ଭାରତୀୟ ଦଳରୁ ବାଦ୍‌ ପଡିଯିବେନି ତ ଖୋଦ୍‌ ଅଧିନାୟକ! ଧାଓ୍ବନ ଫର୍ମରେ ଅଛନ୍ତି, ରୋହିତ ଫେରିବା ପରେ ରାହୁଲଙ୍କର କ’ଣ ହେବ?

Published By : Prameya-News7 Bureau | January 24, 2022 IST

ନୂଆଦିଲ୍ଲୀ ୨୪/୦୧: ଦକ୍ଷିଣ ଆଫ୍ରିକା ବିପକ୍ଷରେ ଦିନିକିଆ ସିରିଜ୍‌ ମୂଳପୋଛ ହେବାପରେ ମାନସମନ୍ଥନ ଜାରି ରଖିଛି ଟିମ୍‌ ଇଣ୍ଡିଆ ।  ଭାରତର ଆଗାମୀ ସିରିଜ୍ ଓ୍ବେଷ୍ଟଇଣ୍ଡିଜ ବିପକ୍ଷରେ ଅଛି । କିନ୍ତୁ ଆଗକୁ ଟି-ଟ୍ବେଣ୍ଟି ବିଶ୍ବକପ ଥିବାରୁ ମ୍ୟାନେଜ୍‌ମେଣ୍ଟ ନଜର ଏବେ ତାହା ଉପରେ ରହିଛି । ଅଧିନାୟକ ଲୋକେସ୍‌ ରାହୁଲଙ୍କ ନେତୃତ୍ବରେ ଦକ୍ଷିଣ ଆଫ୍ରିକାରେ ଦିନିକିଆ ସିରିଜ୍‌ ୦-୩ରେ ହାରିବା ପରେ ଅନେକ ପ୍ରଶ୍ନ ଉଠୁଛି । କିନ୍ତୁ ବର୍ତ୍ତମାନ ଆଉ ଏକ ବଡ ପ୍ରଶ୍ନ ଟିମ୍‌ ମ୍ୟାନେଜମେଣ୍ଟର ମୁଣ୍ଡ ବିନ୍ଧାର କାରଣ ପାଲଟିଛି ।

ବିରାଟ କୋହଲିଙ୍କୁ ଦିନିକିଆ ଅଧିନାୟକ ପଦରୁ ହଟାଯିବା ପରେ ପୂର୍ଣ୍ଣ କାଳୀନ କ୍ୟାପଟେନ୍‌ ହୋଇଛନ୍ତି ରୋହିତ ଶର୍ମା । ତେବେ ସେ ଆହତ କାରଣରୁ ଦଳରୁ ବାହାରେ ଥିବାରୁ ଅଧିନାୟକ ଭାର ରାହୁଲଙ୍କ ହାତରେ ରହିଥିଲା । ତେବେ ରୋହିତ ଶର୍ମା ଫେରିବା ପରେ ଦଳରେ ରାହୁଲଙ୍କ ରୋଲ୍‌ କଣ ରହିବ । କାରଣ ଦ. ଆଫ୍ରିକା ବିପକ୍ଷ ସିରିଜ୍‌ରେ କମାଲ କରିଛନ୍ତି ଶିଖର ଧାଓ୍ବନ । ପୂର୍ବରୁ ରୋହିତ-ଧାଓ୍ବନ ଯୋଡି ଭାରତୀୟ ଦଳକୁ ବେଶ୍ କିଛିଦିନ ଧରି ସଫଳତା ଦେବାରେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ । ସେ ଦୃଷ୍ଟିରୁ ଦେଖିବାକୁ ଗଲେ ଆଗାମୀ ସିରିଜ୍‌ମାନଙ୍କରେ ମଧ୍ୟ ଧାଓ୍ବନରେ ଦଳରେ ରହିବା ପ୍ରାୟତଃ ସ୍ପଷ୍ଟ । ଏହା ହେଲେ ଲୋକେସ୍‌ ରାହୁଲ କେଉଁ ସ୍ଥାନରେ ଖେଳିବେ? ବିଶ୍ବକପ ପାଇଁ ମଧ୍ୟ ଗବ୍ବର-ହିଟ୍‌ମ୍ୟାନ୍‌ ଯୋଡି ସୁପରହିଟ୍‌ ପ୍ରମାଣିତ ହୋଇପାରେ ।

