'କିସ୍' ବିରୋଧରେ ଆଦିବାସୀଙ୍କ ବଡ ବିଜୟ, ଦାବି ରଖିଲେ ଆଇୟୁଏଇଏସ, 'କିସ୍'ରେ ହେବ ନାହିଁ ବିଶ୍ୱ ଆନ୍ଥ୍ରୋପୋଲୋଜି କଂଗ୍ରେସ ୨୦୨୩ ଅଧିବେଶନ

Published By : Prameya-News7 Bureau | August 24, 2020 IST

ଭୁବନେଶ୍ୱର, ୨୪|୦୮: କଳିଙ୍ଗ ଇନଷ୍ଟିଚ୍ୟୁଟ୍ ଅଫ୍ ସୋସିଆଲ ସାଇନ୍ସେସକୁ ଜୋରଦାର ଝଟକା । ତୀବ୍ର ବିରୋଧ ଯୋଗୁଁ ବଦଳିଲା ବିଶ୍ୱ ଆନ୍ଥ୍ରୋପୋଲୋଜି କଂଗ୍ରେସ(ଡବ୍ଲ୍ୟୁଏସି) ୨୦୨୩ର ଆୟୋଜନ ସ୍ଥାନ । ଏବେ ଭୁବନେଶ୍ୱର ସ୍ଥିତ କଳିଙ୍ଗ ଇନଷ୍ଟିଚ୍ୟୁଟ୍ ଅଫ ସୋସିଆଲ ସାଇନ୍ସେସ୍‌ରେ ବିଶ୍ୱ ଆନ୍ଥ୍ରୋପୋଲୋଜି କଂଗ୍ରେସ ୨୦୨୩ ହେବ ନାହିଁ । ଆନ୍ତର୍ଜାତିକ ଅନ୍ଥ୍ରୋପୋଲୋଜି ଏବଂ ଇଥନୋଲୋଜିକାଲ ଷ୍ଟଡିଜ୍(ଆଇୟୁଏଇଏସ) ପକ୍ଷରୁ ଏହି ଘୋଷଣା କରାଯାଇଛି । ଏହାସହିତ ଏହି ନିଷ୍ପତ୍ତି  ସମ୍ପର୍କରେ ଆଇୟୁଏଇଏସ ପକ୍ଷରୁ ସମ୍ବଲପୁର ବିଶ୍ୱ ବିଦ୍ୟାଳୟ କୂଳପତି ପ୍ରଫେସର ଦୀପକ କୁମାର ବେହେରାଙ୍କୁ ଜଣାଇ ଦିଆଯାଇଛି ।ସୂଚନାଯୋଗ୍ୟ ଯେ, ପୂର୍ବରୁ ଚାରୋଟି ଭାରତୀୟ ଅନୁଷ୍ଠାନ ବିଶ୍ୱ ଆନ୍ଥ୍ରୋପୋଲୋଜି କଂଗ୍ରେସ ୨୦୨୩ର ଆୟୋଜନକାରୀ ତଥା ଆୟୋଜକ ଘୋଷିତ ହୋଇଥିଲେ । ଭାରତୀୟ ଆନ୍ଥ୍ରୋପୋଲୋଜିକାଲ ଆସୋସିଏସନ, ଉତ୍କଳ ବିଶ୍ୱ ବିଦ୍ୟାଳୟ, ସମ୍ବଲପୁର ବିଶ୍ୱ ବିଦ୍ୟାଳୟ ଏବଂ କଳିଙ୍ଗ ଇନଷ୍ଟିଚ୍ୟୁଟ୍ ଅଫ ସୋସିଆଲ ସାଇନ୍ସେସ (କିସ୍) ଏହି ଚାରି ଅନୁଷ୍ଠାନ ହୋଇଥିବା ବେଳେ କିସ୍‌ରେ ଏହାର ଆୟୋଜନ ହେବାକୁ ଥିଲା । ଏବେ ତାହା ନାକଚ ହୋଇଛି । ଏବଂ ଏହାକୁ ଆଦିବାସୀ ସମୁଦାୟଙ୍କ ଏକ ବିଜୟ ବୋଲି ଆଲୋଚନା ହେଉଛି ।

