗ୍ରୀ ଦର ମହଙ୍ଗା ହୋଇଛି।

୨ - କିଛି ସାମଗ୍ରୀ ଉପରେ ଏଗ୍ରୀକଲଚର ଇନଫ୍ରା ସେସ୍‌ ଲଗାଯାଇଛି, ଯାହାର ଫାଇଦା କୃଷକଙ୍କୁ ମିଳିବ।

୩ - ମୋବାଇଲ ଉପକରଣ ଉପରେ କଷ୍ଟମ ଡ୍ୟୁଟି ୨.୫ ପ୍ରତିଶତ ଲାଗୁ କରାଯାଇଛି। ଏହା ପରେ ମୋବାଇଲ୍ ଓ ଚାର୍ଜର ଦାମ ଆହୁରି ବଢିବ। ଏଥିସହ ବୈଦ୍ୟୁତିକ ଉପକରଣ ମଧ୍ୟ ମହଙ୍ଗା ହେବ।

୪ - ପେନସନରୁ ହେଉଥିବା ଆୟ ଉପରେ ଏବେ ଟ୍ୟାକ୍ସ ଲାଗିବ ନାହିଁ।

୫ - ଟ୍ୟାକ୍ସ ଅଡିଟ୍‌ର ଲିମିଟ୍ ୫ କୋଟିରୁ ବଢାଯାଇ ୧୦ କୋଟି ଟଙ୍କାର ପ୍ରସ୍ତାବ ଦିଆଯାଇଛି।

୬ - ଜିଏସଟି ସ୍ଲାବରେ କୌଣସି ପରିବର୍ତ୍ତନ କରାଯାଇ ନାହିଁ। ଜିଏସଟିଏନ ସିଷ୍ଟମର କ୍ଷମତା ବୃଦ୍ଧି କରାଯାଇଛି।

୭ - ଇନଫ୍ରା ସେକ୍ଟରରେ ବିଦେଶୀ ନିବେଶ ଉପରେ ୧୦୦ ପ୍ରତିଶତ ରିହାତି ଦିଆଯାଇଛି।

୮ - ୧.୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଲୋନ୍ ଉପରେ ଏକ ବର୍ଷ ପର୍ଯ୍ୟନ୍ତ ସୁଧ ଛାଡ ରହିବ।

୯ - ନିବେଶ ଆକର୍ଷିତ କରିବା ପାଇଁ କର୍ପୋରେଟ୍ ଟ୍ୟାକ୍ସ  ହ୍ରାସ କରାଯାଇଛି। ଡେଭିଡେଣ୍ଟ ଟ୍ୟାକ୍ସ ଲାଗୁ କରାଯାଇଛି?

୧୦ - ୭୫ ବର୍ଷରୁ ଅଧିକ ବୟସର ବରିଷ୍ଠ ନାଗରିକଙ୍କୁ ଏବେ ଟ୍ୟାକ୍ସରୁ ରିହାତି ଦିଆଯାଇଛି। ଏବେ ଏହି ବର୍ଗର ଲୋକଙ୍କୁ ଆୟକର ରିଟର୍ଣ୍ଣ ଭରିବାକୁ ପଡିବ ନାହିଁ। ଏହାର ଲାଭ କେବଳ ପେନସନଭୋଗୀ ଲୋକଙ୍କୁ ହିଁ ମିଳିବ।

୧୧ - ଡିଜିଟାଲ ଇଣ୍ଡିଆ ପାଇଁ ୩୭୦୦  କୋଟି ଟଙ୍କାର ପ୍ରାବଧାନ କରାଯାଇଛି। ଡାଇମଣ୍ଡ ଜୁବୁଲୀ ପାଳନ କରୁଥିବା ଗୋଆ ପାଇଁ ୩୦୦ କୋଟି ଟଙ୍କାର ବଜେଟ୍ ଘୋଷଣା କରାଯାଇଛି। ୧୦୦୦ କୋଟି ଟଙ୍କା ଆସାମ ଓ ପଶ୍ଚିମବଙ୍ଗର ଚା ଚାଷୀଙ୍କୁ ଦିଆଯିବ।

୧୨ - ୫ ଫିଶିଂ ହାର୍ବରକୁ ଆର୍ଥିକ ଗତିବିଧିର  ହବ୍‌ ରୂପେ ପ୍ରସ୍ତୁତ କରାଯିବ। ଅନ୍ୟପଟେ ତାମିଲନାଡୁରେ ଫିଶିଂଲ୍ୟାଣ୍ଡିଂ ସେଣ୍ଟରର ବିକାଶ କରାଯିବ।

