Thursday, December 13, 2018

News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ନବ ଦାସ ଯୋଗେଦେଲେ କିଶୋର ମହାନ୍ତି ଛାଡ଼ିବେ ଦଳ, ଯୋଗ ଦେଇପାରନ୍ତି ବିଜେପିରେ

ଭୁବନେଶ୍ୱର ୭/୧୨ : ଝାରସୁଗୁଡାର କଂଗ୍ରେସ ବିଧାୟକ ନବ ଦାସ କଂଗ୍ରେସ ଛାଡି ବିଜେଡିରେ ଯୋଗ ଦେବେ ବୋଲି ଚର୍ଚ୍ଚା ଜୋର ଧରିଛି | ଗତ କିଛି ଦିନ ହେଲା ନବ ଦାସଙ୍କ କାର୍ଯ୍ୟକଳାପ ଏବଂ ବାଡ଼ି ଲାଙ୍ଗୁଏଜ ମଧ୍ୟ ଏହି ଚର୍ଚ୍ଚାକୁ ଅଧିକ ଖୋରାକ ଯୋଗାଇଛି | ଏପରିକି ନବ ଦାସଙ୍କ ପାରମ୍ପରିକ ପ୍ରତିଦ୍ବନ୍ଦୀ କୁହାଯାଉଥିବା ବରିଷ୍ଠ ବିଜେଡି ନେତା ତଥା ପଶ୍ଚିମ ଓଡିଶା ବିକାଶ ପରିଷଦର ଅଧ୍ୟକ୍ଷ କିଶୋର ମହାନ୍ତି ମଧ୍ୟ ଏହି ଚର୍ଚ୍ଚାକୁ ନେଇ ପ୍ରତିକ୍ରିୟା ରଖି ସାରିଲେଣି | କିଶୋର ଗଣମାଧ୍ୟମକୁ କହିଛନ୍ତି ଯେ, କାହାକୁ ଦଳକୁ ଆଣିବା ଦଳର ସୁପ୍ରିମୋଙ୍କ ନିଷ୍ପତ୍ତି ଉପରେ ନିର୍ଭର କରେ | ଦଳର ସୁପ୍ରିମୋ ଯାହା ନିଷ୍ପତ୍ତି ନେବେ ତାକୁ ଗ୍ରହଣ କରିବାର କୌଣସି ଅସୁବିଧା ନାହିଁ | ଗଣମାଧ୍ୟମକୁ ଏଭଳି ସକାରାତ୍ମକ ମନ୍ତବ୍ୟ ଦେଇଥିବା କିଶୋରଙ୍କ କିନ୍ତୁ ଏକ ସିକ୍ରେଟ ଗେମ ପ୍ଲାନ ଥିବା ତାଙ୍କ ନିକଟତମ ମହଲରୁ ଜଣାପଡିଛି |

କିଶୋରଙ୍କ ସିକ୍ରେଟ ଗେମ ପ୍ଲାନ ବିଷୟରେ ଜାଣିବା ପୂର୍ବରୁ ଝାରସୁଗୁଡା ନିର୍ବାଚନ ମଣ୍ଡଳୀରେ ରାଜନୈତିକ ସ୍ଥିତି ଉପରେ ନଜର ପକାଇବା ଏକାନ୍ତ ଜରୁରୀ | କଂଗ୍ରେସର ଗଡ କୁହାଯାଉଥିବା ଝାରସୁଗୁଡା ନିର୍ବାଚନ ମଣ୍ଡଳୀରେ କଂଗ୍ରେସ ଦୁର୍ଗକୁ ୨୦୦୦ ମସିହାରେ ଧରାଶାୟୀ କରିଥିଲେ କିଶୋର ମହାନ୍ତି | ୨୦୦୦ ମସିହାରେ କଂଗ୍ରେସ ବିଧାୟକ ବୀରେନ ପାଣ୍ଡେଙ୍କୁ କିଶୋର ମହାନ୍ତି ୪୦ ହଜାରରୁ ଅଧିକ ଭୋଟରେ ପରାସ୍ତ କରିଥିଲେ | ୨୦୦୪ ନିର୍ବାଚନରେ ବୀରେନ ପାଣ୍ଡେଙ୍କୁ କଂଗ୍ରେସରୁ ଟିକେଟ ମିଳିନଥିଲା | ତାଙ୍କ ସ୍ଥାନରେ କଂଗ୍ରେସ ନବ କିଶୋର ଦାସଙ୍କୁ ଟିକେଟ ଦେଇଥିଲା | ସେଥିରେ ମଧ୍ୟ କିଶୋର ମହାନ୍ତି ବିଜୟୀ ହୋଇଥିଲେ | କିଶୋର ମହାନ୍ତି ଲଗାତାର ଦ୍ୱିତୀୟ ଥର ପାଇଁ ବିଜୟୀ ହେବାପରେ ତାଙ୍କୁ ମନ୍ତ୍ରୀ ପଦ ମିଳିବ ବୋଲି ସମସ୍ତେ ଆଶା କରୁଥିଲେ | କିନ୍ତୁ ପ୍ରଥମେ ତାଙ୍କୁ ଦଳର ମୁଖ୍ୟ ସଚେତକ କରାଯାଇଥିଲା ଓ ପରେ ବାଚସ୍ପତି ପଦରେ ଅଳଙ୍କୃତ କରାଯାଇଥିଲା | ୨୦୦୯ ନିର୍ବାଚନ କିନ୍ତୁ କିଶୋରଙ୍କୁ ପଛକୁ ଠେଲିଦେଲା | ନବ ଦାସଙ୍କ ଠାରୁ ସେ ପରାସ୍ତ ହେଲେ | ତେବେ ଦଳରେ ତାଙ୍କ ଭାବ ମୂର୍ତ୍ତି ଭଲ ଥିବା ସହ ନିଜେ ମୁଖ୍ୟମନ୍ତ୍ରୀଙ୍କ ପ୍ରିୟ ଭାଜନ ହୋଇଥିଲେ | ତେଣୁ ତାଙ୍କୁ ରାଜ୍ୟସଭାକୁ ପଠାଇ ପରାଜୟ ଦୁଃଖ ଭୁଲି ଦିଆଗଲା |