କିସ୍‌ରେ ଡବ୍ଲ୍ୟୁଏସି-୨୦୨୩ ଆୟୋଜନକୁ ବିଭିନ୍ନ ମହଲରେ ତୀବ୍ର ବିରୋଧ କରାଯିବାରୁ  ଆୟୋଜନ ଭେନ୍ୟୁରୁ ଏହା ବାଦ୍ ପଡିଛି । ୨୦୦ରୁ ଅଧିକ ଆଦିବାସୀ ନେତା, ଶିକ୍ଷାବିତ, ଆଦିବାସୀଙ୍କ ଅଧିକାର ପାଇଁ କାର୍ଯ୍ୟ କରୁଥିବା ସୂଚନା ଅଧିକାର କର୍ମୀ, ଜନ ଆନ୍ଦୋଳନର ପ୍ରତିନିଧି ଏବଂ ଛାତ୍ର ସଙ୍ଗଠନ କିସ୍‌ରେ ଆଇୟୁଏଇଏସ ପ୍ରାୟୋଜିତ ଡବ୍ୟୁଏସି-୨୦୨୩କୁ ତୀବ୍ର ବିରୋଧ କରିଥିଲେ । ସେମାନେ ଏନେଇ ଆଇୟୁଏଇଏସର ସଭାପତି ଜୁଞ୍ଜି କୋଇଜୋମିଙ୍କୁ ଏକ ପିଟିସନରେ ଏହାର ବିରୋଧ କରିବା ସହ ଉତ୍କଳ ଓ ସମ୍ବଲପୁର ବିଶ୍ୱ ବିଦ୍ୟାଳୟର କୂଳପତିଙ୍କ ଦୃଷ୍ଚି ଆକର୍ଷଣ କରି ଦସ୍ତଖତ ସମ୍ବନ୍ଧିତ ଦାବିପତ୍ର ଦେଇଥିଲେ । ଏପରିକି କିସ୍ ସହ ସମ୍ପର୍କ ଛିନ୍ନ କରିବାକୁ ସେମାନେ ଉତ୍କଳ ଓ ସମ୍ବଲପୁର ବିଶ୍ୱ ବିଦ୍ୟାଳୟ କୂଳପତିଙ୍କୁ ନିବେଦନ କରିଥିଲେ ।

ବିଭିନ୍ନ ମହଲରୁ ବ୍ୟାପକ ଦାବି ଓ ପ୍ରତିବାଦ ପରେ ଆଇୟୁଏଇଏସ କିସ୍ ସମ୍ପର୍କରେ ଛାନଭୀନ କରିଥିଲେ । କିସ୍ ବିରୋଧରେ ଜାତୀୟ ଏବଂ ଆନ୍ତର୍ଜାତୀୟ ସ୍ତରରେ ଏକାଧିକ ବିବାଦ ସାମ୍ନାକୁ ଆସିଥିଲା । ଏପରିକି ଭାରତ ତଥା ବିଶ୍ୱର ବିଭିନ୍ନ ସ୍ଥାନରେ ଥିବା ନୃତତ୍ତ୍ୱବିତ୍ ମାନେ ଏ ସମ୍ପର୍କରେ ସେମାନଙ୍କ ମତ ରଖିବା ସହ ଆଇୟୁଏଇଏସକୁ ଏନେଇ ପରାମର୍ଶ ଦେଇଥିଲେ । ବିଭିନ୍ନ ସ୍ତରରେ ବିଚାର ବିମର୍ଶ ପରେ ଆଇୟୁଏଇଏସ କାର୍ଯ୍ୟକାରିଣୀ କମିଟି କିସ୍‌ରେ ବିଶ୍ୱ ଆନ୍ଥ୍ରୋପୋଲୋଜି କଂଗ୍ରେସ ୨୦୨୩ ଆୟୋଜନରୁ ନିବୃତ୍ତ ହୋଇଛନ୍ତି । ଏଠାରେ ଉଲ୍ଲେଖଯୋଗ୍ୟ ଯେ, ୨୦୨୩ ଜାନୁଆରୀ ୧୫ରୁ ୧୯ ତାରିଖ ପର୍ଯ୍ୟନ୍ତ ଏହି ୫ ଦିନିଆ ଡବ୍ଲ୍ୟୁଏସି ଆୟୋଜନ ହେବାକୁ ଥିବା ବେଳେ ଏଥିରେ ୧୫୦ରୁ ଅଧିକ ଦେଶରୁ ୧୦ହଜାରରୁ ଅଧିକ ପ୍ରତିନିଧି ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ସାରା ବିଶ୍ୱରେ ଆନ୍ଥ୍ରୋପୋଲୋଜି ଏବଂ ଇଥନୋଲୋଜି