ନାଇଟ୍ ରାଇଡର୍ସ ଖେଳାଳି କୋଭିଡ୍ ପଜିଟିଭ୍, ବାତିଲ ହେଲା ଆରସିବି-କେକେଆର ମ୍ୟାଚ୍

Published By : Prameya-News7 Bureau | May 03, 2021 IST

ଅହମ୍ମଦାବାଦ, ୦୩/୦୫: ଆଇପିଏଲ ଉପରେ କରୋନା ମାଡ । ବାତିଲ ହେଲା ସୋମବାର ମ୍ୟାଚ୍ । କୋଲକାତା ନାଇଟ୍ ରାଇଡର୍ସ ଓ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମଧ୍ୟରେ ହେବାକୁ ଥିବା ମ୍ୟାଚକୁ ବାତିଲ କରାଯାଇଛି । କେକେଆରର ୨ ଜଣ ଖେଳାଳି ପଜିଟିଭ୍ ଚିହ୍ନଟ ହେବା ପରେ ମ୍ୟାଚକୁ ବାତିଲ କରାଯିବା ନେଇ ନିଷ୍ପତ୍ତି ନିଆଯାଇଛି ।

ଚଳିତ ସିଜିନର ୩୦ ତମ ଲିଗ୍‌ ମ୍ୟାଚରେ ମୁହାଁମୁହିଁ ହୋଇଥାନ୍ତେ କେକେଆର ଓ ଆରସିବି । ଅହମ୍ମଦାବାଦରେ ଏହି ମ୍ୟାଚ୍ ଖେଳାଯାଇଥାନ୍ତା ।ପୂର୍ବରୁ ବିସିସିଆଇ ଖେଳାଳିଙ୍କୁ କରୋନା ଭୟ ନଥିବା କହିଥିଲା । ବାୟୋ ବବଲରେ ଥିବାରୁ ଖେଳାଳି ସୁରକ୍ଷିତ ବୋଲି ବିସିସିଆଇ ଯୁକ୍ତି ବାଢିଥିଲା । କାରଣ ଏବେସୁଦ୍ଧା ୨୯ଟି ମ୍ୟାଚ୍ ସଫଳତା ପୂର୍ବକ ଶେଷ ହୋଇଥିଲା ।

ଉଭୟ ଦଳ ଗତ ମାସ ୧୮ ତାରିଖରେ ପରସ୍ପରକୁ ଭେଟିଥିଲେ । ରୟାଲ ଚ୍ୟାଲେଞ୍ଜର୍ସ ୩୮ ରନ୍‌ରେ ଉକ୍ତ ମ୍ୟାଚ୍‌ ଜିତିଥିଲା । ଏଥର ନାଇଟ ରାଇଡର୍ସ ବିଜୟ ପାଇଁ ସବୁ ଶକ୍ତି ଖଟାଇବାକୁ ପ୍ରସ୍ତୁତ ରହିଥିଲା । ରୟାଲ୍‌ ଚ୍ୟାଲେଞ୍ଜର୍ସ ପାଇଁ ଉପଯୁକ୍ତ ରଣନୀତି ପ୍ରସ୍ତୁତ କରିଥିଲା ଟିମ୍। କେବଳ ସେତିକି ନୁହେଁ, ବ୍ୟାଟିଂ ବିଭାଗକୁ ଗୁରୁତ୍ୱ ଦେଇଥିଲା ।

ନାଇଟ୍‌ ରାଇଡର୍ସର ଓପନିଂ ବିଭାଗ ଏପର୍ଯ୍ୟନ୍ତ ସଫଳ ହୋଇପାରି ନାହିଁ । ସୋମବାର ଏହି ତ୍ରୁଟି ସୁଧାରିବାକୁ ଦଳ ପ୍ରୟାସ କରିବା। ସହ ନିତିଶ ରାଣା ଓ ଶୁଭମନ ଗିଲଙ୍କ ମଧ୍ୟରୁ ଜଣଙ୍କୁ ଚୂଡାନ୍ତ ଏକାଦଶରୁ ବାଦ୍ କରିବା ନେଇ ଯୋଜନା କରିଥିଲା । କିନ୍ତୁ ଏବେ ଦଳର ୨ ଖେଳାଳି ପଜିଟିଭ୍ ଚିହ୍ନଟ ହେବା ପରେ ମ୍ୟାଚ୍ ବାତିଲ ହୋଇଛି । କେଉଁ ଖେଳାଳି ପଜିଟ୍ଭ୍ ହୋଇଛନ୍ତି ସେନେଇ ଦଳ ପକ୍ଷରୁ ଏବେସୁଦ୍ଧା କୌଣସି ସୂଚନା ଦିଆଯାଇ ନାହିଁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.