୨୦୧୪ ମଧ୍ୟ କିଶୋରଙ୍କୁ ସମଦସା ଭୋଗିବାକୁ ପଡିଲା | ପାଖାପାଖି ୧୧ ହଜାର ଭୋଟରେ ସେ ପୁଣି ନବ ଦାସଙ୍କ ଠାରୁ ପରାସ୍ତ ହେଲେ | ପୁଣି ଦଳ କିଶୋରଙ୍କୁ ଆଶ୍ବସ୍ତି ଦେବାକୁ ଯାଇ ପଶ୍ଚିମ ଓଡିଶା ବିକାଶ ପରିଷଦ ଅଧ୍ୟକ୍ଷ ଦାୟିତ୍ୱ ଦେଇଥିଲେ | କହିବାର ତାତ୍ପର୍ଯ୍ୟ ହେଉଛି କିଶୋର ଦୁଇ ଦୁଇ ଥର ପରାଜୟ ହେଲେ ମଧ୍ୟ ଦଳ ତାଙ୍କୁ କେବେ ହତାଦର କରିନାହିଁ | କିନ୍ତୁ ନବ ବିଜେଡି ମୁହାଁ ହେବାପରେ କିଶୋର ମହାନ୍ତିଙ୍କ ସ୍ଥିତି ଦୋହଲିଗଲା ଭଳି ମାନେ ହେଉଛି | କାରଣ ନବ ଦାସ ଯଦି ବିଜେଡିରେ ଯୋଗ ଦିଅନ୍ତି ତା’ହେଲେ ଆଗାମୀ ନିର୍ବାଚନରେ ହିଁ ଝାରସୁଗୁଡାରୁ ଲଢ଼ିବା ପାଇଁ ଟିକେଟ ମିଳିବ | ଦୁଇ ଥର ହେଲା ହରି ହରି ରହିଥିବା କିଶୋର ପୁଣି ବିଧାନସଭାକୁ ଆସିବା ସ୍ବପ୍ନ ମରିଯିବ | ସେଥିପାଇଁ କିଶୋର ମହାନ୍ତି ଏବେ ଚିନ୍ତାରେ ଥିବା ଆଲୋଚନା ହେଉଛି | ତାଙ୍କର ଏକମାତ୍ର ଆଶା ହେଉଛି ଯେ, ଯଦି ନବ ବିଜେଡିରେ ଯୋଗ ଦିଅନ୍ତି ଓ ଝାରସୁଗୁଡାରୁ ବିଧାନସଭା ଟିକଟ ପାଆନ୍ତି ତା’ହେଲେ ତାଙ୍କୁ ହୁଏତ ସମ୍ବଲପୁର ଲୋକସଭାରୁ ଲଢ଼ିବା ପାଇଁ ଟିକେଟ ମିଳିପାରେ |

