କେକେଆର ପାଇଁ 'କର ବା ମର' ମୁକାବିଲା, ରାଜସ୍ଥାନକୁ ହରାଇଲେ ପ୍ଲେ-ଅଫ୍‌ରେ ଏଣ୍ଟ୍ରି ସୁଯୋଗ

Published By : Prameya-News7 Bureau | October 07, 2021 IST

ସାରଜା,୦୭/୧୦:  ଆଇପିଏଲ୍ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ମୁକାବିଲାରେ ମୁହାଁମୁହିଁ ହେବେ କୋଲକାତା ନାଇଟ ରାଇଡର୍ସ ଓ ରାଜସ୍ଥାନ ରୟାଲ୍ସ । ସାରଜାର ମନ୍ଥର ପିଚ୍‌ରେ ଚମତ୍କାର ପ୍ରଦର୍ଶନ କରିବାକୁ ଉଭୟ ଦଳ ଯୋଜନା କରିଛନ୍ତି । ଉଭୟ ଦଳର ଏହା ଅନ୍ତିମ ଲିଗ୍‌ ମ୍ୟାଚ୍‌ ।

ନାଇଟ୍‌ ରାଇଡର୍ସ ପାଇଁ ବିଜୟ ଅତ୍ୟନ୍ତ ଜରୁରୀ । ପଏଣ୍ଟ ତାଲିକାର ଚତୁର୍ଥ ସ୍ଥାନ(୧୨ପଏଣ୍ଟ)ରେ ରହିଥିବା ନାଇଟ୍‌ ରାଇଡର୍ସ ବିଜୟ ସହ ପ୍ଲେ-ଅଫ୍‌ ଅଫ ଆଶା ଉଜ୍ଜ୍ୱଳ କରିବାକୁ ପ୍ରୟାସ କରିବ । ପରାଜିତ ହେଲେ ମୁମ୍ବାଇ ଇଣ୍ଡିଆନ୍ସର ସୁଯୋଗ ବଢିଯିବ । ମୁମ୍ବାଇ ଇଣ୍ଡିଆନ୍ସ ୧୨ ପଏଣ୍ଟ ସହ ତାଲିକାର ପଞ୍ଚମ ସ୍ଥାନରେ ରହିଛି । ଶେଷ ମ୍ୟାଚ୍‌ରେ ଡିଫେଣ୍ଡିଂ ଚାମ୍ପିଅନ୍‌ ଦଳ ସନରାଇଜର୍ସ ହାଇଦ୍ରାବାଦକୁ ଭେଟିବ ।

୧୦ ପଏଣ୍ଟ ହାସଲ କରିଥିବା ରାଜସ୍ଥାନ ରୟାଲ୍ସର ପ୍ଲେ-ଅଫ୍‌ ସୂତା ଖିଅରେ ଝୁଲୁଛି । ରନ୍‌ ରେଟ୍‌ରେ ଉଭୟ ମୁମ୍ବାଇ ଇଣ୍ଡିଆନ୍ସ, ନାଇଟ୍‌ ରାଇଡର୍ସ ଓ ପଞ୍ଜାବ କିଙ୍ଗ୍‌ସକୁ ରନ୍‌ ରେଟ୍‌ରେ ପଛରେ ପକାଇବାକୁ ହେଲେ ରୟାଲ୍ସ ଦଳକୁ ବିଶାଳ ବ୍ୟବଧାନରେ ବିଜୟ ହାସଲ କରିବାକୁ ହେବ । ଯାହା ଏକ ପ୍ରକାର ଅସମ୍ଭବ ମନେ ହେଉଛି ।

ନାଇଟ ରାଇଡର୍ସ ପୂର୍ବ ପରାଜୟର ପ୍ରତିଶୋଧକୁ ନେବାକୁ ପଛାଇବ ନାହିଁ । ଏପ୍ରିଲ ୨୪ ତାରିଖରେ ଉଭୟ ଦଳ ମଧ୍ୟରେ ପ୍ରଥମ ମୁକାବିଲା ଖେଳାଯାଇଥିଲା । ରୟାଲ୍ସ ୬ ୱିକେଟ୍‌ରେ ଏହି ମ୍ୟାଚ୍‌ ଜିତିଥିଲା । ରୟାଲ୍ସକୁ ହରାଇବା ପାଇଁ ନାଇଟ ରାଇଡର୍ସ ପ୍ରସ୍ତୁତ ରହିଛି । ଭେଙ୍କଟେଶ ଆୟର ଓପନ କରିବା ଦିନଠୁ ଦଳର ବ୍ୟାଟିଂ ବିଭାଗ ସୁଦୃଢ ହୋଇଛି । ବୋଲିଂ ବିଭାଗକୁ ନେଇ ପ୍ରଶ୍ନ କରିବା ସମ୍ଭବ ନୁହେଁ । ଦକ୍ଷ ସ୍ପିନର ଓ ପେସ୍‌ ବୋଲରଙ୍କୁ ନେଇ ବୋଲିଂ ବିଭାଗ ବେଶ୍‌ ସନ୍ତୁଳିତ ରହିଛି ।

ରୟାଲ୍ସ ଦଳ ଆକ୍ରମଣାତ୍ମକ ବ୍ୟାଟିଂକୁ ପ୍ରାଧାନ୍ୟ ଦେଉଥିଲେ ହେଁ ସାରଜାର ପିଚ୍‌କୁ ଦେଖି ରଣନୀତି ପ୍ରସ୍ତୁତ କରିବା ଜରୁରୀ । ମନ୍ଥର ପିଚ୍‌ରେ ବରୁଣ ଚକ୍ରବର୍ତ୍ତୀ, ସୁନିଲ ନାରାଏନଙ୍କ ଭଳି ସ୍ପିନର ଘାତକ ସାବ୍ୟସ୍ତ ହୋଇ ପାରନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.