କିଏ ହେବେ ଟି-୨୦ ଫର୍ମାଟର ଉପଅଧିନାୟକ ? ରେସରେ ଏହି ୩ ଷ୍ଟାର ଖେଳାଳି

Published By : Prameya-News7 Bureau | September 17, 2021 IST

ନୂଆଦିଲ୍ଲୀ ୧୭/୦୯ : ଟ୍ବେଣ୍ଟି ଟ୍ବେଣ୍ଟି ଫର୍ମାଟର ଅଧିନାୟକ ପଦରୁ ଇସ୍ତଫା ଘୋଷଣା କରିସାରିଛନ୍ତି ବିରାଟ କୋହଲି । ଆସନ୍ତା ଟି-୨୦ ବିଶ୍ବକପ ପରେ ସେ ଅଧିନାୟକ ପଦ ଛାଡିବା ନେଇ ଟ୍ବିଟ୍‌ କରି ସୂଚନା ଦେଇସାରିଛନ୍ତି । ତେବେ ଟ୍ବେଣ୍ଟି ଟ୍ବେଣ୍ଟିରେ ଉପଅଧିନାୟକ ପଦ କାହାକୁ ମିଳିବ ସେ ନେଇ ଚର୍ଚ୍ଚା ଜୋର ଧରିଛି ।

ଉପଅଧିନାୟକ ଦୌଡରେ ୩ ଜଣଙ୍କ ନାଁ ସାମ୍ନାକୁ ଆସିଛି । ଷ୍ଟାର ବ୍ୟାଟ୍ସମ୍ୟାନ ଲୋକେସ୍‌ ରାହୁଲ, ଋଷଭ ପନ୍ତଙ୍କ ସମେତ ଭାଇସ୍‌ କ୍ୟାପଟେନ୍‌ ଦୌଡରେ ରହିଛନ୍ତି ଅଭିଜ୍ଞ ବୋଲର ଜସପ୍ରୀତ ବୁମରାହ । ବିରାଟ କୋହଲି ଟି ୨୦ ଅଧିନାୟକ ପଦରୁ ଇସ୍ତଫା ଦେବାନେଇ ଘୋଷଣା କରିବା ପରେ ଏ ନେଇ ଆରମ୍ଭ ହୋଇଯାଇଛି ଚର୍ଚ୍ଚା ।

ବିରାଟ କୋହଲିଙ୍କ ପରେ ଟି-୨୦ ଟିମର ଅଧିନାୟକ କିଏ ହେବେ ସେ ନେଇ କଳ୍ପନାଜଳ୍ପନା ଲାଗିରହିଛି । ଶୁଣିବାକୁ ମିଳୁଛି ଯେ ରୋହିତ ଶର୍ମା ଭାରତୀୟ ଦଳର ନେତୃତ୍ବ ନେଇପାରନ୍ତି । ଅଧିନାୟକ ଦୌଡରେ ରୋହିତ ଶର୍ମା ନାଁ ସବୁଠାରୁ ଅଧିକ ଚର୍ଚ୍ଚା ହେଉଥିବା ବେଳେ ବିକଳ୍ପ ମଧ୍ୟ କେହି ନଥିବା ଭଳି ମନେ ହେଉଛି । କାରଣ ଅଭିଜ୍ଞତା ଦୃଷ୍ଟିରୁ ରୋହିତ ବେଶ୍‌ ଆଗରେ ରହିଛନ୍ତି । ପୂର୍ବରୁ ମଧ୍ୟ ସେ କିଛି ମ୍ୟାଚରେ ଅଧିନାୟକ ଦାୟିତ୍ବ ତୁଲାଇସାରିଛନ୍ତି ।

{"width":825,"height":516}
Jasprit Bumrah, KL Rahul and Rishabh Pant

ତେଣୁ ଯଦି ରୋହିତ ଶର୍ମା ଅଧିନାୟକ ଦାୟିତ୍ବ ପାଆନ୍ତି ତେବେ ଉପଅଧିନାୟକ ପଦବୀ ଖାଲି ରହିବ । ସେହି ସ୍ଥାନରେ ଲୋକେସ ରାହୁଲ, ଋଷଭ ପନ୍ତ କିମ୍ବା ବୁମରାହଙ୍କୁ ଉପଅଧିନାୟକ କରାଯାଇପାରେ । ଆଇପିଏଲରେ ରାହୁଲ ଏବଂ ପନ୍ତ ଅଧିନାୟକ ଦାୟିତ୍ବ ତୁଲାଉଛନ୍ତି । ସେହି ଦୃଷ୍ଟିକୋଣରୁ ତାଙ୍କୁ ଦାବିଦାର ଭାବେ ନିଆଯାଉଛି । ଏପଟେ ସ୍ପିଡ୍‌ ଷ୍ଟାର ଜସପ୍ରୀତ ବୁମରାହଙ୍କୁ ଡାର୍କହର୍ଷ ଭାବେ ନେଇପାରେ ବିସିସିଆଇ ।

ଅନ୍ୟପଟେ ଦେଖିବାକୁ ଗଲେ ରୋହିତଙ୍କ ବୟସାଧିକ କାରଣରୁ ତାଙ୍କୁ ଅଧିନାୟକ ପଦ ଦିଆଯାଇନପାରେ । ଏକ ରିପୋର୍ଟ ଅନୁଯାୟୀ ଆଗାମୀ ଦିନରେ ଲୋକେସ ରାହୁଲଙ୍କୁ ଦିନିକିଆ ଏବଂ ଋଷଭ ପନ୍ତଙ୍କୁ ଟ୍ବେଣ୍ଟି ଟ୍ବେଣ୍ଟି ଟିମର ଅଧିନାୟକ ଭାର ମିଳିପାରେ । ଏହା ମଧ୍ୟ ଶୁଣିବାକୁ ମିଳୁଛି ଯେ, ବିରାଟ କୋହଲି ଏବଂ ମୁଖ୍ୟ କୋଚ୍‌ ରବି ଶାସ୍ତ୍ରୀଙ୍କ ଉପରେ ଖପ୍ପା ରହିଛି ବିସିସିଆଇ । ବିଭିନ୍ନ ସମୟରେ ଉଭୟଙ୍କ ନିଷ୍ପତ୍ତିକୁ ନେଇ ବିସିସିଆଇ ଅରାଜକତା ପ୍ରକାଶ କରିଛି । ତେଣୁ ବିରାଟଙ୍କ ବିକଳ୍ପ ଯଦି ରୋହିତ ହୁଅନ୍ତି ତେବେ ଉପଅଧିନାୟକ ଦାୟିତ୍ବ କିଏ ନେବେ ତାହା ଉପରେ ନଜର ରହିଛି ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.