‘କିସ୍’ରେ ଓ୍ୱାର୍ଲ୍ଡ କଂଗ୍ରେସ ଅଫ୍ ଆନ୍ଥ୍ରୋପୋଲୋଜି ୨୦୨୩ ଆୟୋଜନକୁ ଆଦିବାସୀଙ୍କ ବିରୋଧ, IUAES ସଭାପତିଙ୍କୁ ଅଭିଯୋଗ- ‘କିସ୍ ଆଦିବାସୀଙ୍କ ଭାଷା, ସଂସ୍କୃତି ଓ ପରମ୍ପରାକୁ ନଷ୍ଟ କରୁଛି’
27/07/2020 at 6:06 PM

ଭୁବନେଶ୍ୱର, ୨୭|୦୭ : କଳିଙ୍ଗ ଇନଷ୍ଟିଚ୍ୟୁଟ୍ ଅଫ୍ ସୋସିଆଲ ସାଇନସ ବା କିସ୍ ନାଁରେ ଆସିଛି ସାଙ୍ଘାତିକ ଅଭିଯୋଗ । ଆଦିବାସୀ ଛାତ୍ରଛାତ୍ରୀଙ୍କୁ ନିଜ ମୂଳ ଧର୍ମ, ଭାଷା ଓ ସଂସ୍କୃତିରୁ ଅଲଗା କରୁଛି କିସ୍ । ଏପରି ଅଭିଯୋଗ କରିଛନ୍ତି ୨୦୦୦ରୁ ଅଧିକ ଆଦିବାସୀ ନେତା, ଶିକ୍ଷାବିତ୍, ସମାଜସେବୀ, ଅନେକ ଛାମୁଆ ସଙ୍ଗଠନର ନେତା ଓ କିଛି ଛାତ୍ର ସଙ୍ଗଠନ । ଏହାସହ ଆଦିବାସୀଙ୍କ ଅଧିକାରକୁ ନେଇ କଳିଙ୍ଗ ଇନଷ୍ଟିଚ୍ୟୁଟ୍ ଅଫ୍ ସୋସିଆଲ୍ ସାଇନସ୍ ବା କିସ୍ ବିରୋଧରେ ଏକ ପିଟିସନରେ ଦସ୍ତଖତ କରିଛନ୍ତି । ଓ୍ୱାର୍ଲଡ୍ କଂଗ୍ରେସ ଆନ୍ଥ୍ରୋପୋଲୋଜି ୨୦୨୩କୁ କିସ୍ରେ ଆୟୋଜନ ହେବା ନିଷ୍ପତ୍ତି ପରେ ଏହି ବିରୋଧଭାସ ଆରମ୍ଭ ହୋଇଛି । ଏହି କାର୍ଯ୍ୟକ୍ରମକୁ କିସରେ ଆୟୋଜନ ନରିବାକୁ ସେମାନେ ଦାବି କରିଛନ୍ତି । ଏହି ପିଟିସନକୁ ଇଣ୍ଟରନ୍ୟାଶନାଲ ୟୁନିଅନ୍ ଅଫ୍ ଆନ୍ଥ୍ରୋପୋଲୋଜିକାଲ ଆଣ୍ଡ୍ ଏନ୍ଥୋଲୋଜିକାଲ ସାଇନସର ସଭାପତିଙ୍କୁ ପ୍ରଦାନ କରାଯାଇଛି । ସେହିପରି ଉତ୍କଳ ବିଶ୍ୱବିଦ୍ୟାଳୟର କୂଳପତି ସୌମେନ୍ଦ୍ର ମୋହନ ପଟ୍ଟନାୟକ ଏବଂ ସମ୍ବଲପୁର ବିଶ୍ୱବିଦ୍ୟାଳୟର କୂଳପତି ଦୀପକ କୁମାର ବେହେରାଙ୍କୁ ମଧ୍ୟ ଏହି ପିଟିସନ୍ ପ୍ରଦାନ କରାଯାଇଛି ।
