ମଣିପୁର ବିଜେପି ସରକାରଙ୍କୁ ସମାଲୋଚନା କରିଥିବା ଟେଲିଭିଜନ ସାମ୍ବାଦିକଙ୍କୁ ନାସା ଆଇନରେ ଗିରଫ କରି ଦିଆଗଲା ବର୍ଷେ ଜେଲଦଣ୍ଡ
19/12/2018 at 4:00 PM

ନୂଆଦିଲ୍ଲୀ ୧୯/୧୨: ମଣିପୁରର ବିଜେପି ସରକାର ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସମାଲୋଚନା କରି ରାଷ୍ଟ୍ରୀୟ ସୁରକ୍ଷା ଆଇନ (ନାସା)ରେ ଗିରଫ ହୋଇଥିବା ଇମ୍ଫାଲର ସାମ୍ବାଦିକ କିଶୋରଚନ୍ଦ୍ର ବାଙ୍ଗଖେମଙ୍କୁ ବର୍ଷେ ଜେଲଦଣ୍ଡ ହୋଇଛି। ଗତ ନଭେମ୍ବର ମାସରେ ତାଙ୍କୁ ଗିରଫ କରାଯାଇଥିଲା। ଏହାପରେ ସିଜିଏମ୍ କୋର୍ଟ ତାଙ୍କୁ ଜାମିନ ଦେଇଥିଲା। ତେବେ ଏନଏସଏ ରିଭ୍ୟୁ କମିଟି ଆଧାରରେ ତାଙ୍କୁ ୧ବର୍ଷ ଜେଲ ଦଣ୍ଡାଦେଶ ହୋଇଛି। ଏହି ଆଇନର ସର୍ବାଧିକ ଦଣ୍ଡ ସମୟ ହେଉଛି ଏକ ବର୍ଷ । କିଶୋରଚନ୍ଦ୍ର ବାଙ୍ଗଖେମ ମଣିପୁରର ଆଇଏସ୍ ଟିଭିରେ ଆଙ୍କର ରିପୋର୍ଟର ଭାବେ କାମ କରୁଥିଲେ । ଗିରଫ ପରେ ତାଙ୍କୁ ଚାକିରୀରୁ ମଧ୍ୟ ବରଖାସ୍ତ କରାଯାଇଛି । ବାଙ୍ଗଖେମଙ୍କୁ ନାସାରେ ଜେଲ ଦଣ୍ଡ ଦେବା ବିଜେପିର ତାଲିବାନୀ ମନୋବୃତ୍ତିର ପରିଚୟ ବୋଲି ବିଭିନ୍ ସଂଗଠନ ପକ୍ଷରୁ ଏହାର ପ୍ରତିବାଦ କରାଯାଇଛି । ଦିଲ୍ଲୀସ୍ଥିତ ମଣିପୁର ଭବନ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିବା ସଂଗଠନର କର୍ମକର୍ତ୍ତାଙ୍କୁ ପୋଲିସ ଗିରଫ କରି କିଛିଘଣ୍ଟା ପାଇଁ ଅଟକ ରଖିଥିଲା । ପୋଲିସର ଏହି କାର୍ଯ୍ୟକଳାପକୁ ମଧ୍ୟ ବିଭିନ୍ନ ସଂଗଠନ ନିନ୍ଦା କରିଛନ୍ତି। ବାଙ୍ଗଖେମଙ୍କୁ ସାଜିୱା କେନ୍ଦ୍ରୀୟ ଜେଲରେ ରଖାଯାଇଛି ।
ବାଙ୍ଗଖେମଙ୍କ ଓକିଲ କହିଛନ୍ତି ଯେ, ସେ ହାଇକୋର୍ଟର ଆଶ୍ରୟ ନେବେ।
ଗତ ମାସରେ ମଣିପୁର ସରକାର ରାଣୀ ଲକ୍ଷ୍ମୀବାଇଙ୍କ ଜୟନ୍ତୀ ପାଳନ କରିଥିଲେ। ଏହାକୁ ବାଙ୍ଗଖେମ ସୋଶିଆଲ ମିଡିଆରେ ସମାଲୋଚନା କରି ଏକ ଭିଡିଓ ପୋଷ୍ଟ କରିଥିଲେ। ଏସବୁ ଭିଡିଓ ଇଂରାଜୀ ଏବଂ ମେଇତି ଭାଷାରେ ପୋଷ୍ଟ ହୋଇଥିଲା। ଏହି ଭିଡିଓରେ ମୁଖ୍ୟମନ୍ତ୍ରୀ ଏନ ବୀରେନ୍ ଏବଂ ପ୍ରଧାନମନ୍ତ୍ରୀ ମୋଦୀଙ୍କ ବିରୁଦ୍ଧରେ ଆପତ୍ତିଜନକ ଭାଷା ପ୍ରୟୋଗ କରାଯାଇଥିଲା।