ରୋହିତ ଶର୍ମା ଏବଂ ଶିଖର ଧାଓ୍ବନଙ୍କ ଯୋଡି ରେକର୍ଡ କଥା କହିବାକୁ ଗଲେ, ଉଭୟ ମୋଟ ୧୧୦ ମ୍ୟାଚ୍‌ରୁ ୪୫.୬୬ ହାରରେ ୪୯୭୮ ରନ ସଂଗ୍ରହ କରିଛନ୍ତି । ଉଭୟଙ୍କ ମଧ୍ୟରେ ଶତକୀୟ ଇନିଂସ ୧୭ଟି ରହିଥିବା ବେଳେ ସର୍ବାଧିକ ସ୍କୋର ରହିଛି ୨୧୦ ରନ୍ । ଉଭୟଙ୍କ ଓପନିଂ ରେକର୍ଡ ଦମଦାର ଥିବାରୁ ଲୋକେସ ରାହୁଲ ପ୍ରଥମେ ବ୍ୟାଟିଂ କରିବା ପ୍ରାୟତଃ ଅସମ୍ଭବ । ତୃତୀୟରେ କୋହଲିଙ୍କ ସ୍ଥାନ ପକ୍କା ଥିବାରୁ ରାହୁଲ ସେଠି ମଧ୍ୟ ଖେଳିପାରିବେନି । ତେଣୁ ରାହୁଲ ମିଡିଲ ଅର୍ଡରରେ ଖେଳିପାରନ୍ତି । ମଧ୍ୟ କ୍ରମରେ ବି ସମସ୍ୟା​‌ ରହିଛି । କାରଣ ରାହୁଲଙ୍କ ମିଡିଲ ଅର୍ଡରରେ ଖେଳାଇଲେ ଋଷଭ ପନ୍ତ, ଶ୍ରେୟସ ଆୟର ଏବଂ ସୂର୍ଯ୍ୟକୁମାର ଯାଦବଙ୍କ ମଧ୍ୟ ଜଣଙ୍କୁ ବାହାରେ ବସାଇବାକୁ ହେବ ।

ଓ୍ବିକେଟ୍‌ କିପର ଭାବେ ପନ୍ତ ଜବରଦସ୍ତ ଥିବାରୁ ଏବଂ ସେ ଦଳରେ ପ୍ରାୟ ରହିବେ । ଅନ୍ୟପଟେ ସୂର୍ଯ୍ୟକୁମାର ଯାଦବଙ୍କୁ ଦକ୍ଷିଣ ଆଫ୍ରିକା ବିପକ୍ଷ ଦିନିକିଆ ସିରିଜ୍‌ର ଶେଷ ମ୍ୟାଚ୍‌ରେ ସୁଯୋଗ ମିଳିଥିବା ବେଳେ ସେ ଏହାର ଭରପୂର ଫାଇଦା ଉଠାଇଛନ୍ତି । ତେଣୁ ଆଗାମୀ ଦିନରେ ତାଙ୍କ ମଧ୍ୟ ଖେଳାଯିବା ନେଇ ଜଣାପଡୁଛି । ଶ୍ରେୟସ ଆୟରଙ୍କ ମୁଣ୍ଡରେ ଖଣ୍ଡା ଝୁଲୁଛି । କାରଣ ଦ. ଆଫ୍ରିକା ବିପକ୍ଷ ସିରିଜ୍‌ରେ ଆଖି ଦୃର୍ଶୀୟ ପ୍ରଦର୍ଶନ କରିନାହାନ୍ତି ଆୟର । ତେଣୁ ଶ୍ରେୟସ ଆୟରଙ୍କୁ ବାଦ୍‌ ଦିଆଯାଇ ୪ନଂରେ ରାହୁଲ ଏବଂ ୫ ନଂରେ ପନ୍ତଙ୍କୁ ସୁଯୋଗ ଦିଆଯାଇପାରେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.