Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ସେକ୍ସ ର‌୍ୟାକେଟ୍‌ କିଙ୍ଗପିନ୍‌ କରୋନା ପଜିଟିଭ୍‌ : ଯୁବତୀ ଓ ଗ୍ରାହକଙ୍କ ହେବ ପରୀକ୍ଷା, ଟ୍ୱିନ୍‌ସିଟିରେ ଲମ୍ବିଛି ଚେର…

24/08/2020 at 7:45 AM

କଟକ ୨୪।୦୮: ଲୋକଦେଖାଣିଆ ଭାବେ ବାହାରକୁ ପରିବା ବ୍ୟବସାୟ । ହେଲେ ଅସଲ କାମ, ଯୁବତୀଙ୍କୁ ନେଇ ଦେହ ବେପାର। ବିଦ୍ୟାଧରପୁରରେ ଠାବ ହୋଇଥିବା ସେକ୍ସ ର‌୍ୟାକେଟ୍‌ର ଚେର ଖୋଜିବା ବେଳେ ଏଭଳି କିଛି ସୁରାକ୍‌ ପାଇଛି ଚାଉଳିଆଗଞ୍ଜ ଥାନା ପୁଲିସ । ଉଦ୍ଧାର ହୋଇଥିବା ଯୁବତୀ ରାଜ୍ୟ ବାହାରେ ବିବାହ କରିବା ପରେ ଦଲାଲ୍‌ଙ୍କ ଜରିଆରେ ଦେହ ବେପାରର କାଦୁଅ ଭିତରକୁ ପଶି ଆସିଥିବା ଜାଣିବାକୁ ମିଳିଛି । ଅନ୍ୟପଟେ ର‌୍ୟାକେଟ୍‌ର ମୁଖ୍ୟ କାର୍ପଟ୍‌ଦାର ଶିବ ସାମଲ ଜେଲ୍‌ ଯିବା ଆଗରୁ କରୋନା ଟେଷ୍ଟ୍‌ରେ ପଜିଟିଭ୍‌ ବାହାରିଥିବା ଜଣାପଡ଼ିଛି । ଶିବର କଣ୍ଟାକ୍‌ଟ୍‌ ଟ୍ରେସିଂ ହୋଇନଥିଲେ ବି ତା’ ସଂସ୍ପର୍ଶରେ ଆସିଥିବା ଅନେକ ସଂକ୍ରମିତ ହୋଇଥିବେ ବୋଲି ଆଶଙ୍କା କରାଯାଉଛି । ଏ ଖବର ସ୍ଥାନୀୟ ଅଞ୍ଚଳରେ ଏକପ୍ରକାର ଭୟ ଓ ଆଲୋଡନ ଖେଳାଇ ଦେଇଛି।

କରୋନା ଡରରେ ସାରା କଟକ ସହର ଥରହର ହେଉଥିବା ବେଳେ ଶନିବାର ପୂର୍ବାଞ୍ଚଳର ବିଦ୍ୟାଧରପୁରରୁ ଠାବ ହୋଇଥିଲା ଏହି ସେକ୍ସ ର‌୍ୟାକେଟ୍‌। ର‌୍ୟାକେଟ୍‌ର କିଙ୍ଗ୍‌ପିନ୍‌ କୁହାଯାଉଥିବା ଶିବ ସାମଲର ଘର ଚୌଦ୍ୱାର ଥାନା ବଡ଼ସାମନ୍ତରାପୁରରେ । ହେଲେ ସେ ବିଦ୍ୟାଧରପୁରେ ଘର ଭଡ଼ା ନେଇ ରହୁଥିଲା । ସ୍ଥାନୀୟ ଲୋକଙ୍କୁ ନିଜ ରୋଜଗାରର ପନ୍ଥା ଜଣାଇବା ପାଇଁ ଏକ ଚତୁର ବାଟ ବାହାର କରିଥିଲା । ସକାଳେ ସ୍ଥାନୀୟ ଅଞ୍ଚଳରେ ସେ ପରିବା ବେପାର କରିଥାଏ। ଯେଉଁଥିପାଇଁ ଶିବ ଉପରେ କେହି ସନ୍ଦେହ କରୁନଥିଲେ । ହେଲେ ତା’ ଘରକୁ ଭିନ୍ନ ଭିନ୍ନ ଅଞ୍ଚଳରୁ ଲୋକ ଓ ଯୁବତୀ ଆସୁଥିବାରୁ ସ୍ଥାନୀୟ ଲୋକ ଓ ପୁଲିସର ରାଡାରକୁ ଚାଲିଆସିଥିଲା ଶିବ । ଧରାପଡ଼ିବା ପରେ ସେକ୍ସ ର‌୍ୟାକେଟ୍‌ ନେଇ ଶିବ ବହୁ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛି ।