କ୍ଷେତ୍ରରେ ଏହା ଶିକ୍ଷାବିତ୍ ଏବଂ ଗବେଷକମାନଙ୍କ ସର୍ବବୃହତ ସମାବେଶ । ଏହା ମଧ୍ୟ ମାନବୀୟ ଦୃଷ୍ଟିକୋଣରୁ ବୈଜ୍ଞାନିକ ଅଧ୍ୟୟନର ଏକ ସର୍ବପୂରାତନ ସମ୍ମିଳନୀ । ଯେଉଁଥିରେ କି ଅନେକ ବିଶିଷ୍ଟ ଶିକ୍ଷାବିଚ୍ ଯୋଗ ଦେଇଥାନ୍ତି  । ୪୫ ବର୍ଷ ପରେ ଭାରତ ଏହି ସମ୍ମାନଜନକ ସମ୍ମିଳନୀର ଆୟୋଜନ ଅଧିକାର ପାଇଛି ।

ଏଠାରେ ପ୍ରଶ୍ନ ଉଠେ କାହିଁକି ଆଦିବାସୀ ଓ ନୃତତ୍ତ୍ୱବିତ୍‌ମାନେ କଳିଙ୍ଗ ଇନଷ୍ଟିଚ୍ୟୁଟ୍ ଅଫ୍ ସୋସିଆଲ ସାଇନ୍ସେସକୁ ବିରୋଧ କରୁଛନ୍ତି । ଏହାର କାରଣ ହେଲା ଭାରତୀୟ ଜନଜାତିର ଲୋକେ "ଫାକ୍ଟୋରୀ ସ୍କୁଲିଂ" ବ୍ୟବସ୍ଥାରେ ସମ୍ପୃକ୍ତ ଅନୁଷ୍ଠାନ ଗୁଡିକୁ ବିରୋଧ କରନ୍ତି । ଆଦିବାସୀ ପିଲାମାନଙ୍କୁ ଶିକ୍ଷା ଦେବା ନାଁରେ କିସ୍ ସେମାନଙ୍କ ମୂଳ ପରମ୍ପରା, ଇତିହାସ ତଥା ସେମାନଙ୍କ ପାରମ୍ପରିକ ଜୀବନଧାରାକୁ ନଷ୍ଟ କରି ଆସୁଥିବା ସେମାନେ ଅଭିଯୋଗ କରନ୍ତି । ଆଦିବାସୀ ପିଲାଙ୍କ ମୂଳ ଐତିହ୍ୟ ଓ ପରମ୍ପରାକୁ ହେୟଜ୍ଞାନ କରି ସେମାନଙ୍କୁ ଆଦିବାସୀ, ପଛୁଆ ଓ ଅଶିକ୍ଷିତ, ଶିଷ୍ଟାଚାର ବିହୀନ ଆଦି ଆଖ୍ୟା ଦିଆଯାଉଛି । ଏହାର ଉଦାହରଣ ହେଲା, ଏକଦା ମାଙ୍କଡିଆ ଆଦିବାସୀ ସମ୍ପଦ୍ରାୟଙ୍କୁ  କିସ୍‌ର ପ୍ରତିଷ୍ଟାତା ବୋଲାଉଥିବା ଅଚ୍ୟୁତ ସାମନ୍ତ ଏପରି କିଛି କଟୁ ମନ୍ତବ୍ୟ ଦେଇଥିଲେ…. 'ସେମାନେ ଜଙ୍ଗଲଜାତ ସାମଗ୍ରୀ ଖାଇ ବଞ୍ଚନ୍ତି ଏବଂ ଲଟାପତ୍ରରେ ଢାଙ୍କନ୍ତି । ଓଡିଶାରେ ଏପରି ୧୩ ପ୍ରଜାତିର ପ୍ରାଚୀନ ଜନଜାତି ରହିଛନ୍ତି । ସେମାନେ ଗଛ ଡାଳରେ ଶୁଅନ୍ତି । ସେମାନଙ୍କୁ ମାଙ୍କଡିଆ ଅର୍ଥାତ ମାଙ୍କଡ କୁହାଯାଏ । ଏହି ପରି ଅନେକ ପ୍ରଜାତିର ପ୍ରାଚୀନ ଜନଜାତି ଓଡିଶାରେ ରହିଛନ୍ତି  । ସେମାନେ କିଛି ବି ବୁଝନ୍ତି ନାହିଁ' ।

