ଦାବି ପୂରଣ ହେଲେ ଭିକ୍ଷାବୃତ୍ତିରୁ ନିବୃତ୍ତ ହେବାକୁ ଶପଥ ନେବେ କିନ୍ନର

Published By : Prameya-News7 Bureau | January 27, 2021 IST

ଭଦ୍ରକ ୨୭।୧: ଦାବି ପୂରଣ ହେଲେ ଭିକ୍ଷାବୃତ୍ତି ଓ ଅନୈତିକ କାର୍ଯ୍ୟରୁ ନିବୃତ୍ତ ହେବାକୁ ଶପଥ ନେବେ କିନ୍ନର । ଏମିତି ଏକ ଶପଥପତ୍ର ନେଇ ଜିଲ୍ଲାପାଳଙ୍କୁ ଭେଟିଛନ୍ତି କିନ୍ନର । ଭଦ୍ରକ ଜିଲ୍ଲାର ଏକାଧିକ କିନ୍ନର ବିଭିନ୍ନ ଦାବି ନେଇ ଭଦ୍ରକ ଜିଲ୍ଲାପାଳଙ୍କୁ ଭେଟିଛନ୍ତି ।

ସୂଚନାଯୋଗ୍ୟ ଯେ, ଭଦ୍ରକ ଜିଲ୍ଲାର ବିଭିନ୍ନ ବ୍ଲକରେ ପ୍ରାୟ ୨୫୦ରୁ ଅଧିକ କିନ୍ନର ରହୁଛନ୍ତି । ସେମାନଙ୍କୁ ସ୍ବାବଲମ୍ବୀ କରିବା ପାଇଁ ରାଜ୍ୟ ସରକାର ବହୁ ଯୋଜନା କରିଛନ୍ତି । ବିଭିନ୍ନ ଯୋଜନାରେ କିନ୍ନରମାନେ ମଧ୍ୟ ଲାଭ ପାଇଛନ୍ତି । ଏବେ ସେମାନେ ଘର ଓ ଅନ୍ୟାନ୍ୟ ଆନୁସଙ୍ଗୀକ ସୁବିଧା ଦାବି କରିଛନ୍ତି । ଏନେଇ ମାନବାଧିକାର ଆଇନଜୀବୀ ରାଧାକାନ୍ତ ତ୍ରିପାଠୀଙ୍କ ନେତୃତ୍ଵରେ କିନ୍ନରମାନେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଅଭିଯୋଗ ଜଣାଇଛନ୍ତି ।

କିନ୍ନରମାନେ ନିଜ ସାଙ୍ଗରେ ଏକ ଶପଥପତ୍ର ମଧ୍ୟ ନେଇଥିଲେ । ଯେଉଁଥିରେ ସେମାନେ ନିଜସ୍ଵ ଭାବେ ଭିକ୍ଷାବୃତ୍ତିରୁ ନିବୃତ୍ତ ରହିବା ସହ ଅନୈତିକ କାର୍ଯ୍ୟରୁ ନିବୃତ୍ତ ରହିବା ନେଇ ଉଲ୍ଲେଖ ରହିଛି । ସରକାର ସେମାନଙ୍କ ଦାବି ପୂରଣ କଲେ କିନ୍ନରମାନେ ସାମାଜର ମୁଖ୍ୟ ସ୍ରୋତରେ ସାମିଲ ହେବା ସହ ସୁନାଗରିକ ହୋଇପାରିବେ । ତେବେ ଖୁବ୍ ଶୀଘ୍ର ଏହି ଶପଥ ନେବେ ବୋଲି ସୂଚନା ମିଳିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.