Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୨ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୫୪୦ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଡିସେମ୍ବର ୩୧ପୂର୍ବରୁ ବସିବ ବିଧାନସଭାର ଶୀତ ଅଧିବେଶନ
  • ||
  • କରୋନାର ଦୈନିକ ସଂକ୍ରମଣରେ ବୃଦ୍ଧି, ୨୪ଘଣ୍ଟାରେ ୪୩୮୯୩ ନୂଆ ଆକ୍ରାନ୍ତ ଚିହ୍ନଟ
  • ||
  • ଅପରେସନ ଅଲ୍ଆଉଟ୍ : ସେନା ଗୁଳିରେ ୨ ଆତଙ୍କୀ ନିହତ, ବନ୍ଧୁକ ଓ ଗୁଳି ଜବତ
  • ||
  • ବିହାର ନିର୍ବାଚନ : ପ୍ରଥମ ପର୍ଯ୍ୟାୟ ପାଇଁ ମତଦାନ ଆରମ୍ଭ, ୭୧ଟି ଆସନରେ ଚାଲିଛି ଭୋଟିଂ
  • ||

କିଶୋର ମହାନ୍ତିଙ୍କ ସହ ତୃତୀୟ ମହଲାର ଘନ ଘନ ଆଲୋଚନା : ମିଳିପାରେ ବ୍ରଜରାଜନଗର ଆସନ

8/12/2018 at 1:48 PM

ଭୁବନେଶ୍ୱର ୮/୧୨ : ଝାରସୁଗୁଡାର କଂଗ୍ରେସ ବିଧାୟକ ନବ କିଶୋର ଦାସ ବିଜେଡିରେ ଯୋଗ ଦେବା ଅପାତତଃ ସ୍ଥିର ହୋଇସାରିଛି | ନବ ଦାସ ବିଜେଡିରେ ଯୋଗ ଦେଲେ ଝାରସୁଗୁଡା ଜିଲ୍ଲାର ରାଜନୈତିକ ଦୃଶ୍ୟପଟ୍ଟରେ ବିରାଟ ପରିବର୍ତ୍ତନ ଘଟିବ | ଏହି ପରିବର୍ତ୍ତନ ଶାସକ ବିଜେଡି ସପକ୍ଷରେ ଯିବ କି ନାହିଁ ତାହା ସମୟ କହିବ | ତେବେ ସାମୟିକ ଭାବେ ତ ରାଜନୈତିକ ଝଡ ସୃଷ୍ଟି କରିବ | ସେଇ ଝଡକୁ ପ୍ରଶମିତ କରିବା ପାଇଁ ଶୁକ୍ରବାର ଦିନ କିଶୋର ମହାନ୍ତିଙ୍କୁ ତୃତୀୟ ମହଲାରୁ ଘନ ଘନ ଡାକରା ପଡିଥିଲା |


ଶୁକ୍ରବାର ଦିନ କିଶୋର ମହାନ୍ତି ତୃତୀୟ ମହଲା ସହ ଝାରସୁଗୁଡା ଜିଲ୍ଲାର ସମ୍ଭାବ୍ୟ ରାଜନୈତିକ ସ୍ଥିତି ସମ୍ପର୍କରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିବା ଏକ ଅସମର୍ଥ ସୂତ୍ରରୁ ଜଣାପଡିଛି | ଏହି ଆଲୋଚନା ବେଳେ ଆଗାମୀ ବିଧାନସଭା ନିର୍ବାଚନରେ କିଶୋର ମହାନ୍ତିଙ୍କୁ ବ୍ରଜରାଜନଗର ବିଧାନସଭା ଆସନ ପାଇଁ ଟିକେଟ ମିଳିପାରେ ବୋଲି ଏକ ବିକଳ୍ପ ପ୍ରସ୍ତାବ ଉପରେ ଆଲୋଚନା ହୋଇଥିବା ଜଣାପଡିଛି |


