ଦକ୍ଷିଣକୋରିଆ ବିରୋଧରେ ବନ୍ଦ ହେଲା କିମ୍‌ ଯୋଙ୍ଗଙ୍କ ଯୋଜନାବଦ୍ଧ ସେନା କାର୍ଯ୍ୟାନୁଷ୍ଠାନ

Published By : Prameya-News7 Bureau | June 24, 2020 IST

ପ୍ୟୋଙ୍ଗୟାଙ୍ଗ: ଉତ୍ତରକୋରିଆ ଏକଛତ୍ରବାଦୀ କିମ୍‌ ଜୋଙ୍ଗ ଉନ୍‌ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତିରେ ଦକ୍ଷିଣ କୋରିଆ ବିରୋଧରେ ସାମରିକ ଅଭିଯାନକୁ ସ୍ଥଗିତ କରିଛନ୍ତି। ଫଳରେ ସିଓଲ ଦ୍ୱାରା ନିର୍ମିତ ଲିଆସନ କାର୍ଯ୍ୟାଳୟକୁ ଗୋଳାମାଡରେ ଉଡାଇ ଦିଆଯିବା ପରେ ଉପୁଜିଥିବା ଉତ୍ତେଜନା ଏବେ ପ୍ରଶମିତ ହେବ ବୋଲି ଆଶା କରାଯାଉଛି।

ପ୍ୟୋଙ୍ଗୟାଙ୍ଗ ଅଧିକାରୀକ ସମ୍ବାଦ ସରବରାହ ସଂସ୍ଥା ସେଣ୍ଟ୍ରାଲ ନ୍ୟୁଜ ଏଜେନ୍ସୀ ସୂତ୍ରରୁ ଏହା ଜଣାପଡିଛି। କିମ୍‌ ଜୋଙ୍ଗ  ଉନ୍‌ ଏକ ଭିଡିଓ କନଫରେନସିଂ ବାର୍ତ୍ତାରେ ୱାର୍କର୍ସ ପାର୍ଟିର କେନ୍ଦ୍ରୀୟ ସୈନ୍ୟ ଆୟୋଗ ବୈଠକରେ ଏହି ନିର୍ଦ୍ଦେଶ ଦେଇଛନ୍ତି। ବୈଠକରେ ସୈନ୍ୟ ଅଧିକାରୀଙ୍କ ଦ୍ୱାରା ଉପସ୍ଥାପିତ ସାମରିକ କାର୍ଯ୍ୟାନୁଷ୍ଠାନ ଯୋଜନାକୁ ବନ୍ଦ ରଖିବା ଲାଗି ସେ ନିର୍ଦ୍ଦେଶ ଦେଇଥିଲେ। ତେବେ କଣ ପାଇଁ ରାଷ୍ଟ୍ରପତି ଏହି ନିର୍ଦ୍ଦେଶ ଦେଲେ ସେ ନେଇ କିନ୍ତୁ କେସିଏନଏ କୌଣସି ସୂଚନା ଦେଇ ନାହିଁ।

ସେପଟେ ଦକ୍ଷିଣ କୋରିଆ ସମନ୍ୱୟ ମନ୍ତ୍ରାଳୟ ମୁଖପାତ୍ର ୟୋହ ସଙ୍ଗ-କି ଉତ୍ତର କୋରିଆ ରିପୋର୍ଟ ଉପରେ ତୀକ୍ଷ୍ଣ ନଜର ରଖିଥିବା କହିଛନ୍ତି। କାରଣ କିମ୍‌ ଜୋଙ୍ଗଙ୍କ ନିଷ୍ପତ୍ତି ନେଇ ତାଙ୍କୁ ମଧ୍ୟ ଠୋସ୍ ସୂଚନା ମିଳିନଥିବା କହିଛନ୍ତି। ତେବେ କିମ୍‌ ଜୋଙ୍ଗ ହୁଏତ କାର୍ଯ୍ୟାନୁଷ୍ଠାନ ବନ୍ଦ କରି ନଥାଇ ପାରନ୍ତି ବୋଲି ଆଶଙ୍କା କରାଯାଉଛି। ହୁଏତ ଏହା ତାଙ୍କର କୌଣସି ରଣନୀତି ହୋଇପାରେ ଅଥବା ନିଜକୁ ଦୃଢ କରିବାକୁ ସମୟ ନେଇଥାଇପାରନ୍ତି ବୋଲି ଆଶଙ୍କା କରାଯାଉଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.