ତେବେ ଝାରସୁଗୁଡା ବିଧାନସଭା ଆସନରୁ ବିଜୟୀ ହେବ କିଶୋରଙ୍କ ପାଇଁ ଯେତେ ସହଜ ହୋଇଥାନ୍ତା ସମ୍ଭବତଃ ସମ୍ବଲପୁର ଲୋକସଭା ଆସନରୁ ଜିତିବା ସେତିକି ସହଜ ହେବ ନାହିଁ | ତଥାପି ସମ୍ବଲପୁର ଲୋକସଭା ଟିକେଟ ମିଳିବାର ପ୍ରତିଶୃତି ମିଳିଲେ ସେ ହୁଏତ ସନ୍ତୁଷ୍ଟ ହୋଇପାରନ୍ତି | କିନ୍ତୁ ଏ ଦୁଇଟିଯାକ ଯଦି ନହୁଏ ତା’ହେଲେ କିଶୋର କଣ କରିବେ ତାହା ଏକ ବଡ ପ୍ରଶ୍ନବାଚୀ ହୋଇଛି | କିଶୋରଙ୍କ ନିକଟତମ ମହଲରୁ ଶୁଣିବାକୁ ମିଳୁଛି ଯେ, ଏଭଳି ପରିସ୍ଥିତିରେ କିଶୋର ବିଜେଡି ଆଡକୁ ଢ଼ାଳିବା କିଛି ଆଶ୍ଚର୍ଯ୍ୟ କଥା ନୁହେଁ | କାରଣ ଝାରସୁଗୁଡା ନିର୍ବାଚନ ମଣ୍ଡଳୀରେ ବିଜେପିଏଅ ସେଭଳି କେହି ଆଖି ଦୃଶିଆ ପ୍ରାର୍ଥୀ ନାହାନ୍ତି | ଝାରସୁଗୁଡା ନିର୍ବାଚନ ମଣ୍ଡଳୀରେ ପଡୋଶୀ ବ୍ରଜରାଜନଗର ନିର୍ବାଚନ ମଣ୍ଡଳୀରେ ବିଜେପିର ସ୍ଥିତି ଭଲ ରହିଛି | ବିଜେପି ନେତ୍ରୀ ରାଧାରାଣୀ ପଣ୍ଡା ସେଠାରୁ ବିଧାନସଭାକୁ ନିର୍ବାଚିତ ହୋଇଛି | ଝାରସୁଗୁଡା ନିର୍ବାଚନ ମଣ୍ଡଳୀରେ ମଧ୍ୟ ଦଳର ସ୍ଥିତି ଠିକ ଠାକ ରହିଛି | କିନ୍ତୁ ଭଲ ପ୍ରାର୍ଥୀ ନଥିବାରୁ ଦଳ ବିଜୟୀ ହୋଇପାରୁନାହିଁ | ଏଭଳି ସ୍ଥିତିରେ କିଶୋର ମହାନ୍ତିଙ୍କୁ ବିଜେପି ସ୍ୱାଗତ ନିଶ୍ଚୟ କରିବ | ଯଦି ଏହା ଘଟେ କିଶୋର ଓ ବିଜେପି ପାଇଁ ଓଇନ ଓଇନ ସିଚୁଏସନ ହେବ | ନବ ଦାସ ବିଜେଡି ଟିକେଟରେ ପ୍ରତିଦ୍ବନ୍ଦିତା କଲେ ମଧ୍ୟ ଅସୁବିଧାରେ ପଡିପାରନ୍ତି | ବ୍ରଜରାଜନଗର ପୂର୍ବତନ ବିଧାୟକ ଅନୁପ ସାଏଙ୍କ ପରିସ୍ଥିତି ଯାହା ହେଲା ତାରା ପୁନରାବୃତ୍ତି ଘଟିପାରେ |

ସୂଚନାଯୋଗ୍ୟ ଯେ, ଝାରସୁଗୁଡା ନିର୍ବାଚନ ମଣ୍ଡଳୀରେ ପୂର୍ବତ୍ତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ୱାଳଙ୍କ ବେଶ ପ୍ରଭାବ ରହିଛି | ହେମାନନ୍ଦ ଏବଂ ନବ ଦାସଙ୍କ ମଧ୍ୟରେ ଯଦି ପଟ ଠିକ ନାହିଁ | ତେଣୁ ଉଭୟ କଂଗ୍ରେସ ଓ ବିଜେଡି ଯେଉଁ ଟିକେଟରେ ନବ ଦାସ ଲଢ଼ିଲେ ମଧ୍ୟ ତାଙ୍କ ପାଇଁ ଅସୁବିଧା ରହିଛି |

3378 Views

   You May Also Like