Saturday, April 20, 2019

News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ବ୍ରଜରାଜନଗରରୁ ବିଜେଡି ପ୍ରାର୍ଥୀ ହେବେ କିଶୋର ମହାନ୍ତି

ଭୁବନେଶ୍ୱର ୧୯/୩ : ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜନଗର ନିର୍ବାଚନ ମଣ୍ଡଳୀରୁ ବିଜେଡି ଟିକେଟ୍ ପାଇବେ କିଶୋର ମହାନ୍ତି । ବିଜେଡ଼ି ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟରେ ହେବାକୁ ଥିବା ୯ଟି ଲୋକସଭା ଆସନ ଏବଂ ଏହା ଅନ୍ତର୍ଗତ ୬୩ଟି ବିଧାନସଭା ଆସନ ମଧ୍ୟରୁ ୫୪ଟି ଆସନ ଲାଗି ପ୍ରାର୍ଥୀ ଘୋଷଣା କରିଥିଲା ।  ଯେଉଁ ୯ଟି ବିଧାନସଭା ଆସନର ପ୍ରାର୍ଥୀ ଘୋଷଣା ହୋଇନଥିଲା, ତା ମଧ୍ୟରୁ ବ୍ରଜରାଜନଗର ନିର୍ବାଚନ ମଣ୍ଡଳୀ ଅନ୍ୟତମ । ଏହି ୯ଟି ଯାକ ଆସନରେ କାହାକୁ ପ୍ରାର୍ଥୀ କରାଯିବ, ତାହା ଦଳର ମୁଖିଆଙ୍କ ପାଇଁ ବିଭିନ୍ନ କାରଣରୁ ମୁଣ୍ଡ ବିନ୍ଧାର ବିଷୟ ହୋଇଥିଲା । ତେବେ ତା ମଧ୍ୟରୁ ବ୍ରଜରାଜନଗର ନିର୍ବାଚନ ମଣ୍ଡଳୀରୁ କିଶୋର ମହାନ୍ତିଙ୍କୁ ପ୍ରାର୍ଥୀ କରିବାପାଇଁ ନବୀନ ନିଷ୍ପତ୍ତି ନେଇଥିବା ବିଶ୍ୱସ୍ତ ସୂତ୍ରରୁ ଜଣାପଡ଼ିଛି । ସମ୍ଭବତଃ ଆସନ୍ତା କାଲି ଏ ସମ୍ପର୍କରେ ଲିପିବଦ୍ଧ ଭାବେ ଘୋଷଣା କରାଯାଇପାରେ ।