କିସ୍ ଓ୍ୱେବସାଇଟରେ ଦିଆଯାଇଥିବା ତଥ୍ୟ ଅନୁସାରେ, ଏହି ଶିକ୍ଷାନୁଷ୍ଠାନରେ ପ୍ରାୟ ୩୦ ହଜାରରୁ ଅଧିକ ଆଦିବାସୀ ଛାତ୍ରଛାତ୍ରୀ ପାଠ ପଢନ୍ତି । ଏହାର ପ୍ରତିଷ୍ଠାତା ହେଉଛନ୍ତି ଅଚ୍ୟୁତ ସାମନ୍ତ । ଯିଏ କନ୍ଧମାଳରୁ ବିଜେଡିର ସାଂସଦ ରହିଛନ୍ତି । ଏହି ଶିକ୍ଷାନୁଷ୍ଠାନରେ ଓଡିଶା, ଝାଡଖଣ୍ଡ, ଛତିଶଗଡ, ମିଜୋରାମ, ଆସାମ ଭଳି ରାଜ୍ୟର ଅନେକ ଆଦିବାସୀ ଛାତ୍ରଛାତ୍ରୀ ପାଠପଢନ୍ତି । କିସ୍କୁ ୧୯ତମ ଇଣ୍ଟରନ୍ୟାଶନାଲ କଂଗ୍ରେସ ଅଫ ଆନ୍ଥ୍ରୋପୋଲୋଜିକାଲ ଆଣ୍ଡ୍ ଏଥନୋଲୋଜିକାଲ ସାଇନସ-୨୦୨୩ର ଆୟୋଜନ କରିବା ପାଇଁ ଅନୁମତି ମିଳିଛି । ଏହି ସମାରୋହ ଭାରତକୁ ୪୫ ବର୍ଷ ପରେ ଫେରିଛି । ଏହି କାର୍ଯ୍ୟକ୍ରମରେ ୧୫୦ରୁ ଅଧିକ ଦେଶର ଲୋକ ପ୍ରତିନିଧି ଯୋଗଦେବେ । କ୍ରୋଆଟିଆକୁ ପଛରେ ପକାଇ କିସକୁ ଏହାର ଆୟୋଜନ ଦାୟିତ୍ୱ ମିଳିଛି ।

ତେବେ କିସକୁ ବିରୋଧର କରିବାର କାରଣ ହେଉଛି ଯେ, କିସର ପ୍ରତିଷ୍ଠାତା ତଥା କନ୍ଧମାଳର ବିଜେଡି ସାଂସଦ ଏକଦା ଆଦିବାସୀଙ୍କୁ ନ୍ୟୁନ କରି କହିଥିଲେ । ସେ କହିଥିଲେ ଯେ, ଆଦିବାସୀଙ୍କ ଏକ ଉପଜାତି ମାଙ୍କଡିଆ ଜାରି କେବଳ ଜଙ୍ଗଲଜାତ ଦ୍ରବ୍ୟ ଖାଇବା ସହ ଗଛପତ୍ର ପିନ୍ଧି ରୁହନ୍ତି । ଏପରିକି ସେମାନେ ମାଙ୍କଡ ଭଳି ଗଛ ଉପରେ ଶୁଅନ୍ତି । ଏହାର ପ୍ରତିଷ୍ଠାତା ଅଦିବାସୀଙ୍କ କଳା ସଂସ୍କୃତିକୁ ମଧ୍ୟ ବୁଝନ୍ତି ନାହିଁ । ଏକ ପଛୁଆ ଜାତି ଭାବେ ପ୍ରଦର୍ଶନ କରନ୍ତି । କିସ୍ ନିଜକୁ ବିଶ୍ୱର ପ୍ରଥମ ଆଦିବାସୀ ବିଶ୍ୱବିଦ୍ୟାଳୟ କହିଥାଏ ।
