ଜନତାଙ୍କ ସାମ୍ନାରେ କାନ୍ଦିଲେ ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ ଜୋଙ୍ଗ ଉନ, ଜାଣନ୍ତି କେଉଁ ଭୁଲ ପାଇଁ ସେ ମାଗିଲେ କ୍ଷମା ?

Published By : Prameya-News7 Bureau | October 12, 2020 IST

ପ୍ୟୋଙ୍ଗୟଙ୍ଗ ୧୨।୧୦: ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ ଜୋଙ୍ଗ ଉନ୍ ଅପ୍ରତ୍ୟାଶିତ ଭାବେ ଦେଶର ଜନତାଙ୍କୁ କ୍ଷମା ମାଗିଛନ୍ତି। ଏହି ସମୟରେ ତାଙ୍କ ଆଖିରେ ଲୁହ ଝରି ଆସିଛି। ତାନଶାହା କିମ୍ ଜନତାଙ୍କୁ କହିଛନ୍ତି ଯେ, ସେ କରୋନା ମହାମାରୀ ସମୟରେ ନିଜର ଜନତାଙ୍କ ସହ ଛିଡା ହୋଇପାରି ନାହାନ୍ତି, ଏଥିପାଇଁ କ୍ଷମା ମାଗୁଛି। ନିଜ ପାର୍ଟିର ୭୫ ବର୍ଷ ପୂର୍ତ୍ତି ଅବସରରେ ଆୟୋଜିତ କାର୍ଯ୍ୟକ୍ରମକୁ ସମ୍ବୋଧିତ କରି କିମ ଜୋଙ୍ଗ ଉନ ଭାବବିହ୍ଵଳ ହୋଇ ପଡିଥିଲେ।

କିମ ଜୋଙ୍ଗ ଉନ ନିଜ ଭାଷଣରେ ସ୍ଵୀକାର କରିଛନ୍ତି ଯେ, ସେ ଉତ୍ତର କୋରିଆ ଜନତାଙ୍କ ବିଶ୍ଵାସ ଜିଣି ପାରି ନାହାନ୍ତି। ଏଥିପାଇଁ ସେ କ୍ଷମା ମାଗୁଛନ୍ତି। ଏତିକି କହି କିମ ଜୋଙ୍ଗ ଉନ କୋହ ସମ୍ଭାଳି ପାରିନଥିଲେ ଏବଂ ଚଷମା କାଢି ଲୁହ ପୋଛିଥିଲେ। ସେ ନିଜର ପୂର୍ବଜଙ୍କ ମହାନ କାମକୁ ମନେ ପକାଇ କହିଛନ୍ତି, ଯଦିଓ ମୋତେ ଏହି ଦେଶକୁ ଚଳାଇବାର ଦାୟିତ୍ଵ ଦିଆଯାଇଥିଲା, ତଥାପି ମୋର ପ୍ରୟାସ ଓ ସଚ୍ଚୋଟତା ମୋ ଦେଶର ଜନତାଙ୍କ ସମସ୍ୟାକୁ କମ କରିବା ପାଇଁ ପର୍ଯ୍ୟାପ୍ତ ନୁହେଁ।

ଭାବୁକଭରା ଭାଷଣରେ କିମ୍ କହିଛନ୍ତି ସମଗ୍ର ଦୁନିଆର ଜନତା କରୋନା କାରଣରୁ ସମସ୍ୟାରେ ପଡିଛନ୍ତି। ଏହା ସହିତ ସେ ଦକ୍ଷିଣ କୋରିଆ ସହ ସୁସଂପର୍କ ପାଇଁ ଇଚ୍ଛା ବ୍ୟକ୍ତ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ଉତ୍ତର କୋରିଆ ପରମାଣୁରେ ସଜ୍ଜିତ  ଇଣ୍ଟରକଣ୍ଟିନେଣ୍ଟାଲ ବାଲିଷ୍ଟିକ ମିସାଇଲ(ICBM)ର ପ୍ରଦର୍ଶନ କରିଛି। ଏହା ନିଜ ସ୍ଵରୂପରେ ଦୁନିଆର ସବୁଠୁ ବଡ ମିସାଇଲ। ଏହା ଏତେ ବିଶାଳ ଯେ ଏହାକୁ ୨୨ ଚକା ବିଶିଷ୍ଟ ଟ୍ରକରେ ନେବାକୁ ପଡିଥିଲା। ପରେଡରେ ଅନେକ ପ୍ରକାରର ଯୁଦ୍ଧାସ୍ତ୍ରର ଝଲକ ମଧ୍ୟ ଦେଖିବାକୁ ମିଳିଥିଲା।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.