ଷୋହଳ ସୋମବାର ବ୍ରତ ପାଳନ କଲେ କାହିଁକି ମିଳିଥାଏ ଯୋଗ୍ୟ ଜୀବନସାଥୀ, ପଢନ୍ତୁ ପୌରାଣିକ କଥା

Published By : Prameya-News7 Bureau | February 22, 2021 IST

ଭୁବନେଶ୍ୱର ୨୨/୦୨ : ସୋମବାର ଭଗବାନ ଶିବଙ୍କୁ ସମର୍ପିତ। ସୋମବାର ଶିବଙ୍କୁ ଉପାସନା କଲେ ଓ ବ୍ରତ ପାଳନ କଲେ ସବୁ ମନୋସ୍କାମନା ପୂରଣ ହୋଇଥାଏ ବୋଲି କୁହାଯାଏ। ଭଗବାନ ଶିବଙ୍କୁ ପ୍ରସନ୍ନ କରିବାକୁ ଷୋହଳ ସୋମବାର ବ୍ରତ ମଧ୍ୟ ପାଳନ କରାଯାଏ। ହିନ୍ଦୁ ଧର୍ମରେ ଷୋହଳ ସୋମବାରର ଅନେକ ମହତ୍ତ୍ୱ ରହିଛି। ପୌରାଣିକ ବିଶ୍ୱାସ ଅନୁଯାୟୀ, ଶ୍ରଦ୍ଧା ଓ ଭକ୍ତିର ସହ ଷୋହଳ ସୋମବାର ବ୍ରତ ପାଳନ କଲେ ଯୋଗ୍ୟ ଜୀବନସାଥୀ ପ୍ରାପ୍ତ ହୋଇଥାଏ। ସଚ୍ଚୋଟ ମନରେ ଏହି ବ୍ରତ ପାଳନ କଲେ ଭଗବାନ ଶିବ ଭକ୍ତଙ୍କ ସବୁ ଇଚ୍ଛା ପୂରଣ କରିଥାନ୍ତି ବୋଲି ମଧ୍ୟ କୁହାଯାଏ। ପଢନ୍ତୁ ଷୋହଳ ସୋମବାର ବ୍ରତ କଥା...

{"id":412775,"sizeSlug":"large","linkDestination":"none"}

ପୌରାଣିକ କଥା ଅନୁସାରେ, ଥରେ ଶ୍ରାବଣ ମାସରେ ଅନେକ ମୁନିଋଷି ଉଜ୍ଜେନ କ୍ଷିପ୍ରା ନଦୀରେ ସ୍ନାନ କରି ମହାକାଳ ଶିବଙ୍କୁ ଆରାଧନା କରିବାକୁ ଏକତ୍ରିତ ହୋଇଥିଲେ। ଜଣେ ରୁପସୀ ଅହଙ୍କାରୀ ମହିଳା ନିଜ କୁତ୍ସିତ ବିଚାର ଦ୍ୱାରା ଋଷିଙ୍କୁ ବିଭ୍ରାନ୍ତ କରିବାକୁ ଆସିଥିଲେ। କିନ୍ତୁ ସେଠାରେ ପହଞ୍ଚିବା ପରେ ଋଷିଙ୍କ ତପୋବଳ ପ୍ରଭାବରେ ମହିଳାଙ୍କ ଶରୀରର ସୁଗନ୍ଧ ଲୁପ୍ତ ହୋଇଗଲା। ସେ ଆଶ୍ଚର୍ଯ୍ୟ ଚକିତ ହୋଇ ନିଜ ଶରୀରକୁ ଦେଖିଥିଲେ। ତାଙ୍କୁ ଲାଗିଲା ତାଙ୍କ ସୌନ୍ଦର୍ଯ୍ୟ ମଧ୍ୟ ନଷ୍ଟ ହୋଇଯାଇଛି। ମହିଳାଙ୍କ ମନ ପରିବର୍ତ୍ତନ ହୋଇଗଲା ଓ ସେ ଭକ୍ତି ମାର୍ଗରେ ଚାଲିଲେ। ନିଜ ପାପର ପ୍ରାୟଶ୍ଚିତ ପାଇଁ ଋଷିଙ୍କୁ ଉପାୟ ପଚାରିଥିଲେ। ଋଷି କହିଥିଲେ, ସେ ଷୋହଳ ଶୃଙ୍ଗାର ବଳରେ ଅନେକ ଲୋକଙ୍କ ଧର୍ମଭ୍ରଷ୍ଟ କରିଛନ୍ତି। ଏହି ପାପରୁ ମୁକ୍ତି ପାଇଁ ତାଙ୍କୁ କାଶୀରେ ବାସ କରି ଷୋହଳ ସୋମବାର ବ୍ରତ ଓ ଭଗବାନ ଶିବଙ୍କୁ ପୂଜା କରିବାକୁ ହେବ ବୋଲି ଋଷି କହିଥିଲେ।

{"id":412776,"sizeSlug":"large","linkDestination":"none"}

ଋଷିଙ୍କ କହିବାନୁଯାୟୀ ମହିଳା ତାହା ହିଁ କଲେ ଓ ନିଜ ପାପର ପ୍ରାୟଶ୍ଚିତ ପାଇଁ ଶିବଲୋକରେ ପହଞ୍ଚିଲେ। ଶିବଙ୍କ କୃପାରୁ ସେ ସବୁ ପାପରୁ ମୁକ୍ତ ହେଲେ। ସେହିଦିନ ଠାରୁ ଆଚରଣ ଶୁଦ୍ଧତା ପାଇଁ ଷୋହଳ ସୋମବାର ବ୍ରତ ପାଳନ କରାଯାଏ। ଷୋହଳ ସୋମବାର ବ୍ରତ ଦ୍ୱାରା କନ୍ୟାଙ୍କୁ ସୁନ୍ଦର, ସୁଶୀଲ ଓ ଯୋଗ୍ୟ ସ୍ୱାମୀ ପ୍ରାପ୍ତ ହୋଇଥାଏ। ଠିକ ସେହିଭଳି ଯୁବକଙ୍କୁ ସୁନ୍ଦର, ସୁଶୀଲ ଓ ଯୋଗ୍ୟ ସ୍ତ୍ରୀ ପ୍ରାପ୍ତ ହୋଇଥାଏ। ମାସ ମାସ ମଧ୍ୟରେ ଶ୍ରାବଣ ମାସର ଅନେକ ମହତ୍ତ୍ୱ ରହିଛି। ଶ୍ରାବଣ ମାସରେ ଶିବଙ୍କୁ ପୂଜା କଲେ ସବୁ ଦେବତାଙ୍କ ପୂଜାର ଫଳ ପ୍ରାପ୍ତ ହୋଇଥାଏ।

(ଏହି ଖବର ରିସର୍ଚ୍ଚ ମାନ୍ୟତା ଆଧାରରେ ଲିଖିତ)

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.