ସୂଚନାଯୋଗ୍ୟ ଯେ, ଭୁବନେଶ୍ୱରରେ ପ୍ରତିଷ୍ଠିତ କିସ୍‌ରେ ପାଖାପାଖି ୩୦ ହଜାର ଆଦିବାସୀ ପୁଅଝିଅ ରହୁଛନ୍ତି । ଓଡିଶା, ଝାଡଖଣ୍ଡ, ଛତିଳଗଡ, ମିଜୋରାମ, ପଶ୍ଚିମବଙ୍ଗ ଓ ଆସାମ ଆଦି ରାଜ୍ୟରୁ ଏହି ପିଲାମାନେ ଏଠାରେ ଥିଲା ବେଳେ କିସ୍ ଏହାକୁ ଆଧାର କରି ନିଜକୁ ନିଜେ ବିଶ୍ୱର ପ୍ରଥମ ଆଦିବାସୀ ବିଶ୍ୱବିଦ୍ୟାଳୟ ଦାବି କରୁଛି । ଏହାର ପ୍ରତିଷ୍ଠାତା ବୋଲାଉଥିବା ଅଚ୍ୟୁତ ସାମନ୍ତ ଜଣେ ଲୋକସଭା ସଦସ୍ୟ । କିସ୍ ବିରୋଧରେ କେବଳ ଦେଶ ନୁହେଁ ଦେଶ ବିରୋଧରେ ମଧ୍ୟ ଅନେକ ବିବାଦ ରହିଥିବା ବେଳେ ସାରା ବିଶ୍ୱର ବହୁ ବିଶିଷ୍ଟ ଆଦିବାସୀ ନେତା, ଶିକ୍ଷାବିତ, ବୁଦ୍ଧିଜିବୀ ତଥା ଆଦିବାସୀଙ୍କ ଅଧିକାର ଓ ସ୍ୱାର୍ଥ ପାଇଁ କାମ କରୁଥିବା ଅନୁଷ୍ଠାନ ଓ ଛାତ୍ର ସଙ୍ଗଠନ ଏଠାରେ ଡବ୍ଲ୍ୟୁଏସି ୨୦୨୩ ଆୟୋଜନକୁ ବିରୋଧ କରିଥିଲେ   । ସେମାନଙ୍କ ଦାବି ଓ ଯୁକ୍ତିକୁ ସମର୍ଥନ କରି ଆଇୟୁଏଇଏସ ପକ୍ଷରୁ କିସ୍‌ରେ ହେବାକୁ ଥିବା ଡବ୍ଲ୍ୟୁଏସି ୨୦୨୩କୁ ସେଠାରେ ଆୟୋଜନ ନ କରିବାକୁ ନିଷ୍ପତ୍ତି ସହ କିସ୍ ସହ ସମ୍ପର୍କ ଛିନ୍ନ କରିଛନ୍ତି । ଏହାକୁ ବହୁ ଶିକ୍ଷାବିତ୍, ବୁଦ୍ଧିଜିଜୀ ଓ ନେତାମାନେ ସ୍ୱାଗତ କରିଛନ୍ତି । ପ୍ରମୁଖ ବ୍ୟକ୍ତି ବିଶେଷଙ୍କ ମଧ୍ୟରେ ଟିସ୍‌ର ପୂର୍ବତନ ନିର୍ଦ୍ଦେଶକ ଭି ଜ୍ୟାକ୍ସା, ଆଦିବାସୀ ମହିଳା ଅଧିକାର କର୍ମୀ ପ୍ରମୁଖ ଭିଲ୍ ଆଦିବାସୀ ନେତା ତଥା ଭାରତୀୟ ଟ୍ରାଇବାଲ ପାର୍ଟି ପ୍ରତିଷ୍ଠାତା ଏଲିନ୍ ଲାକ୍ରା, ଛୋଟୁ ଭାଇ ବାସବା ଆଦି ବହୁ ନେତା ଆଇୟୁଏଇଏସ ପଦକ୍ଷେପକୁ ସ୍ୱାଗତ କରିବା ସହ ଅଚ୍ୟୁତ ସାମନ୍ତଙ୍କ ଭଳି ବ୍ୟକ୍ତିଙ୍କ ଭୂମିକା ଓ ରାଜନୈତିକ ପ୍ରବେଶକୁ ପ୍ରଶ୍ନ କରିଛନ୍ତି ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.