କୋହଲିଙ୍କ ପରେ ଲୋକେସ ରାହୁଲ : ନ୍ୟୁଜିଲାଣ୍ଡ ବିପକ୍ଷ ସିରିଜ ପାଇଁ ଟିମ ଇଣ୍ଡିଆର ନେତୃତ୍ବ ନେଇ ବଡ ଚର୍ଚ୍ଚା

Published By : Prameya-News7 Bureau | November 02, 2021 IST

ନୂଆଦିଲ୍ଲୀ ୦୨/୧୧ : ଆଇସିସି ଟ୍ବେଣ୍ଟି ଟ୍ବେଣ୍ଟି ବିଶ୍ବକପ ପରେ ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଟି ୨୦ ସିରିଜ୍‌ ଖେଳାଯିବ । ବିଶ୍ବକପ ପରେ ଅଧିନାୟକ ବିରାଟ କୋହଲି ଅଧିନାୟକ ପଦ ଛାଡିବା ନେଇ ଘୋଷଣା କରିସାରିଛନ୍ତି । ତେବେ ବଡ କଥା ହେଉଛି ନ୍ୟୁଜିଲାଣ୍ଡ ବିପକ୍ଷ ସିରିଜ୍‌ରେ କିଏ ସମ୍ଭାଳିବ ଭାରତୀୟ ଟିମର ଅଧିନାୟକ ଭାର । ବିଶ୍ବକପ ପରେ କିଛି ସିନିୟର ଖେଳାଳିଙ୍କୁ ବିଶ୍ରାମ ଦେବାକୁ ଯୋଜନା କରୁଛି ବିସିସିଆଇ । ଏହା ହେଲେ ଜଣେ ଯୁବ ଖେଲାଳିଙ୍କୁ ନ୍ୟୁଜିଲାଣ୍ଡ ବିପକ୍ଷ ସିରିଜ୍‌ ପାଇଁ ଅଧିନାୟକ ଦାୟିତ୍ବ ମିଳିବ ।

ନ୍ୟୁଜିଲାଣ୍ଡ ବିପକ୍ଷ ସିରିଜ ପାଇଁ ଦଳର ବରିଷ୍ଠ ଖେଳାଳି ରୋହିତ ଶର୍ମା, ଜଶପ୍ରୀତ ବୁମରାହ ଏବଂ ବିରାଟ କୋହଲିଙ୍କୁ ବିଶ୍ରାମ ଦିଆଯାଇପା​‌ରେ । ଏହା ହେଲେ ଲୋକେସ ରାହୁଲଙ୍କୁ ସିରିଜ୍‌ରେ ଅଧିନାୟକ ଦାୟିତ୍ବ ଦିଆଯାଇପା​ରେ । ଋଷଭ ପନ୍ତ ମଧ୍ୟ ଏହି ଦୌଡରେ ରହିଛନ୍ତି । କେଏଲ୍‌ ରାହୁଲ ଆଇପିଏଲରେ ପଞ୍ଜାବ କିଙ୍ଗସ୍‌ ପାଇଁ ଅଧିନାୟକତ୍ବ କରୁଥିବା ବେଳେ ପନ୍ତ ଦିଲ୍ଲୀ କ୍ୟାପିଟାଲ୍ସ ଟିମର ଅଧିନାୟକ ରହିଛନ୍ତି । ଏହି ଦୁଇ ଯୁବ ଖେଳାଳିଙ୍କ ମଧ୍ୟରୁ ଜଣଙ୍କୁ ଗୁରୁ ଦାୟିତ୍ବ ମିଳିପାରେ ।

ଗତ କିଛି ମାସ ହେଲା ଖେଳାଳିମାନଙ୍କୁ ଆଦୌ ବିଶ୍ରାମ ମିଳିନାହିଁ । ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜରୁ ଟି ୨୦ ବିଶ୍ବକପ ଯାଏଁ ଟିମ ଇଣ୍ଡିଆ ଲଗାତାର ଭାବେ କ୍ରିକେଟ ଖେଳିଚାଲିଛି । ତେଣୁ ଖେଳାଳିମାନଙ୍କୁ ନିହାତି ଭାବେ ବିଶ୍ରାମ ଆବଶ୍ୟକ । ଟି ୨୦ରେ ଭାରତୀୟ ଦଳର ପ୍ରମୁଖ ଖେଳାଳି ହେଉଛନ୍ତି କେଏଲ ରାହୁଲ । ତେଣୁ ତାଙ୍କୁ ଦଳର ଅଧିନାୟକ ଭାର ମିଳିବା ପ୍ରାୟ ସ୍ପଷ୍ଟ ଜଣାପଡୁଛି ।

ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ନଭେମ୍ବର ୧୭ ତାରିଖରୁ ୨୧ ଯାଏଁ ୩ ଟିକିଆ ଟ୍ବେଣ୍ଟି ଟ୍ବେଣ୍ଟି ସିରିଜ ଖେଳାଯିବ । ପ୍ରଥମ ମ୍ୟାଚ ନଭେମ୍ବର ୧୭ ତାରିଖ ଜୟପୁରରେ ଖେଳାଯିବାକୁ ଥିବା ବେଳେ, ଦ୍ବିତୀୟ ମ୍ୟାଚ ୧୯ ତାରିଖ ରାଞ୍ଚି ଏବଂ ଶେଷ ମ୍ୟାଚ ୨୧ ତାରିଖ କୋଲକାତାରେ ଖେଳାଯିବ । ଏହା ପରେ ଉଭୟ ଦଳ ମଧ୍ୟରେ ୨ ମ୍ୟାଚ ବିଶିଷ୍ଟ ଟେଷ୍ଟ ମ୍ୟାଚ ଖେଳାଯିବ । ଉଭୟ ସିରିଜ ପାଇଁ ପ୍ରଶଂସକଙ୍କୁ ଷ୍ଟାଡିୟମ ଭିତରକୁ ପ୍ରବେଶ ପାଇଁ ଅନୁମତି ମଧ୍ୟ ମିଳିପାରେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.