ଆଇପିଏଲ ୨୦୨୦: ୪ର୍ଥ ଭାରତୀୟ ଭାବେ ଅରେଞ୍ଜ କ୍ୟାପ୍ ହାତେଇଲେ ରାହୁଲ

Published By : Prameya-News7 Bureau | November 11, 2020 IST

ନୂଆଦିଲ୍ଲୀ ୧୧/୧୧ : ଆଇପିଏଲ ସିଜିନ ୧୩ରେ ଚାମ୍ପିୟନ ହୋଇଛି ମୁମ୍ବାଇ ଇଣ୍ଡିଆନ୍ସ । ଏହା ସହ ଆଇପିଏଲ ଇତିହାସରେ ୫ମ ଥର ପାଇଁ ଟାଇଟଲ ହାତେଇଛି ମୁମ୍ବାଇ । ଗତକାଲି ଖେଳାଯାଇଥିବା ଫାଇନାଲ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସକୁ ୫ ଓ୍ବିକେଟରେ ହରାଇ ଚାମ୍ପିୟନ ଅଖ୍ୟା ଅର୍ଜନ କରିଛି ମମ୍ବାଇ ଇଣ୍ଡିଆନ୍ସ ।  ଏହା ସହ ଚଳିତ ଆଇପିଏଲରେ ସବୁଠାରୁ ସଫଳତମ ଟିମ ଭାବେ ମୁମ୍ବାଇ ସିଜିନ ସାରା ତାର ପ୍ରଭାବ ବିସ୍ତାର କରିଥିଲା ।

ଯଦି ଆଇପିଏଲ ଇତିହାସରେ ସବୁଠାରୁ ଅଧିକ ରନ ସ୍କୋରର କଥା କୁହାଯାଏ ତେବେ କିଙ୍ଗସ ଏକାଦସ ପଞ୍ଜାବର ଅଧିନାୟକ ଲୋକେଶ ରାହୁଲ (୬୭୦) ସବୁଠାରୁ ଅଧିକ ରନ ସ୍କୋର କରି ଅରେଞ୍ଜ୍ କ୍ୟାପ୍ ନିଜ ନାଁରେ କରିନେଇଛନ୍ତି ଯେଉଁଥିରେ ସର୍ବାଧିକ ସ୍କୋର ରହିଛି ୧୩୨ ରନ । ତେବେ ରାହୁଲ ୪ର୍ଥ ଭାରତୀୟ ଭାବେ ଏହି ସଫଳତା ହାତେଇଛନ୍ତି । ଏହା ପୂର୍ବରୁ ୩ ଜଣ ଭାରତୀୟ ବ୍ୟାଟ୍ସମ୍ୟାନ ଅରେଞ୍ଜ୍ କ୍ୟାପ୍ ହାତେଇଥିଲେ । ପ୍ରଥମ ଭାରତୀୟ କ୍ରିକେଟର ଭାବେ ସଚିନ ତେନ୍ଦୁଲକର(୬୧୮ରନ)  ଆଇପିଏଲ ସିଜିନ ୧୦ରେ ସର୍ବାଧିକ ସ୍କୋରର ଭାବେ ଅରେଞ୍ଜ୍ କ୍ୟାପ୍ ହାତେଇଥିଲେ । ଅବଶ୍ୟ ଏହି ସିଜିନରେ ଚେନ୍ନାଇ ସୁପରକିଙ୍ଗସ ଆଇପିଏଲ ଟ୍ରଫି ହାତେଇଥିଲା ।  ପରେ ୨୦୧୪ରେ କୋଲକାତା ନାଇଟ ରାଇଡର୍ସ ପକ୍ଷରୁ ରବିନ ଉଥପ୍ପା (୬୬୦ରନ) ଦ୍ବିତୀୟ ଭାରତୀୟ କ୍ରିକେଟର ଭାବେ ଏହି କୃତିତ୍ତ୍ବ ହାସଲ କରିଥିଲେ । ତୃତୀୟ କ୍ରିକେଟର ଭାବେ ୨୦୧୬ରେ ରୟାଲ ଚ୍ୟାଲେଞ୍ଜର ବେଙ୍ଗାଲୁରୁ ପକ୍ଷରୁ ବିରାଟ କୋହଲି ସର୍ବାଧିକ ଆଇପିଏଲ (୯୭୩ ରନ) ସ୍କୋର କରି ଅରେଞ୍ଜ କ୍ୟାପ ନିଜ ନାଁରେ କରିନେଇଥିଲେ ।

ପ୍ରଥମ ସିଜିନରେ ଅଷ୍ଟେ୍ରଲିଆର ସନ୍ ମାର୍ଶ ଅରେଞ୍ଜ କ୍ୟାପ ହାସଲ କରିଥିଲେ । ସେହିପରି ଅଷ୍ଟେ୍ରଲିଆର ଆଉଜଣେ ବ୍ୟାଟିଂ ମହାରଥୀ ଡେଭିଡ ଓ୍ବାର୍ଣ୍ଣର ତିନି ଥର ଅରେଞ୍ଜ କ୍ୟାପ ହାତେଇଛନ୍ତି । ୨୦୧୫, ୨୦୧୭ ଏବଂ ୨୦୧୯ରେ ଅରେଞ୍ଜ କ୍ୟାପ ହାତେଇଥିଲେ ଓ୍ବାର୍ଣ୍ଣର । ସେହିପରି ଓ୍ବେଷ୍ଟଇଣ୍ଡିଜର ବାମହାତୀ ବ୍ୟାଟ୍ସମ୍ୟାନ କ୍ରିସ୍ ଗେଲ ୨ ଥର ଅରେଞ୍ଜ କ୍ୟାପ ହାତେଇଛନ୍ତି । 

ଆଇପିଏଲ ସିଜିନ ୧୩ରେ କେ. ଏଲ. ରାହୁଲ ଅରେଞ୍ଜ୍ କ୍ୟାପ୍ ହାତେଇଥିଲେ ସୁଦ୍ଧା ତାଙ୍କ ଟିମ ପ୍ଲେ ଅଫରେ ପ୍ରବେଶ କରିପାରିନଥିଲା । ଅନ୍ୟ ପକ୍ଷରେ ସଚିନ ତେନ୍ଦୁଲକର, ରବିନ ଉଥାପା ଏବଂ ବିରାଟ କୋହଲି ଅରେଞ୍ଜ୍ କ୍ୟାପ୍ ହାତେଇଥିବା ସିଜିନରେ ସେମାନଙ୍କ ଟିମ ଫାଇନାଲ ଖେଳିଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.