ଯେ ପର୍ଯ୍ୟନ୍ତ ଭ୍ୟାକସିନ୍ ଆସିନି, ସେ ପର୍ଯ୍ୟନ୍ତ ସ୍ଥିତିକୁ ହାଲକା ନିଅନି, ଜାଣନ୍ତୁ ପ୍ରଧାନମନ୍ତ୍ରୀଙ୍କ ୧୦ ବଡ କଥା

Published By : Prameya-News7 Bureau | October 20, 2020 IST

ନୂଆଦିଲ୍ଲୀ ୨୦।୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର ସନ୍ଧ୍ୟାରେ ଦେଶକୁ ସମ୍ବୋଧିତ କରିଛନ୍ତି। କରୋନା କାଳରେ ପ୍ରଧାନମନ୍ତ୍ରୀଙ୍କ ଏହା ୭ମ ସମ୍ବୋଧନ। ପ୍ରଧାନମନ୍ତ୍ରୀ କହିଛନ୍ତି କରୋନା ବିପକ୍ଷ ଲଢେଇରେ ଦେଶର ସ୍ଥିତି ନିୟନ୍ତ୍ରଣରେ ରହିଛି। ତେଣୁ ଏମିତି ସ୍ଥିତିରେ ଅବହେଳା ଯେମିତି ଆମ ସମସ୍ତଙ୍କ ଉପରେ ଭାରି ନପଡେ। ତେଣୁ ୨ ମିଟର ଦୂରତା, ନିୟମିତ ହାତ ଧୋଇବା ଏବଂ ମାସ୍କ ଲଗାଇବାକୁ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ଅପିଲ୍ କରି କହିଛନ୍ତି, ଲକ୍‌ଡାଉନ୍‌ ସରିଥିଲେ ମଧ୍ୟ ଭାଇରସ୍‌ ଯାଇ ନାହିଁ।

୧ -  ଗତ ୭-୮ ମାସରେ ପ୍ରତ୍ୟେକ ଭାରତୀୟଙ୍କ ଉଦ୍ୟମରେ ଭାରତର ସ୍ଥିତି ଆଜି ନିୟନ୍ତ୍ରଣରେ ରହିଛି, ଆମେ ଏହାକୁ ବିଗାଡିବାକୁ ଦେବା ନାହିଁ ଏବଂ ଏଥିରେ ଆହୁରି ସୁଧାର କରିବା। ଆଜି ଦେଶରେ କରୋନା ସୁସ୍ଥହାର ଭଲ ରହିଛି। ମୃତ୍ୟୁହାର ମଧ୍ୟ ବହୁତ କମ ରହିଛି।

୨ - ପ୍ରଧାନମନ୍ତ୍ରୀ କହିଛନ୍ତି ଦୁନିଆର ସଂପନ୍ନ ଦେଶ ତୂଳନାରେ ଭାରତ ଅଧିକରୁ ଅଧିକ ନାଗରିକଙ୍କ ଜୀବନ ବଞ୍ଚାଇବାରେ ସଫଳ ହୋଇଛି। କୋଭିଡ୍ ମହାମାରୀ ବିରୋଧ ଲଢେଇରେ ଟେଷ୍ଟ ସଂଖ୍ୟା ଅଧିକ ରହିବା ଆମର ସବୁଠୁ ବଡ ଶକ୍ତି।  

୩ - ସେବା ପରମ ଧର୍ମ ମନ୍ତ୍ରରେ ଅଗ୍ରସର  ହୋଇ ଆମର ଡାକ୍ତର, ନର୍ସ ଏତେ ବଡ ଜନସଂଖ୍ୟାର ନିଃସ୍ଵାର୍ଥପର ଭାବେ ସେବା କରିଛନ୍ତି। ଏହି ସମୟ  ବେପରୁଆ ହେବାର ନାହିଁ। ଏହା ମଧ୍ୟ ଭାବିବା ନାହିଁ ଯେ କରୋନା ଚାଲି ଯାଇଛି କିମ୍ବା କରୋନାରେ ଆଉ କୌଣସି ବିପଦ ନାହିଁ।

