ଜାନୁଆରୀ ୩୧ରେ 'ବିଶ୍ଵାସଘାତ ଦିବସ' ପାଳନ କରିବ କିଷାନ ମୋର୍ଚ୍ଚା, ବିଜେପିକୁ ଭୋଟ୍ ନଦେବାକୁ ଚେତାବନୀ

Published By : Prameya-News7 Bureau | January 22, 2022 IST

ନୂଆଦିଲ୍ଲୀ ୨୨।୦୧: ଜାନୁଆରୀ ୩୧ରେ ପାଳନ ହେବ 'ବିଶ୍ଵାସଘାତ ଦିବସ'। ପଞ୍ଜାବ ସଂଯୁକ୍ତ କିଷାନ ମୋର୍ଚ୍ଚା(ଏସକେଏମ) ବ୍ୟାନରରେ ଏହି ଦିବସ ପାଳନ କରିବାକୁ କୃଷକ ସଂଘ ଶନିବାର ନିଷ୍ପତ୍ତି ନେଇଛି। ଆନ୍ଦୋଳନ ସମୟରେ କୃଷକଙ୍କୁ ଦିଆଯାଇଥିବା ପ୍ରତିଶ୍ରୁତି ପୂରଣ କରିନଥିବା କାରଣରୁ କେନ୍ଦ୍ର ସରକାରଙ୍କ ବିରୋଧରେ ଜାନୁଆରୀ ୩୧ରେ 'ବିଶ୍ଵାସଘାତ ଦିବସ' ପାଳନ କରାଯିବ। ଏହି ବୈଠକ ପଞ୍ଜାବର ବରନାଲାରେ ଯୋଗିନ୍ଦର ସିଂହ ଜଗରାହନ, ଗୁରମିତ ସିଂହ ମହିମା ଏବଂ ହରଦେବ ସିଙ୍ଘୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି।

କିଷାନ ମୋର୍ଚ୍ଚା ନିଜର ପ୍ରେସ ବିଜ୍ଞପ୍ତିରେ କହିଛି ଯେ, ସରକାର ଆନ୍ଦୋଳନ ସମୟରେ ଏସକେଏମକୁ ଲିଖିତ ପ୍ରତିଶ୍ରୁତି ଦେଇଥିଲେ ଯେ, ଆନ୍ଦୋଳନ ସମୟରେ କୃଷକଙ୍କ ବିରୋଧରେ ରୁଜୁ ସମସ୍ତ ମାମଲା ପ୍ରତ୍ୟାହାର କରାଯିବ ଏବଂ ସହିଦ କୃଷକଙ୍କୁ କ୍ଷତିପୂରଣ ଦିଆଯିବ। ଏମଏସପି ଉପରେ ଏକ କମିଟି ଗଠନ କରାଯିବ। ମାତ୍ର ସରକାର କୌଣସି ପ୍ରତିଶ୍ରୁତି ପୂରଣ କରି ନାହାନ୍ତି। ଏକ ବର୍ଷର ଲମ୍ବା ଆନ୍ଦୋଳନ ପରେ ଗତ ବର୍ଷ ଶୀତକାଳୀନ ଅଧିବେଶନରେ ତିନି କୃଷି ଆଇନ ପ୍ରତ୍ୟାହାର କରିଥିଲେ। ତେବେ ସରକାର ପ୍ରତିଶ୍ରୁତି ଦେଇ ଠକି ଦେଇଥିବା ସଂଗଠନ କହିଛି।

ଏହା ବ୍ୟତୀତ, କେନ୍ଦ୍ର ଗୃହ ମନ୍ତ୍ରୀ ଅଜୟ ମିଶ୍ର ଟେନ୍ନୀଙ୍କୁ ଲକ୍ଷ୍ମୀପୁର ଖିରୀ କାଣ୍ଡ ପରେ ମଧ୍ୟ ବରଖାସ୍ତ କରାଯାଇନଥିବା କୃଷକ ସଂଗଠନ ଅଭିଯୋଗ କରିଛନ୍ତି। ତେଣୁ କୃଷକ ସଂଗଠନ ଜାନୁଆରୀ ୩୧ରେ କେନ୍ଦ୍ର ସରକାରଙ୍କ ବିରୋଧରେ ବିଶ୍ଵାସଘାତ ଦିବସ ପାଳନ କରିବ। ଏଥିରେ ପୂରା ଦେଶରେ ଜିଲ୍ଲା ମୁଖ୍ୟାଳୟ ଏବଂ ତହସିଲ୍‌ରେ ବିରୋଧ ପ୍ରଦର୍ଶନ କରାଯିବ। ଏଥିସହ ବିଜେପିକୁ ଆଗାମୀ ବିଧାନସଭା ନିର୍ବାଚନରେ ଭୋଟ୍ ନଦେବାକୁ ଅପିଲ୍ କରିଛି କୃଷକ ସଂଗଠନ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.