ସରକାରଙ୍କୁ ଚାଷୀଙ୍କ ଚେତାବନୀ : ଡିସେମ୍ବର ୧୯ ସୁଦ୍ଧା ଦାବି ପୂରଣ ନହେଲେ ଆରମ୍ଭ ହେବ ଅନଶନ

Published By : Prameya-News7 Bureau | December 12, 2020 IST

ନୂଆଦିଲ୍ଲୀ ୧୨/୧୨ : କୃଷି ବିଲ ଫେରାଇନେବା ଦାବି​‌ରେ ଦୀର୍ଘଦିନ ହେଲା ଧାରଣାରେ ବସିଛନ୍ତି ହଜାର ହଜାର ଚାଷୀ । ତେବେ ଏହାରି ମଧ୍ୟରେ ଆଉ ଏକ ବଡ ନିଷ୍ପତ୍ତି ନେଇଛନ୍ତି ଚାଷୀ ସଂଗଠନ । ଯଦି ସରକାର ଡିସେମ୍ବର ୧୯ ସୁଦ୍ଧା ଦାବି ପୂରଣ ନକରନ୍ତି ତେବେ ସେମାନେ ଆମରଣ ଉପବାସ ଅନଶନରେ ବସିବେ ବୋଲି ଚେତାବନୀ ଦେଇଛନ୍ତି । ସେପଟେ ସରକାର ମଧ୍ୟ ଲଗାତାର ଭାବେ ଚାଷୀ ସଂଗଠନମାନଙ୍କ ସହିତ ଆଲୋଚନା ଜାରି ରଖିଛନ୍ତି । କୃଷି ବିଲରେ କିଛିଟା ସଂଶୋଧନ କରିବା ପାଇଁ ମଧ୍ୟ ସରକାର ପ୍ରସ୍ତାବ ଦେଇଛନ୍ତି ।

{"id":376595,"sizeSlug":"large","linkDestination":"none"}

ପୋଲିସ ମଧ୍ୟ ପ୍ରଦର୍ଶନକାରୀ ଚାଷୀ ଅବରୋଧ କରିଥିବା ରାଜପଥ ଏବଂ ଅନ୍ୟ ସଡକଗୁଡିକୁ ବନ୍ଦ କରିବାରୁ ରୋକିଛି ।  ଚାଷୀମାନଙ୍କୁ ନିୟନ୍ତ୍ରଣ କରିବା ପାଇଁ ବିପୁଳ ସଂଖ୍ୟାରେ ପୋଲିସ ମୁତୟନ କରାଯାଇଛି । ନୂଆ କୃଷି ଆଇନକୁ ବିରୋଧ କରି ଚାଷୀମାନେ ଆନ୍ଦୋଳନକୁ ତୀବ୍ର କରିଛନ୍ତି । ଚାଷୀ ନେତା କମଲ ପ୍ରୀତ ସିଂହ କହିଛନ୍ତି ଯେ, ରବିବାର ଦିନ ୧୧ଟା ବେଳେ ଚାଷୀମାନେ ରାଜସ୍ଥାନ ଶାହାଜାହାଁପୁରରେ ଟ୍ରାକ୍ଟର ମାର୍ଚ୍ଚ କରିବା ସହିତ ଜୟପୁର-ଦିଲ୍ଲୀ ରାସ୍ତା ବନ୍ଦ କରିବେ ।

{"id":376596,"sizeSlug":"large","linkDestination":"none"}

ଏହା ସହିତ ଚାଷୀ ନେତା ଗୁରନାମ ସିଂହ କହିଛନ୍ତି ଯେ, ‘ପଞ୍ଜାବରୁ ଆସୁଥିବା ଚାଷୀମାନଙ୍କୁ ପୋଲିସ ଅଟକାଇଦେଇଛି । ଆମେ ସରକାରଙ୍କୁ ଅପିଲ କରୁଛୁ ଯେ ଚାଷୀମାନଙ୍କୁ ଦିଲ୍ଲୀ ଆସିବାକୁ ଦିଅନ୍ତୁ’। ସେମାନେ ଚେତାବନୀ ଦେଇଛନ୍ତି ଯେ, ଯଦି ସରକାର ନମାନନ୍ତି ତେବେ ଆନ୍ଦୋଳନକୁ ଆହୁରି ତୀବ୍ର କରାଯିବ । ତେବେ ଯଦି ସରକାର ଡିସେମ୍ବର ୧୯ ସୁଦ୍ଧା ନଶୁଣନ୍ତି ତେବେ ତେଗ୍ ବାହାଦୁର ଶହିଦ ଦିବସରୁ ଆମରଣ ଉପବାସ ଅନଶନ ଆରମ୍ଭ ହେବ ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.