କଳାହାଣ୍ଡିର ଜଣେ ଅଧ୍ୟାପକ ଓ ଶିକ୍ଷାବିତ ଅଖିଳ ନାୟକ କହିଛନ୍ତି ଯେ, ଏଠାରେ ଆଦିବାସୀଙ୍କ ଭାରତୀୟ ସଂକୃତି ଲୋପ ପାଉଛି । ସେମାନଙ୍କୁ ସେମାନଙ୍କ ଭଗବାନ ଓ ପୂଜା ପାଠ ବଦଳରେ ହିନ୍ଦୁ ରୀତିନୀତି ଉପରେ ଜ୍ଞାନ ପ୍ରଦାନ କରାଯାଉଛି । ଏହିସବୁ ଘରେ ମଧ୍ୟ କରିବାକୁ ଛାତ୍ରଛାତ୍ରୀଙ୍କୁ ବାଧ୍ୟ କରାଯାଉଛି । ଗୁଜୁରାଟର ଜଣେ ଆଦିବାସୀ ବିଧାୟକ ତଥା ଭାରତୀୟ ଟ୍ରାଇବାଲ ପାର୍ଟିର ପ୍ରତିଷ୍ଠାତା ଛୋଟୁଭାଇ ଭାସାଭା ଅଭିଯୋଗ କରିଛନ୍ତି ଯେ, କିସ୍ ଭଳି ଶିକ୍ଷାନୁଷ୍ଠାନରେ ଆଦିବାସୀ ପିଲାଙ୍କୁ ସେମାନଙ୍କ କଳା ଓ ସଂସ୍କୃତିଠାରୁ ଦୂରରେ ରଖାଯାଉଛି । ସେମାନଙ୍କୁ ନିଜ ଭାଷାରେ କଥା ହେବାକୁ ସୁଯୋଗ ଦିଆଯାଉ ନାହିଁ । ଏପରିକି ସେମାନେ ନିଜ ମାତୃଭାଷା ମଧ୍ୟ ଭୁଲିଯାଉଛନ୍ତି । ଯାହା ଲଜ୍ଜାଜନକ । ଏପରିକି ସେମାନେ ବଡ ହେଲେ ନିଜ ଲୋକଙ୍କ ସହ କଥା ହେବାରେ କୁଣ୍ଠାବୋଧ କରୁଛନ୍ତି ।
ଶିକ୍ଷା ନା ଆଦିବାସୀଙ୍କ ପରିଚୟର ଅନ୍ତ
ଆନ୍ଥ୍ରୋପୋଲୋଜି ଏବଂ ଏଥନୋଲୋଜି ସାମାଜିକ ବିଜ୍ଞାନର ଦୁଇଟି ପ୍ରମୁଖ ବିଷୟ । ଯାହା ଆଦିବାସୀଙ୍କ କଳା ଓ ସଂସ୍କୃତି ଉପରେ ପର୍ଯ୍ୟବେସିତ । ଏଥିରେ ବୈଜ୍ଞାନିକ ଉପାୟରେ ମାନବ ବ୍ୟବହାର ଉପରେ ତର୍ଜମା କରାଯାଏ । ଆଦିବାସୀଙ୍କ ସଂସ୍କୃତି, ଭାଷା ଓ ମୂଲ୍ୟକୁ ଗୁରୁତ୍ୱ ଦିଆଯାଏ । ତେବେ ଅଭିଯୋଗ ହେଉଛି ଯେ, କିସ୍ ଆଦିବାସୀଙ୍କ ନିଜର ସଂସ୍କୃତି, ଭାଷାର ଉନ୍ନତିକରଣ ପାଇଁ କିଛି କରୁନାହିଁ । ସେମାନଙ୍କୁ ଓଡିଆ ପଢାଯାଉଛି । ଓଡିଆରେ ଲେଖିବାକୁ କୁହାଯାଉଛି । ଏପରିକି ଆଦିବାସୀ ପର୍ବପର୍ବାଣୀ ଅପେକ୍ଷା ହିନ୍ଦୁ ପର୍ବ ପାଳନ କରିବାକୁ ବାଧ୍ୟ କରାଯାଉଛି । ତେଣୁ ବିଶ୍ୱ କଂଗ୍ରେସ ଆନ୍ଥ୍ରୋପୋଲୋଜି ୨୦୨୩କୁ କିସରେ ଆୟୋଜନ ନକରିବାକୁ କୁହାଯାଉଛି ।
