ଆବୁଧାବି ୨୧।୧୦: ସ୍ଵିଙ୍ଗ ବୋଲର ମହମ୍ମଦ ସିରାଜଙ୍କ ଘାତକ ବୋଲିଂ(୮/୩) ବଳରେ ରୟାଲ ଚ୍ୟାଲେଞ୍ଜର୍ସ ଆଇପିଏଲରେ କୋଲକାତା ନାଇଟ୍ ରାଇଡର୍ସଙ୍କୁ ୮ ଓ୍ଵିକେଟ୍ରେ ୮୪ ରନରେ ସୀମିତ ରଖିଛି। ସିରାଜ ୪ ଓଭରରେ ୮ ରନ ଦେଇ ୩ ଓ୍ଵିକେଟ୍ ନେଇଛନ୍ତି। ଗୋଟିଏ ସମୟରେ ତାଙ୍କର ବୋଲିଂ ବିଶ୍ଳେଷଣ ୨ ଓଭର, ୨ ମେଡେନ, ୩ ଓ୍ଵିକେଟ୍ ରହିଥିଲା। ଲେଗ୍ ସ୍ପିରନ ୟୁଜବେନ୍ଦ୍ର ଚହଲ ୧୫ ରନ ଦେଇ ୨ ଓ୍ଵିକେଟ୍ ଓ ଅଫ ସ୍ପିନର ଓ୍ଵାଶିଂଟନ ସୁନ୍ଦର ୧୪ ରନ ଦେଇ ୧ ଓ୍ଵିକେଟ୍ ନେଇଛନ୍ତି। ଅନ୍ୟପଟେ ୮୪ ରନ ସ୍କୋର କୋଲକାତାର ଆଇପିଏଲ ଇତିହାସରେ ଦ୍ଵିତୀୟ ସର୍ବନିମ୍ନ ସ୍କୋର ଏବଂ ଚଳିତ ଆଇପିଏଲରେ କୌଣସି ଏକ ଦଳ ପକ୍ଷରୁ ସର୍ବନିମ୍ନ ସ୍କୋର।
ମ୍ୟାଚ୍ରେ ସିରାଜ ଦ୍ଵିତୀୟ ଓଭରରେ ରାହୁଲ ତ୍ରିପାଠୀ ଏବଂ ନୀତିଶ ରାଣାଙ୍କୁ ପାଭିଲିୟନ ପଠାଇଥିବା ବେଳେ ନିଜର ପରବର୍ତ୍ତୀ ଓଭରରେ ଟମ ବେଟନ(୧୦ ରନ)ଙ୍କୁ ଆଉଟ୍ କରିଥିଲେ। ତାଙ୍କର ପ୍ରଥମ ୨ ଓଭର ମେଡେନ ରହିଥିଲା। ଏହା ସହିତ ଆଇପିଏଲ ଇତିହାସରରେ କୌଣସି ଗୋଟିଏ ମ୍ୟାଚ୍ରେ ଦୁଇ ମେଡେନ ଓଭର କରିବାର ସିରଜ ପ୍ରଥମ ବୋଲର ହେବାର ରେକର୍ଡ କରିଛନ୍ତି।
କେକେଆରର ଚାରି ଜଣ ବ୍ୟାଟସମ୍ୟାନ ହିଁ ଦୁଇ ଅଙ୍କ ଛୁଇଁ ପାରିଥିଲେ। ଦଳ ପକ୍ଷରୁ ଅଧିନାୟକ ଇଅନ ମୋର୍ଗାନ ସର୍ବାଧିକ ୩୦ ରନ କରି କରିଥିଲେ। ଲକି ଫର୍ଗ୍ୟୁସନ ୧୯ ରନ କରିଥିଲେ। ଆଇପିଏଲରେ ତୃତୀୟ ଥର କେକେଆର ଦଳ ତୃତୀୟ ଅଙ୍କ ଛୁଇଁ ପାରି ନାହିଁ। ୮୪ ରନ ହେଉଛି ଦଳର ଦ୍ଵିତୀୟ ସର୍ବନିମ୍ନ ସ୍କୋର। ଏହା ପୂର୍ବରୁ ୨୦୦୮ରେ ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷ ମ୍ୟାଚ୍ରେ କୋଲକାତା ୬୭ ରନ କରିଥିଲା।