ସେ ଏହି ର‌୍ୟାକେଟ୍‌ ଭୁବନେଶ୍ୱରର ଅନ୍ୟ ୩ ଜଣ ଦଲାଲ୍‌ଙ୍କ ସହଯୋଗରେ ଚଳାଇଥାଏ। ଯୁବତୀମାନଙ୍କୁ ଆଣିବା କାମ ଭୁବନେଶ୍ୱରର ଦଲାଲ୍‌ କରନ୍ତି। ମାତ୍ର ଗ୍ରାହକ ଯୋଗାଡ଼ କାମ ଖୋଦ ଶିବ କରେ । ଶିବର ଭଡ଼ା ଘରକୁ ପୂର୍ବରୁ ବହୁ ଯୁବତୀ ଆସିଥିବା ସେ ସ୍ୱୀକାର କରିଛି। ହେଲେ ଗତକାଲି ଉଦ୍ଧାର ହୋଇଥିବା ଯୁବତୀ ଜଣକ ଗତ କିଛି ଦିନ ହେଲା ଲଗାତର ଭାବେ ଶିବ ଘରକୁ ଆସୁଥିଲେ। ତାଙ୍କ ଘର ବାହାର ଜିଲ୍ଲାରେ । ସେ ଉତ୍ତରପ୍ରଦେଶ ଗାଜିଆବାଦରେ ବିବାହ କରିଛନ୍ତି। ବିବାହ ପରେ ସେ କିଛି ଦଲାଲ୍‌ଙ୍କ ହାବୁଡରେ ପଡ଼ି ଦେହ ବେପାର ଭଳି ଏକ ଘୃଣ୍ୟ କାର୍ଯ୍ୟ ଭିତରକୁ ଠେଲି ହୋଇ ଆସିଥିବା ଜଣାଯାଇଛି । ଏହା ପୂର୍ବରୁ ସଂପୃକ୍ତ ଯୁବତୀ ଅନ୍ୟ ଏକ ସେକ୍ସ ର‌୍ୟାକେଟ୍‌ରେ ଠାବ ହୋଇ ପୁଲିସ ଦ୍ୱାରା ଉଦ୍ଧାର ହୋଇଥିଲେ। ସେହିପରି ଗତକାଲି ଗିରଫ ହୋଇଥିବା ଗ୍ରାହକ କଟକ ଗୋପାଳପୁର ନିକଟ ବାଲିକୁଦାର ମାନସ ବେହେରା ବୋଲି ଜଣାପଡିଛି।

ଅନ୍ୟ ଏକ ଦେହ ବେପାର ଦଲାଲ୍‌ଠାରୁ ଶିବ ବିଷୟରେ ସୂଚନା ପାଇ ସେ ଗତକାଲି ବିଦ୍ୟାଧରପୁର ଆସିଥିଲା। ତେବେ େ ଶିବ ଓ ମାନସ ଉଭୟଙ୍କୁ କୋର୍ଟ ଚାଲାଣ କାରଯାଇଛି । ହେଲେ କୋର୍ଟ ଚାଲାଣ ଆଗରୁ ହୋଇଥିବା କରୋନା ଟେଷ୍ଟ୍‌ରେ ର‌୍ୟାକେଟ୍‌ର ମୁଖ୍ୟ କାର୍ପଟଦାର୍‌ ଶିବ କରୋନା ପଜିଟିଭ୍‌ ବାହାରିଥିବା ଜଣାପଡ଼ିଛି। ଫଳରେ ଜେଲ୍‌ କର୍ତୃପକ୍ଷଙ୍କୁ ଏନେଇ ଅବଗତ କରି ଦିଆଯାଇଛି। ଶିବର ସ୍ୱାସ୍ଥ୍ୟାବସ୍ଥା ଦେଖି ତାକୁ ଜେଲ୍‌ରେ ରଖି ଚିକିତ୍ସା କରାଯିବ କିମ୍ବା କୋଭିଡ୍‌ ହସ୍ପିଟାଲ୍‌ ପଠାଯିବ ତାହା କର୍ତ୍ତୃପକ୍ଷ ସ୍ଥିର କରିବେ। ଅନ୍ୟପଟେ ଏହି ର‌୍ୟାକେଟ୍‌ରେ ସଂପୃକ୍ତ ଥିବା ଭୁବନେଶ୍ୱରର ଅନ୍ୟ ତିନି ଅଭିଯୁକ୍ତଙ୍କୁ ଧରିବା ପାଇଁ ପୁଲିସ ଏବେ ତଦନ୍ତକୁ ଜୋରଦାର କରିଛି । ଖୁବ୍‌ଶୀଘ୍ର ଅଭିଯୁକ୍ତମାନେ ଧରାପଡ଼ିବେ ବୋଲି ପୁଲିସ ସୂଚନା ଦେଇଛି।

   Related Posts