୧୩ - ଜାତୀୟ ଶିକ୍ଷା ନୀତିକୁ କେନ୍ଦ୍ର ସ୍ଵୀକାର କରିଛି। ୧୦୦ ନୂତନ ସୈନିକ ସ୍କୁଲ ନିର୍ମାଣ ହେବ। ଏଥିପାଇଁ ଘରୋଇ କ୍ଷେତ୍ରରର ସହଯୋଗ ନିଆଯିବ।

୧୪ - ଅନୁସୂଚିତ ଜାତିର ୪ କୋଟି ବିଦ୍ୟାର୍ଥୀଙ୍କ ପାଇଁ ୩୫ ହଜାର କୋଟି ଟଙ୍କା ଘୋଷଣା କରାଯାଇଛି। ଏହି କ୍ଷେତ୍ରରେ ୟୁଏଇ ସହ ମିଶି ସ୍କିଲ ଟ୍ରେନିଂ ଉପରେ କାମ କରାଯାଉଛି। ଯଦ୍ଵାରା ଲୋକଙ୍କୁ ରୋଜଗାର ମିଳିପାରିବ।

୧୫ - ଷ୍ଟାଣ୍ଡଅପ୍ ଇଣ୍ଡିଆ ପାଇଁ ମାର୍ଜିନ ମନିର ଆବଶ୍ୟକତାକୁ ୨୫ ପ୍ରତିଶତ ହ୍ରାସ କରାଯାଇ୧୫ ପ୍ରତିଶତ କରାଯିବାକୁ ପ୍ରସ୍ତାବ ଦିଆଯାଇଛି।

୧୬ - ସରକାର ସାର୍ବଜନୀନ କ୍ଷେତ୍ରର ବ୍ୟାଙ୍କକୁ ୨୦  ହଜାର ଟଙ୍କାର ପୁଞ୍ଜି ଦେବାକୁ ପ୍ରସ୍ତାବ ରହିଛି।

୧୭ - ବୀମା କ୍ଷେତ୍ରରେ ଏଫଡିଆଇ ସୀମା ୪୯ ପ୍ରତିଶତ ବୃଦ୍ଧି କରାଯାଇ ୭୪ ପ୍ରତିଶତ କରାଯାଇଛି।

୧୮ - ସହରୀ ଗ୍ୟାସ୍ ବିତରଣ ନେଟଓ୍ଵର୍କ ଜରିଆରେ ସିଏନଏଜି ଓ ରୋଷେଇ ଗ୍ୟାସ୍‌ ବିତରଣ ସୁବିଧା ଆଉ ୧୦୦ ଜିଲ୍ଲାରେ ଉପଲବ୍ଧ କରାଯିବ।

୧୯ - ଉଜ୍ଜ୍ଵଳା ଯୋଜନାରେ ଆଉ ଏକ କୋଟି ଲାଭାର୍ଥୀଙ୍କୁ ସାମିଲ କରାଯିବ।

୨୦ - ଗତ ଛଅ ମାସରେ ବିଜୁଳି କ୍ଷେତ୍ରରେ ଅନେକ ସୁଧାର କରାଯାଇଛି। ଏହି ସମୟରେ ମୋଟ୍ କ୍ଷମତାରେ ୧, ୩୮, ୦୦୦ ମେଗାଓ୍ଵାଟ ଯୋଡା ଯାଇଛି।

୨୧ - ଅର୍ଥ ମନ୍ତ୍ରୀ ସାର୍ବଜନୀନ-ଘରୋଇ ଭାଗିଦାରୀ(ପିପିପି) ଆଧାରରେ ୨୦୦୦ କୋଟିରେ ସାତରୁ ଅଧିକ ବନ୍ଦର ପ୍ରକଳ୍ପର ଘୋଷଣା କରିଛନ୍ତି।

୨୨ - ରେଲଓ୍ଵେ ପାଇଁ ୨୦୨୧-୨୨ ଆର୍ଥିକ ବର୍ଷରେ ରେକର୍ଡ ୧, ୧୦, ୦୫୫ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ଏଥିରେ ୧, ୦୭, ୧୦୦ କୋଟି ଟଙ୍କା ପୁଞ୍ଜିଗତ ବ୍ୟୟ ରହିଛି।

୨୩ - ବ୍ରଡ ଗେଜ୍‌ ରେଲଓ୍ଵେ ଲାଇନ୍‌ର ଶତ ପ୍ରତିଶତ ବିଦ୍ୟୁତକରଣ କାର୍ଯ୍ୟ ୨୦୨୩ ଡିସେମ୍ବର ସୁଦ୍ଧା ପୂରା ହେବ।