ସୂଚନାଯୋଗ୍ୟ ଯେ, ବ୍ରଜରାଜନଗର ଆସନରୁ ଅନୁପ ସାଏଙ୍କୁ ଟିକେଟ ନଦେବା ପାଇଁ ପୂର୍ବରୁ ହିଁ ନିଷ୍ପତ୍ତି ହୋଇଥିଲା | ସେହି ସ୍ଥାନରେ ମହେନ୍ଦ୍ର ନାଏକଙ୍କୁ ଟିକେଟ ମିଳିବ ବୋଲି ଆଲୋଚନା ହେଉଥିଲା | ପୂର୍ତ୍ତ ବିଭାଗରେ ଅନୁଶାସକ ସଚିବ ଥିବା ମହେନ୍ଦ୍ର ନାଏକ ମଧ୍ୟ ଚାକିରୀରୁ ଆଗୁଆ ଅବସର ନେଇ ବ୍ରଜରାଜନଗର ନିର୍ବାଚନ ମଣ୍ଡଳୀରେ ସାଙ୍ଗଠନିକ କାର୍ଯ୍ୟ ଆରମ୍ଭ କରିଦେଇଥିଲେ | କିନ୍ତୁ ପରିବର୍ତ୍ତିତ ପରିସ୍ଥିତିରେ ଏବେ ଏହି ଆସନରୁ କିଶୋର ମହାନ୍ତି ଟିକେଟ ପାଇବେ ବୋଲି ଚର୍ଚ୍ଚା ହେଉଛି |


ସୂଚନାଯୋଗ୍ୟ ଯେ, ୨୦୧୪ ବିଧାନସଭା ନିର୍ବାଚନ ବେଳେ ମଧ୍ୟ କିଶୋର ମହାନ୍ତି ଝାରସୁଗୁଡା ଅପେକ୍ଷା ବ୍ରଜରାଜନଗର ନିର୍ବାଚନ ମଣ୍ଡଳୀ ପାଇଁ ଅଧିକ ଆଗ୍ରହୀ ଥିଲେ | କିନ୍ତୁ କଂଗ୍ରେସ ଛାଡି ବିଜେଡିରେ ଯୋଗ ଦେଇଥିବା ଅନୁପ ସାଏଙ୍କ ଟିକେଟ କାଟିବା ଉଚିତ ହେବ ନାହିଁ ବୋଲି ସେତେବେଳେ ଦଳୀୟ ନେତୃତ୍ୱ ଚିନ୍ତା କରିଥିଲେ | କିନ୍ତୁ ବର୍ତ୍ତମାନ ଅନୁପ ସାଏଙ୍କୁ ବାଦ ଦେଇ ସେଠାରେ କିଶୋର ମହାନ୍ତିଙ୍କୁ ଟିକେଟ ପ୍ରଦାନ କରିବାର କିଛି ଅସୁବିଧା ନାହିଁ |


ବ୍ରଜରାଜନଗରରୁ ଯଦି କିଶୋର ମହାନ୍ତି ଟିକେଟ ପାଆନ୍ତି ତାହେଲେ ସେଠାରୁ ବିଜେପି ଟିକେଟରେ ବିଧାୟକ ହୋଇଥିବା ରାଧାରାଣୀ ପଣ୍ଡାଙ୍କ ପାଇଁ ଅଡୁଆ ବଢିପାରେ | କାରଣ ବ୍ରଜରାଜନଗର ନିର୍ବାଚନ ମଣ୍ଡଳୀରେ କିଶୋର ମହାନ୍ତିଙ୍କ ବେଶ ଭଲ ସଂଗଠନ ରହିଛି | ରାଧାରାଣୀ ପଣ୍ଡା ମଧ୍ୟ କିଶୋର ମହାନ୍ତିଙ୍କ ପାରମ୍ପରିକ ପ୍ରତିଦ୍ବନ୍ଦୀ ଭାବେ ବେଶ ଜଣାଶୁଣା |


ଝାରସୁଗୁଡା ଜିଲ୍ଲାର ଦୁଇଟି ନିର୍ବାଚନ ମଣ୍ଡଳୀ ଝାରସୁଗୁଡା ଓ ବ୍ରଜରାଜନଗର ମଧ୍ୟରୁ ନବ ଦାସଙ୍କୁ ଝାରସୁଗୁଡା ଏବଂ କିଶୋର ମହାନ୍ତିଙ୍କୁ ବ୍ରଜରାଜନଗରରୁ ଟିକେଟ ପ୍ରଦାନ ପାଇଁ ଅପାତତଃ ନିଷ୍ପତ୍ତି ହୋଇଥିବା ଆଲୋଚନା ହେଉଛି |

   Related Posts