୪ – ଅନେକ ଲୋକ ବର୍ତ୍ତମାନ ସାବଧାନ ରହିବା ବନ୍ଦ କରି ଦେଇଛନ୍ତି। ଯଦି ଏମିତି ବେପରୁଆ ହେବା ଏବଂ ବିନା ମାସ୍କରେ ବାହାକୁ ଯିବା ତେବେ ଆମେ ପରିବାରର ବୃଦ୍ଧ, ଛୋଟ ପିଲାଙ୍କୁ ସଙ୍କଟରେ ପକାଉଛେ।

୫ – ଆପଣ ଧ୍ୟାନ ଦିଅନ୍ତୁ, ଆଜି ଆମେରିକା ହେଉ କି ୟୁରୋପର ଅନ୍ୟ ଦେଶରେ କରୋନା ସଂକ୍ରମଣ କମ୍ ଥିଲା, ହେଲେ ଅଚାନକ ପୁଣି ଥରେ ବଢିଗଲା। ତେଣୁ ଏମିତି ସ୍ଥିତିରେ ଯେ ପର୍ଯ୍ୟନ୍ତ ପୂର୍ଣ୍ଣ ସଫଳତା ମିଳିନାହିଁ, ଅବହେଳା କରିବା ନାହିଁ।

୬ – ଯେ ପର୍ଯ୍ୟନ୍ତ ମହାମାରୀର ଭ୍ୟାକସିନ ଆସିନାହିଁ, ଆମକୁ କରୋନା ବିପକ୍ଷ ଲଢେଇକୁ ଦୁର୍ବଳ କରିବାର ନାହିଁ।

୭ – ଦଶନ୍ଧି ପରେ ଦେଖିବାକୁ ମିଳିଛି ଯେ, ମାନବତାକୁ ବଞ୍ଚାଇବା ପାଇଁ ଯୁଦ୍ଧସ୍ତରରେ କାମ ଚାଲିଛି। ଆମ ଦେଶର ବୈଜ୍ଞାନିକ ମଧ୍ୟ ଭ୍ୟାକସିନ ପାଇଁ ପୂରା ଦମରେ ଲାଗି ପଡିଛନ୍ତି। ଭାରତରେ ସଂପ୍ରତି କରୋନାର ଅନେକ ଭ୍ୟାକସିନ ଉପରେ କାମ ଚାଲିଛି।

୮ -  କରୋନା ଭ୍ୟାକସିନ ଯେବେ ବି ଆସିବ, ସମସ୍ତ ନାଗରିକଙ୍କ ପାଖକୁ କେମିତି ଶୀଘ୍ର ପହଞ୍ଚିବ ସରକାରଙ୍କ ପ୍ରସ୍ତୁତି ଜାରି ରହିଛି।

୯ – ଯେ ପର୍ଯ୍ୟନ୍ତ ଔଷଧ ନାହିଁ ସେ ପର୍ଯ୍ୟନ୍ତ ହାଲକା ହେବା ନାହିଁ। ଦୁଇ ମିଟର ବ୍ୟବଧାନ ରଖନ୍ତୁ, ନିୟମିତ ସାବୁନରେ ହାତ ଧୁଅନ୍ତୁ ଏବଂ ମାସ୍କ ପିନ୍ଧିବା ପ୍ରତି ଧ୍ୟାନ ଦିଅନ୍ତୁ।

୧୦ – ଏକ କଠିନ ସମୟରୁ ବାହାରି ଆମେ ଆଗକୁ ବଢୁଛେ, ଟିକେ ବି ଅବହେଳା ଆମର ଗତିକୁ ରୋକି ଦେଇପାରେ। ଆମର ଖୁସି ଛଡାଇ ନେଇ ଯାଇପାରେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.