୨୪ - ଏମଏସପି ମୂଲ୍ୟରେ ଦେଢ ଗୁଣ ଅଧିକ ବୃଦ୍ଧି କରାଯାଇଛି। ସରକାର କୃଷକଙ୍କ ବିକାଶ ପାଇଁ ପ୍ରତିବନଦ୍ଧ।

୨୫ - ଅସଙ୍ଗଠିତ କ୍ଷେତ୍ରର ଶ୍ରମିକଙ୍କ ପାଇଁ ପୋର୍ଟାଲ ତିଆରି ହେବ। କୋଠା ନିର୍ମାଣରେ ନିୟୋଜିତ ଶ୍ରମିକଙ୍କ ପାଇଁ ସ୍ଵାସ୍ଥ୍ୟ, ଘର ଏବଂ ଖାଦ୍ୟ ଯୋଜନା ଆରମ୍ଭ ହେବ।

୨୬  - ଚଳିତ ବର୍ଷ ସ୍ଵାମିତ୍ଵ ସ୍କିମ ଆରମ୍ଭ ହେବ। ଏ ପର୍ଯ୍ୟନ୍ତ ୧.୮ ଲକ୍ଷ ଲୋକଙ୍କୁ କାର୍ଡ ମିଳିବ। ୨୦୨୧ରେ ସମସ୍ତ ରାଜ୍ୟକୁ ଏଥିରେ ଅନ୍ତର୍ଭୁକ୍ତ କରାଯିବ।

୨୭ -  ଧାନ କିଣାରେ ୨୦୧୩-୧୪ରେ ସରକାର ଏମଏସପି ଉପରେ ୬୩  ହଜାର କୋଟି ଟଙ୍କା ଖର୍ଚ୍ଚ ହୋଇଛି। ଏହାକୁ ବୃଦ୍ଧି କରାଯାଇ ୧ ଲକ୍ଷ ୪୫ ହଜାର କୋଟି ଟଙ୍କାରେ ପହଞ୍ଚିଛି।

୨୮ - ୨୦୧୩-୧୪ରେ ଗହମ ଉପରେ ସରକାର ୩୩ ହଜାର କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି। ୨୦୧୯ରେ ସରକାର ୬୩ ହଜାର କୋଟି ଟଙ୍କାର ଗହମ କିଣିଛନ୍ତି। ଏହା ବୃଦ୍ଧି ଘଟି ୭୫ ହଜାର କୋଟି ଟଙ୍କାରେ ପହଞ୍ଚିଛି। ୨୦୨୦-୨୧ରେ ୪୩ ଲକ୍ଷ କୃଷକଙ୍କୁ ଏହାର ଫାଇଦା ମିଳିବ।

୨୯ - ଜଳ ଜୀବନ ମିଶନ(ସହରାଞ୍ଚଳ)ଆରମ୍ଭ ହେବ।

୩୦ -  ତିନି ବର୍ଷରେ ସାତ ଟେକ୍ସଟାଇଲ୍ ପାର୍କ ନିର୍ମାଣ କରାଯିବ।

୩୧ - କୋଭିଡ୍ ୧୯ ଟିକାକରଣ ପାଇଁ ବଜେଟ୍‌ରେ ୩୫ ହଜାର କୋଟି ଟଙ୍କା ବ୍ୟୟବରାଦ କରାଯାଇଛି।

୩୨ - ବଜେଟ୍‌ରେ ପ୍ରଧାନମନ୍ତ୍ରୀ ଆତ୍ମ ନିର୍ଭର ସ୍ଵାସ୍ଥ୍ୟ ଯୋଜନା ପାଇଁ ୬୪,୧୮୦ କୋଟି ଟଙ୍କା ବ୍ୟୟବରାଦ ରହିଛି।

୩୩ - ୫୦୦ ସହରରେ ଅମୃତ ସହର ଯୋଜନା ଆଧାରରେ ୨.୮୭ ଲକ୍ଷ କୋଟି ଟଙ୍କା ରହିଛି।

୩୪ - ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ଚଳିତ ଆର୍ଥିକ ବର୍ଷରେ ରାଜକୋଷୀୟ ଘାଟା ୯.୫ ପ୍ରତିଶତ ରହିବାର ଅନୁମାନ କରାଯାଇଛି।

୩୫ - ଆଗାମୀ ଆର୍ଥିକ ବର୍ଷରେ ରାଜକୋଷୀୟ ଘାଟା ୬.୮ ପ୍ରତିଶତ ରହିବାର ପୂର୍ବାନୁମାନ କରିଛନ୍ତି ଅର୍ଥ ମନ୍ତ୍ରୀ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.