କେଏଲ ରାହୁଲ ହେଲେ ଭାରତର ୨୬ତମ ଦିନିକିଆ ଅଧିନାୟକ, କ'ଣ ଆପଣ ଜାଣିଛନ୍ତି ପ୍ରଥମ ODI କ୍ୟାପଟେନଙ୍କ ନାଁ ?

Published By : Prameya-News7 Bureau | January 19, 2022 IST

ନୂଆଦିଲ୍ଲୀ ୧୯।୦୧: ଭାରତୀୟ କ୍ରିକେଟ୍‌କୁ କେଏଲ ରାହୁଲଙ୍କ ରୂପେ ଜଣେ ନୂତନ ଅଧିନାୟକ ମିଳି ଯାଇଛି। କେଏଲ ରାହୁଲ ବୁଧବାରଠୁ ଆରମ୍ଭ ହୋଇଥିବା ଦକ୍ଷିଣ ଆଫ୍ରିକା ବିପକ୍ଷ ଦିନିକିଆ ସିରିଜ୍‌ରେ ଦଳର ନେତୃତ୍ଵ ନେଇଛନ୍ତି। ଦଳର ନେତୃତ୍ଵ ନେବାରେ ସେ ହେଉଛନ୍ତି ୨୬ତମ ଖେଳାଳି। ନିୟମିତ ଅଧିନାୟକ ରୋହିତ ଶର୍ମା ଆହତ କାରଣରୁ ଦକ୍ଷିଣ ଆଫ୍ରିକା ଦିନିକିଆ ସିରିଜ୍ ଖେଳୁ ନାହାନ୍ତି। ତେଣୁ ଉପ ଅଧିନାୟକ ରାହୁଲଙ୍କୁ ଦଳର ନେତୃତ୍ଵ ଦାୟିତ୍ଵ ଦିଆଯାଇଛି। ଆସନ୍ତୁ ଜାଣିବା ଏ ପର୍ଯ୍ୟନ୍ତ ଭାରତର ନେତୃତ୍ଵ ନେଇଥିବା ଅଧିନାୟକଙ୍କ ବିଷୟରେ...

- ଭାରତ ପ୍ରଥମ ଦିନିକିଆ ୧୯୭୪ରେ ଖେଳିଥିଲା। ଏହି ମ୍ୟାଚ୍‌ରେ ଭାରତୀୟ ଦଳର ଅଧିନାୟକ ଥିଲେ ଅଜିତ୍ ଓ୍ଵାଦେକର। ତାଙ୍କୁ ଦୁଇଟି ଦିନିକିଆ ମ୍ୟାଚ୍‌ରେ ଦଳର ନେତୃତ୍ଵ ନେବାର ସୁଯୋଗ ମିଳିଥିଲା।

- ଭାରତର ଦ୍ଵିତୀୟ ଅଧିନାୟକ ହେଉଛନ୍ତି ଏସ.ଭେଙ୍କଟରାଘବନ। ସେ ୧୯୭୫ ଏବଂ ୧୯୭୯ ବିଶ୍ଵ କପ୍‌ରେ ଭାରତର ନେତୃତ୍ଵ ନେଇଥିଲେ।

- କପିଲ ଦେବ ଅଧିନାୟକ ଭାବେ ଭାରତକୁ ପ୍ରଥମ ବିଶ୍ଵ କପ୍ ଜିତାଇଛନ୍ତି। ସେ ଥିଲେ ଭାରତ ଷଷ୍ଠ ଦିନିକିଆ ଅଧିନାୟକ। ତାଙ୍କ ପୂର୍ବରୁ ବିଶେନ ସିଂହ ବେଦୀ, ସୁନିଲ ଗାଭାସ୍କର ଏବଂ ଗୁଣ୍ଡପ୍ପା ବିଶ୍ଵନାଥନ ଦଳର ନେତୃତ୍ଵ ନେଇଥିଲେ।

- ମହମ୍ମଦ ଆଝାରୁଦ୍ଦୀନ ଭାରତର ପ୍ରଥମ ଅଧିନାୟକ ଥିଲେ, ଯିଏ ୧୦୦ରୁ ଅଧିକ ଦିନିକିଆରେ ଦଳର ଅଧିନାୟକ ଥିଲେ। ସେ ୧୭୪ ଦିନିକିଆରେ ଦଳର ନେତୃତ୍ଵ  ନେଇ ୯୦ଟି ମ୍ୟାଚ୍ ଜିତାଇଛନ୍ତି।

- ଏମଏସ ଧୋନୀ ସବୁଠୁ ଅଧିକ ଦିନିକିଆ ମ୍ୟାଚ୍‌ରେ ଅଧିନାୟକତ୍ଵ କରିବାରେ ଆଝାରୁଦ୍ଦୀନଙ୍କ ରେକର୍ଡ ଭାଙ୍ଗିଥିଲେ। ସେ ୨୦୦ ଦିନିକିଆରେ ଭାରତର ନେତୃତ୍ଵ ନେଇଛନ୍ତି ଏବଂ ଦଳକୁ  ବିଶ୍ଵ କପ୍ ଜିତାଇଛନ୍ତି।

- ଏମଏସ ଧୋନୀଙ୍କ ପରେ ବିରାଟ କୋହଲି ଦଳର ଅଧିନାୟକ ହେଲେ। କୋହଲିଙ୍କ ଅଧିନାୟକତ୍ଵରେ  ଭାରତ ୯୫ଟି ମ୍ୟାଚ୍‌ରୁ ୬୫ଟିରେ ବିଜୟୀ ହୋଇଛି। ଭାରତର ଯେଉଁ ଅଧିନାୟକ ୨୦ରୁ ଅଧିକ ମ୍ୟାଚ୍‌ରେ ଦଳର ନେତୃତ୍ଵ ନେଇଛନ୍ତି, ସେଥିରୁ କୋହଲିଙ୍କ ବିଜୟ ପ୍ରତିଶତ(୭୦) ସବୁଠୁ ଅଧିକ ରହିଛି।

- ରୋହିତ ଶର୍ମାଙ୍କୁ ବିରାଟ କୋହଲିଙ୍କ ସ୍ଥାନରେ ଭାରତୀୟ ଦିନିକିଆ ଦଳର ନିୟମିତ ଅଧିନାୟକ କରାଯାଇଛି। ସେ ସୁସ୍ଥ ହେଲେ ରାହୁଲଙ୍କ ସ୍ଥାନ ନେବେ। ଆଉ ରାହୁଲ ଉପ ଅଧିନାୟକ ଦାୟିତ୍ଵ ତୁଲାଇବେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.