ଟାଟା ଇନଷ୍ଟିଚ୍ୟୁଟ୍ ଅଫ୍ ସୋସିଆଲ ସାଇନ୍ସର ପୂର୍ବତନ ନିର୍ଦ୍ଦେଶକ ଭରଜିନିସ୍ ଜାଜା କହିଛନ୍ତି ଯେ, ଏକ ଭବ୍ୟ ସମାରୋହ କିସ ଭଳି ଅନୁଷ୍ଠାନରେ ଆୟୋଜନ ହେବା ଅନୁଚିତ । ଏଠାରେ ଆଦିବାସୀଙ୍କୁ ନ୍ୟୁନ କରି ଦେଖାଯାଏ । ଜୋର ଜବରଦସ୍ତି ଅନ୍ୟ ଭାଷା ଓ କଳାର ବୋଝ ଲଦି ଦିଆଯାଏ । ସେହିପରି ପ୍ରଣବ ଡୋଲେ ନାମକ ଜଣେ ଆଦିବାସୀ ନେତା ଅଭିଯୋଗ କରିଛନ୍ତି ଯେସ କିସରେ ଯେଉଁ ପାଠ ପଢାଉଛି ତାହା ଆଦାବିସୀ ବିରୋଧି । ଏପରି କରିବା ଦ୍ୱାରା କିସର ଛାତ୍ରଛାତ୍ରୀ ନିଜର ମୂଳ ଗାଁ ଓ ସଂସ୍କୃତିରୁ ଦୂରେଇ ଯାଉଛନ୍ତି ।
ଆହୁରି ମଧ୍ୟ ଅଭିଯୋଗ ହୋଇଛି ଯେ, କିସ୍ ସରକାରୀ ଓ ଘରୋଇ କମ୍ପାନୀଙ୍କ ଫଣ୍ଡ୍ ବ୍ୟବହାର କରୁଛି । ଅଦାନୀ, ନାଲକୋ ଆଦି କମ୍ପାନୀର ଅର୍ଥରେ ସ୍କୁଲ ଖୋଲୁଛି । ମୟୂରଭଞ୍ଜରେ କିସ୍ ଅଦାନୀ ସହାୟତାରେ ଏକ ସ୍କୁଲ ପ୍ରତିଷ୍ଠା କରିଛି । ଯେଉଁଥିରୁ କର୍ପୋରେଟମାନେ କିପରି ଆଦିବାସୀ ପିଲାଙ୍କ ବ୍ରେନଓ୍ୱାସ୍ କରୁଛନ୍ତି ତାହା ମଧ୍ୟ ଜଣାପଡୁଛି । ଆଦିବାସୀ ଯୁବକଙ୍କ ମୁଣ୍ଡରେ ଜବରଦସ୍ତି ଅନ୍ୟ ଭାଷା, ସଂସ୍କୃତିର ବୋଝ ଲଦି ଦିଆଯାଉଛି । ଯାହା ଅଗ୍ରହଣୀୟ ।
ସେହିପରି ଅନେକ ଆଦିବାସୀ ନେତା ଯଥା ରୁବି ହେମ୍ବ୍ରମ୍, ଜାକିଣ୍ଟା କେରକେଟା, ସୋନି ସୋରୀ, ଗ୍ଲାଡସନ୍ ଡୁଙ୍ଗଡୁଙ୍ଗ୍, ନନ୍ଦିନୀ ସୁନ୍ଦର, ଆଶିଷ କୋଥାରୀ, ଲାଲସୁ ସୋମା ନଗୋଟି ମଧ୍ୟ କିସ୍ ବିରୋଧରେ ସମାନ ପ୍ରକାର ଅଭିଯୋଗ କରିଛନ୍ତି । କିସରେ ଆଦିବାସୀ ପିଲାଙ୍କ ସଂସ୍କୃତି, ପରମ୍ପରା ଆଦିକୁ ନଷ୍ଟ କରାଯାଉଥିବା ସେମାନେ କହିଛନ୍ତି ।