ରେଳ ଧାରଣାରୁ କିନ୍ନରଙ୍କ ମୃତଦେହ ଉଦ୍ଧାର, ଯୁବକଙ୍କ ସହ ଥିଲା ପ୍ରେମ ସମ୍ପର୍କ

Published By : Prameya-News7 Bureau | April 17, 2021 IST

ଯାଜପୁର ରୋଡ୍ ୧୭।୪: ଯାଜପୁର ଜିଲ୍ଲା ଯାଜପୁର ରୋଡ୍ ଥାନା ପନାସିଆ ଗାଁ ନିକଟ ରେଳ ଧାରଣାରୁ ଜଣେ କିନ୍ନରଙ୍କ ମୃତଦେହ ଉଦ୍ଧାର କରାଯାଇଛି । ମୃତ୍ୟୁର କାରଣ ଅସ୍ପଷ୍ଟ ଥିବାବେଳେ ସେ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି । ମୃତ କିନ୍ନର ଜଣଙ୍କ ଭଦ୍ରକ ଜିଲ୍ଲା ଅର୍ଣ୍ଣପାଳ ଗାଁର ଫତୁଆ ଜେନା ବୋଲି ଜଣାପଡିଛି । ସେ ଦୀର୍ଘ ଦିନରୁ ଯାଜପୁର ରୋଡ଼ ଅଞ୍ଚଳରେ ରହି ଭିକ୍ଷାବୃତ୍ତି କରୁଥିଲେ । ହେଲେ ଶନିବାର ସକାଳୁ ତାଙ୍କ ମୃତଦେହ ରେଳଧାରଣାରେ ପଡିଥିବାର ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ ।

ଖବର ପାଇ ଯାଜପୁର ରୋଡ଼ ରେଳବାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି । ଘଟଣାସ୍ଥଳରୁ ମୃତ କିନ୍ନରଙ୍କ ମୋବାଇଲ୍ ଫୋନ୍ ଜବତ କରାଯାଇଛି ।

ସୂଚନା ଅନୁସାରେ ମୃତ କିନ୍ନରଙ୍କର ପାଣିକୋଇଲି ଥାନା ଷଠିପୁର ଅଞ୍ଚଳର ଜଣେ ଯୁବକଙ୍କ ସହ ପ୍ରେମ ସମ୍ପର୍କ ରହିଥିଲା । ମାତ୍ର ଗତ କିଛି ଦିନ ହେବ କୌଣସି କାରଣରୁ ଉଭୟଙ୍କ ମଧ୍ୟରେ ତିକ୍ତତା ସୃଷ୍ଟି ହୋଇଥିଲା । ଯୁବକ ଜଣକ ବିଭିନ୍ନ ଆଳରେ କିନ୍ନରଙ୍କଠାରୁ ଲକ୍ଷାଧିକ ଟଙ୍କା ହଡ଼ପ କରିଥିବା କିନ୍ନର ଗତ କିଛି ଦିନ ତଳେ ପାଣିକୋଇଲି ଥାନାରେ ଅଭିଯୋଗ କରିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.