ବ୍ରଜରାଜନଗର ବିଧାନସଭା ନିର୍ବାଚନ ମଣ୍ଡଳୀ ଏବେ ବିଜେପି ଅକ୍ତିଆରରେ ରହିଛି । ୨୦୧୪ ନିର୍ବାଚନରେ ବିଜେଡ଼ି ପ୍ରାର୍ଥୀ ଅନୁପ ସାଏଙ୍କୁ ପରାସ୍ତ କରି ବିଜେପିର ରାଧାରାଣୀ ପଣ୍ଡା ନିର୍ବାଚିତ ହୋଇଥିଲେ । ତେବେ ଚଳିତ ଥର ଅନୁପ ସାଏଙ୍କୁ ଦଳ ଆଉ ପ୍ରାର୍ଥୀ କରିବ ନାହିଁ ବୋଲି ଆଲୋଚନା ହେଉଥିଲା । ଅନ୍ୟପକ୍ଷରେ କଂଗ୍ରେସ ଛାଡ଼ି ବିଜେଡ଼ିରେ ଯୋଗଦାନ ପରେ ଝାରସୁଗୁଡ଼ାରୁ ନବକିଶୋର ଦାସଙ୍କୁ ବିଜେଡ଼ି ଟିକେଟ୍ ଦେଇଛି ।  ଫଳରେ ଝାରସୁଗୁଡ଼ା ବିଧାନସଭା ନିର୍ବାଚନ ମଣ୍ଡଳୀରୁ ବରାବର ନିର୍ବାଚନ ଲଢ଼ି ଆସୁଥିବା ଦଳର ବରିଷ୍ଠ ନେତା କିଶୋର ମହାନ୍ତି ନିରାଶ ହୋଇଥିଲେ । ବ୍ରଜରାଜନଗର ବିଧାନସଭା ପାଇଁ କିଶୋର ମହାନ୍ତି ନା ଅନୁପ ସାଏଙ୍କୁ ଦଳ ପ୍ରାର୍ଥୀ କରିବ ତାକୁ ନେଇ ଦ୍ୱନ୍ଦ ଲାଗି ରହିଥିଲା । ଦୁଇ ଦିନ ତଳେ କିଶୋର ମହାନ୍ତିଙ୍କୁ ନବୀନ ନିବାସରୁ ଡକରା ଆସିଥିଲା । କିଶୋର ମହାନ୍ତି ନବୀନଙ୍କୁ ସାକ୍ଷାତ କରି ଆଲୋଚନା କରିଥିଲେ । କିନ୍ତୁ ଆଲୋଚନାରୁ କ’ଣ ନିତ୍କର୍ଶ ବାହାରିଲା ତାହା ଜଣା ପଡ଼ିନଥିଲା । ଆଜି ଅନୁପ ସାଏଙ୍କୁ ମଧ୍ୟ ନବୀନ ନିବାସରୁ ଡକରା ଆସିଥିଲା । ଅନୁପଙ୍କ ସାଙ୍ଗରେ ଆଲୋଚନା କରିବା ପରେ କିଶୋର ମହାନ୍ତିଙ୍କୁ ବ୍ରଜରାଜନଗରରୁ ପ୍ରାର୍ଥୀ କରିବାପାଇଁ ଦଳ ନିଷ୍ପତ୍ତି ନେଇଛି । ଅନୁପ ସାଏଙ୍କ ଟିକଟ କଟୁଥିବାରୁ କ୍ଷତିପୂରଣ ଆକାରରେ ତାଙ୍କୁ ରାଜ୍ୟସଭା ପଠାଯିବ ବୋଲି ପ୍ରତିଶୃତି ଦିଆଯାଇଥିବା ଶୁଣିବାକୁ ମିଳୁଛି । ବ୍ରଜରାଜନଗର ନିର୍ବାଚନ ମଣ୍ଡଳୀ ଗୋଟିଏ ପଟେ ଖଣିଖାଦାନରେ ଭରପୁର ହୋଇ ରହିଥିବାବେଳେ ଅନ୍ୟପଟେ ବ୍ୟାପକ ଗ୍ରାମାଞ୍ଚଳ ଓ ଆଦିବାସୀ ବହୁଳ ଅଞ୍ଚଳ ରହିଛି । ଏହି ନିର୍ବାଚନ ମଣ୍ଡଳୀ ପାରମ୍ପରିକ ଭାବେ କମ୍ୟୁନିଷ୍ଟ ଅକ୍ତିଆରରେ ରହିଥିଲା । ବିଶିଷ୍ଟ ବାମପନ୍ଥୀ ନେତା ପ୍ରଶନ୍ନ ପଣ୍ଡା ଏହି ନିର୍ବାଚନ ମଣ୍ଡଳୀରୁ ପ୍ରତିନିଧିତ୍ୱ କରି ଆସୁଥିଲେ । ତେବେ ପ୍ରଶନ୍ନ ପଣ୍ଡାଙ୍କ ଦେହାନ୍ତ ପରେ ଏହି ନିର୍ବାଚନ ମଣ୍ଡଳୀ କଂଗ୍ରେସ ଆକ୍ତିଆରକୁ ଚାଲି ଯାଇଥିଲା । କଂଗ୍ରେସର କେଶବ ସାହୁ ଓ ପରେ ପରେ ଅନୁପ ସାଏ ଏହି ନିର୍ବାଚନ ମଣ୍ଡଳୀରୁ ବିଧାୟକ ହୋଇ ଆସୁଥିଲେ । ତେବେ ୨୦୧୪ ନିର୍ବାଚନରେ ବିଜେପି ବାଜି ମାରି ନେଇଥିଲା । ଚଳିତ ଥର ଦଳ ନେଇଥିବା ନିଷ୍ପତ୍ତି ଅନୁସାରେ କିଶୋର ମହାନ୍ତିଙ୍କୁ ପ୍ରାର୍ଥୀ କଲେ ନିଶ୍ଚୟ ସୁଫଳ ମିଳିବ ବୋଲି ରାଜନୈତିକ ପର୍ଯ୍ୟବେକ୍ଷକମାନେ ଆକଳନ କରୁଛନ୍ତି ।  

511 Views

   ସମ୍ବନ୍ଧିତ ଖବର