କେଏଲ ରାହୁଲଙ୍କ ପାଖରେ ଏବେବି ଅରେଞ୍ଜ୍ କ୍ୟାପ୍, ବୁମରାହଙ୍କ ନିକଟରେ ଅଛି ପର୍ପଲ୍

Published By : Prameya-News7 Bureau | November 02, 2020 IST

ଦୁବାଇ, ୦୨୧୧:   ଆଇପିଏଲ-୨୦୨୦ରେ କିଙ୍ଗସ୍ ଏକାଦଶ ପଞ୍ଜାବର ଯାତ୍ରା ଶେଷ ହୋଇଛି । କିନ୍ତୁ ଦଳର ଅଧିନାୟକ କେଏଲ ରାହୁଲ ଏବେବି ଲିଗରେ ସବୁଠାରୁ ଅଧିର ରନ୍ କରିଥିବା ବ୍ୟାଟସମ୍ୟାନ୍ ଅଟନ୍ତି । ତେଣୁ ଅରେଞ୍ଜ କ୍ୟାପ୍ ତାଙ୍କ ପାଖରେ ରହିଛି । ସେହିପରି ମୁମ୍ବାଇ ଇଣ୍ଡିଆନ୍ସର ଜସପ୍ରିତ ବୁମରାହ ବୋଲର ତାଲିକାରେ ଆଗରେ ରହିଛନ୍ତି । ତାଙ୍କ ପାଖରେ ପର୍ପଲ କ୍ୟାପ୍ ରହିଛି ।

ଚେନ୍ନାଇ ସୁପର କିଙ୍ଗସ୍ ବିରୋଧରେ ଖେଳାଯାଇଥିବା ମୁକାବିଲାରେ ରାହୁଲ ୨୯ ରନ୍ କରିଥିଲେ । ଏହାସହ ୧୪ଟି ମ୍ୟାଚରେ ୬୭୦ ରନ୍ ସ୍କୋର କରିଛନ୍ତି । ଏହି ମ୍ୟାଚରେ ପଞ୍ଜାବ ୯  ଓ୍ୱିକେଟରେ ହାରି ଟୁର୍ଣ୍ଣାମେଣ୍ଟରୁ ବାଦ୍ ପଡିଛି ।

ରାହୁଲଙ୍କ ପରେ ଦିଲ୍ଲୀ କ୍ୟାପିଟାଲ୍ସର ବ୍ୟାଟସମ୍ୟାନ୍ ଶିଖର ଧାଓ୍ୱନଙ୍କ ନମ୍ବର ରହିଛି । ସେ ୧୩ଟି ମ୍ୟାଚରେ ୪୭୧ ରନ୍ କରିଛନ୍ତି । ତୃତୀୟ ସ୍ଥାନରେ ଫାପ୍ ଡୁପ୍ଲେସିସ୍ ରହିଛନ୍ତି । ସେ ୧୩ ଟି ମ୍ୟାଚରେ ୪୪୯ ରନ୍ କରିଛନ୍ତି ।

ଏତତ୍ ବ୍ୟତୀତ ଜସପ୍ରିତ ବୁମରାହ ୧୩ଟି ମ୍ୟାଚରେ ୨୩ ଟି ଓ୍ୱିକେଟ୍ ନେଇଛନ୍ତି । ଦ୍ୱିତୀୟ ସ୍ଥାନରେ କେଗିସୋ ରାବଡା ରହିଛନ୍ତି । ସେ ମଧ୍ୟ ୨୩ଟି ଓ୍ୱିକେଟ ନେଇଛନ୍ତି । କିନ୍ତୁ ଇକୋନୋମି ରେଟରେ ବୁମରାହ ଆଗରେ ରହିଛନ୍ତି ।

ଆହୁରି ମଧ୍ୟ ରାଜସ୍ଥାନ ରୟାଲ୍ସର ଜୋଫ୍ରା ଆର୍ଚର ତୃତୀୟ ସ୍ଥାନରେ ରହିଛନ୍ତି । ସେ ୧୪ଟି ମ୍ୟାଚ୍ ଖେଳି ୨୦ ଓ୍ୱିକେଟ୍ ନେଇଛନ୍ତି ।

ସୂଚନାଯୋଗ୍ୟ, ଆଇପିଏଲର ଲିଗ୍ ମ୍ୟାଚ୍ ଶେଷ ହେବାକୁ ଯାଉଛି । ଆଉ ମାତ୍ର ଦୁଇଟି ଲିଗ୍ ମ୍ୟାଚ୍ ବାକି ରହିଛି । ଏହି ଦୁଇଟି ମ୍ୟାଚ୍ ପ୍ଲେ ଅଫର ତିନୋଟି ଖାଲି ସ୍ଥାନ ପୂରଣ କରିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.